ନ୍ୟାୟାଳୟ କ’ଣ ସତରେ ଦେବାଳୟ ?
ଅଶୋକ କୁମାର ମହାପାତ୍ର
ଦେବାଳୟ ଓ ଭୂତାଳୟ ବକ୍ତୃତାରେ ଶୁଣିବାକୁ ମିଳେ; ମାତ୍ର ନ୍ୟାୟାଳୟ ସାମାଜିକତାର ବାସ୍ତବ ସତ୍ୟ ଓ ନ୍ୟାୟ ଦେବାପାଇଁ ଉଦ୍ଦିଷ୍ଟ। ଭାରତୀୟ ସମ୍ବିଧାନରେ ‘ଆମେ ଭାରତୀୟମାନେ’ ମୁଖ୍ୟ ଅଟନ୍ତି। ସମ୍ବିଧାନରେ ଭାରତୀୟମାନଙ୍କ ଦ୍ବାହି ଦେଇ କେତେକ ପଦାଧିକାରୀଙ୍କୁ ବିିଭିନ୍ନ କ୍ଷମତା ପ୍ରଦାନ କରାଯାଇଅଛି। ଏଣୁ ସାମ୍ବିଧାନିକ ପଦରେ ନିଯୁକ୍ତ ହୋଇଥିବା ସାମ୍ବିଧାନିକ ପଦର ଗରିମା, ଲୋକମାନଙ୍କର ଅତୁଟ ବିଶ୍ବାସ ଓ ଆସ୍ଥାକୁ ସମ୍ମାନ ଜଣାଇ କର୍ତ୍ତବ୍ୟ କରିବା ଉଚିତ୍ ଯାହା ଭାରତୀୟମାନଙ୍କର ଉନ୍ନତି ଓ ସମ୍ମାନ ପୂର୍ବକ ଜୀବନଧାରଣ କରିବାରେ ସହାୟତା କରିବ।
ସୁଶାସନ ପାଇଁ ସମ୍ବିଧାନରେ ତିନୋଟି ବିଭାଗ ରହିଅଛି ଯଥା: (୧) ଆଇନ୍ ପ୍ରଣୟନ ପାଇଁ ସଂସଦ ଓ ରାଜ୍ୟର ବିଧାନସଭା (୨) ପ୍ରଶାସନ ପାଇଁ ପ୍ରଶାସନିକ ଅଧିକାରୀ ଓ (୩) ବିଚାର ବିଭାଗ ବା ନ୍ୟାୟାଳୟ, ନ୍ୟାୟ ପ୍ରଦାନ ପାଇଁ। ୭୨ ବର୍ଷର ସ୍ବାଧୀନତା ପରେ ଏହି ତିନିଟି ବିଭାଗ ଏଭଳି କାର୍ଯ୍ୟରତ ଯେ ଭାରତ ଓ ଭାରତୀୟମାନଙ୍କ ଜୀବନଜୀବିକା ବନ୍ଧାପଡ଼ିଛି ଓ ବୀତସ୍ପୃହ ହୋଇଯାଇଛି। ଯଦି ଖବରକାଗଜ ଓ ଟେଲିଭିଜନ ଦ୍ବାରା ଖବର ପରିବେଷଣ ହେଉନଥାନ୍ତା, ତା’ହେଲେ ସାମ୍ବିଧାନିକ ଆଭିମୁଖ୍ୟ ଉପରେ କୁଠାରାଘାତ େହଉଥାନ୍ତା।
ସତରେ କ’ଣ ନ୍ୟାୟାଳୟ ଦେବାଳୟ? ନ୍ୟାୟାଳୟରେ ଜିଲା ଜଜ୍ମାନେ ରାଜ୍ୟ ସରକାରଙ୍କ ଅଧୀନରେ ଓ ସେମାନଙ୍କର ଶପଥପାଠ ନାହିଁ। ଜିଲା ଜଜ୍ ଓ ତାଙ୍କର (ଗ୍ରୁପ-ଡି) ଚତୁର୍ଥଶ୍ରେଣୀ କର୍ମଚାରୀ ଲିଖିତ ଓ ମୌଖିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯୋଗ୍ୟ ବିବେଚିତ ହେଲେ ନିଯୁକ୍ତି ପାଇଥାନ୍ତି। କିଛି ବରିଷ୍ଠ ଜିଲା ଜଜ୍ ହାଇକୋର୍ଟ ବିଚାରପତି ହେବାର ସୁେଯାଗ ପାଆନ୍ତି ଯାହାକି ଶତକଡ଼ା ୩୦ଭାଗ ଅଟେ। ବାକି ୭୦ଭାଗ ହାଇକୋର୍ଟ ବିଚାରପତି କଲେଜିୟମ୍ ସୁପାରିସରେ ନିଯୁକ୍ତି ପାଇଥାନ୍ତି ଯେଉଁମାନଙ୍କର ନଥାଏ ଲିଖିତ ପରୀକ୍ଷା, ନଥାଏ ମୌଖିକ ପରୀକ୍ଷା। ଥରେ ବିଚାରପତି ହେଲେ ବରିଷ୍ଠତା ଭିତ୍ତିରେ ଓ ଅନ୍ୟାନ୍ୟ ସୁପାରିସରେ ହାଇକୋର୍ଟ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହୋଇଯାଆନ୍ତି। ଏହା କ’ଣ ପ୍ରକୃତରେ ଯୋଗ୍ୟତା ଓ ସ୍ବଚ୍ଛତାର ମାପକାଠି?
