ଉପନିର୍ବାଚନ ସନ୍ଦେଶ

ବିରୋଧୀ ଦଳକୁ ନିଃଶେଷ ବା ମୂଳପୋଛ କରିଦେବାର ମାନସିକତା ନେଇ କିଛି ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ନ ହେଉ

ନିର୍ବାଚନ ପ୍ରକ୍ରିୟାରୁ କ୍ଷମତା ରାଜନୀତିକୁ ପୃଥକ୍‌ କରାଯାଇପାରିବନି। ତେଣିକି କିଏ କ୍ଷମତା ରାଜନୀତିକୁ ଆସୁଛି ସେଥିରେ କିଛି ଯାଏ ଆସେ ନାହିଁ। କାରଣ କ୍ଷମତା ଦଖଲ ଶେଷ କଥା ନୁହେଁ। ଆମର କହିବାର କଥା ଯେ ବିରୋଧୀ ଦଳ ସମ୍ପୂର୍ଣ୍ଣ ରୂପେ ମୂଳପୋଛ ହୋଇନଯାଉ। କାରଣ ଏକଦଳୀୟ ଶାସକ ବ୍ୟବସ୍ଥା କୌଣସି ପରିସ୍ଥିତିରେ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଗତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ନିକଟରେ ୪ଟି ରାଜ୍ୟର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନର ଉପନିର୍ବାଚନ ହୋଇଯାଇଛି। ଆମ ଦେଶରେ ନିର୍ବାଚନ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା। ପୁଣି ଆସନ୍ତା ଡିସେମ୍ବରରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଉଭୟ ରାଜ୍ୟରେ ବିଜେପି କ୍ଷମତାରେ ଅଛି। ଏମିତିରେ କ୍ଷମତା ବିରୋଧରେ କିଛିଟା ଜନମତ ରହିଥାଏ। ସେହି ଜନମତକୁ ପୁଞ୍ଜିକରି ବିରୋଧୀ ଦଳ ନିର୍ବାଚନ ଲଢ଼ୁଥିବାବେଳେ ସରକାରୀ ଦଳ ନିଜ ଭୋଟବ୍ୟାଙ୍କକୁ ସୁଧାରିବା ପାଇଁ ନାନା କଳ କୌଶଳକୁ ଆପଣାଇଥାଏ। ତେଣିକି ସେ ଧର୍ମ ହେଉ କି ସଂପ୍ରଦାୟ, ତାହାର ଧ୍ରୁବୀକରଣ ହିଁ ଶେଷ ଅସ୍ତ୍ର। ଏ କ୍ଷେତ୍ରରେ ନୈତିକତା ବା ଅନୈତିକତାର କୌଣସି ବାଛବିଚାର ନାହିଁ।

prayash

ଏ କଥା ସତ ଯେ ସଂସଦରେ ସଂଖ୍ୟା ଦୃଷ୍ଟିରୁ ବିରୋଧୀ ଦଳର ମର୍ଯ୍ୟାଦା ହରାଇଥିଲେ ମଧ୍ୟ ସର୍ବଭାରତୀୟ ପ୍ରତିନିଧିତ୍ବ ଦୃଷ୍ଟିରୁ କଂଗ୍ରେସ ଜାତୀୟ ଦଳ ଭାବେ କ୍ଷମତାସୀନ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ। ତେବେ କ୍ରମାଗତ ନିର୍ବାଚନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଏହି ଦଳ ବଳିଷ୍ଠ ନେତୃତ୍ବ ଅଭାବରୁ ବିଦ୍ରୋହ ଓ ବିଭେଦର ସମ୍ମୁଖୀନ ହେବା ସହ ବହୁ ପ୍ରମୁଖ ଦଳୀୟ ନେତା ଏଥିମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି। ଗତ ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ ଶିବିରରେ ନୈରାଶ୍ୟ ସୃଷ୍ଟି କରିଛି। ୨୦୦୪ ଓ ୨୦୦୯ ସାଧାରଣ ନିର୍ବାଚନରେ ସୋନିଆଙ୍କ ନେତୃତ୍ବ ଦଳ ଯେଉଁ ସଫଳତା ହାସଲ କରିଥିଲା ତାହା ଦୋହରାଇବାକୁ ରାହୁଲ କିମ୍ବା ପ୍ରିୟଙ୍କା ସମର୍ଥ ହୋଇନାହାନ୍ତି। ନୀତି ଓ ଆଦର୍ଶକୁ ନେଇ ରାଜନୀତି ଚାଲେନି, ଚାଲେ କ୍ଷମତା ଅଳିନ୍ଦର ଅଂଶୀଦାର ବା ସହଯୋଗୀ ହୋଇ।

ଯେତେବେଳେ ଦଳ ଦୀର୍ଘଦିନ ଧରି କ୍ଷମତାରୁ ଦୂରେଇ ଯାଏ, ସେତେବେଳେ ସାଂଗଠନିକ ବିଦ୍ରୋହ ଓ ସୁବିଧାବାଦୀଙ୍କ ଦଳ ତ୍ୟାଗ ପରିଲକ୍ଷିତ ହୋଇଥାଏ। ଆମକୁ ଏଠାରେ ସ୍ବୀକାର କରିବାକୁ ପଡ଼ିବ ଯେ କଂଗ୍ରେସର ବିପର୍ଯ୍ୟୟରୁ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ତାହାକୁ ଦଖଲ କରିବା ପାଇଁ କେଜରିୱାଲ ପାଗ ପଟୁଆର ଭିଡ଼ିଛନ୍ତି। ଏବେ ସେ ଦିଲ୍ଲୀ ମଡେଲକୁ ନେଇ ରାଜନୀତି ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଦିଲ୍ଲୀ ମଡେଲ ଓ ଗୁଜରାଟ ମଡେଲ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ରାଜନୈତିକ ପାଣିପାଗ ସବୁଦିନେ ସମାନ ଯାଏନି। ପରିବର୍ତ୍ତନର ଆଭାସକୁ ନେଇ ନିର୍ବାଚନ ପୂର୍ବରୁ ରାଜନୀତିର ଅଙ୍କକଷା ଆରମ୍ଭ ହୋଇଯାଏ; କିନ୍ତୁ ଅନେକ ସମୟରେ ତାହା ସାକାର ହୁଏନି ପାରିପାର୍ଶ୍ବିକ ପରିସ୍ଥିତି ଓ କ୍ଷମତାର ଅଖଣ୍ଡ ପ୍ରଭାବରୁ। ଏହି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ୫ଟି ଆସନରେ ହୋଇଥିବା ନିର୍ବାଚନ ଫଳ ବିରୋଧୀଙ୍କୁ ଉତ୍ସାହିତ କରିଛି। ତେବେ ଏଠାରେ ଏତିକି କୁହାଯାଇପାରେ କି ପଶ୍ଚିମବଙ୍ଗ, ଛତିଶଗଡ଼ ଓ ମହାରାଷ୍ଟ୍ରରେ କ୍ଷମତାସୀନ ଦଳ ବା ମେଣ୍ଟର ସହଯୋଗୀ ନିର୍ବାଚନ ଜିତିଛନ୍ତି। ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ନିର୍ବାଚନମଣ୍ଡଳୀରୁ ଶତ୍ରୁଘ୍ନ ସିହ୍ନାଙ୍କ ବିପୁଳ ଭୋଟ ବ୍ୟବଧାନରେ ବିଜୟ ସହ ବାବୁଲ ସୁପ୍ରିୟୋ ବାଲିଗଞ୍ଜରେ ନିର୍ବାଚିତ ହେବା ସୂଚାଉଛି ଯେ ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ନେତୃତ୍ବ ପ୍ରତି ରାଜ୍ୟବାସୀଙ୍କ ଆସ୍ଥା ଅତୁଟ ରହିଛି। ସେହିଭଳି ଛତିଶଗଡ଼ ଓ ମହାରାଷ୍ଟ୍ରରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ଏହି ପ୍ରତିକୂଳ ପରିସ୍ଥିତିରେ ଦଳକୁ ନିଶ୍ଚୟ ଆଶ୍ବସ୍ତ କରିଥିବ; କିନ୍ତୁ ବିହାରର ନୀତୀଶଙ୍କ ଗଡ଼ରେ ଲାଲୁଙ୍କ ଆରଜେଡି ପ୍ରାର୍ଥୀଙ୍କ ବିଜୟ ଗତ ବିଧାନସଭା ନିର୍ବାଚନର କଡ଼ା ମୁକାବିଲାକୁ ସ୍ମରଣ କରାଇଦେଇଛି। ୩୭.୨୬% ଓ ୩୭.୨୩% ବ୍ୟବଧାନରେ ଦୁଇ ମେଣ୍ଟ ମଧ୍ୟରେ ହାରଜିତ ହୋଇଥିଲା। ଏହି ବିଜୟରୁ ସ୍ପଷ୍ଟ ହେଉଛି, ବିହାରରେ ସବୁ ଯେ ଠିକ୍‌ଠାକ୍‌ ଚାଲିଛି ଏ କଥା କୁହାଯାଇ ନପାରେ।

