ବିଶ୍ବ ବ୍ୟବସ୍ଥାକୁ ଶୃଙ୍ଖଳିତ ରଖିବା ନିମନ୍ତେ ବିଶ୍ବର ଦୁଇ ବୃହତ୍ତମ ଗଣତନ୍ତ୍ର ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବା ଅପରିହାର୍ଯ୍ୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଅନୁଷ୍ଠିତ ଆଭାସି ଆଲୋଚନା ଅନେକ ଦିଗରୁ ଗୁରୁତ୍ବପୂର୍ଣ୍ଣ। ପ୍ରକୃତରେ ଗତ କିଛି ଦିନ ହେଲା ରୁଷରୁ ରିଆତି ଦରରେ ଭାରତ ତୈଳ ଆମଦାନୀ ପ୍ରସ୍ତାବକୁ ନେଇ ଆମେରିକା ପକ୍ଷରୁ ଏପରି ଅନେକ ବିବୃତି ଦିଆଯାଇଥିଲା, ଯାହା ଭ୍ରମାତ୍ମକ ସ୍ଥିତି ସୃଷ୍ଟି କରିଥିଲା। ପାଶ୍ଚାତ୍ୟ ଗଣମାଧ୍ୟମରେ ଏହାକୁ ଭାରତ ପ୍ରତି ଆମେରିକାର ନକାରାତ୍ମକ ଆଭିମୁଖ୍ୟ ଭାବେ ବର୍ଣ୍ଣନା କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ୟୁକ୍ରେନରେ ଯୁଦ୍ଧ କରୁଥିବା ରୁଷିଆକୁ ଭାରତ ଏକ ପ୍ରକାର ସାହାଯ୍ୟ କରୁଥିବାର ଧାରଣା ସୃଷ୍ଟି ହୋଇଥିଲା। ତେଣୁ ଏହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିବା ଅବଶ୍ୟମ୍ଭାବୀ ହୋଇପଡ଼ିଥିଲା। ଶ୍ରୀ ମୋଦୀ ଓ ବାଇଡେନ ମୁଖ୍ୟତଃ ଉଭୟ ଦେଶର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରୀଙ୍କ ଚତୁର୍ଥ ‘୨+୨ ଆଲୋଚନା’ର ମାର୍ଗଦର୍ଶକ ଭଳି କାର୍ଯ୍ୟ କରିଥିଲେ। ଏହି ଆଲୋଚନା ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସ୍ପଷ୍ଟ କରିଦେଇଛନ୍ତି ଯେ ରୁଷରୁ ପେଟ୍ରୋଲିୟମ୍ ଉତ୍ପାଦ କ୍ରୟ ପରିପ୍ରେକ୍ଷୀରେ ଭାରତକୁ ନେଇ ଆମେରିକା ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ‘‘ୟୁରୋପ ଗୋଟିଏ ଦ୍ବିପ୍ରହରରେ ଯେତିକି ତେଲ ରୁଷରୁ କିଣେ, ଭାରତ ମାସସାରା ମଧ୍ୟ ସେତିକି ଆମଦାନୀ କରେ ନାହିଁ’’। ଏହାପରେ ଆମେରିକାକୁ ସ୍ବୀକାର କରିବାକୁ ପଡ଼ିଲା ଯେ ଭାରତର ତେଲ ଆମଦାନୀ ରୁଷ ଉପରେ ଲଗାଯାଇଥିବା କଟକଣାର ଉଲ୍ଲଙ୍ଘନ ନୁହେଁ ଏବଂ ୟୁକ୍ରେନ ଯୁଦ୍ଧ ମାମଲାରେ ଭାରତ ନିଜର ସ୍ବତନ୍ତ୍ର ଭୂମିକା ତୁଲାଇବାର ସାର୍ବଭୌମତ୍ବରେ କେହି ହସ୍ତକ୍ଷେପ କରିପାରିବେ ନାହିଁ।
ଏଥରର ଆଲୋଚନା ଉଭୟ ଦେଶର ଦ୍ବିପାକ୍ଷିକ ସମ୍ବନ୍ଧକୁ ଅଧିକ ମଜଭୁତ କରିବ; କାରଣ କେବଳ ୟୁକ୍ରେନ୍ରେ ନାଗରିକଙ୍କ ମୃତ୍ୟୁ ଓ ମାନବୀୟ ସଙ୍କଟ ନୁହେଁ, ବରଂ ଏହା ବ୍ୟତୀତ କ୍ବାଡ ଗୋଷ୍ଠୀ ମାଧ୍ୟମରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗ ବୃଦ୍ଧି, କରୋନା ଟିକା ଯୋଗାଣ ତଥା ଜଳବାୟୁ ପରିବର୍ତ୍ତନ ଉପରେ ସହଯୋଗିତା ଇତ୍ୟାଦି ଉପରେ ପାରସ୍ପରିକ ସହମତି ହୋଇଛି। ଆହୁରି ମଧ୍ୟ ବାଣିଜ୍ୟ ବୃଦ୍ଧି ନିମନ୍ତେ ଦ୍ବିପାକ୍ଷିକ ବାଣିଜ୍ୟିକ ଆଲୋଚନା ତଥା ସିଇଓ ଫୋରମ୍ର ବୈଠକ ପୁନଃ ଆରମ୍ଭ କରିବାପାଇଁ ଉଭୟେ ସମ୍ମତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ଯେ କେତେକ ବୈଶ୍ବିକ ମାମଲା