ଜାନୁଆରୀ ୧୯୫୦ରୁ ଆଜି ପର୍ଯ୍ୟନ୍ତ କୌଣସି ହାଇକୋର୍ଟ ଓ ସୁପ୍ରିମ୍କୋର୍ଟର ନିଯୁକ୍ତିପ୍ରାପ୍ତ ବିଚାରପତି କୌଣସି ଲିଖିତ ଓ ମୌଖିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ନାହିଁ, ବରଂ କଲେଜିୟମ୍ ସୁପାରିସରେ ହୁଅନ୍ତି। େନସନାଲ ଜୁଡ଼ିସିଆଲ ଏକାଡ଼େମୀ ଓ ରାଜ୍ୟ ଜୁଡ଼ିସିଆଲ ଏକାଡ଼େମୀରେ ଏମାନଙ୍କର ପରୀକ୍ଷା ହୁଏନାହିଁ। ୬୮ ବର୍ଷର ସାମ୍ବିଧାନିକ ଶାସନପରେ କଲେଜିୟମ୍ ପ୍ରଥାକୁ ଚଳାଇ ସେମାନେ ସେମାନଙ୍କର ନିକଟତରଙ୍କୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି କରିବା ପ୍ରକ୍ରିୟାକୁ ଜାରି ରଖିଛନ୍ତି ବୋଲି ବହୁ ସମୟରେ ଚର୍ଚ୍ଚା ହୋଇଛି।
ସୁପ୍ରିମକୋର୍ଟଙ୍କ ଘୋଷଣା ଯେ କେହି ଆଇନ୍ର ଊର୍ଦ୍ଧ୍ବରେ ନୁହନ୍ତି। ଆଇନ୍ର ମୌଳିକ ସୂତ୍ର ହେଲା ଯେ କୌଣସି ଲୋକ ତା’ର ନିଜ ବିଷୟର ବିଚାରପତି ହୋଇପାରିବ ନାହିଁ। ବିଚାର ବିଭାଗର ପ୍ରଶାସନ ନିଜ ବିଚାରପତିଙ୍କ ନିକଟରେ ଏହା ଆଇନ୍ର ମୌଳିକ ସୂତ୍ରକୁ ବିରୋଧ କରୁଛି। ଆଇନ୍ ଅନୁସାରେ ସମସ୍ତେ ପରିଚାଳିତ ହେବା ବିଧେୟ। ସୁପ୍ରିମ୍କୋର୍ଟଙ୍କ ଘୋଷଣା ଯେ ସାଧାରଣ ନିଯୁକ୍ତି ପଦ ସଂଖ୍ୟା ଓ ନିଯୁକ୍ତି ପ୍ରକ୍ରିୟା ଘୋଷଣା ହୋଇ ଯୋଗ୍ୟତା ପ୍ରତିପାଦନ କରିଥିବା ବ୍ୟକ୍ତିକୁ ନିଯୁକ୍ତି ଦିଆଯାଇଥାଏ। ସର୍ବୋଚ୍ଚ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟକ୍ତି ପ୍ରାଥମିକ, ମୁଖ୍ୟ ଓ ପରେ ମୌଖିକ ପରୀକ୍ଷା ଦେଇ ଯୋଗ୍ୟ ବିବେଚିତ ହୋଇ ନିଯୁକ୍ତି ପାଇଥାଆନ୍ତି। ଏବେ ଓଡ଼ିଶାର ବିଚାର ବିଭାଗ ପରୀକ୍ଷାରେ ମଧ୍ୟ ପ୍ରାଥମିକ, ମୁଖ୍ୟ ଓ ମୌଖିକ ପରୀକ୍ଷା ରହିଛି ଓ ପ୍ରାର୍ଥୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଯୁକ୍ତି ପାଉଛନ୍ତି। ୧୯୪୩ ମସିହାରୁ (ICS) ପରୀକ୍ଷାଦେଇ ହାଇକୋର୍ଟ ବିଚାରପତି ହେଉଥିଲେ। ଜାତୀୟ ବିଚାର ବିଭାଗୀୟ ଆଇନ୍ କାଟ ଖାଇ ସେହି କଳଙ୍କିତ କଲେଜିୟମ୍ ଚାଲିଛି। ଏହା ନ୍ୟାୟାଳୟର ସ୍ବଚ୍ଛତାକୁ ସାଧାରଣ ଜନମାନସରେ ବିରାଟ ଭୟର ସୂଚନା ଦେଇଛି ଓ ସନ୍ଦେହ ସୃଷ୍ଟି କରିଛି।
