ଦେଶ, ରାଷ୍ଟ୍ର, ଧର୍ମ
ବୁଦ୍ଧିଜୀବୀମାନେ ଏ ସଂସାରର ନିର୍ମାଣ କରିନାହାନ୍ତି କି ତାଙ୍କ ବୌଦ୍ଧିକ ଶକ୍ତିରେ ଏ ସଂସାର ଚଳେନାହିଁ। ଏ ସଂସାରର ନିର୍ମାଣ କରନ୍ତି ସାଧାରଣ ଲୋକେ, ଯେଉଁମାନେ ବିଦ୍ୟାବୁଦ୍ଧି ଆୟତ୍ତ କରିଥିବାର ପ୍ରଦର୍ଶନ କରନ୍ତି ନାହିଁ କି ମତବାଦର ପ୍ରଚାର ଓ ପ୍ରସାର ପାଇଁ ବିବେକର ହତ୍ୟା କରନ୍ତି ନାହିଁ। ସାଧାରଣ ଲୋକଙ୍କ ଆସ୍ଥା, ବିଶ୍ବାସ, ସରଳତା ଓ ହୃଦୟବତ୍ତା ସଂସାର ନିର୍ମାଣ କରେ। ବସ୍ତୁର ସଂସାରରେ ଏମାନେ ବୁଡ଼ିରହିଥାନ୍ତି, ବସ୍ତୁକୁ ଭାଙ୍ଗି ତା’ର ଉପାଦାନମାନଙ୍କୁ ଚିହ୍ନିବାରେ ଏମାନଙ୍କର ଆଗ୍ରହ ନାହିଁ। ଏମାନେ କାର୍ଯ୍ୟ-କାରଣ ଦ୍ବାରା ପରିଚାଳିତ ହୁଅନ୍ତି ନାହିଁ, ଏମାନଙ୍କ ପାଇଁ ସବୁ ବୌଦ୍ଧିକ ବାଦ-ବିସମ୍ବାଦ ଅନର୍ଥ- ସୃଷ୍ଟି ଓ ସବୁ ବୌଦ୍ଧିକ ଆଚାରବିଚାର ନିରର୍ଥକ। ମାନବିକତାର ନ୍ୟୂନତମ ମୂଲ୍ୟବୋଧ ସେଇମାନଙ୍କ ଭିତରେ ବଞ୍ଚିରହେ ସବୁ ଅବମୂଲ୍ୟାୟନର ଯୁକ୍ତିତର୍କ ଊର୍ଦ୍ଧ୍ବରେ। କିନ୍ତୁ ସେ ସାଧାରଣ ଲୋକେ କାହାନ୍ତି? ଅଥଚ ତାଙ୍କର ମୁଣ୍ଡ ଉପରେ ବୋଝ ଲଦିଦେଇ ସଭାସମିତି ଚର୍ଚ୍ଚା ଚିନ୍ତା ସବୁଠି ବୁଦ୍ଧିଜୀବୀ ସନ୍ତୁଷ୍ଟ। ସେଇମାନଙ୍କ ସନ୍ତୁଷ୍ଟ ଓ ତର୍କୋଜ୍ବଳ ମୁହଁଟିମାନ ତାଙ୍କ ମିଡ଼ିଆରେ, ସେଇ ତାଙ୍କୁ ଅନୁଧାବନ କରେ ଶୟନେ ସ୍ବପନେ ଜାଗରଣେ। ସେଇ ତାଙ୍କର ଅସ୍ତିତ୍ବର ସାମାନ୍ୟ କଥନ। ବହୁ ଅସାମାନ୍ୟ ଓ ଅସାଧାରଣ ଚିନ୍ତାର ବୁନିଆଦି ଗଭୀରତା ତାଙ୍କରି ନାଁରେ ଖୋଳାହୁଏ, କିନ୍ତୁ ସେଥିରେ ଶୋଷ ମେଣ୍ଟେଇବା ପାଇଁ ଆଞ୍ଜୁଳାଏ ଜଳ ନଥାଏ। ନିଷ୍ଫଳା, ନିର୍ଜଳା, ବୌଦ୍ଧିକ ବିଚାରରେ େଦଶ ନାହିଁ, ରାଷ୍ଟ୍ର ନାହିଁ, ସମାଜ ନାହିଁ, ପ୍ରକୃତି ନାହିଁ, ମଣିଷ ନାହିଁ କି ହୃଦୟ ନାହିଁ। ସେମାନଙ୍କ କୋଳାହଳରେ ସାଧାରଣ ଲୋକେ ଅତିଷ୍ଠ। ସତ୍ୟ କ’ଣ? ଉଚିତ କ’ଣ? କର୍ତ୍ତବ୍ୟ କ’ଣ? ନୀତି କ’ଣ? ପଥ କ’ଣ? ଦେଶ କ’ଣ? ସତ୍ୟ କ’ଣ? ଅର୍ଥ କ’ଣ? ସିଧା ଉତ୍ତର ନାହିଁ, କାରଣ ଲୋକେ ପ୍ରାକ୍-ଆଧୁନିକ କାଳରେ ଥିଲାବେଳେ ବୁଦ୍ଧିଜୀବୀମାନେ ଉତ୍ତରାଧୁନିକ କାଳରେ ପ୍ରବେଶ କରିଗଲେଣି। ଉତ୍ତରାଧୁନିକ ଚିନ୍ତନରେ କୁଆଡ଼େ କୌଣସି ପ୍ରଶ୍ନର ଗୋଟିଏ ଉତ୍ତର ନାହିଁ, ତେଣୁ ଅସଂଖ୍ୟ ଉତ୍ତରର ସଂଭାବନା ଖୋଜିଖୋଜି ବୁଦ୍ଧିଜୀବୀ ବେଳେବେଳେ କ୍ଷେତ୍ର ବାହାରକୁ ଚାଲିଗଲେଣି, ମୂଳ ସାଙ୍ଗେ ଆଉ ସମ୍ପର୍କ ନାହିଁ। ପରିଣତି ଏଇଆ ଯେ ସାଧାରଣ ଲୋକେ ସୃଷ୍ଟି କରିଥିବା ସମାଜ ଓ ସଂସ୍କାର ଧୀରେଧୀରେ ତାଙ୍କର ପରିଚୟର ସୀମା ବାହାରକୁ ଚାଲିଯାଉଛନ୍ତି। ପ୍ରକୃତରେ ଯାଉନାହାନ୍ତି, ଯାଉଥିବାର ଏକ ଭ୍ରମ ସୃଷ୍ଟି ହେଉଛି ବା ପ୍ରୋବ୍ଲେମାଟାଇଜିଙ୍ଗ୍ ଏ ନନ୍ଇସ୍ୟୁ! ଅର୍ଥାତ୍ ସମସ୍ୟା ନଥିଲାବେଳେ ସମସ୍ୟାର ନିର୍ମାଣ କରି ତା’ର ସମାଧାନ ପାଇଁ ଚିନ୍ତିତ ରହିବା ୟାର ଚମତ୍କାର ଦୃଶ୍ୟକଳ୍ପ ଆପଣ ଦେଖିବେ ଜେନ୍ ବୌଦ୍ଧୀୟ ଧ୍ୟାନ ତତ୍ତ୍ବରେ। ସଂକ୍ଷେପରେ ଏହିପରି: ଧ୍ୟାନ ଆରମ୍ଭ ପୂର୍ବରୁ ଶିଷ୍ୟର ଆଖିରେ ଦିଶୁଥିଲା ସାଧାସିଧା ଜଗତଟିଏ! ଆଗରେ ପାହାଡ଼ଟିଏ, ନୀଳଆକାଶରେ ବଉଦ, ଧାଡ଼ିଏ ଘରଫେରନ୍ତା ପକ୍ଷୀ, ଏମିତି। ଶିଷ୍ୟ ଧ୍ୟାନ କଲା ବର୍ଷେ। ବର୍ଷକ ପରେ ଯେତେବେଳେ ଆଖି ଖୋଲିଲା ଗୁରୁ ପଚାରିଲେ କ’ଣ ଦେଖୁଛ? ଶିଷ୍ୟକହିଲେ: କିଛି ଦିଶୁନାହିଁତ, ଶୂନ୍ୟ ଶୂନ୍ୟ, କେବଳ ଶୂନ୍ୟ! ଗୁରୁ କହିଲେ: ଯାଃ, ପଚାରିଲେ କ’ଣ ଦେଖୁଛ? ଶିଷ୍ୟ କହିଲେ: କିଛି ଦିଶୁନାହିଁତ, ଶୂନ୍ୟ ଶୂନ୍ୟ, କେବଳ ଶୂନ୍ୟ! ଗୁରୁ କହିଲେ: ଯାଃ, ତମର ଧ୍ୟାନ ଫଳବତୀ ହୋଇନାହିଁ, ଏକାଗ୍ର ହୁଅ। ଶିଷ୍ୟ ପୁଣି ବସିଲେ ଧ୍ୟାନରେ। ବର୍ଷେ ଗଲା, ଆଉ ବର୍ଷେ, ପୁଣି ଆଉ ବର୍ଷେ। ଏମିତି ପାଞ୍ଚବର୍ଷ ଗଲା। ଏଇ ପାଞ୍ଚବର୍ଷ ଭିତରେ ଶିଷ୍ୟ ଶୂନ୍ୟ ଭିତରେ କିଛିକିଛି ଆକାରର ଅସ୍ପଷ୍ଟ ନିର୍ମାଣ ଅନୁମାନ କଲେ। ଷଷ୍ଠବର୍ଷରେ ସେ ଦେଖିଲେ ଭୟଙ୍କର ଧ୍ବଂସଲୀଳା ଚାଲିଛି। ଗୁରୁ କହିଲେ: ମାର୍ଗ ଠିକ୍ ଅଛି, ଆହୁରି ଧ୍ୟାନ ଦରକାର। ପୁଣି ତିନିବର୍ଷ ଗଲା ଏମିତି। ଶିଷ୍ୟ ଏଣିକି ବିଚିତ୍ର ଦୃଶ୍ୟ ସବୁ ଦେଖିଚାଲିଲେ। ଏଗାର ବର୍ଷ ଉତ୍ତାରେ ଶିଷ୍ୟ ଯେତେବେଳେ ଆଖି ଖୋଲିଲେ ତାଙ୍କ ଓଠରେ ଗୋଟିଏ ସ୍ମିତହସ ଥିଲା, ସେ ଦିଶୁଥିଲେ ଧ୍ୟାନ ଆରମ୍ଭ କରିବାର ସେଇ ଜିଜ୍ଞାସୁ ତରୁଣଟି ପରି। ଆଖିରେ ସନ୍ଦେହ ନଥିଲା, ଅହଂକାର