ପଣ୍ଡିତ ନେହେରୁଙ୍କ ଦୃଷ୍ଟିରେ ପ୍ରାଚୀନ ଭାରତ
ଡ.ଗୌରୀଶଙ୍କର ତ୍ରିପାଠୀ
ପଣ୍ଡିତ ନେେହରୁଙ୍କ ଦେହାନ୍ତର ଚଉବନ ବର୍ଷ ବିତିଗଲାଣି l ଆଜି ମଧ୍ୟ ସେ ଅଗଣିତ ଭାରତୀୟ ଜନମାନସର ହୃଦୟରେ ଅତ୍ୟନ୍ତ ଉଚ୍ଚ ସ୍ଥାନରେ ଅବସ୍ଥାପିତ l ଅବଶ୍ୟ ମୁଷ୍ଟିମେୟ ବ୍ୟକ୍ତି ତାଙ୍କର ବ୍ୟକ୍ତିଗତ ଏବଂ ଆଦର୍ଶଗତ କୁତ୍ସା ରଟନାକୁ ଅବଲମ୍ବନ କରି ରାଜନୀତିରେ ତିଷ୍ଠିବାକୁ ଚାହୁଁଛନ୍ତି l ଏହି ଅତ୍ୟନ୍ତ ଈର୍ଷାପରାୟଣ ବ୍ୟକ୍ତିମାନେ ନେେହରୁଙ୍କ ଗଭୀର ବ୍ୟକ୍ତିତ୍ୱ ପାଖରେ ନ୍ୟୂନ ମନେ କରି ଏହିପରି କରୁଛନ୍ତି l
ପଣ୍ଡିତ େନେହରୁ ମହାତ୍ମା ଗାନ୍ଧୀଙ୍କ ଅତ୍ୟନ୍ତ ପ୍ରିୟ ଥିଲେ। ସବୁକ୍ଷେତ୍ରରେ ସେ ଗାନ୍ଧୀଙ୍କୁ ଗୁରୁ ଏବଂ ଆଦର୍ଶ ମାନୁଥିଲେ l ଗାନ୍ଧୀ ଆଧ୍ୟାତ୍ମିକତାର ଚରମ ପ୍ରତୀକ ଥିଲେ। ଗାନ୍ଧୀ ଉଭୟ ବାହ୍ୟ ଆଚରଣ ଏବଂ ଅନ୍ତର୍ମନରେ ଅଧ୍ୟାତ୍ମବାଦୀ ଥିଲେ, କିନ୍ତୁ ନେେହରୁଙ୍କ ଆଧ୍ୟାତ୍ମିକତା ଏବଂ ଧର୍ମ ବିଶ୍ୱାସ ଅନ୍ତର୍ନିହିତ ଥିଲା l ଭାରତୀୟ ସଂସ୍କୃତି, ଧର୍ମ ଏବଂ ସଭ୍ୟତା ପ୍ରଭାବିତ ଉଚ୍ଚ ମୂଲ୍ୟବୋଧର ସେ ଜଣେ ଶ୍ରେଷ୍ଠ ଉପାସକ ଥିଲେ।
ତାଙ୍କର ‘ଭାରତ ଆବିଷ୍କାର’ (ଡ଼ିସକଭରୀ ଅଫ ଇଣ୍ଡିଆ) ଭାରତୀୟ ସଭ୍ୟତାର ଏକ ନିଖୁଣ ପରିଚୟ। ଇତିହାସର ଏକ ଅପ୍ରତିମ ବର୍ଣ୍ଣନା l ଭାଷାର ଏକ ଶ୍ରେଷ୍ଠ ନିଦର୍ଶନ l ଭାବନା ଏବଂ ପରାକାଷ୍ଠାରେ ଏକ ଜାଜ୍ବଲ୍ୟମାନ ପ୍ରଦର୍ଶନ, ସତ୍ୟତାର ଏକ ନିଖୁଣ ପରିପ୍ରକାଶ l ସର୍ବୋପରି, ନେେହରୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଏକ ଶ୍ରେଷ୍ଠ ପ୍ରତିଫଳନ l