ନେଇ ମତଭେଦ ରହିଥିବା ସତ୍ତ୍ବେ ଭାରତ ଓ ଆମେରିକା ମଧ୍ୟରେ ଘନିଷ୍ଠତା ବଢ଼ୁଛି। ଅନ୍ୟପକ୍ଷରେ ରୁଷ-ଆମେରିକା ମଧ୍ୟରେ ଶତ୍ରୁତାପୂର୍ଣ୍ଣ ସମ୍ପର୍କ ରହିଥିଲେ ହେଁ ରୁଷ ଭାରତର ପୁରୁଣା ମିତ୍ର ଏବଂ ସେଥିରେ ଏ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଆସିନାହିଁ। ଆମେରିକାର ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏହି ସତ୍ୟକୁ ସ୍ବୀକାର କରି କହିଛନ୍ତି ଯେ ଯେତେବେଳେ ଭାରତ ସହ ଆମେରିକା ସହଯୋଗ କରିପାରୁନଥିଲା, ସେହି ସମୟଠାରୁ ଦଶନ୍ଧି ଦଶନ୍ଧି ଧରି ଭାରତ ଓ ରୁଷ ଭିତରେ ଘନିଷ୍ଠତା ରହିଆସିଛି।
ଏଥିରୁ ଜଣାପଡ଼ୁଛି ଯେ ରୁଷ-ଭାରତ ସମ୍ବନ୍ଧର ଗଭୀରତାକୁ ଆମେରିକା ଭଲଭାବେ ବୁଝିଛି। ସେହିପରି ‘୨+୨ ଆଲୋଚନା’ରେ ଆମେରିକା ଓ ଭାରତ ଆତଙ୍କବାଦୀ ଗତିବିଧି ପାଇଁ ତା’ର ମାଟିକୁ ବ୍ୟବହାର କରିବାକୁ ନ ଦେବାପାଇଁ ପାକିସ୍ତାନକୁ ଆହ୍ବାନ କରିଛନ୍ତି। ପାକିସ୍ତାନର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ଏହି ମିଳିତ ବିବୃତି ଅନେକ ଗୁରୁତ୍ବ ବହନ କରେ। ପାକିସ୍ତାନର ନୂଆ ସରକାର ଏହାକୁ ଉପେକ୍ଷା କରୁଛି ନା କିଛି ପଦକ୍ଷେପ ନେଉଛି, ତାହା ଭବିଷ୍ୟତ କହିବ। ବଡ଼ କଥା ହେଲା, ଏଥରର ଆଲୋଚନାବେଳେ ଭାରତ ସ୍ପଷ୍ଟ କରିଦେଇଛି ଯେ ଭାରତ ତା’ର ଜାତୀୟ ହିତ ରକ୍ଷା ପାଇଁ ସ୍ବାଧୀନ ବିଦେଶ ଓ ପ୍ରତିରକ୍ଷା ନୀତିକୁ ଅନୁସରଣ କରିଆସିଛି ଓ ଆଗକୁ ମଧ୍ୟ କରିବ; ସେଥିରେ ଅନ୍ୟର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଆମେରିକା ସ୍ବାଭାବିକ ଭାବେ ଆମର ଏକ ସହଯୋଗୀ ରାଷ୍ଟ୍ର; କିନ୍ତୁ ଭାରତ ଅନ୍ୟ ସମସ୍ତ ଦେଶ ସହିତ ମଧ୍ୟ ଭଲ ସମ୍ବନ୍ଧ ରଖିବାକୁ ଚାହେଁ।
ଅପରପକ୍ଷେ ଆମେରିକା ଭାରତ ସହ ସୁସମ୍ପର୍କ ନ ରଖିଲେ ନ ଚଳେ; କାରଣ ରୁଷ ଓ ଚୀନ ମଧ୍ୟରେ ମିତ୍ରତା ବଢ଼ିଚାଲିଛି। ଚୀନର ଗତିରୋଧ ପାଇଁ ଭାରତର ଆବଶ୍ୟକତା କେତେ ତାହା ଆମେରିକା ଭଲଭାବେ ବୁଝିଛି। ଭାରତ ମଧ୍ୟ ଜାଣେ ଯେ ଚୀନ ଆଇନ ନିର୍ଦ୍ଧାରିତ ଆନ୍ତର୍ଜାତିକ ବ୍ୟବସ୍ଥା ଓ ଭାରତର ସାର୍ବଭୌମତ୍ବ ପ୍ରତି ସବୁଠୁ ବଡ଼ ବିପଦ। ତା’ର ବିସ୍ତାରବାଦୀ ନୀତି ସମଗ୍ର ବିଶ୍ବକୁ ବିଭିନ୍ନ ପ୍ରକାରର ଦୁରବସ୍ଥା ମଧ୍ୟରୁ ଠେଲି ଦେଇପାରେ। ତେଣୁ ତାକୁ ଅଟକାଇବା ଜରୁରୀ। ସଂଯୁକ୍ତ ରାଷ୍ଟ୍ର ବୈଠକରେ ଚୀନ କୂଟନୈତିକ ସହଯୋଗ ମାଧ୍ୟମରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏଜେଣ୍ଡା କାର୍ଯ୍ୟକାରିତାରେ ରୁଷର ଉପଯୋଗିତାକୁ ନିଜ ଯୋଜନାରେ ରଖିଥିବା ଭଳି ମନେହୁଏ। ଏପରି ସ୍ଥିତିରେ ବିଶ୍ବ ବ୍ୟବସ୍ଥାକୁ ଶୃଙ୍ଖଳିତ ରଖିବା ନିମନ୍ତେ ବିଶ୍ବର ଦୁଇ ବୃହତ୍ତମ ଗଣତନ୍ତ୍ର ଭାରତ ଓ ଆମେରିକା ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବା ଅପରିହାର୍ଯ୍ୟ।



