କେରଳରେ ଶାନ୍ତି ଫେରୁ

0

ଶବରୀମାଳାସ୍ଥିତ ଭଗବାନ ଆୟାପ୍ପାଙ୍କ ମନ୍ଦିରକୁ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ସେଠାରେ ପରମ୍ପରାବାଦୀ ଓ ସଂସ୍କାରବାଦୀଙ୍କ ମଧ୍ୟରେ ଯେଉଁ ବଳ କଷାକଷି ଚାଲିଥିଲା ତାହା ଏବେ ହିଂସାକାଣ୍ଡ ଓ ରକ୍ତପାତ ସୃଷ୍ଟି କରିଛି। କେରଳର ବାମପନ୍ଥୀ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ଜିଦ୍‌ରେ ଶେଷରେ ଦୁଇଜଣ ପ୍ରଜନନକ୍ଷମ ବୟସର ମହିଳାଙ୍କୁ ପୁଲିସ ସହାୟତାରେ ଅତ୍ୟନ୍ତ ସନ୍ତର୍ପଣରସହ ମନ୍ଦିର ମଧ୍ୟରେ ପ୍ରବେଶ କରାଇବା ପରେ ଏହାର ପ୍ରତିବାଦରେ ସମଗ୍ର କେରଳ ହିଂସାପ୍ରମତ୍ତ ହୋଇପଡ଼ିଛି। ଏବେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ହିଂସାକାଣ୍ଡ ଓ ବନ୍ଦପାଳନ ପାଇଁ ବିଜେପି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘକୁ ଦାୟୀ କରୁଛନ୍ତି। ଭଗବାନ ଆୟାପ୍ପା କେରଳ ସମେତ ଦକ୍ଷିଣ ଭାରତରେ ଅତି ପ୍ରତ୍ୟକ୍ଷ ଦେବତାଭାବେ ଗଣ୍ୟ। ଜାତି,ଧର୍ମ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭକ୍ତି କରନ୍ତି ଓ ମନ୍ଦିର ରୀତିନୀତିକୁ ମାନିଥାନ୍ତି। ଏହି ମନ୍ଦିରକୁ ପ୍ରଜନନ କ୍ଷମ ମହିଳାଙ୍କୁ ପ୍ରବେଶ କରିବାର ପରମ୍ପରା ନାହିଁ। କେବଳ ନାସ୍ତିକଙ୍କୁ ଛାଡ଼ିଦେଲେ ଦଳମତ ନିର୍ବିଶେଷରେ ସବୁ ବର୍ଗର ଲୋକେ ଏହାକୁ ମାନନ୍ତି ଏବଂ ମହିଳାମାନେ ମଧ୍ୟ ବ୍ୟକ୍ତିଗତ ଶୂଚି ଦୃଷ୍ଟିରୁ ପ୍ରଜନନକ୍ଷମ ବୟସ ମଧ୍ୟରେ ମନ୍ଦିର ପ୍ରବେଶ କରନ୍ତି ନାହିଁ। ଯାହା ମନେ ହେଉଛି ବାମପନ୍ଥୀ ମୁଖ୍ୟମନ୍ତ୍ରୀ ବିଜୟନ ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ କରିବା ଆଳରେ ଏଥିରେ ରାଜନୀତି ଖେଳୁଛନ୍ତି। ତା’ନହେଲେ ତାଙ୍କ ଦଳରେ ଜଣେ ମହିଳାକର୍ମୀଙ୍କ ସହ ଅନ୍ୟଜଣେ ମହିଳାଙ୍କୁ ସେ ମନ୍ଦିରରେ ପ୍ରବେଶ ପାଇଁ ପୁଲିସ ସହାୟତା ଓ ଅନ୍ୟାନ୍ୟ ବନ୍ଦୋବସ୍ତ କରିନଥାନ୍ତେ।
ମନ୍ଦିର ଓ ଉପାସନା ସ୍ଥଳ ବିଶ୍ବାସର କଥା ଯେଉଁଠି ଅନେକ ଅଗଣତାନ୍ତ୍ରିକ ଓ ବାଛବିଚାରମୂଳକ ବ୍ୟବସ୍ଥା ଥାଏ। ଅତଏବ ଯାହାର ବିଶ୍ବାସ ସେ ତାହାକୁ ମାନିବ ଓ ନ’ହେଲେ ଦୂରେଇ ରହିବ। ହେଲେ ବିଶ୍ବାସର ପ୍ରସଙ୍ଗ ଉପରେ ଅଦାଲତ ରାୟ ଲଦିବା ଓ ଏକ ପରମ୍ପରାକୁ ଭାଙ୍ଗିବାକୁ ଯେତେବେଳେ ଲକ୍ଷଲକ୍ଷ ଅନୁଗତ ଓ ଭକ୍ତ ବିରୋଧ କରୁୁଛନ୍ତି ସେତେବେଳେ ଏହାକୁ ନେଇ ସରକାର ବଳ ଦେଖାଇବା ବା ଜବରଦସ୍ତ କିଛି କରିବା ଲୋକଙ୍କ ଧର୍ମୀୟ ଭାବନାକୁ ଅବଶ୍ୟ ଆଘାତ ଦେବ। ସଂପୃକ୍ତ ମହିଳାଦ୍ବୟ ମନ୍ଦିରରେ ପ୍ରବେଶ କରିବାପରେ ସେଠାକାର ପୂଜକ ଓ ସେବାୟତ ମନ୍ଦିର ଶୋଧନ ଓ ମାର୍ଜନା କରିବା ଘଟଣା ମୁଖ୍ୟମନ୍ତ୍ରୀ ବିଜୟନଙ୍କ ପାଇଁ ନିଶ୍ଚିତ ଏକ ଅପମାନ। ଆସ୍ଥିକଙ୍କ ଉପରେ ନାସ୍ତିକଙ୍କ ଆକ୍ରମଣ ହେଲେ ପ୍ରତିରୋଧ ଓ ପ୍ରତିକ୍ରିୟା ସୃଷ୍ଟିହେବା ସ୍ବାଭାବିକ।
ଅଦାଲତଙ୍କ ନିର୍ଦେଶକୁ ରୋକିବା ପାଇଁ ବିଜୟନ ଚାହିଁଥିଲେ ଆଇନଗତ ପଦକ୍ଷେପ ନେଇ ମନ୍ଦିରର ସ୍ଥିତାବସ୍ଥା ବଜାୟ ରଖିପାରିଥା’ନ୍ତେ। ଏ କ୍ଷେତ୍ରରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ବିନା ପ୍ରତିବାଦରେ ସମର୍ଥନ ଦେଇଥା’ନ୍ତା। ବିଜୟନ ତାହା ନ’କରି ଏ କ୍ଷେତ୍ରରେ ଯେଉଁ ଭିନ୍ନ ବିଚାର ଦେଖାଇଛନ୍ତି ତାହାକୁ କେତେକ ଅବଶ୍ୟ ପ୍ରଗତିବାଦୀ ଓ ସଂସ୍କାରବାଦୀ ବୋଲି କହିବେ। ହେଲେ ଏକ ପ୍ରାଚୀନ ପରମ୍ପରାକୁ ଭାଙ୍ଗିବା ଆଳରେ ରାଜ୍ୟକୁ ହିଂସାକାଣ୍ଡ, ବନ୍ଦ ଓ ଅସ୍ଥିରତା ମଧ୍ୟକୁ ଠେଲିଦେଇ ମୁଖ୍ୟମନ୍ତ୍ରୀ କି ଲାଭ ପାଉଛନ୍ତି ତାହା ଅନୁମାନ କରିବା କଷ୍ଟ। ସେ ବୋଧହୁଏ ଭୁଲିଯାଉଛନ୍ତି ଯେ କେରଳର ପରିବର୍ତ୍ତିତ ରାଜନୀତିରେ ଏବେ ଧର୍ମ ସବୁଠୁ ଶକ୍ତିଶାଳୀ ହେଉଛି। ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିୟାନ ଧର୍ମର ପ୍ରାଧାନ୍ୟ ଥିବା ‘ଈଶ୍ବରଙ୍କ ନିଜ ରାଜ୍ୟ’ ଭାବେ ଖ୍ୟାତ କେରଳରେ ଯେଉଁ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେଉଛି ସେଥିରେ ବାମପନ୍ଥୀମାନେ ସେମାନଙ୍କର ପ୍ରମୁଖ ହିନ୍ଦୁଭୋଟ ବ୍ୟାଙ୍କକୁ ଯେ ପ୍ରକାରାନ୍ତରେ ଦକ୍ଷିଣପନ୍ଥୀ ଓ ସଂପ୍ରଦାୟବାଦୀ ରାଜନୈତିକ ଦଳଙ୍କ ହାତକୁ ଟେକି ଦେଉଛନ୍ତି। ଧର୍ମନାମକ ଅଫିମ ନିଶାରୁ ଲୋକଙ୍କୁ ମୁକ୍ତ କରିବାର ସମୟ କେରଳ କାହିଁକି ଭାରତରେ ମଧ୍ୟ ଏଯାଏଁ ଆସିନାହିଁ। ତେଣୁ ଏଥିରେ ନ’ମାତି ସେ ବନ୍ୟା ବିଧ୍ବଂସ୍ତ କେରଳରେ ପୁନଃନିର୍ମାଣରେ ଧ୍ୟାନ ଦିଅନ୍ତୁ ଓ ରାଜ୍ୟରେ ଶାନ୍ତି ଫେରାଇବାରେ ଚେଷ୍ଟା କରନ୍ତୁ।

kalyan agarbati
Leave A Reply