ମାଛ ନୁହେଁ, ଜାଲ ଦିଅ

ମାଗଣାରେ ମାଛ ପାଉଥିବା ଲୋକେ ଚିନ୍ତା କରନ୍ତୁ ଯେ ସେମାନଙ୍କ ପାଇଁ ଦିନକର ଖାଇବା ଦରକାର ନା ଜୀବନସାରାର ଖାଦ୍ୟ ଦରକାର

ଏବେ କେତେକ ରାଜ୍ୟ ସରକାରଙ୍କ ମାଗଣା ସୁବିଧା ବଣ୍ଟନ ନେଇ ଦେଶର କିଛି ଅମଲାତନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ବେଶ୍ ଚର୍ଚ୍ଚା ହେଉଛି। ଏହି ରାଜ୍ୟଗୁଡ଼ିକ ଲୋକଙ୍କୁ ମାଗଣା ଯୋଜନାରେ ଯେପରି ବିପୁଳ ସୁବିଧା, ଟଙ୍କାପଇସା ଓ ଜିନିଷପତ୍ର ବାଣ୍ଟୁଛନ୍ତି, ସେପରି ଯଦି ଚାଲେ ତେବେ ଭାରତର ଅବସ୍ଥା ଋଣଭାରରେ କାଙ୍ଗାଳ ହୋଇପଡ଼ିଥିବା ଶ୍ରୀଲଙ୍କା ପରି ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସେମାନେ ନିର୍ଦିଷ୍ଟ ଭାବେ ପଞ୍ଜାବ, ଦିଲ୍ଲୀ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ କଥା ଉଲ୍ଲେଖ କରିଛନ୍ତି। ତେବେ ଏହି ରାଜ୍ୟଗୁଡ଼ିକର ନାମକୁ ଦେଖିଲେ ସ୍ପଷ୍ଟ ଯେ ଏଗୁଡ଼ିକ ଅଣ-ବିଜେପି ଶାସିତ ରାଜ୍ୟ। ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ମନକୁ ଆସେ ଯେ ବିଜେପି-ଶାସିତ ରାଜ୍ୟଗୁଡ଼ିକରେ କ’ଣ ମାଗଣା ବଣ୍ଟନ ଅପସଂସ୍କୃତି ନାହିଁ? କେନ୍ଦ୍ରରେ କ୍ଷମତାସୀନ ସରକାର କ’ଣ ଏଥିରୁ ସଂପୂର୍ଣ୍ଣ ମୁକ୍ତ?

ରାଜନୈତିକ ଦଳଗୁଡ଼ିକ ଭୋଟ ପାଇବା ଆଶାରେ ଏପରି ଏକ ମାଗଣାଖିଆ ଅପସଂସ୍କୃତି ସୃଷ୍ଟି କରିସାରିଛନ୍ତି ଯେ ଲୋକେ ପ୍ରତ୍ୟେକ ନିର୍ବାଚନବେଳେ ରାଜନୈତିକ ଦଳ ବା କ୍ଷମତାସୀନ ସରକାରଠାରୁ ଟଙ୍କାପଇସାଠୁ ଆରମ୍ଭ କରି ଜିନିଷପତ୍ର ପର୍ଯ୍ୟନ୍ତ ସବୁକିଛି ମାଗଣାରେ ମିଳୁ ବୋଲି ଆଶା କରୁଛନ୍ତି। ଇତିମଧ୍ୟରେ ଲୋକଙ୍କୁ ଏସବୁ କେବଳ ଶ୍ରମକାତର କରିନାହିଁ, ରାଜ୍ୟ ଓ ଦେଶର ଅର୍ଥନୀତିକୁ ମଧ୍ୟ ବିପର୍ଯ୍ୟସ୍ତ କରିଦେଇଛି। ତେଣୁ ଏହାକୁ କେବଳ ଅମଲାତନ୍ତ୍ରୀଗଣ ଦର୍ଶାଇଥିବା କେତେକ ରାଜ୍ୟର ସମସ୍ୟା ବୋଲି କହିଲେ ଆମେ ଭୁଲ୍‌ କରି ବସିବା। ଏହା ଆମ ଦେଶର ରାଜନୈତିକ ଅପସଂସ୍କୃତିର ଅଂଶବିଶେଷ ହୋଇସାରିଛି। ତେଣୁ ଦଳ ନିର୍ବିଶେଷରେ ସମସ୍ତେ ଯେ ଏହି ଅପସଂସ୍କୃତିର ବାହକ, ସେଥିରେ ସନ୍ଦେହ ନାହିଁ। କେବଳ ଉପରୋକ୍ତ ରାଜ୍ୟ ନୁହନ୍ତି, ଅନ୍ୟ ବିଜେପିଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ମାଗଣା ବଣ୍ଟନ ଅପସଂସ୍କୃତି ରହିଛି। ନିକଟରେ ବିଧାନସଭା ନିର୍ବାଚନ ସମାପ୍ତ ହୋଇଥିବା ଏବଂ ବିଜେପି ଐତିହାସିକ ବିଜୟ ହାସଲ କରି ଦ୍ବିତୀୟ ବାର ଶାସନକୁ ଆସିଥିବା ଉତ୍ତରପ୍ରଦେଶକୁ ହିଁ ଦୃଷ୍ଟାନ୍ତ ଭାବେ ନିଆଯାଉ।

