ସମୀକ୍ଷା ସମୟ ଆସିଛି
କାନନ ବିହାରୀ ଦାଶ, ସମ୍ପାଦକ ‘ସମାଜ’
ଓଡ଼ିଶା ଇତିହାସରେ ୧୯୪୮ ଏପ୍ରିଲ ୧୩, ଏକ ସ୍ୱତନ୍ତ୍ର ଦିବସ। ଏହି ଦିନ ମନ୍ଦିରମାଳିନୀ ସହର ‘ଭୁବନେଶ୍ୱର’କୁ ରାଜ୍ୟ ରାଜଧାନୀ କରିବା ପାଇଁ ଶିଳାନ୍ୟାସ ପଡ଼ିଥିଲା। ଏହା ପୂର୍ବରୁ କଟକ ଥିଲା ଓଡ଼ିଶା ପ୍ରଦେଶର ରାଜଧାନୀ। ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଭୁବନେଶ୍ୱରକୁ ରାଜଧାନୀ କରିବାର ସ୍ୱପ୍ନ ଦେଖିଥିଲେ। ଏହାକୁ ସରସ ସୁନ୍ଦର ଓ ସୌନ୍ଦର୍ଯ୍ୟମୟ କରିବା ଆଭିମୁଖ୍ୟ ରଖି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହରୁ ଭୁବନେଶ୍ବର ଆସି ଘଞ୍ଚ ବଣ ଜଙ୍ଗଲ ପରିବେଷ୍ଟିତ ପରିବେଶ ଭିତରେ ନୂଆ ରାଜଧାନୀର ଶିଳାନ୍ୟାସ କରିଥିଲେ। ୪୦ ହଜାର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତିଷ୍ଠା ହୋଇଥିବା ରାଜଧାନୀର ଜନସଂଖ୍ୟା ଏବେ ସହର ଏବଂ ଉପକଣ୍ଠ ଅଞ୍ଚଳକୁ ମିଶାଇଲେ ୧୫ ଲକ୍ଷରେ ପହଞ୍ଚିଲାଣି।
୨୦୪୦ ସୁଦ୍ଧା ରାଜଧାନୀର ଜନସଂଖ୍ୟା ୩୦ ଲକ୍ଷ ଛୁଇଁବା ଆକଳନ କରି ବିଡିଏ(ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ) ବିସ୍ତୃତ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛି। ବିଶେଷକରି ରାଜଧାନୀ ସ୍ୱାସ୍ଥ୍ୟ ଓ ଶିକ୍ଷାରେ ଅନେକ ଉନ୍ନତି ଆସିଛି। ୭୩ବର୍ଷ ଭିତରେ ଗଢ଼ି ଉଠିଛି ଅନେକ ଜାତୀୟ ଓ ରାଜ୍ୟ ପ୍ରତିଷ୍ଠାନ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସିଧାସଳଖ ମାଲେସିଆ ଏବଂ ବ୍ୟାଙ୍କକକୁ ବିମାନ ଉଡୁଛି। ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିଛି। ଏକ ନମ୍ବର ସ୍ମାର୍ଟସିଟି ମାନ୍ୟତା ହାସଲ କରି ଭୁବନେଶ୍ବର ଦେଶ ଓ ବିଦେଶରେ ସ୍ୱତନ୍ତ୍ର ସହରର ପରିଚୟ ସୃଷ୍ଟି କରିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ସହ ଗମନାଗମନ, କ୍ରୀଡ଼ା, ପର୍ଯ୍ୟଟନ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ନିଯୁକ୍ତି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆସିଛି। ଦେଶର ପ୍ରମୁଖ ସହର ତାଲିକାରେ ଭୁବନେଶ୍ବର ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଏହାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ନେଇ ଦାବି ଜୋର୍ ଧରିଛି।
ଭୁବନେଶ୍ୱରକୁ ନେଇ ନେହରୁ ଓ ମହତାବ ଦେଖିଥିବା ସ୍ୱପ୍ନ ବାସ୍ତବରେ କେତେ ପୂରଣ ହୋଇଛି ସେଥିନେଇ ୭୪ତମ ପ୍ରତିଷ୍ଠା ଦିବସରେ ସମୀକ୍ଷା କରିବାର ସମୟ ଆସିଛି। କାରଣ ଗୋଟିଏ ଦିନରେ ନେହରୁ ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଶିଳାନ୍ୟାସ କରିଥିଲେ। ଭୁବନେଶ୍ୱର ତୁଳନାରେ ଚଣ୍ଡିଗଡ଼ ସହର ବିକାଶର ଊର୍ଦ୍ଧ୍ବରେ ରହିଥିବା କୁହାଯାଉଛି। ୭୩ ବର୍ଷର ସହର ଯେଉଁମାତ୍ରାରେ ବିକଶିତ ହେବା କଥା, ସେଥିରେ କିଛି ଅଭାବ ପରିଲକ୍ଷିତ ହେଉଛି। ସ୍ମାର୍ଟସିଟିର ପରିଚୟ ପାଇଥିବା ଭୁବନେଶ୍ବରରେ ଆଜି ବି ଜଳ, ପରିମଳ, ସଡ଼କ, ସେତୁ, ଆଲୋକ ବ୍ୟବସ୍ଥା ଏବଂ ଉଦ୍ୟାନ ଭିତ୍ତିଭୂମି ନେଇ ସମସ୍ୟା ଲାଗି ରହିଛି। ୪୦୦ରୁ ଅଧିକ ବସ୍ତି ଥିବା ସହରରେ ବାସିନ୍ଦାଙ୍କ ଥଇଥାନ ଆଖିଦୃଶିଆ ଅଗ୍ରଗତି ହୋଇପାରିନି। ଯେକୌଣସି ମଧ୍ୟମବର୍ଗର ସହର ଭଳି ଏଠି ପ୍ରତି ଛକରେ ଅନାଥ, ଭିକାରିଙ୍କୁ ହାତ ପତାଉଥିବା ଦେଖିବାକୁ ମିଳୁଛି। ଭୋର୍ ହେଲେ ନାମୀ ଦାମୀ ଛକରେ ଶ୍ରମିକ ହାଟରେ ଶ୍ରମଜୀବୀ ଆହାର ପାଇଁ ସଂଗ୍ରାମ କରୁଥିବାର ଦୃଶ୍ୟ ନିତିଦିନିଆ ହୋଇଛି। ଖରା, ବର୍ଷା, ଶୀତ କାକରରେ ତଥାପି ନିରାଶ୍ରୟ ଫୁଟ୍ପାଥ୍କୁ ଆଶ୍ରା କରି ବଞ୍ଚୁଛନ୍ତି। ଏସବୁ ଚିତ୍ର ଆମ ବିକାଶ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।
Comments are closed.