ନଥିଲା, ଉଦାସୀ ନଥିଲା, ପୀଡ଼ା ନଥିଲା। ଗୁରୁ ପଚାରିଲେ : ସାମ୍ନାକୁ ଚାହିଁ କହ କ’ଣ ଦିଶୁଛି? ଶିଷ୍ୟ କହିଲେ: ଯେମିତି ଥିଲା ସେମିିତି, ସେଇ ପାହାଡ଼, ସେଇ ଆକାଶ, ସେଇ ପକ୍ଷୀଦଳ! ଓଃ ସ୍ବସ୍ତିର ଓ ସନ୍ତୋଷର ନିଃଶ୍ବାସ ଛାଡ଼ି ଗୁରୁ କହିଲେ: ହେଇଗଲା ସିଦ୍ଧି! ମୁଦିତ ହୃଦୟରେ କୃତକୃତ୍ୟ ହୋଇ ଶିଷ୍ୟ ବାହାରକୁ ପାଦ ବଢ଼ାଇଲେ। ୟାର ମର୍ମ କ’ଣ? ଏଗାର ବର୍ଷର ଧ୍ୟାନର ପ୍ରାପ୍ତି କ’ଣ? ପ୍ରାପ୍ତି ‘ସାଧାରଣତା’ ‘ପ୍ରାକୃତିକତା’, ‘ଦୃଶ୍ୟମାନ ବାସ୍ତବତା’! ଅର୍ଥାତ ସମସ୍ତ ଜ୍ଞାନବିଜ୍ଞାନର ଅନ୍ତିମ ପ୍ରତ୍ୟାବର୍ତ୍ତନ ସେହି ପ୍ରାକୃତିକ ମୂଳକୁ, ଦତ୍ତ ସଂସାରକୁ! ଯାହା ପ୍ରକୃତି, ଯାହା ଇନ୍ଦ୍ରିୟଗ୍ରାହୀ ଓ ଅନୁଭୂତ,ତାହାହିଁ ସତ୍ୟ ! ପ୍ରକୃତ ଧ୍ୟାନ, ଜ୍ଞାନବିଜ୍ଞାନର ଜଟିଳ ଓ କନ୍ଦଳମୟ ମାର୍ଗରେ ଯାଇ ଶେଷରେ ସେହି ‘ସାଧାରଣ’ରେ ପହଞ୍ଚେ। ଯାହା ଅଛି, ତାହା ଥିଲା ଓ ରହିବ। ତାକୁ କୃତଜ୍ଞତାର ସହିତ ସ୍ବୀକାର କରିବାରେ ଅଜ୍ଞାନର ଅଧ୍ୟାତ୍ମ, ସେଇ ମଧ୍ୟ ଜ୍ଞାନୀର ସନ୍ଧାନର ଅନ୍ତିମ।
ଏବେ ‘ରାଷ୍ଟ୍ର’ ଓ ‘ଧର୍ମ’କୁ ନେଇ ଜ୍ଞାନୀମାନଙ୍କର ଚର୍ଚ୍ଚା ଆମ ଭଳି ‘ସାଧାରଣ’ ଲୋକଙ୍କୁ ପୀଡ଼ା ଦେବା ଆରମ୍ଭ କଲାଣି। ଏ ଦୁଇଟି ସାଧାରଣ ଲୋକଙ୍କ ପାଇଁ ବିବାଦର ବିଷୟ ନୁହନ୍ତି, ତର୍କସଂଗତ ବି ନୁହନ୍ତି। ରାଷ୍ଟ୍ର ଓ ଧର୍ମ ପରସ୍ପରଠାରୁ ଭିନ୍ନ ହେବାର ବହୁକାଳ ଅତୀତ ହେଲାଣି। କୁହାଯାଇପାରେ ଧର୍ମ ଓ ରାଷ୍ଟ୍ର ପରସ୍ପରଠାରୁ ବିଚ୍ଛିନ୍ନ ହେବାର ଘଟନା ଥିଲା ଗଣତନ୍ତ୍ରର ଏକ ନ୍ୟାସ-ତତ୍ତ୍ବ। ଧର୍ମରୁ ରାଷ୍ଟ୍ର ଅଲଗା ହେବ, ରାଜାଙ୍କ ସ୍ଥାନରେ ଲୋକପ୍ରତିନିଧି ଆସିବେ, ଲୋକ ସାର୍ବଭୌମ ହେବ ସମ୍ବିଧାନ, ରାଷ୍ଟ୍ରର ବ୍ୟବସ୍ଥା ଲୋକମଙ୍ଗଳରେ ନିୟୋଜିତ ହେବ ଓ ଅଧିକାରକୁ ସୁରକ୍ଷା ପ୍ରଦାନ କରିବ, ବ୍ୟବସ୍ଥା ଭିତରେ ବି ବିଧାୟିକା, ନ୍ୟାୟପାଳିକା ଓ ପ୍ରଶାସିକାଙ୍କ ଭିତରେ ଦାୟିତ୍ବ ଓ କର୍ତ୍ତବ୍ୟର ବିଭାଜନ ହୋଇଯିବ। ଏ ଥିଲା ନ୍ୟାସ-ତତ୍ତ୍ବର ବିଚାରଧାରା ଓ ଗଣତନ୍ତ୍ରର ବ୍ଲୁ ପ୍ରିଣ୍ଟ। ଏବେ ଏ ଜ୍ଞାନୀଙ୍କ ଚିନ୍ତାର କାରଣ କ’ଣ?