ନେେହରୁଙ୍କ ମତରେ ଭାରତୀୟ ସଭ୍ୟତା ସମୟର ଏକ ଜୀବନ୍ତ ଏବଂ ଚଳଚଞ୍ଚଳତାର ପ୍ରବାହ, ଇତିହାସର ଏକ ମାଧୁର୍ଯ୍ୟ, କୋମଳତାର ଏକ ଅପୂର୍ବ ସମାହାର। ବିବିଧତାଭରା ଏହି ସଭ୍ୟତାର ଗତିପଥ ବହୁ ଉତ୍ଥାନ ଏବଂ ପତନରେ ମଣ୍ଡିତ l ଏହାର ସ୍ଥିତି ହେଉଛି ଉଚ୍ଚ ଆଦର୍ଶ l ଆଧ୍ୟାତ୍ମିକତା ହେଉଛି ଏହାର ଶକ୍ତିର ଉତ୍ସ l ବିଶ୍ୱକୁ ଏହା ହେଉଛି ଆମ ସଭ୍ୟତାର ବିଶେଷ ଦାନ l
ବୈଦିକ ଜ୍ଞାନ ତାଙ୍କୁ ବିମୁଗ୍ଧ କରିଥିଲା l ଏହି ଗୂଢ ଜ୍ଞାନରେ ସେ ସଙ୍ଗୀତର ଆଭାସ ପାଇଥିଲେ l ତାଙ୍କ ଦୃଷ୍ଟିରେ ବେଦ ପୃଥିବୀର ସର୍ବପୁରାତନ ରଚନା। ଆରମ୍ଭରୁ ବୋଧହୁଏ ସେଗୁଡିକ ଲେଖା ହୋଇନଥିଲା l ଶ୍ରବଣ ମାଧ୍ୟମରେ ବେଦର ପ୍ରସାର ଗୋଟେ ପିଢ଼ିରୁ ଅନ୍ୟ ପିଢ଼ିକୁ ପହଁଚୁଥିଲା l ଏହି ଶ୍ଳୋକଗୁଡିକ ଏତେ ସୁନ୍ଦର ସଂସ୍କୃତରେ ଲେଖା ହୋଇଥିଲା ଯେ ଲୋକେ ବେଦ ଗାଇବାରେ ଆନନ୍ଦ ପ୍ରକାଶ କରୁଥିଲେ l ହିନ୍ଦୁମାନେ ବେଦକୁ ଅତ୍ୟନ୍ତ ପବିତ୍ର ମାନୁଥିଲେ, କିନ୍ତୁ ବେଦର ଅର୍ଥ କଣ ? ଏହାର ଅର୍ଥ ଜ୍ଞାନ l ଏହି ଜ୍ଞାନକୁ ସେ କାଳର ଋଷିମୁନିମାନେ ହିଁ ଜାଣିଥିଲେ l ପ୍ରଥମ ବେଦ ହେଉଛି ଋଗବେଦ l ଏଥିରେ ଅନେକ ସ୍ତୁତି ଏବଂ କବିତା ଅଛି l ଏଗୁଡ଼ିକୁ ଆର୍ଯ୍ୟମାନେ ଗାଉଥିଲେ। ଆର୍ଯ୍ୟମାନେ ଅତ୍ୟନ୍ତ ଖୁସି ମିଞ୍ଜାସ ଥିଲେ l ସେମାନେ ଯୋଉ ଦେବଦେବୀଙ୍କୁ ପୂଜା କରୁଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ସ୍ତୁତି ଗାନ କରୁଥିଲେ l
ନେହୁରୁଙ୍କ ଭାଷାରେ ଭାରତୀୟ ସଭ୍ୟତାର ଚିର ପ୍ରବାହରେ ଜ୍ଞାନ ରୁଦ୍ଧିମନ୍ତ ହୋଇଛି l ଏହି ଜ୍ଞାନ ଲୋକଙ୍କୁ ଶକ୍ତି ଦେଇଛି ଏବଂ କର୍ମ କ୍ଷେତ୍ରରେ ଉତ୍ସାହ ଦେଇଛି l ଜୀବନର କଠିନ ସମୟ ଏବଂ ସମସ୍ୟାର ସାହସିକତା ସହିତ ମୁକାବିଲା