ଏହି ରାଜ୍ୟରେ କ୍ଷମତାକୁ ଆସିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଥିବା ସମାଜବାଦୀ ପାର୍ଟି ମାଗଣା ଗ୍ୟାସ୍‌ ସିଲିଣ୍ଡର, କେଜିଏ ଘିଅ, ପାଞ୍ଚ ବର୍ଷ ପାଇଁ ମାଗଣା ରେସନ ଓ ଆହୁରି କେତେ କ’ଣ ଦେବାକୁ ଘୋଷଣା କରିଥିଲା; କିନ୍ତୁ ବିଜେପି ତା’ଠୁ ବଳି ଆହୁରି ବଡ଼ବଡ଼ ଘୋଷଣା କରି ଭୋଟରଙ୍କୁ ଲୋଭ ଦେଖାଇଲା। ଏହାରି ଭିତରେ ଥିଲା ପ୍ରତ୍ୟେକ ପରିବାରର ଜଣକୁ ଅନ୍ତତଃ ନିଶ୍ଚିତ ଚାକିରି ବା ସ୍ବରୋଜଗାର ସୁବିଧା, ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍‌, ଝିଅମାନଙ୍କୁ ମାଗଣା ସ୍କୁଟି, ଟାବ୍‌ଲେଟ୍‌ ଓ ସ୍ମାର୍ଟଫୋନ୍‌, ମାଗଣା ଗ୍ୟାସ୍‌ ସିଲିଣ୍ଡର୍‌ ଇତ୍ୟାଦି। କେତେକଙ୍କ ଧାରଣା ଯେ ଆର୍ଥିକ ଦୁରବସ୍ଥା ଅଧିକ ଥିବାରୁ ହୁଏତ ଅମଲାତନ୍ତ୍ରୀମାନେ ଏସବୁ ରାଜ୍ୟର ନାମ ଦର୍ଶାଇଛନ୍ତି; କିନ୍ତୁ ତାହା ଠିକ୍‌ ନୁହେଁ; କାରଣ ଉତ୍ତରପ୍ରଦେଶ ହେଉଛି ଦେଶର ସବୁଠୁ ଅଧିକ ଋଣ କରିଥିବା ଦୁଇଟି ରାଜ୍ୟ ଭିତରୁ ଗୋଟିଏ। ୨୦୧୫ରେ ଏହା ଉପରେ ୨.୫ ଲକ୍ଷ କୋଟି ଟଙ୍କାର ଋଣଭାର ଥିବାବେଳେ ୨୦୨୧-୨୨ ଶେଷ ବେଳକୁ ଏହା ବଢ଼ିବଢ଼ି ୮.୧ ଲକ୍ଷ କୋଟିରେ ପହଞ୍ଚିବ ବୋଲି ଆଶଙ୍କା କରାଯାଇଛି। ଉତ୍ତରପ୍ରଦେଶ କ୍ଷମତାରେ ଥିବା ବିଜେପି କ’ଣ ଏକଥା ଜାଣି ନଥିଲା?