ରାଷ୍ଟ୍ରକୁ ନେଇ ଜ୍ଞାନୀଙ୍କ ଚିନ୍ତାର କାରଣ ଆପାତତଃ ଏହି ଯେ ସେମାେନ ରାଷ୍ଟ୍ରର ସଶକ୍ତୀକରଣକୁ ସହ୍ୟ କରିପାରୁନାହାନ୍ତି। ରାଷ୍ଟ୍ରର ଶକ୍ତି ବୃଦ୍ଧି ପାଇଲେ ରାଷ୍ଟ୍ର କାଳେ ଦମନଲୀଳା ଆରମ୍ଭ କରିବ ଓ ନାଗରିକଙ୍କୁ ପ୍ରଦତ୍ତ ସମସ୍ତ ଅଧିକାର ପ୍ରତ୍ୟାହାର କରିନେବ, ଏ ଆଶଙ୍କାରେ ବିଚଳିତ ହୋଇ ଜ୍ଞାନୀଏ ଦେଶର ବିଭାଜନ କଥା କହିଲେଣି। ଜେ.ଏନ.ୟୁର ପ୍ରଖର ଉଦାରବାଦୀ ଚିନ୍ତନକୁ ଏକ ଅଚିନ୍ତନୀୟ ମୋଡ଼ ଦେଇ ସେମାନେ ଭାରତଠାରୁ ମୁକ୍ତ ହେବାକୁ ଚାହିଁଲେଣି। ଗୋଟେ ‘ଟୁକ୍ଡ଼ା-ଟୁକଡ଼ା’ ଗ୍ୟାଙ୍ଗ୍ ବି ବାହାରିଲେଣି। ଏମାନଙ୍କୁ ଦେଶଦ୍ରୋହୀ କୁହାଯିବନି କି? କୁହାଯିବ, କିନ୍ତୁ ଏଭଳି ଚିନ୍ତା ୟାଙ୍କ ମୁଣ୍ଡକୁ ଆସିଲା କୋଉଠୁ? ଏ ତଥାକଥିତ ମୁକ୍ତଚିନ୍ତକ ଉଦାରବାଦୀମାନେ ଶିକ୍ଷାୟତନରୁ ହିଁ ତାଙ୍କର ଦେଶଦ୍ରୋହ ଓ ରାଷ୍ଟ୍ର-େଦ୍ବଷର ଉପାଦାନଗୁଡ଼ିକ ସଂଗ୍ରହ କଲେ। ଏମାନଙ୍କ ସମ୍ମୁଖରେ ଐତିହାସିକମାନେ ନବଚିନ୍ତନ ନଁାରେ ଭାରତୀୟ ଅସ୍ମିତାକୁ ହିଁ ବିବାଦାସ୍ପଦ କରିଦେଲେ।
ଏ ଭିତରେ ପ୍ରକାଶିତ ହୋଇଛି ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସର ଡିଏନ ଝାଙ୍କ ‘େନାଟ୍ସ ଅନ୍ ଆଇଡେଣ୍ଟିଟି, ଇନ୍ଟଲେରେନ୍ସ ଆଣ୍ଡ ହିଷ୍ଟ୍ରି’ (ଅସ୍ମିତା-ପରିଚୟ, ଅସହିଷ୍ଣୁତା ଓ ଇତିହାସ ଉପରେ କିଛି ମନ୍ତବ୍ୟ)। ଝା ମହାଶୟଙ୍କ ଐତିହାସିକତା ସର୍ବଜନବିଦିତ, ଅନ୍ତତଃ ଦୁଇ ପିଢ଼ିର ଛାତ୍ରଙ୍କ ପାଇଁ ଜ୍ଞାନର ଉତ୍ସ, ଗୁରୁ! ତାଙ୍କର ଦୁଇଟି ବହୁ ଚର୍ଚ୍ଚିତ ମନ୍ତବ୍ୟ ‘ହିନ୍ଦୁ ଧର୍ମରେ ଗାଈ’ ଓ ‘ଭାରତମାତା କୀ ଜୟ’ ଉପରେ। ‘ଦ ମିଥ୍ ଅଫ୍ ଦ ହୋଲି କାଓ’ରେ ଝା ମହାଶୟ କହିଲେ ଗାଈକୁ ହିନ୍ଦୁଧର୍ମରେ ଏଭଳି ଐଶ୍ବର୍ଯ୍ୟମଣ୍ଡିତ କରାଯାଉଚି କାହିଁକି, ବରଂ ଷଣ୍ଢକୁ ଐଶ୍ବର୍ଯ୍ୟ ପ୍ରଦାନ କରାଯାଉ (ପ୍ରମାଣ ସ୍ବରୂପ ନନ୍ଦୀ)! ମହତ୍ତ୍ବପୂର୍ଣ୍ଣ କଥାକୁ ହାଲୁକା କରି ପିଲାମାନଙ୍କୁ ହସାଇବା ପାଇଁ ପ୍ରଫେସର ପ୍ରୟାସ କରିପାରିଥାନ୍ତି, କିନ୍ତୁ ତାଙ୍କର ଏ ବିଚିତ୍ର ଯୁକ୍ତି ଗୋଟେ ପିଢ଼ିର ଉଦୀୟମାନ ତରୁଣ-ତରୁଣୀଙ୍କୁ ହିନ୍ଦୁଧର୍ମର ଗୋଟିଏ ମାନ୍ୟତାକୁ ହେୟଜ୍ଞାନ କରିବାର ଶିକ୍ଷା ଦେଇଦେଲା। ଗୋଧନ କିଭଳି ଗୋଟିଏ ଧର୍ମୀୟ ସଭ୍ୟତାର ଜୀବନଧାରା ସହିତ ଓତପ୍ରୋତ ଜଡ଼ିତ ହୋଇ ରହିଥିଲା ତାହାତ ‘ଋକ୍ବେଦ’ରେ ଅସଂଖ୍ୟ ଋଚାରେ! ଶାସ୍ତ୍ର ଓ ପୁରାଣମାନଙ୍କରେ ଧେନୁ ଏକ ଜୀବନମୂଲ୍ୟ, କେହି ତାକୁ ମାନିପାରେ ନମାନି ପାରେ। କିନ୍ତୁ ଆସ୍ଥାର ବ୍ୟାପାରରେ ‘ଇତିହାସ’କୁ ପ୍ରବେଶ କରାଇ ଗୋଟିଏ ଧର୍ମଧାରଣାକୁ ଲାଞ୍ଛିତ ବା ହାସ୍ୟାସ୍ପଦ କରିବାର ଆବଶ୍ୟକତା ନଥିଲା। ପ୍ରଫେସର ଝା ଏ କ୍ଷେତ୍ରରେ ପଶିଲେ ଏଇଥିପାଇଁ ଯେ ତାଙ୍କଭଳି ବହୁ ନବ୍ୟ-ଐତିହାସିକ ସମସ୍ୟା ନଥାଇ ସମସ୍ୟା ସୃଷ୍ଟିକରି ଓ ପୁଣି ତା’ର ଶଙ୍କା ସମାଧାନ କରି ନିଜକୁ ବଡ଼ କୃତକୃତ୍ୟ ମନେ କରୁଛନ୍ତି ଓ ଏହାହିଁ ଜ୍ଞାନକ୍ଷେତ୍ରର ଏ ସମକାଳୀନ ବିଡ଼ମ୍ବନା। ତୁଳନାତ୍ମକ ବିଚାରରେ ଖ୍ରୀଷ୍ଟିଆନିଟି ଓ ଇସଲାମ୍ରେ ଯେବେଯେବେ ସାମାନ୍ୟତମ ଶଂକାର ଉଦ୍ରେକ କରାଇବାପାଇଁ ପଲ୍ଲବଗ୍ରାହୀ ପଣ୍ଡିତମାନେ ଉଦ୍ୟମ କରିଛନ୍ତି, ସେବେସେବେ ଧର୍ମୀୟ ବ୍ୟବସ୍ଥାର ଦୃଢ଼ହାତ ସେମାନଙ୍କୁ ମୁଖ୍ୟସ୍ରୋତରୁ ଆଡ଼େଇ ଦେଇଛି। ହିନ୍ଦୁମାନଙ୍କର ଧର୍ମକୁ ରକ୍ଷା କରିବ କିଏ? ଅବା ଏ ଧର୍ମର ବ୍ୟାପକ ଉଦାରତା ୟାର ଶତ୍ରୁ। ୟାର ବାପମାଆ ନାହାନ୍ତି, ଏ ଅରକ୍ଷ! ଯିଏ ପାରିବ ସିଏ ୟାକୁ ଅପମାନିତ କରିପାରିବ, ଝା’ଙ୍କ ଭଳି ଜଣେ ହିନ୍ଦୁ ବି ୟାକୁ ଅପଦସ୍ତ କରିପାରିବ ବିଚ୍ ବଜାରରେ। ଗୋଟିଏ ହିନ୍ଦୁବହୁଳ ରାଷ୍ଟ୍ରରେ ଯଦି ହିନ୍ଦୁମାନଙ୍କ ଧର୍ମୀୟ ସ୍ପର୍ଶକାତରତା ତାଙ୍କୁ ଗୋରକ୍ଷା ପାଇଁ ପ୍ରେରିତ କରୁଛି, ତେବେ କ’ଣ କେବଳ ଗୋରୁ କାଟି