କରିବାକୁ ସୁଦୃଢ କରିଛି l ବୈଦିକ ଯୁଗ ପରେ ପୁରାଣ ଯୁଗ ପଦାର୍ପଣ କରିଛି ଏହି ସଭ୍ୟତାରେ l ଦୁଇଟି ମହାପୁରାଣ ଏହି ଜ୍ଞାନକୁ ସମୃଦ୍ଧ କରିଛି l ପ୍ରଥମେ ରାମାୟଣ ଏବଂ ପରବର୍ତ୍ତୀ ସମୟରେ ମହାଭାରତ ଏହି ପୁରାଣ ଯୁଗର ସ୍ବାକ୍ଷର l ରାମାୟଣ ଆଦର୍ଶର ପରିଭାଷା, ସତ୍ୟ ଏବଂ ଧର୍ମର ଜୟଗାଥା, ଆର୍ଯ୍ୟ ଏବଂ ଅନାର୍ଯ୍ୟମାନଙ୍କ ସଂଘର୍ଷର କାହାଣୀ l ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ପରସ୍ପର ପ୍ରତି ଆନୁଗତ୍ୟ ଏବଂ ସହାବସ୍ଥାନର ସଂକଳ୍ପ। ପୁରୁଷୋତ୍ତମ ରାମ ଏବଂ ଜ୍ଞାନୀ ତଥା ବଳଶାଳୀ ବାନର ହନୁମାନଙ୍କ ମଧ୍ୟରେ ମିତ୍ରତା ଏହି କାହାଣୀର ବିଶେଷତ୍ବ l ଉଭୟଙ୍କ ସଂକଳ୍ପ ଉଭୟଙ୍କୁ ଦେବସ୍ୱରୂପ କରିଛି l
ଅପର ପକ୍ଷରେ ମହାଭାରତ ଯାହା ରାମାୟଣର ଅନେକ ସମୟ ପରେ ଲେଖା ହୋଇଥିଲା ଭାରତୀୟ ଜୀବନ ଶୈଳୀର ଉତ୍ସ l ଏହି ଉତ୍ସର ମୂଳାଧାର ହେଉଛି ଭଗବଦ ଗୀତା l ଏହା ଭାରତୀୟ ଜୀବନଚର୍ଯ୍ୟାର ମୂଳମନ୍ତ୍ର, ନୀତି ଏବଂ ଜ୍ଞାନର ସର୍ବୋଚ୍ଚ ଦୃଷ୍ଟାନ୍ତ l ଏହା ମଧ୍ୟ ଧାର୍ମିକ ଆର୍ଯ୍ୟ ଏବଂ ଅଧର୍ମୀ ଆର୍ଯ୍ୟଙ୍କ ମଧ୍ୟରେ ସଂଘର୍ଷ ଏବଂ ଧର୍ମର ବିଜୟର ଏକ ଉତ୍ତମ ବିଶ୍ଳେଷଣ l ଏହି ଦୁଇଟି କାବ୍ୟ ନେେହରୁଙ୍କୁ ବିଶେଷ ପ୍ରଭାବିତ କରିଥିଲା l ଏହି ବିଷୟର ବିଶେଷତ୍ବ ଝିଅ ଇନ୍ଦିରାଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି ଏବଂ ଏହା ମଧ୍ୟ ତାଙ୍କର ଭାରତ ଆବିଷ୍କାର ପୁସ୍ତକ ମଣ୍ଡିତ କରିଛି l
