‘ନମସ୍ତେ’ ମହକରେ ଉଲ୍ଲସିତ ବିଶ୍ୱ

କରୋନା ସଂକ୍ରମଣଜନିତ ଭୟାବହ ପରିସ୍ଥିତିରେ ଏବେ ଭାରତ ସମେତ ସମଗ୍ର ପୃଥିବୀବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଏଥିରୁ ନିସ୍ତାର ପାଇବା ପାଇଁ ପରସ୍ପର ମଧ୍ୟରେ କରମର୍ଦନ ନକରି ଭାରତୀୟ ପରମ୍ପରାରେ ଦୁଇ ହାତ ଯୋଡ଼ି ନମସ୍କାର କରିବାକୁ ଏବେ ପୃଥିବୀର ଅନେକ ବିଶିଷ୍ଟ ବ୍ୟକ୍ତି ଆଗ୍ରହ ପ୍ରକାଶ କରିବା ଆମକୁ ଉଲ୍ଲସିତ କରିଛି।
ଭାରତୀୟ ସଂସ୍କୃତି, ଚଳଣି ଯେ ମହାନ ଓ ଏହା ବିଜ୍ଞାନସମ୍ମତ – ଏବେ ପୁଣିଥରେ ଏହା ପ୍ରମାଣିତ ହୋଇଛି। ଭାରତୀୟ ସଂସ୍କୃତିରେ, ସଂସ୍କାରରେ ପିତା, ମାତା, ଗୁରୁ, ଗୁରୁଜନ ଓ ଅତିଥି, ମାତୃଭୂମି ହେଉଛନ୍ତି ସାକ୍ଷାତ ପରମେଶ୍ୱରଙ୍କ ପରି ସମ୍ମାନୀୟ ଓ ପୂଜ୍ୟ। ତେଣୁ ଏମାନଙ୍କୁ ସମ୍ବୋଧନ ପୂର୍ବରୁ ମାତୃଦେବୋ, ପିତୃଦେବୋ, ରାଷ୍ଟ୍ରଦେବୋ, ଅତିଥିଦେବୋ, ଆଚାର୍ୟ୍ୟଦେବୋ ବୋଲି କୁହାଯାଇଥାଏ। ମହାଭାରତରେ ଉଲ୍ଲେଖ ଅଛି –
“ମାତା ପିତର ମୁତ୍ଥାୟ ପୂର୍ବମେବାଭିବା ଦୟେତ୍‍,
ଆଚାର୍ୟ୍ୟ ମଥବାପ୍ୟନ୍ୟଂ ତଥାୟୁର୍ବିନ୍ଦତେ ମହତ୍‍।”
ଅର୍ଥାତ୍‍ ପ୍ରାତଃ ଶଯ୍ୟା ତ୍ୟାଗ ପରେ ମାଆବାପା, ଗୁରୁଜନଙ୍କୁ ପ୍ରଣାମ କରିବା ଦ୍ୱାରା ମଣିଷ ଦୀର୍ଘାୟୁ ହୋଇଥାଏ। ସେମାନଙ୍କ ଆଶୀର୍ବାଦ ତାଙ୍କୁ ବିପଦରୁ ସୁରକ୍ଷା ଦେଇଥାଏ। ଆମ ପରମ୍ପରାରେ ଆମେ ଦୁଇହାତ ପାପୁଲିକୁ ଯୋଡ଼ି ବା ଯୋଡ଼ହସ୍ତରେ ମୁଣ୍ଡ ନୁଆଁଇ ଅନ୍ୟମାନଙ୍କୁ ନମସ୍କାର କରିଥାଉ। ଅନେକ ଆଣ୍ଠୁମାଡ଼ି ନଇଁପଡ଼ି ପାଦଛୁଇଁ ପ୍ରଣାମ କରିଥାନ୍ତି। ପ୍ରଣାମ କରିବା କେତେ ମହାନ ଓ ଏହାର ମହତ୍ତ୍ୱ କେତେ ଅଧିକ ତାହା ଅନୁଭବୀ ହିଁ ଜାଣନ୍ତି। ଏହି କାର୍ୟ୍ୟରୁ ମିଳୁଥିବା ସୁଫଳ କଳ୍ପବଟ ସଦୃଶ ବହୁମୁଖୀ ସହଯୋଗ ଯୋଗାଉଥିବା