ଖାଇବାର ଅଧିକାରକୁ ସାବ୍ୟସ୍ତ କରିବାପାଇଁ କୋଟିକୋଟି ହିନ୍ଦୁଙ୍କ ଆସ୍ଥାକୁ ଲାଞ୍ଛିତ କରାଯିବ, ଇତିହାସ ନାଁରେ? ଏମିତି ତ ଜଣେ ଯଦି ପୌରାଣିକ ମାନ୍ୟତାମାନଙ୍କର ବୈଜ୍ଞାନିକ ବ୍ୟାଖ୍ୟା କରିବାକୁ ବସିବ, ସେଥିରେ ଅସଂଖ୍ୟ ମାନ୍ୟତା ଏଭଳି ଆସିବେ ଯାହାକୁ ପ୍ରଫେସର ଝା’ଙ୍କ ଭଳି ଐତିହାସିକମାନେ ଅକ୍ଳେଶରେ ଅବୈଜ୍ଞାନିକ ଓ ଅଗ୍ରାହ୍ୟ ଘୋଷଣା କରିଦେବେ। ପୁରାଣର ଐତିହାସିକତା ସାବ୍ୟସ୍ତ କରିବା ଆବଶ୍ୟକ କି? ଆସ୍ଥାରେ ହସ୍ତକ୍ଷେପ ଅନଧିକାର ପ୍ରବେଶ ନୁହେଁ କି? ହିଂସାର ଦମନ ଅବଶ୍ୟ ହେବ, କିନ୍ତୁ ଆସ୍ଥାନ ହନନ କାହିଁକି ହେବ?
ଗୋ ରକ୍ଷା, ଗୋ ମାତା, ଗୋମାହାତ୍ମ୍ୟ କଥା ଛାଡ଼ନ୍ତୁ, ୟାକୁ ବିତର୍କିତ କରିଥିବା ଐତିହାସିକଙ୍କ ଚଟୁଳ ପାଣ୍ଡିତ୍ୟର ପରିଣତି ଏଇଆ ହେଲା ଯେ ଗାଈ ‘ଏକ ରାଜନୈତିକ ଜୀବ’ରେ ପରିଣତ ହେଲା। ‘ଭୋଜନର ଅଧିକାର’ ପରିସର ଭିତରକୁ ଆସିଗଲା ଗୋ ମାଂସ। ଘୋର ବିଡ଼ମ୍ବନା ଯେ ଗୋଟିଏ ଧର୍ମୀୟ ପ୍ରତୀକ ରାଜନୀତିର ଦୁଶ୍ଚକ୍ରରେ ପଶିଗଲା। ପିଲାଏ ଗାଈକୁ ଏକ ଖାଦ୍ୟ ଦୃଷ୍ଟିରେ ଦେଖିଲେ, କୁଆଡ଼େ ଗଲା କାମେଧନୁର କଳ୍ପନା? କାମଧେନୁର କଳ୍ପନା ଅନ୍ତର୍ହିତ ହେବାସହିତ ଆତ୍ମା ସହିତ ସଂପୃକ୍ତ ଏକ ‘କସ୍ମୋଲୋଜି’ର ପ୍ରତ୍ୟାଖ୍ୟାନ ହୋଇଗଲା। ନବଚିନ୍ତକ ଓ ନବ୍ୟଐତିହାସିକଙ୍କ ପ୍ରମାଣ- ପ୍ରପଞ୍ଚରେ ପଡ଼ି ଆମର ଶାସ୍ତ୍ର ଓ ପୁରାଣଗୁଡ଼ିକୁ କ’ଣ ‘କ୍ରିଷ୍ଚିଆନାଇଜ୍ଡ’ କରାଯିବ? କଲମ୍ବିଆ ବିଶ୍ବବିଦ୍ୟାଳୟରେ ଭାରତୀୟ ହିନ୍ଦୁଶାସ୍ତ୍ରଗୁଡ଼ିକୁ ‘ସାନିଟାଇଜ୍’ କରାଯାଉଛି ବୋଲି ‘ବାଟ୍ଲ ଫର୍ ସାଂସ୍କ୍ରିଟ୍’ ଗ୍ରନ୍ଥରେ ରାଜୀବ ମାଲହୋତ୍ରା (ହାର୍ଫର କଲିନ୍ସ/୨୦୧୬) ଯେଉଁ ଆତଙ୍କ ପ୍ରକାଶ କରିଛନ୍ତି ତାହା ଅମୂଳକ ନୁହେଁ ତ? ଇଏ ତ ଧର୍ମାନ୍ତରଠାରୁ ଅଧିକ ବିପଜ୍ଜନକ! ଧର୍ମନିରପେକ୍ଷ ରାଷ୍ଟ୍ରରେ କୌଣସି ଧର୍ମର ଏଭଳି ବିଚଳନ ଓ ବୌଦ୍ଧିକ ସଂକ୍ରମଣକୁ ପ୍ରଶ୍ରୟ ଦିଆଯିବ କାହିଁକି? ରାଷ୍ଟ୍ରରୁ ଧର୍ମ ଅଲଗା ହେବା ଯଦି ଗଣତନ୍ତ୍ରର ପ୍ରଥମ ସ୍ଥାପନା ଥିଲା ତେବେ ଧର୍ମରୁ ବିଜ୍ଞାନର ବିଚ୍ଛିନ୍ନକରଣ ଦ୍ବିତୀୟ ସ୍ଥାପନା। ‘ଧର୍ମ’ ଧର୍ମଶାସ୍ତ୍ର (ଥିଓଲୋଜି)ର ବ୍ୟାପାର ବିଜ୍ଞାନର ବିଷୟ ନୁହେଁ।
ୟାଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଭାରତୀୟ ଅସ୍ମିତାର ପ୍ରସଙ୍ଗ। ପ୍ରତି ଲୋକସମ୍ପର୍କ ତାଙ୍କର ଐତିହ୍ୟର ଆଧାରରେ ନିଜ ଦେଶ ଓ ରାଷ୍ଟ୍ରର ମହିମାପାଠ ନିର୍ମାଣ କରନ୍ତି। ଐତିହ୍ୟର ଆକଳନ ଓ ଅନୁମାନ ଉଭୟ ତାଙ୍କୁ ମିଳିଥାଏ ଜାତୀୟ ସ୍ମୃତିରୁ। ଆମେ ପିଲାଦିନୁ ପଢ଼ିଆସିଛୁ ଆମର ଏକ ସୁବର୍ଣ୍ଣ ଐତିହ୍ୟ ଥିଲା। ୟାକୁ ଧ୍ବଂସ କରିବାର ପ୍ରୟାସ ଦେଖନ୍ତୁ। ପ୍ରଫେସର ଝା କହିଛନ୍ତି: ‘ସ୍ବାଧୀନତା ସଂଗ୍ରାମ ବେଳେ ଭାରତୀୟ ଐତିହାସିକମାନେ ବିନା ବିବେଚନାରେ ଗୁଡ଼େ ମହିମାମଣ୍ଡନ କରିଗଲେ, ଏହା ଥିଲା ସ୍ବାଧୀନତା ସଂଗ୍ରାମକୁ ଐତିହ୍ୟର ସମର୍ଥନ ପ୍ରଦାନ କରିବାର ଏକ ପ୍ରୟାସ; କିନ୍ତୁ ଏଥିରେ ସତ୍ୟତା ନଥିଲା। ଭାରତର ଲୋକେ କେବେବି ସୁବର୍ଣ୍ଣଯୁଗ ଦେଖିନଥିଲେ।’ ଝା ମହାଶୟ ଏତିକି ବୁଝିଲେନି ଯେ ସାଧାରଣ ଲୋକଙ୍କ ପାଇଁ ସୁବର୍ଣ୍ଣଯୁଗ କେବେ ଆସେନାହିଁ। ଐତିହ୍ୟ ବିଚାର ବେଳେ ଗୁପ୍ତଯୁଗକୁ କାହିଁକି ସୁବର୍ଣ୍ଣଯୁଗ କୁହାଯାଏ ବା କାହିଁକି ଭାରତୀୟ ଜନଜାତୀୟ ସର୍ଦାରୀ ଇଲାକାଗୁଡ଼ିକ ଆଥେନିଆନ ଗଣତନ୍ତ୍ର ସହିତ ତୁଳନୀୟ, ତା’ର ଆକଳନ ଜନଇତିହାସର ନୂଆ ସୂତ୍ରରେ କରାଯାଏ ନାହିଁ। ଐତିହ୍ୟ, ଇତିହାସ ଦ୍ବାରା ପୁନରାକଳନରେ ଭର୍ତ୍ସିତ ହେବାର ବିଷୟ ନୁହେଁ। ଐତିହ୍ୟ ଏକ ଦତ୍ତ-ପଦାର୍ଥ। ଇଏ ଜାତୀୟ ସ୍ମୃତିର ଉପଜ। ୟାକୁ ଇତିହାସଠାରୁ ଏକ ଅଲଗା ବିଷୟ ଭାବରେ ବିଚାର କରିବା ଆବଶ୍ୟକ। ‘ହିଷ୍ଟ୍ରୀ’ ଓ ‘ହେରିଟେଜ୍ ଷ୍ଟଡିଜ୍’ ଦୁଇଟି