ଗଣିତ ବିଷୟରେ ଭାରତୀୟଙ୍କ ଅବଦାନ ବିଷୟରେ ସେ ଝିଅ ଇନ୍ଦିରାଙ୍କୁ ଲେଖିଥିଲେ- “ଆମେ ଯେଉଁ ଗାଣିତିକ ସଂଖ୍ୟା ବ୍ୟବହାର କରୁଛେ, ତାହାକୁ ୟୁରୋପୀୟମାନେ ଆରବ ଦେଶରୁ ଉତ୍ପତ୍ତି ବୋଲି ଭାବୁଥିଲେ, କିନ୍ତୁ ଆରବୀୟମାନେ ତାହା ଭାରତରୁ ଶିଖିଥିଲେ l ତେଣୁ ଏହି ସଂଖ୍ୟାଗୁଡିକ ଯଥାର୍ଥରେ ଭାରତୀୟ ସଂଖ୍ୟା” l ଶୂନ୍ୟ ଏବଂ ସଂଖ୍ୟାରେ ଏହାର ସ୍ଥାନର ବିଶେଷତା ଭାରତୀୟ ଅବଦାନ। ଏତଦ ବ୍ୟତୀତ ବୀଜଗଣିତ, ଜ୍ୟାମିତି, ତ୍ରିକୋଣମିତି, ପାଟିଗଣିତ ଏବଂ ଗାଣିତିକ ଜ୍ୟୋତିଷ ବିଷୟରେ ଭାରତୀୟ ଅବଦାନ ଅତ୍ୟନ୍ତ ମହତ l ଏହି ସବୁ ମୂଳରେ ଯେଉଁ ମହାନ ଜ୍ଞାନୀ ଥିଲେ ସେମାନେ ହେଲେ ଆର୍ଯ୍ୟଭଟ୍ଟ, ଭାସ୍କରାଚାର୍ଯ୍ୟ, ବ୍ରହ୍ମଗୁପ୍ତ ଏବଂ ଅନେକ ଅଜ୍ଞାତ ପ୍ରତିଭା l ଭାସ୍କରାଚାର୍ଯ୍ୟଙ୍କ ଗାଣିତିକ ପ୍ରତିଭା ପରବର୍ତ୍ତୀ କାଳରେ ତ୍ରିକୋଣମିତିକ ଅନୁପାତର ଅନୁଧ୍ୟାନରେ ଆଲୋକପାତ କରିଥିଲା l
ଏହି ସବୁ ଅବଦାନ ନେେହରୁଙ୍କୁ ଭାରତୀୟ ସଭ୍ୟତାର ମହନୀୟତାର ଆଭାସ ଦେଇଥିଲା l ଏହି ମହାନ ଦେଶ ବିଷୟରେ ସେ ଅନେକ ଲେଖିଛନ୍ତି ଏବଂ କହିଛନ୍ତି l ଦେଶପାଇଁ ଅଶେଷ ତ୍ୟାଗ କରିଛନ୍ତି ଏବଂ ଦେଶକୁ ଆଗକୁ ନେବା ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି l ଦେଶର ମୂଳତତ୍ତ୍ୱକୁ ପୃଥିବୀବାସୀଙ୍କୁ ଅବଗତ କରାଇଛନ୍ତି। ଜେଲର ଚାରିକାନ୍ଥ ଭିତରେ ଭାବନାର ଏହି ଆନନ୍ଦ ଏବଂ ତଥ୍ୟଭିତ୍ତିକ ଭାବନାକୁ ଭାଷାରେ ରୂପାନ୍ତରିତ କରିବାର ପ୍ରଚେଷ୍ଟା ଦ୍ୱାରା ଜେଲଜନିତ ଅନ୍ୟାନ୍ୟ ଅସୁବିଧା ସେ ଭୁଲି ଯାଇଥିଲେ। ଯୁବଗୋଷ୍ଠୀ େନେହରୁଙ୍କ ଭାରତ ଆବିଷ୍କାର ପଢନ୍ତୁ ଏବଂ ଜାଣନ୍ତୁ ଏହି ସଭ୍ୟତା ଏବଂ ଦେଶ ପ୍ରତି ତାଙ୍କର ଗଭୀର ପ୍ରେମ ଏବଂ ଅବଦାନ l
ଅବସରପ୍ରାପ୍ତ ପ୍ରଫେସର
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