ଭାଷା ଲଢ଼େଇ
ଭାଷା କାହା ଉପରେ ଲଦିଦେବା ଭଳି ଜିନିଷ ନୁହେଁ; ଆବଶ୍ୟକତା ଅନୁସାରେ ମଣିଷ ଏହାକୁ ଶିଖେ ଓ ଆପଣାଏ
ଭାରତ ବିବିଧତାରେ ଭରା ଭିନ୍ନଭିନ୍ନ ପରମ୍ପରା, ସଂସ୍କୃତି ଓ ଭାଷା ଉପଭାଷାର ଦେଶ। ଏହା ହିଁ ଏହାର ଅସଲ ସୌନ୍ଦର୍ଯ୍ୟ। ଏହି ବିବିଧତା ମଧ୍ୟରେ ହିଁ ଏକତା ଭାବ ରହିଆସିଛି। ତେଣୁ କୌଣସି ଅଞ୍ଚଳର ଭାଷା, ସଂସ୍କୃତିକୁ ଅନ୍ୟ ଉପରେ ଲଦିଦେବାକୁ ଅତୀତରେ ଯେତିକି ବି ଅପଚେଷ୍ଟା କରାଯାଇଛି, ତାହା ସଫଳ ହୋଇନାହିଁ। ଭାରତୀୟତା ଆମ ଐକ୍ୟର ସୂତ୍ର, ଏହା ସମସ୍ତେ ବୁଝିଛନ୍ତି; କିନ୍ତୁ ଭାଷାକୁ ନେଇ ବେଳେବେଳେ ରାଜନୈତିକ ନେତୃବୃନ୍ଦ ଏପରି ମନ୍ତବ୍ୟ ଦିଅନ୍ତି, ଯାହାକୁ ନେଇ ଦେଶସାରା ଅସନ୍ତୋଷ ପ୍ରକାଶ ପାଏ। ଏବେ ସେହିପରି ଏକ ସ୍ଥିତି ଉପୁଜିଛି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ। ନିକଟରେ ‘ପାର୍ଲାମେଣ୍ଟାରି ଅଫିସିଆଲ୍ ଲାଙ୍ଗୁଏଜ୍ କମିଟି’ ବୈଠକରେ ସେ ପ୍ରସ୍ତାବ ଦେଇଥିଲେ ଯେ ରାଜ୍ୟଗୁଡ଼ିକ ପରସ୍ପର ମଧ୍ୟରେ ଇଂରେଜୀରେ ନୁହେଁ, ହିନ୍ଦୀ ଭାଷାରେ ଯୋଗାଯୋଗ ରଖନ୍ତୁ। ଅନ୍ୟ ଶବ୍ଦରେ କହିଲେ ସେମାନେ ଇଂରେଜୀ ନୁହେଁ, ବରଂ ହିନ୍ଦୀକୁ ନିଜର ‘ସମ୍ପର୍କ ଭାଷା’ ଭାବେ ବ୍ୟବହାର କରନ୍ତୁ। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଏ ମନ୍ତବ୍ୟ ଯଦି କେବଳ ହିନ୍ଦୀଭାଷୀ ରାଜ୍ୟକୁ ନେଇ ହୋଇଥାନ୍ତା, ତେେବ କିଛି ସମସ୍ୟା ନଥିଲା; କିନ୍ତୁ ଭାରତରେ ଅନ୍ୟ ଭାଷାଭାଷୀ ରାଜ୍ୟ ଅଛନ୍ତି, ଯେଉଁଠି ଲୋକ ବହୁତ କମ୍ ହିନ୍ଦୀ ଭାଷା ବୁଝନ୍ତି ଓ କହନ୍ତି। ବିଶେଷକରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ହିନ୍ଦୀ ଅପ୍ରଚଳିତ। ସେଠାରେ ସ୍ବଭାଷା ପ୍ରତି ଆଦର ଓ ସମ୍ମାନ ବହୁତ ଅଧିକ ଏବଂ ସେସବୁ ରାଜ୍ୟରେ ସରକାରୀ ଭାଷା ମଧ୍ୟ ସେମାନଙ୍କ ସ୍ଥାନୀୟ ଭାଷା। ଏପରି ସ୍ଥଳେ ହିନ୍ଦୀକୁ ସେମାନଙ୍କ ଯୋଗାଯୋଗର ଭାଷା କରିବାକୁ କହିବା ଅବାସ୍ତବ ମନେହୁଏ।
ଅତୀତରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଭାଷା ବିମର୍ଶକୁ ନେଇ ବେଶ୍ ବଡ଼ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା ଏବଂ ବର୍ଷବର୍ଷ ଧରି ତାହା ବିରୋଧରେ ଅଭିଯାନ ଚାଲିଥିଲା। ଷାଠିଏ ଦଶକରେ ଏହା ହିଂସାତ୍ମକ ହୋଇଥିବାର ନଜିର ରହିଛି। ତେଣୁ ଭାଷା ପରି ସମ୍ବେଦନଶୀଳ ବିଷୟ ଉପରେ ବିବୃତି ଦେବାବେଳେ ସମସ୍ତଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି।
ଏହା ସତ୍ୟ ଯେ ବଲିଉଡ଼ ବା ହିନ୍ଦୀ ଚଳଚ୍ଚିତ୍ର ସମଗ୍ର ଦେଶରେ ହିନ୍ଦୀ ଭାଷାକୁ ଲୋକପ୍ରିୟ କରିପାରିଛି; କିନ୍ତୁ ଏହା ସଭିଙ୍କର କେବଳ ବୁଝିବା ସ୍ତରରେ ରହିଛି। ହିନ୍ଦୀ କହିବାକୁ ଓ ଲେଖିବାକୁ ଏବେ ମଧ୍ୟ ଅନେକଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏପରି କି ଅଧିକାଂଶ ଇଂରେଜୀ ଭାଷା ସହଜରେ କହନ୍ତି, କିନ୍ତୁ ହିନ୍ଦୀ କହିପାରନ୍ତି ନାହିଁ। ତେଣୁ କେନ୍ଦ୍ର ସହ ରାଜ୍ୟଗୁଡ଼ିକର ଯୋଗାଯୋଗର ଭାଷା ଇଂରେଜୀ ହେବା ଅସ୍ବାଭାବିକ ବା ଅବାସ୍ତବ ନୁହେଁ। ଆହୁରି ମଧ୍ୟ ହିନ୍ଦୀ ଇଂରେଜୀର ଶ୍ରେଷ୍ଠ ବିକଳ୍ପ ହୋଇପାରିବ, ସେ ନେଇ ଅନେକ ସନ୍ଦେହ ରହିଛି। ତେଣୁ ଏହି ସୁବ୍ୟବସ୍ଥିତ ଅବସ୍ଥାନକୁ ବିଗାଡ଼ିବା ନିଶ୍ଚିତଭାବେ ଆଗାମୀ ସମୟରେ ନୂଆ ସମସ୍ୟା ସୃଷ୍ଟି କରିବ। ସ୍ବରାଷ୍ଟ୍ର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ପ୍ରାୟ ୭୦ ଶତାଂଶ କ୍ୟାବିନେଟ୍ କାର୍ଯ୍ୟସୂଚୀ ହିନ୍ଦୀରେ ପ୍ରସ୍ତୁତ କରାଯାଉଛି; ଉତ୍ତର ପୂର୍ବର ଆଠଟି ରାଜ୍ୟରେ ସେମାନଙ୍କ ସହମତିରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ କରାଯାଇଛି ଓ ସେଥିପାଇଁ ୨୨ ହଜାର ହିନ୍ଦୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ୯ଟି ଆଦିବାସୀ ସମ୍ପ୍ରଦାୟ ସେମାନଙ୍କ ଉପଭାଷା ଲେଖିବାକୁ ଦେବନାଗରୀ ଲିପି ବ୍ୟବହାର କରୁଛନ୍ତି। ମନ୍ତ୍ରୀଙ୍କ କହିବାର ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି, ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ସମଗ୍ର ଦେଶରେ ପ୍ରଚଳନ କରିବା ପାଇଁ ଖୁବ୍ ବ୍ୟଗ୍ର ହୋଇପଡ଼ିଛନ୍ତି। ହିନ୍ଦୀ ଉପରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ବାରୋପର ଏହା ପ୍ରଥମ ଘଟଣା ମଧ୍ୟ ନୁହେଁ। ୨୦୧୯ରେ ସେ ‘ଏକ ଦେଶ, ଏକ ଭାଷା’ କଥା କହିଥିଲେ। ଏହି ସ୍ଲୋଗାନ ଭିତରେ ସମଗ୍ର ଦେଶରେ ହିନ୍ଦୀକୁ ଲାଗୁ କରିବା, ଅର୍ଥାତ ଅନ୍ୟ ଭାଷାଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀକୁ ଲଦିଦେବାର ବାର୍ତ୍ତା ଯେ ନିହିତ, ତାହା କହିବା ବାହୁଲ୍ୟ ମାତ୍ର। ଏହି ଆଶଙ୍କା ହିଁ ଏବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବିରୋଧ ଓ ପ୍ରତିବାଦକୁ ଜନ୍ମ ଦେଇଛି।
ବିବିଧ ଭାଷା ଓ ଉପଭାଷା ଆମ ଦେଶର ଏକ ଗୁରୁତ୍ବପୂର୍ଣ୍ଣ ବିଭବ। ତେଣୁ କେବଳ ହିନ୍ଦୀ ନୁହେଁ, କୌଣସି ଭାଷାକୁ ଅନ୍ୟ ଉପରେ ଲଦି ଦିଆଯିବା ଅନୁଚିତ ଓ ଅନ୍ୟାୟ। ଆମ ସମ୍ବିଧାନ ମଧ୍ୟ ଏକ ସଂଘୀୟ ବ୍ୟବସ୍ଥାକୁ ସେହି କାରଣରୁ ସମ୍ମାନ ଦେଇଆସିଛି, ଯେଉଁଠି ବିଭିନ୍ନ ପ୍ରକାରର ଆଞ୍ଚଳିକ ଭାଷାର ବିବିଧତା ରହିଛି। ଦେଶରେ ଏକଦା ସ୍ବାଧୀନତା ସଂଗ୍ରାମର ନେତୃତ୍ବ ନେଉଥିବା ଅଖିଳ ଭାରତୀୟ କଂଗ୍ରେସ କମିଟି ଭାଷାଭିତ୍ତିକ ଏହି ଉପଜାତୀୟତାବାଦକୁ ଜାତୀୟତାବାଦର ବିରୋଧୀ ନୁହେଁ, ବରଂ ପରିପୂରକ ଭାବେ ଦେଖିଥିଲା, ଯାହା ଏ ଦେଶର ଐକ୍ୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥିଲା। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଭାରତରେ ଏପରି କେତେକ ଭାଷା ରହିଛି, ଯେଉଁଗୁଡ଼ିକ ହିନ୍ଦୀଠାରୁ ମଧ୍ୟ ପ୍ରାଚୀନ। ତେଣୁ ହିନ୍ଦୀକୁ ଏସବୁ ଭାଷାଭାଷୀଙ୍କ ଉପରେ ଲଦିଦେବା ଭଳି କାର୍ଯ୍ୟକୁ ବିରୋଧ ହେବା ସ୍ବାଭାବିକ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ମନ୍ତ୍ରୀ ବା କ୍ଷମତାସୀନ ନେତୃବୃନ୍ଦ ଏ ସମ୍ପର୍କରେ ଭାବିଚିନ୍ତି ବିବୃତି ଦେବା ଆବଶ୍ୟକ ମନେହୁଏ। ସର୍ବୋପରି, ଭାଷା କାହା ଉପରେ ଲଦିଦେବା ଭଳି ଜିନିଷ ନୁହେଁ; ଆବଶ୍ୟକତା ଅନୁସାରେ ଏହାକୁ ମଣିଷ ଶିଖେ ଓ ଆପଣାଏ। ଯଦି ଇଂରେଜୀ ବଦଳରେ ହିନ୍ଦୀ ସ୍ବାଭାବିକ ଭାବେ ସମ୍ପର୍କର ଭାଷା ହୋଇପାରିଲା, ତେବେ କାହାର ଆପତ୍ତି କରିବାର ନାହିଁ; କିନ୍ତୁ କେହି ଏହାକୁ ଅନ୍ୟ ଉପରେ ବଳପୂର୍ବକ ଲଦି ଦେବାର ଅପଚେଷ୍ଟା ନ କରନ୍ତୁ। ଦେଶରେ ଭାଷାକୁ ନେଇ ଆଉ ଗୋଟାଏ ଲଢ଼େଇ ଆରମ୍ଭ ନ ହେଉ।
Comments are closed.