ଏକ ବିଶାଳ ବୃକ୍ଷ ଭଳି ସହଯୋଗୀ। ଏଥିରୁ ମିଳୁଥିବା ଲାଭ ଅସୀମ। ପୁରାଣ ଶାସ୍ତ୍ରରେ ପ୍ରଣାମର ଲାଭ ସମ୍ପର୍କରେ ଅନେକ କଥାବସ୍ତୁ ଉଲ୍ଲେଖ ଅଛି। ମୃକଣ୍ଡଙ୍କ ପୁତ୍ର ମହର୍ଷି ମାର୍କଣ୍ଡ ଅଳ୍ପାୟୁ ଥିଲେ। ତେବେ ପିତାଙ୍କ କଥା ମାନି ୫ବର୍ଷର ଏହି ଶିଶୁପୁତ୍ର ମାର୍କଣ୍ଡ ସମସ୍ତ ସାଧୁସନ୍ଥ, ଦ୍ୱିଜ ଓ ଗୁରୁଜନଙ୍କୁ ଭକ୍ତିର ସହ କେବଳ ପ୍ରଣାମ କରିଚାଲିଲେ। ଫଳରେ ଏହି ମହାତ୍ମାମାନଙ୍କ ଆଶୀର୍ବାଦରେ ତାଙ୍କର ଆୟୁବୃଦ୍ଧି ହେଲା ଓ ସେ ଚିରଞ୍ଜୀବୀ ହୋଇପାରିଥିଲେ। ସେହିପରି ମହାଭାରତ ଯୁଦ୍ଧ ପୂର୍ବରୁ ଯୁଧିଷ୍ଠିର ପିତାମହ ଭୀଷ୍ମଙ୍କୁ ପ୍ରଣାମ କରି ତାଙ୍କଠାରୁ ଆଗତୁରା “ବିଜୟୀ ଭବଃ”ର ଆଶୀର୍ବାଦ ଆଣିପାରିଥିଲେ ଓ ଯୁଦ୍ଧଜୟୀ ହୋଇଥିଲେ। ମହର୍ଷି ମନୁ ପ୍ରଣାମର ଗୁରୁତ୍ୱ ସମ୍ପର୍କରେ କହିଥିଲେ –
“ଅଭିବାଦନ ଶୀଳସ୍ୟ ନିତ୍ୟଂ ବୃଦେ୍ଧାପସେବିନଃ
ଚତ୍ୱାରି ତସ୍ୟ ବର୍ଧନ୍ତେ ଆୟୁର୍ବିଦ୍ୟା ଯଶୋବଳମ୍‍।” (ମନୁସ୍ମୃତି)
ବୃଦ୍ଧ, ଗୁରୁଜନ ଏବଂ ପିତାମାତାଙ୍କୁ ଯିଏ ନିତ୍ୟ ପ୍ରଣାମ ଓ ସେବା କରେ ତାର ଆୟୁ, ବିଦ୍ୟା, ଯଶ, ବଳ ବୃଦ୍ଧି ହେବା ସହିତ ଉତ୍ତରୋତ୍ତର ଉନ୍ନତି ଘଟିଥାଏ।
ତେବେ କେବଳ ପ୍ରଣାମ ନୁହେଁ, ଆମ ସଂସ୍କୃତିରେ ପ୍ରଚଳିତ ଅନେକ ପରମ୍ପରା, ଚଳଣିରେ ମଧ୍ୟ ବୈଜ୍ଞାନିକ ଚିନ୍ତନ ପରିପୁଷ୍ଟ ହୋଇ ରହିଆସିଛି। ଦେବତାପୂଜା, ସୂର୍ୟ୍ୟୋଦୟ ପୂର୍ବରୁ ଘରଦ୍ୱାର ଗୋବର ଦ୍ୱାରା ଲିପିବା, ଦେବଦେବୀଙ୍କ ପୂଜାରେ ଲାଗୁଥିବା ବିଭିନ୍ନ ଫଳମୂଳ, ଦହି, ଲହୁଣି, ଘିଅ, ଛେନା, କ୍ଷୀର ଇତ୍ୟାଦିରେ ଆମ ଶରୀର ପାଇଁ ଯେଉଁ ଭଳି ଉପକାରୀ ପଦାର୍ଥ ରହିଛି ତା’ର ତୁଳନା ନାହିଁ। କାହିଁ କେଉଁ ଅନାଦି କାଳରୁ ମୁନିଋଷିମାନେ ଏସବୁ ଜାଣି ଆମ ସଂସ୍କୃତିରେ ଏସବୁକୁ ଖଞ୍ଜି ଦେଇ ଯାଇଛନ୍ତି। ଭାସ୍କରାଚାର୍ୟ୍ୟଙ୍କ ଦ୍ୱାରା ଆବିଷ୍କୃତ ମାଧ୍ୟାକର୍ଷଣ ଶକ୍ତି ତଥ୍ୟ, ବରାହମିହିରଙ୍କ ଦ୍ୱାରା ସୃଷ୍ଟ ଭବିଷ୍ୟତର ପାଣିପାଗ ସମ୍ପାନ, ପଠାଣି ସାମନ୍ତଙ୍କ ଦ୍ୱାରା ମାତ୍ର ୨ଖଣ୍ଡ ନଳୀ ସାହାଯ୍ୟରେ ଅନ୍ତରୀକ୍ଷ ଦର୍ଶନ ତଥା ପର୍ବତର ସଠିକ ଉଚ୍ଚତା ମାପ, ଆମେ ଭାରତୀୟମାନେ ବ୍ୟବହାର କରୁଥିବା ବିଭିନ୍ନ ମସଲାର ଶରୀର ପାଇଁ ଉପକାର ତଥା ରୋଗ ପ୍ରତିରୋଧକ ଶକ୍ତି, ଭାରତୀୟ ଯୌଥ ପରିବାର ଓ ଆମ ସଂସ୍କୃତିରେ ମିଶିଯାଇଥିବା ସାଧାରଣ ଭଳି ମନେ ହେଉଥିବା ବିଭିନ୍ନ ଚଳଣି ହିଁ ଏହାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ପାଇଁ ଭାରତୀୟମାନଙ୍କୁ ପ୍ରକୃତ ଗୌରବ ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଦାନ କରୁଛି।ବିଦେଶରେ ଆମେ ଏବେ ଆମର ମହାନ ସଂସ୍କୃତିକୁ ନେଇ ଅଭିଭାଷଣ ପ୍ରଦାନ କରି ସେମାନଙ୍କୁ ଚମତ୍କୃତ କରୁଛୁ। ହାତଯୋଡ଼ି, ପାଦଛୁଇଁ ନମସ୍କାରଠାରୁ ଆରମ୍ଭ କରି ସକାଳୁ ଉଠି ଭାରତୀୟମାନେ ପ୍ରଥମେ ପିତାମାତାଙ୍କୁ ନମସ୍କାର କରିସାରିବା ପରେ ଅନ୍ୟ କାର୍ୟ୍ୟ କରିଥାନ୍ତି ବୋଲି କହିଲେ ସେମାନେ ଏଭଳି ମହନୀୟତା ଓ ବରିଷ୍ଠଙ୍କୁ ସମ୍ମାନର ପ୍ରଶଂସା କରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି କେତେ ଜଣ ଆଜି ଏଭଳି ସଂସ୍କାରମୂଳକ କାର୍ୟ୍ୟ କରୁଛନ୍ତି ! ପାଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରୁଥିବା ଆମର ଯୁବସମାଜ ଏବେ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଭଳି ହ୍ୟାଲୋ – ହାୟ, ହ୍ୟାଣ୍ଡସେକ ଆଦି କରି ସ୍ୱାଗତ କରିବାରେ ନିଜକୁ ନିୟୋଜିତ ରଖି ଗର୍ବ ଅନୁଭବ କରୁଛନ୍ତି। ନିଜ ମାତୃଭାଷାରେ ଅନେକ ସମୟରେ କଥା ନକହି ଭୁଲ ହେଲେ ମଧ୍ୟ ଅନ୍ୟ ଭାଷାରେ କଥା କହି ନିଜକୁ ପାରଙ୍ଗମ ଭାବୁଛନ୍ତି। ଫଳରେ ଆମର ମହାନ ସଂସ୍କାର, ସଂସ୍କୃତି ଏବେ ବିଲୁପ୍ତ ଅବସ୍ଥାରେ ପହଞ୍ଚିଲାଣି। ହେଲେ ଆମ ପାଇଁ ଖୁସିର ଖବର ହେଉଛି ଯେଉଁ ଦେଶରୁ ଦିନେ ଏଭଳି ଆଧ୍ୟାତ୍ମିକ ଜୀବନପଦ୍ଧତିରେ ଚିନ୍ତନ ଆରମ୍ଭ ହୋଇଥିଲା ଏବେ ସେଠାରେ ଏହାର ଆଦର କମୁଥିବା ବେଳେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଆୟାର୍ଲାଣ୍ଡ, ଇସ୍ରାଏଲ ଭଳି ଦେଶର ତୁଙ୍ଗ ରାଷ୍ଟ୍ରନେତାମାନେ ଏହାକୁ ଆଗ୍ରହର ସହିତ ଆପଣେଇ ନେଇ ଆମ ଦେଶର ପରମ୍ପରା ଯେ ବିଶ୍ୱଶ୍ରେଷ୍ଠ, ତାକୁ ସ୍ୱୀକାର କରିବା ସବୁ ଭାରତୀୟଙ୍କୁ ଗୌରବାନ୍ୱିତ କରିଛି। ପୂର୍ବେ ଯେଉଁମାନେ ଅତିଥିମାନଙ୍କୁ ସ୍ୱାଗତ କରୁଥିବାବେଳେ କରମର୍ଦନ କରୁଥିଲେ ସେମାନେ ଏବେ ଦୁଇ ହାତଯୋଡ଼ି ଭାରତୀୟମାନଙ୍କ ଭଳି ନମସ୍କାର କରି ଆନନ୍ଦରେ ଉତ୍‍ଫୁଲ୍ଲିତ ହେଉଛନ୍ତି। ସାରା ପୃଥିବୀରେ ଭୟାବହ ସଂକ୍ରମଣ ଅବସ୍ଥା ସୃଷ୍ଟି କରିଥିବା କରୋନା ଭୂତାଣୁ ଏବେ ଏଭଳି ପରିବର୍ତ୍ତନ ଆଣିଛି। ଶ୍ରେଷ୍ଠ ଜୀବ ମଣିଷମାନଙ୍କୁ କରମର୍ଦନ କରିବା ମାଧ୍ୟମରେ ବିପଦ ବଢ଼ିପାରେ, ତା’ର ସୂଚନା ଦେଇ ବିଶେଷଜ୍ଞମାନେ ସତର୍କ କରାଇବା ସହିତ ‘ନମସ୍ତେ’ କୁ ଏହାର ବିକଳ୍ପ ଭାବେ ଗ୍ରହଣ କରିବାକୁ ଅନେକ ଆଗେଇ ଆସିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରିନ୍ସ ଚାର୍ଲସ, ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ, ପ୍ରଧାନମନ୍ତ୍ରୀ ଲିଓବରାଡକର ପ୍ରମୁଖ ପୃଥିବୀର ଶୀର୍ଷ ନେତାମାନେ ଇତିମଧ୍ୟରେ ହସିହସି ଭାରତୀୟଙ୍କ ଭଳି ଦୁଇହାତ ଯୋଡ଼ି ଅତିଥିଙ୍କୁ ସ୍ୱାଗତ କରିବା ବେଳେ ଆମେ ଅନେକ ଏବେ ନିଜକୁ ପ୍ରଶ୍ନ କରୁଛୁ ଆମ ଅତୀତର ପରମ୍ପରା ମହାନ ସଂସ୍କୃତି ପ୍ରତି ଆମେ କେତେ ସଚେତନ। ଆମ ଦେଶ ଭଳି ଏକ ଗ୍ରୀଷ୍ମପ୍ରଧାନ ରାଷ୍ଟ୍ରରେ ପୁରୁଷମାନେ ବ୍ୟବହାର କରୁଥିବା ଧୋତି, ପଞ୍ଜାବୀ ଓ ସୂତାପୋଷାକ, ମହିଳାମାନଙ୍କ ବହୁରଙ୍ଗ ଶାଢ଼ି, ଶଙ୍ଖାର ଆଦର ଏବେ ଆଧୁନିକ ସମୟରେ କ୍ରମେ ହ୍ରାସ ପାଇବାରେ ଲାଗିଛି। ଏବେକାର ଯୁବକ ଯୁବତୀ ଏଭଳି ପୋଷାକଠାରୁ ବହୁ ଦୂରରେ। ଖାଦ୍ୟ ମଧ୍ୟରେ ବିଦେଶୀ ପିଜା, ବର୍‌ଗର୍‌ର ଆଦର ଏବେ ବେଶୀ। ତେବେ ଏହା ଆମ ଦେଶର ଚକୁଳିପିଠା, ଦୋସା, ସାଧା ଭାତ, ଡାଲ୍‍ମା ତଥା ଆମର ଚିରାଚରିତ ଖାଦ୍ୟଠାରୁ କେଉଁ ଗୁଣରେ ବେଶୀ? ପାନୀୟ ମଧ୍ୟରେ ପଇଡ଼ ପାଣି, ଲେମ୍ବୁ ପାଣି, ମିଶ୍ରି ପାଣି, ବେଲ ଓ ତରଭୁଜ ସରବତର ମହକ ଓ ସ୍ୱାସ୍ଥ୍ୟ ପ୍ରତି ଏସବୁ ଉପକାରର କ’ଣ ବିକଳ୍ପ ଅଛି ? ଆମ ମହାନ ପୁରାତନ ସଂସ୍କୃତି ଓ ସଂସ୍କାରର ସୁରକ୍ଷା ହିଁ ଆଜିର ଆବଶ୍ୟକତା। ଏ ଦିଗରେ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ସହଯୋଗ ଓ ଅବଦାନ ରହିଛି। ଚାଲନ୍ତୁ ମହାନ ସଂସ୍କୃତି କ୍ଷେତ୍ର ଭାରତର ଅତୀତ ପରମ୍ପରାକୁ ମନେ ପକାଇବା ଓ ଏହାର ମହତ୍ତ୍ୱକୁ ଉପଲବ୍ଧି କରି ସେହି ପଥକୁ ଅନୁସରଣ କରିବାରେ ବ୍ରତୀ ହେବା।

ପ୍ରମୋଦ କୁମାର ମହାପାତ୍ର

prayash

                                                                                                        ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ

                                                                                                            କଟକ-୭୫୩୦୦୮

kalyan agarbati

Comments are closed.