ସତ୍ୟବାଦୀର ସନ୍ଥ
ପ୍ରଭାସ ଆଚାର୍ଯ୍ୟ
୧୯୦୯ ମସିହା ଅଗଷ୍ଟ ୧୨ ତାରିଖ। ସେଦିନ ଥିଲା ପବିତ୍ର କୁମାରପୂର୍ଣ୍ଣିମା। ସାକ୍ଷିଗୋପାଳ ମନ୍ଦିର ନିକଟ ବକୁଳବନରେ ଗୋପବନ୍ଧୁଙ୍କ କଳ୍ପନା ଓ ଯୋଜନାର ରୂପନେଇ ଠିଆ ହୋଇଥିଲା ସତ୍ୟବାଦୀ ବନବିଦ୍ୟାଳୟ। ମାତ୍ର ୯ ଜଣ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା ଶ୍ରେଣୀ। ଆରମ୍ଭରେ ତା’ର ନାଁ ଥିଲା ସତ୍ୟବାଦୀ ମଧ୍ୟଇଂରାଜୀ ବିଦ୍ୟାଳୟ, ଯାହା ପରବର୍ତ୍ତୀ ସମୟରେ ଶିକ୍ଷା ବିଭାଗ ଦ୍ୱାରା ମଧ୍ୟ ସ୍ୱୀକୃତି ପାଇଥିଲା ଓ ୧୯୧୧ ମସିହାରେ ପଣ୍ଡିତ ନୀଳକଣ୍ଠ ଦାସ ପ୍ରଧାନ ଶିକ୍ଷକ ଭାବରେ ଯୋଗଦେବା ପରେ ତାହାକୁ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଭାବରେ ଉନ୍ନୀତ କରିବାକୁ ପ୍ରୟାସ କରିଥିଲେ। ସେତେବେଳକୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଲୋକମାନ୍ୟ ବାଲ ଗଙ୍ଗାଧର ତିଳକଙ୍କ ନେତୃତ୍ୱରେ ତଥା ଗୋପାଳ ଅଗ୍ରକର ବିଷ୍ଣୁ ଶାସ୍ତ୍ରୀ ଚିପୁଲ୍ଙ୍କର ଓ ମାଧବ ରାଓ ନାମଯୋଶୀଙ୍କ ସହଯୋଗରେ ମହାରାଷ୍ଟ୍ରରେ ଆରମ୍ଭ ହୋଇଯାଇଥାଏ ଫର୍ଗୁସନ କଲେଜ। ଡେକାନ ଏଜୁକେସନ ସୋସାଇଟି ଗଠନ କରି ୧୮୮୫ ମସିହାରେ ଶିକ୍ଷାଦାନର ଏକ ନୂଆଧାରା ଆରମ୍ଭ କରିଥିଲେ ତିଳକ।
ରାଷ୍ଟ୍ରୀୟ ଭାବଧାରାରେ ପ୍ଲାବିତ ଏହି ଶିକ୍ଷାନୁଷ୍ଠାନର ଶିକ୍ଷା ପଦ୍ଧତି ଥିଲା ଅନନ୍ୟ। ଇଂଲଣ୍ଡର ଇଟନ, ହାରୋ ଓ ରୁଗ୍ବି ଆଦି ପବ୍ଲିକ ସ୍କୁଲଗୁଡ଼ିକ ସେତେବେଳକୁ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ଥିଲା। ତେବେ ଓଡ଼ିଶାର ପ୍ରେକ୍ଷାପଟ୍ଟରେ ଭିନ୍ନ ଏକ ବିଦ୍ୟାଳୟର ଆବଶ୍ୟକତା ଅନୁଭବ କରିଥିଲେ ଦୂରଦ୍ରଷ୍ଟା ଗୋପବନ୍ଧୁ। ଓଡ଼ିଶାର ସାମାଜିକ, ଅର୍ଥନୈତିକ ସ୍ଥିତି, ଦାରିଦ୍ର୍ୟ, ପରାଧୀନତା ତଥା ନିରକ୍ଷରତାକୁ ଦୃଷ୍ଟିରେ ରଖି ଗୋପବନ୍ଧୁ ବନବିଦ୍ୟାଳୟର ଗଠନଶୈଳୀ, ଶିକ୍ଷା ଢ଼ାଞ୍ଚା ଓ ପରିଚାଳନାର କଳ୍ପନା କରିଥିଲେ। ଏକ ବରିଷ୍ଠ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତକୁ ଆଖିରେ ରଖି ଗୋପବନ୍ଧୁ ଏକ ବିସ୍ତୃତ ଶିକ୍ଷା କାର୍ଯ୍ୟକ୍ରମ ତାଙ୍କ ସହଯୋଗୀଙ୍କ ସମ୍ମୁଖରେ ରଖିଥିଲେ। ଗୋଟିଏ ବନ ବିଦ୍ୟାଳୟରେ ସୀମିତ ନ ଥିଲା ତାଙ୍କର ଲକ୍ଷ୍ୟ। ଉଦାର ଶିକ୍ଷା ପ୍ରଦାନ ଭିତରେ ଧାର୍ମିକ ଓ ନୈତିକ ଶିକ୍ଷା ପ୍ରଦାନ ସେହି ଯୋଜନାର ଏକ ଉପାଦାନ ଥିଲା। ଶିଳ୍ପ, କୃଷି ଓ ବାଣିଜ୍ୟ ବ୍ୟବସାୟ ପାଇଁ ଛାତ୍ରମାନଙ୍କୁ ପ୍ରସ୍ତୁତ କରିବା ଭିତରେ ନୈତିକତାକୁ ଭରିଦେବା ଭଳି ଭିନ୍ନତା ଥିଲା ସତ୍ୟବାଦୀ ଶିକ୍ଷା ପ୍ରଣାଳୀରେ। ପ୍ରାକୃତିକ ନୈସର୍ଗିକ ପରିବେଶ ଭିତ୍ତିରେ ବନବିଦ୍ୟାଳୟ ପ୍ରତିଷ୍ଠିତ ଥିଲା। ସୁଶୀତଳ ବୃକ୍ଷ ଛାୟାତଳେ ଛାତ୍ରମାନେ ଶିକ୍ଷା ଗ୍ରହଣ କରୁଥିଲେ। ତେବେ ବର୍ଷାଦିନମାନଙ୍କରେ ନିକଟରେ ଗଢ଼ା ହୋଇଥିବା ଚାଳଘରଗୁଡ଼ିକର ସହାୟତା ନିଆଯାଉଥିଲା। ଗୋପବନ୍ଧୁ ନିଜର ଜୀବନଶୈଳୀରେ ଥିଲେ ଜଣେ ସନ୍ଥ। ସମାଜର ମଙ୍ଗଳ କାମନା କରିବା ସାଧୁସନ୍ଥଙ୍କର ପରମ କର୍ତ୍ତବ୍ୟ। ସେହି ଭାବରେ ଗୋପବନ୍ଧୁ ଆରମ୍ଭ କରିଥିବା ଏହି ବିଦ୍ୟାଳୟର ନାଁ ସେ ନିଜେ ଦେଇଥିଲେ ‘ମନୁଷ୍ୟ ଗଢ଼ା କାରଖାନା’। ମହାତ୍ମାଗାନ୍ଧୀଙ୍କ ପରିକଳ୍ପିତ ମୌଳିକ ଶିକ୍ଷାର ପୂର୍ଣ୍ଣାଙ୍ଗ ବିକାଶ ସତ୍ୟବାଦୀର ସନ୍ଥ ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥିଲା। ଏହି ବିଦ୍ୟାଳୟ କଥା ପଡ଼ିଲେ ସ୍ୱତଃ ଆସିଯାଏ ସେହିମାନଙ୍କ ନାମ ଯେଉଁମାନେ ଗୋପବନ୍ଧୁଙ୍କ ପରିକଳ୍ପିତ ଶିକ୍ଷାର କୋଣାର୍କ ନିର୍ମାଣ ନିମନ୍ତେ ନିଜର ଜୀବନ ଯୌବନକୁ ସମର୍ପଣ କରିଦେଇଥିଲେ। ପଣ୍ଡିତ ନୀଳକଣ୍ଠ ଦାସଙ୍କ ପାଣ୍ଡିତ୍ୟ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଅଧ୍ୟାପନାର ମୌଳିକତା, ପଣ୍ଡିତ କୃପାସିନ୍ଧୁଙ୍କ ସମ୍ପୂର୍ଣ୍ଣ ସହଯୋଗ, ଆଚାର୍ଯ୍ୟ ହରିହରଙ୍କ ଋଷିପ୍ରାଣତା ଓ ସେବାପ୍ରାଣତା, ପଣ୍ଡିତ ବାସୁଦେବଙ୍କ ବାଗ୍ମିତା ତଥା ପଣ୍ଡିତ ରାମକୃଷ୍ଣଙ୍କ କର୍ମନିଷ୍ଠା ଗୋପବନ୍ଧୁଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେଇଥିଲା।
ପ୍ରଚାରକ ଅନନ୍ତ ମିଶ୍ର, ଆଚାର୍ଯ୍ୟ ହରିହର ଓ ପଣ୍ଡିତ ନୀଳକଣ୍ଠ ଗୋପବନ୍ଧୁଙ୍କ ସହିତ ଅତି ଘନିଷ୍ଠ ଭାବେ ଜଡ଼ିତ ଥିଲେ। ଗୋଟିଏ ଜ୍ୟୋତ୍ସ୍ନାବିଧୌତ ରାତିରେ ସେହି ଚାରିଜଣ ଭାର୍ଗବୀ ନଈର ବାଲୁକା ଶଯ୍ୟାରେ ନେଇଥିବା ସଂକଳ୍ପ ଆଧାରରେ ସେମାନେ ରାଷ୍ଟ୍ରସେବା ପାଇଁ ବାନ୍ଧି ହୋଇଯାଇଥିଲେ। ତାଙ୍କର ସେହି ସଂକଳ୍ପର ଧାଡ଼ିଟି ବହୁ ଚର୍ଚ୍ଚିତ ଓ ଆଲୋଚିତ। ଶତାବ୍ଦୀ ଶତାବ୍ଦୀଧରି ଚାରି ମହାପୁରୁଷଙ୍କର ସେହି ସଂକଳ୍ପ ଏ ଜାତିକୁ ଦିଗ୍ଦର୍ଶନ ଦେବ। ନଦୀବନ୍ଧ ଉପରେ ବଟବୃକ୍ଷର ଛାୟା ପାର୍ଶ୍ବରେ ଚାନ୍ଦିନୀର ଚାନ୍ଦୁଆ ଉପରେ ଚାରିଜଣ ଦେଶସେବକ ବସିଥିଲେ। ଗୋଟିଏ ପଟେ ଶ୍ମଶାନରେ ଅର୍ଦ୍ଧଦଗ୍ଧ ଶବକୁ ବିଲୁଆ ଓଟାରିବାର ଭୀମକାନ୍ତ ଦୃଶ୍ୟ, ଅନ୍ୟପଟେ ଅଶିକ୍ଷା, ଦାରିଦ୍ର୍ୟ, ଅସ୍ୱାସ୍ଥ୍ୟ ଓ ପରାଧୀନତାର ଜଞ୍ଜିରରେ ରୁଦ୍ଧ ଏକ ମହାଜାତିର ଉତ୍ତରଣ ପାଇଁ ସ୍ୱପ୍ନ ଦେଖୁଥିବା ଚାରିଜଣ ତରୁଣ ଦେଶସେବକ। ସାରା ରାତିର ଆଲୋଚନା ପର୍ଯ୍ୟାଲୋଚନା ପରେ ନିର୍ଯାସ ଥିଲା ସେହି କାଳଜୟୀ ଶପଥ।
“ସରକାରୀ ଚାକିରି କରିବା ନାହିଁ; ନିଜର ଭରଣପୋଷଣ ବିଳାସରେ ମନ ଦେବା ନାହିଁ। ଜନ୍ମ ହୋଇ ଦେଶକୁ ଯାହା ଦେଖିଥାଇଁ, ମଲାବେଳେ ତା’ଠାରୁ ଉନ୍ନତତର ଅବସ୍ଥାରେ ଛାଡ଼ିଯିବା ଓ ସେଥିପାଇଁ ବରାବର ପ୍ରଯତ୍ନରେ ରହିବା।”
ଏହି ପ୍ରତିଜ୍ଞାକୁ ସାକାର କରିବା ପାଇଁ ଯେଉଁ ପ୍ରତିବଦ୍ଧ ଯୁବଗୋଷ୍ଠୀର ଆବଶ୍ୟକତା ଥିଲା ତା’ର ପରିପୂରଣ ପାଇଁ ପ୍ରଥମ କାର୍ଯ୍ୟକ୍ରମ ଥିଲା ସତ୍ୟବାଦୀର ବନବିଦ୍ୟାଳୟ। ବନବିଦ୍ୟାଳୟରେ ଛାତ୍ରମାନଙ୍କର ଆଚାରସଂହିତା ଯେପରି ଥିଲା ସେହିପରି ଆଚାର ବ୍ୟବହାର ପରିଦୃଶ୍ୟ ହେଉଥିଲା ଶିକ୍ଷକମାନଙ୍କ ଚରିତ୍ରରେ। ବନବିଦ୍ୟାଳୟର ଜଣେ ଛାତ୍ର ଚନ୍ଦ୍ରଶେଖର ମିଶ୍ର ଗୋପବନ୍ଧୁଙ୍କ ସମ୍ପର୍କରେ ତାଙ୍କ ପୁସ୍ତକରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଦାସେ ଆପଣେ ବଡ଼ି ସକାଳୁ ଉଠି ଚନ୍ଦନ ପୋଖରୀରେ ସ୍ନାନକରି ଖଣ୍ଡିଏ ମଠା ପିନ୍ଧି, ଯୋଡ଼ିଏ କଠଉ ମାଡ଼ି ଧୀରେଧୀରେ ପ୍ରସନ୍ନ ମନରେ ସାକ୍ଷିଗୋପାଳ ମନ୍ଦିରରେ ପ୍ରବେଶ କରନ୍ତି। ତା’ପରେ ଆସି ଆସନରେ ନିଶ୍ଚଳ ଭାବେ ବସି ଗୀତା ପ୍ରଭୃତି ଅଧ୍ୟୟନ କରନ୍ତି, ଲେଖିଲାବେଳେ ଧୀର ସ୍ଥିର ନିଶ୍ଚଳ ଆସନ ଏବଂ ମନର ଏକାଗ୍ରତା ବେଶ୍ ଅନୁକରଣୀୟ। ସେ ସାକ୍ଷାତ ଧର୍ମ ଚର୍ଚ୍ଚା କରୁ ନ ଥିଲେ ବା ଧର୍ମୋପଦେଶ ଦେଉନଥିଲେ। ତାଙ୍କର ବକ୍ତୃତାଗୁଡ଼ିକ ନୀତିମୂଳକ ଥିଲା। ତାଙ୍କର ବକ୍ତୃତାରେ, ପିଲାମାନେ କେତେବେଳେ କାନ୍ଦୁଥିଲେ ଏବଂ ହାସ୍ୟବ୍ୟଙ୍ଗ କଲେ, ହସୁଥିଲେ। ଗଣେଶ ଚତୁର୍ଥୀ ଓ ଶ୍ରୀପଞ୍ଚମୀରେ ସତ୍ୟବାଦୀ ବନବିଦ୍ୟାଳୟରେ ପଂକ୍ତି ଭୋଜନ ଆୟୋଜିତ ହେଉଥିଲା। ସେଠାରେ ଛାତ୍ରଗଣ, ସହର ଓ ମଫସଲରୁ ଆମନ୍ତ୍ରିତ ଭଦ୍ରବ୍ୟକ୍ତି ଜାତିଧର୍ମ ନିର୍ବିଶେଷରେ ଏକାଠି ଭୋଜନ କରିଥାଆନ୍ତି। ଗୋଡ଼ରେ କଠଉ ତଥା ମଠା ପିନ୍ଧି କାନ୍ଧରେ ଗାମୁଛା ପକେଇ ଦାସେ ଆପଣେ କିଏ କ’ଣ ଖାଇଲା ବୁଲିବୁଲି ଦେଖନ୍ତି। ହସ କଉତୁକ ଭିତରେ ନିଜ ହାତରେ ପରଷି ଦିଅନ୍ତି ଖାଦ୍ୟ। ଖାଇବା ପିଇବାକୁ ଚିହ୍ନିକରି ତା’ପାଖରେ ବେଶିବେଶି ବାଢ଼ନ୍ତି। ଗାଁର ବୃଦ୍ଧବୃଦ୍ଧାଙ୍କୁ ଅତ୍ୟନ୍ତ ଭକ୍ତି ଓ ନମ୍ରତାର ସହିତ ସେ ବ୍ୟବହାର କରନ୍ତି। ଅଜଣା ଲୋକଙ୍କ ସହିତ ମଧ୍ୟ ଅତିପରିଚିତ ଭାବେ ସେ ମିଶୁଥିଲେ ଓ ଜଣେ ଗାଉଁଲି ଲୋକ ଭଳି ଜନସାଧାରଣଙ୍କ ସହ କଥା ହେଉଥିଲେ। ଖାଦ୍ୟ ପରଷିବା ଢଙ୍ଗ ତାଙ୍କୁ ଠିକ୍ରେ ଜଣା ନ ଥିବାରୁ ବନବିଦ୍ୟାଳୟର ପିଲାମାନେ ବେଳେବେଳେ ହସି ଦିଅନ୍ତି। ସେଥିରେ ଦାସେ ଆପଣେ ରାଗିବେ କ’ଣ ବରଂ ଖୁସି ହେଉଥିଲେ। ସତ୍ୟବାଦୀର ସନ୍ଥଙ୍କର ଏହି ନିରଳସ ଭାବରେ ମଫସଲର ଅଧିବାସୀ ଅଭିଭୂତ ହୋଇପଡ଼ୁଥିଲେ। ଭାର୍ଗବୀର ଭଗବାନ; ବକୁଳ ବନର ବଇରାଗୀ, ସତ୍ୟବାଦୀର ସନ୍ଥଙ୍କୁ ଏ ମହାଜାତିର କୋଟି ପ୍ରଣାମ।