ଶିକ୍ଷକଙ୍କୁ କାମବୋଝ

0

ରାଜନୈତିକ ଦଳମାନଙ୍କ ପ୍ରାକ୍‌ ନିର୍ବାଚନ କୋଳାହଳ ଭିତରେ ଏମିତି କିଛି ଖବର ଲୁଚିଯାଉଛି ଯାହା ଦେଶର ଭବିଷ୍ୟତ ସହ ପ୍ରତ୍ୟକ୍ଷଭାବେ ଜଡ଼ିତ। ସେ ସବୁ ଖବର ଗଣମାଧ୍ୟମରେ ଯେମିତି ଗୁରୁତ୍ବ ପାଇବା କଥା ତାହା ପାଉନାହିଁ। ସେଥି ମଧ୍ୟରୁ ଗୋଟିଏ ହେଲା ଶିକ୍ଷକମାନଙ୍କୁ ଅଣ-ଶୈକ୍ଷିକ କାର୍ଯ୍ୟରେ ନିୟୋଜିତ କରିବା ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ବାରଣ। ଏ ସଂକ୍ରାନ୍ତ ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଶିକ୍ଷାଦାନସହ ସଂପୃକ୍ତ ନଥିବା କୌଣସି କାମରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇପାରିବ ନାହିଁ। ଅଣ-ଶୈକ୍ଷିକ କାର୍ଯ୍ୟରେ ବିଭିନ୍ନ ସରକାର ଓ ପୌରସଂସ୍ଥା ଶିକ୍ଷକମାନଙ୍କୁ ଯେଭଳି ନିୟୋଜିତ କରୁଛନ୍ତି ତାହା ଶିକ୍ଷା ଅଧିକାର ଆଇନର ଉଲ୍ଲଙ୍ଘନ କରୁଛି। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ତେଣୁ ଶିକ୍ଷକଶିକ୍ଷୟିତ୍ରୀମାନେ ଭବିଷ୍ୟତର ନାଗରିକମାନଙ୍କୁ ଗଢ଼ିତୋଳିବାକୁ ଯେଉଁ ଗୁରୁଦାୟିତ୍ବ ତୁଲାଉଛନ୍ତି ତାହା ଏକ ଦିବ୍ୟ ଓ ପବିତ୍ର କର୍ତ୍ତବ୍ୟ। ଅତଏବ ଶିକ୍ଷକମାନଙ୍କୁ ସେମାନଙ୍କର ମୂଳଦାୟିତ୍ବରୁ ହଟାଇ ଅନ୍ୟ କାମ ପାଇଁ ନିୟୋଜିତ କରାଯିବା ଅନୁଚିତ।
ବର୍ତ୍ତମାନ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶିକ୍ଷକମାନଙ୍କୁ ପାଠପଢ଼ା ସହିତ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି। ବର୍ଷସାରା ସେମାନଙ୍କୁ ଗୋଟିକ ପରେ ଗୋଟିଏ ନାନାଦି କାମରେ ଲଗାଯାଉଛି। ଭୋଟର ତାଲିକା ସଂଶୋଧନଠାରୁ ଜନ ସୁମାରି, ଘର ସୁମାରି, ଏପରିକି ପିଲାଙ୍କ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ଓ ସେମାନଙ୍କ ଭୋଜନ ବ୍ୟବସ୍ଥା ତଦାରଖ ଭଳି ଯାବତୀୟ କାମରେ ଶିକ୍ଷକମାନେ ବ୍ୟସ୍ତ ରହିବାରୁ ପିଲାଙ୍କୁ ପାଠ ପଢ଼ାଇବାକୁ ଯଥେଷ୍ଟ ସମୟ ଦେଇପାରୁନାହାନ୍ତି। ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲଗୁଡ଼ିକରେ ଏହି କାମ ଶିକ୍ଷକମାନଙ୍କ ଉପରେ ମୁଖ୍ୟତଃ ଲଦି ଦିଆଯାଉଛି। ତେଣେ ପାଠପଢ଼ା ଖରାପ ହେଲେ ବା ପିଲାଙ୍କ ପରୀକ୍ଷାଫଳ ସନ୍ତୋଷଜନକ ନ’ହେଲେ ସେଥିପାଇଁ ସେମାନଙ୍କୁ ଦୋଷ ଦିଆଯାଉଛି; ସ୍ଥଳ ବିଶେଷରେ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ୁଛି।