‘କ୍ରାଇସିଲ୍‌’ର ଏକ ରିପୋର୍ଟ ଅନୁସାରେ, ଦେଶର ଅଧିକାଂଶ ରାଜ୍ୟରେ ଋଣ ସ୍ଥିତି ଏତେ ଅନିଶ୍ଚିତ ଯେ ସେମାନଙ୍କର ପୁଞ୍ଜିଗତ ବ୍ୟୟରେ ଖର୍ଚ କରିବାର କ୍ଷମତା ଆଦୌ ନାହିଁ କହିଲେ ଚଳେ। ଏକଥା ସତ୍ୟ ଯେ କରୋନା ମହାମାରୀଜନିତ ତାଲାବନ୍ଦ ଓ ଅନ୍ୟାନ୍ୟ ସମସ୍ୟା ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଛି; କିନ୍ତୁ ରାଜନୈତିକ ଦଳଗୁଡ଼ିକର ମାଗଣା ବଣ୍ଟନ ପ୍ରତିଯୋଗିତା ମଧ୍ୟ ରାଜ୍ୟ ରାଜକୋଷକୁ କମ୍ ଘାଇଲା କରିନାହିଁ। ଲୋକପ୍ରିୟ ଯୋଜନାଗୁଡ଼ିକ ଥରେ ଆରମ୍ଭ ହୋଇଗଲେ ତାକୁ ସରକାର ବନ୍ଦ କରିବା କଷ୍ଟ ହୋଇଯାଏ; କାରଣ ଲୋକଙ୍କ ଭିତରେ ଏକ ମାଗଣାଖିଆ ମାନସିକତା ସୃଷ୍ଟି ହୋଇ ସାରିଥାଏ। ଫଳରେ ସରକାରଗୁଡ଼ିକ ସେପରି ଯୋଜନାଗୁଡ଼ିକର ଅବଧିକୁ ବଢ଼ାଇଚାଲନ୍ତି। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷରେ ରାଜ୍ୟ ରାଜକୋଷ, ଜନସାଧାରଣ ଓ ଆଗାମୀ ପିଢ଼ି ଉପରେ କୁପ୍ରଭାବ ପକାଇଥାଏ ଏବଂ ଋଣ କରିବା ବିନା ଗତି ନଥାଏ। ଏପରି ଦୁଃସ୍ଥିତି ବିତ୍ତଶାଳୀ ରାଜନୈତିକ ଦଳ ଓ ନେତୃବର୍ଗଙ୍କ ଉପରେ ପଡ଼େ ନାହିଁ ସିନା, ସାଧାରଣ ମଧ୍ୟବିତ୍ତ ବର୍ଗ ହିଁ ତଳିତଳାନ୍ତ ହୁଅନ୍ତି। କେବଳ ସେତିକି ନୁହେଁ, ସରକାରଗୁଡ଼ିକ ପ୍ରକୃତରେ ଶିକ୍ଷା, ସ୍ବାସ୍ଥ୍ୟ, ସର୍ବସାଧାରଣ ପରିବହନ ବ୍ୟବସ୍ଥା ଆଦି ଉପରେ ଯେତିକି ଖର୍ଚ୍ଚ କରିବା କଥା, ସେତିକି କରିପାରନ୍ତି ନାହିଁ। ଏହି କାରଣରୁ ଏବେମଧ୍ୟ କରିପାରୁ ନାହାନ୍ତି।

କଥାରେ ଅଛି, କୌଣସି ବ୍ୟକ୍ତିକୁ ଗୋଟିଏ ମାଛ ଦିଅ ସେ ଦିନକର ଖାଇବା ପାଇବ। ତାକୁ ଜାଲ ଦେଇ ମାଛ ଧରିବା ଶିଖାଅ, ସେ ଜୀବନସାରା ଖାଦ୍ୟ ପାଇବ। ରାଜନୈତିକ ଦଳଗୁଡ଼ିକ ମାଛ ନହେଲେ ମାଛଚିହ୍ନ ଧରାଇ ଲୋକଙ୍କୁ ମାଛରଙ୍କୁଣା କରିଚାଲିଛନ୍ତି; ଜାଣିଶୁଣି ଜାଲଟିଏ ଦେଉନାହାନ୍ତି। ରାଜନୈତିକ ଦଳ/ସରକାରଙ୍କ ‘ମାଗଣା’ ତ ପ୍ରକୃତରେ ମାଗଣା ନୁହେଁ; ତାହା ବି ରାଜକୋଷ ଅର୍ଥରେ କିଣା। ତେଣୁ ମାଗଣାରେ ମାଛ ପାଉଥିବା ଲୋକେ ଚିନ୍ତା କରନ୍ତୁ ଯେ ସେମାନଙ୍କ ପାଇଁ ଦିନକର ଖାଦ୍ୟ ଦରକାର ନା ଜୀବନସାରାର ଖାଦ୍ୟ ଦରକାର; ସେମାନଙ୍କର ମାଛ ଦରକାର ନା ଜାଲ ଦରକାର।

Comments are closed.