ଆସନ୍ତା ଡିସେମ୍ବରରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁ ଥିବା ନିର୍ବାଚନ ନୂଆ ରାଜନୈତିକ ସମୀକରଣ ପାଇଁ ପଥ ପରିଷ୍କାର କରୁଥିବାର ସୂଚନା ମିଳିଛି। ଏ କଥା ଅନସ୍ବୀକାର୍ଯ୍ୟ ଯେ ପଞ୍ଜାବରେ କ୍ଷମତାସୀନ ହୋଇଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ଏହି ନିର୍ବାଚନରେ ନିଶ୍ଚୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିଜେପି-କଂଗ୍ରେସ-ଆପ୍‌ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ପାଇଁ କ୍ରମେ ପଥ ପରିଷ୍କାର ହୋଇଛି। ହିମାଚଳରେ ଗତ ଉପନିର୍ବାଚନ ବିପର୍ଯ୍ୟୟ ଭୟ ଓ ଆଶଙ୍କାଠାରୁ ବିଜେପି ଏ ପର୍ଯ୍ୟନ୍ତ ମୁକ୍ତ ହୋଇନି। ସେହିଭଳି ମୋଦୀଙ୍କ ନିଜ ଗଡ଼ ଗୁଜରାଟ ନିର୍ବାଚନ ପ୍ରସଙ୍ଗ ନିଆରା। ସେଠାରେ ଆପ୍‌ ସାଙ୍ଗଠନିକ କାୟା ବିସ୍ତାର କରି ନିଜକୁ କ୍ଷମତା ଦାବିଦାର ଭାବେ ଉପସ୍ଥାପିତ କରୁଥିଲେ ହେଁ କଂଗ୍ରେସର ଉପସ୍ଥିତିକୁ ଅସ୍ବୀକାର କରିହେବନି। ତେବେ ଆମର କହିବାର କଥା ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜନମତ ଯାହା ସପକ୍ଷରେ ଯାଉନା କାହିଁକି ବିରୋଧୀ ଦଳକୁ ନିଃଶେଷ ବା ମୂଳପୋଛ କରିଦେବାର ମାନସିକତା ନେଇ କିଛି ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ନହେଉ। ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳ କ୍ଷମତାରେ ଥିଲେ ମଧ୍ୟ ଜାତୀୟ ରାଜନୀତିରେ କାହାକୁ ନିରଙ୍କୁଶ କ୍ଷମତା କେନ୍ଦ୍ର କରାନଯାଉ।

Comments are closed.