ଓଡ଼ିଶାଭଳି ଅନେକ ରାଜ୍ୟରେ ପ୍ରାଥମିକ ଶିକ୍ଷାର ଅବସ୍ଥା ଭଲ ନୁହେଁ। ଅଧିକାଂଶ ସ୍ଥାନରେ ପିଲାଙ୍କ ସଂଖ୍ୟା ଅନୁସାରେ ଶିକ୍ଷକ ନାହାନ୍ତି। ଯେଉଁ ଅଳ୍ପସଂଖ୍ୟକ ଶିକ୍ଷକ ଅଛନ୍ତି ସେମାନେ ଅନ୍ୟ ସରକାରୀ ଦାୟିତ୍ବ ନିର୍ବାହ କରି ପିଲାଙ୍କୁ କେବଳ ସ୍କୁଲରେ ଆକଟ କରି ରଖୁଛନ୍ତି ସିନା, ପାଠପଢ଼ା ଚୁଲିକୁ ଗଲାଣି। ପିଲାଙ୍କୁ ମଧ୍ୟାହ୍ନଭୋଜନ ଦେଇ ନିରାପଦରେ ଘରକୁ ଫେରାଇବା ଦାୟିତ୍ବ ଏବେ ସ୍କୁଲଗୁଡ଼ିକର ମୁଖ୍ୟକାର୍ଯ୍ୟ ହୋଇଛି। ଏଭଳି ସ୍ଥଳେ ପ୍ରାଥମିକ ଶିକ୍ଷାର ଉନ୍ନତି ହେବ କିପରି? ତେବେ ଏ କ୍ଷେତ୍ରରେ ଅଦାଲତଙ୍କ ନିର୍ଦେଶ କାର୍ଯ୍ୟକାରୀ ହେବ କି ନାହିଁ ଏହାହିଁ ସବୁଠୁ ବଡ଼ ପ୍ରଶ୍ନ। ସରକାରସବୁ କାହିଁକି ଶିକ୍ଷକମାନଙ୍କୁ ଅଣ-‌େ‌ଶୖକ୍ଷିକ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ତାହାର ମୁଖ୍ୟ କାରଣ ହେଲା ବିଭିନ୍ନ କାର୍ଯ୍ୟପାଇଁ ଲୋକଶକ୍ତିର ଅଭାବ। ତେଣୁ କାମ ଚଳାଇ ନେବାକୁ ଶିକ୍ଷକଙ୍କୁ ବିଭିନ୍ନ କାମରେ ନିୟୋଜିତ କରାଯାଉଛି। ଅଦାଲତ କେବଳ ଆଦର୍ଶବାଦୀ ରାୟ ବା ନିର୍ଦେଶ ଦେଇଦେଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ; ଏଥିପାଇଁ ନିର୍ଦେଶ ପରିପାଳନକୁ ବାଧ୍ୟତାମୂଳକ କରିବାକୁ ହେବ। ଶିକ୍ଷା ଅଧିକାର ଆଇନର ଯଥାର୍ଥ କାର୍ଯ୍ୟକାରିତା ପାଇଁ ସବୁ ସରକାରଙ୍କୁ ବାଧ୍ୟ କରିବାକୁ ପଡ଼ିବ। ତା’ ନହେଲେ ଏମିତି ଚାଲିଥିବ ଓ ଆମ ସରକାରୀ ସ୍କୁଲଗୁଡ଼ିକ ଅବହେଳିତ ହୋଇ ପିଲାଙ୍କ ସାମୟିକ ରକ୍ଷଣସ୍ଥଳରେ ପରିଣତ ହେଉଥିବ। ଏ ଦିଗପ୍ରତି ଉପଯୁକ୍ତ ଧ୍ୟାନ ଦେବାର ସମୟ ଆସିଛି। ନୂଆଭାରତ ଗଠନ ଦିଗରେ କେନ୍ଦ୍ର ସରକାର ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ସେଥିରେ ଜ୍ଞାନ, ବୁଦ୍ଧି ଓ ବିଦ୍ୟାର ବିକାଶ କେନ୍ଦ୍ରବିନ୍ଦୁ ପାଲଟିଛି। ଏଭଳି ସ୍ଥଳେ ପ୍ରାଥମିକ ଶିକ୍ଷା ପ୍ରତି କୌଣସି ଅବହେଳା ଗ୍ରହଣୀୟ ନୁହେଁଁ।

kalyan agarbati
Leave A Reply