ଭିନ୍ନଭିନ୍ନ ବିଷୟ। ଇତିହାସକୁ ବ୍ୟବହାର କରି ଐତିହ୍ୟକୁ ଅବମୂଲ୍ୟାୟିତ କଲେ କାହାର ମଙ୍ଗଳ? ଏଇ ଅବମୂଲ୍ୟାୟନର ଆଳରେ ଭାରତ-ବିରୋଧୀ, ରାଷ୍ଟ୍ରୀୟତା ବିରୋଧୀ ତତ୍ତ୍ବ ପ୍ରବଳ ହେଲେଣି। ତେଣୁ ଗଣତନ୍ତ୍ର ଅାଉ ଗୋଟିଏ ସ୍ଥାପନା ଐତିହ୍ୟକୁ ଇତିହାସର କ୍ଷୟକାରୀ ତର୍ଜମାରୁ ରକ୍ଷା କରିବା, ବରଂ ଐତିହ୍ୟରଚନା ପାଇଁ ଇତିହାସ ସହାୟକ ହେଉ। ଯେଉଁପାଠ ଧର୍ମବିରୋଧୀ, ରାଷ୍ଟ୍ରବିରୋଧୀ, ଐତିହ୍ୟବିରୋଧୀ, ସେ ପାଠ ବର୍ଜ୍ୟ! ପୃଥିବୀରେ ଏଭଳି କୌଣସି ଦେଶ ନାହିଁ, ଯାହାର ଐତିହାସିକ ଓ ଚିନ୍ତକମାନେ ସେ ଦେଶର ଧର୍ମ, ରାଷ୍ଟ୍ର ଓ ଐତିହ୍ୟକୁ ଅବମୂଲ୍ୟାୟିତ କରନ୍ତି।
‘ଭାରତମାତା କୀ ଜୟ’ କହିବାରେ କେତେକଙ୍କର କୁଣ୍ଠା ଓ ତା’ର ରାଜନୀତିକରଣ କାହିଁକି? ଏ ବିଦ୍ବାନ ପ୍ରଫେସର ଝା କହୁଛନ୍ତି: ‘ଗୋମାତା, ରାଷ୍ଟ୍ରମାତା ପୁଣି ଭାରତମାତା! କିଏ ମୋର ମାତା? ମୁଁ କନ୍ଫ୍ୟୁଜଡ୍। ତେଣୁ ମୁଁ କହିବି ‘ଜୟହିନ୍ଦ୍’!’ ୟାକୁ ଦେଖି ୟାଙ୍କର ଦୁଇପିଢ଼ିର କ୍ଷେତ୍ର ବି ଭାରତମାତା କହିଲେ ନାକ ଟେକିଲେ। ବୁଦ୍ଧିମାନଙ୍କ ବିତଣ୍ଡା ଯୁକ୍ତି ବଡ଼ ବିରକ୍ତିକର। ଝା ମହାଶୟଙ୍କୁ ଗୋମାତାର ଜୟ କହିବାକୁ କେହି କହି ନଥିଲେ। ‘ଭାରତ ମାତା କି ଜୟ’ କହିବାକୁ ଯାଇ ଏ କି ଯୁକ୍ତି? କାହିଁକି? ୟାର ପରିଣତି କି ଭୟଙ୍କର! ଏମିତି ହେଲେ ଆମର ଦେଶ ଓ ରାଷ୍ଟ୍ର ସହିତ ଆମର ଆବେଗିକ ସମ୍ବନ୍ଧଟି ରହିବ କି? ଦେଶପ୍ରେମୀ ଓ ରାଷ୍ଟ୍ରପ୍ରେମୀ ରହିବେ କି? ଦେଶପ୍ରେମୀ ନଥିଲେ କି ଦେଶ? ରାଷ୍ଟ୍ରପ୍ରେମୀ ନଥିଲେ କି ରାଷ୍ଟ୍ର? ସେହିପରି ସାଧାରଣ ଲୋକେ ନଥିଲେ କି ଧର୍ମ? ବୁଦ୍ଧିଜୀବୀ ଓ ଜ୍ଞାନୀଙ୍କ କବଳରୁ ଦେଶ, ରାଷ୍ଟ୍ର ଓ ଧର୍ମକୁ ରକ୍ଷା କରିବାକୁ ହେବ ସାଧାରଣର ସଂସାରକୁ ବଞ୍ଚେଇବା ପାଇଁ।
ହରପ୍ରସାଦ ଦାସ
ବାଗାର୍ଥ, ଏନ-୨/୨୬, ଆଇଆରସି ଭିଲେଜ, ନୟାପଲ୍ଲୀ, ଭୁବନେଶ୍ବର