ଆଗରୁ ଜିଲା ଜଜ୍ମାନଙ୍କର ଲିଖିତ ପରୀକ୍ଷା ନଥିଲା। ଏବେ ଲିଖିତ ପରୀକ୍ଷାରେ ଶତକଡ଼ା ୫୦% ଓ ମୌଖିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ନିଯୁକ୍ତି ମିଳୁଛି। ସେହି ଆଦର୍ଶ ଓ ନ୍ୟାୟରେ ଯେକୌଣସି ବୁଦ୍ଧିଜୀବୀ, ଆଇନ୍ଜୀବୀ ଓ ସଚେତନ ନାଗରିକ ସର୍ବଭାରତୀୟ ବିଚାର ବିଭାଗୀୟ ପରୀକ୍ଷା (ଇଣ୍ଡିଆନ୍ ଜୁଡିସିଆଲ ସର୍ଭିସ୍) ହେବାପାଇଁ ମତବ୍ୟକ୍ତ କରନ୍ତି। ସେଥିରେ ଉତ୍ତୀର୍ଣ୍ଣ ହୋଇ ଓ କ୍ଷେତ୍ରରେ ତାଲିମ୍ ଶେଷ କରି ହାଇକୋର୍ଟ ଜଜ୍ ନିଯୁକ୍ତି ହେବା ଏକାନ୍ତ ଆବଶ୍ୟକ। ନଚେତ ସୁପ୍ରିମକୋର୍ଟରେ କଲେଜିୟମ ବାଟରେ ପଶୁଛନ୍ତି ଓ ପଶିବେ।
ରାଜା ଶାସନରେ ଏତେ ମୋକଦ୍ଦମା ବାକି ନଥିଲା। ବର୍ତ୍ତମାନ ବହୁ ବକେୟା ମାମଲା ରହିଛି। ଏଣୁ ଏଥିପାଇଁ ଯୋଗ୍ୟ ବ୍ୟକ୍ତିର ଏକାନ୍ତ ଆବଶ୍ୟକ। ଆହୁରି ଦୁଃଖ ଯେ ବର୍ଷବର୍ଷ ଧରି କଲେଜିୟମ ଦ୍ବାରା ବିଚାରପତି ନିଯୁକ୍ତି ହାଇକୋର୍ଟରେ ହୋଇପାରୁନାହିଁ ଓ ବିଚାରପତି ପଦ ଖାଲିପଡ଼ିଛି। ନ୍ୟାୟାଳୟକୁ ଦେବାଳୟ କହିବା ଏକ ବକ୍ତୃତା ଚାତୁରୀ ବା କଳ୍ପନା ହୋଇପାରେ।
ଏଣୁ ସରକାର ଓ ସମ୍ବିଧାନ ସମ୍ପୃକ୍ତ ପଦାଧିକାରୀଗଣ ନ୍ୟାୟାଳୟରେ ଯୋଗ୍ୟତାଭିତ୍ତିକ (ଆଇଜେଏସ)ବ୍ୟବସ୍ଥାରେ ଉତ୍ତୀର୍ଣ୍ଣ ବିଚାରପତି ନିଯୁକ୍ତି କରି ନ୍ୟାୟାଳୟର ସାମ୍ବିଧାନିକ ସୁରକ୍ଷା ଓ ଗରିମା ବଜାୟ ରଖନ୍ତୁ। ରାଜତନ୍ତ୍ର/ବାବୁତନ୍ତ୍ର ଓ ବ୍ୟକ୍ତିତନ୍ତ୍ରକୁ ନାକଚ କରି ସାମ୍ବିଧାନିକ ନ୍ୟାୟାଳୟରେ ଲିଖିତ ଓ ମୌଖିକ ପରୀକ୍ଷା ଆଇନ ତିଆରି କରି ଯୋଗ୍ୟ ବିବେଚିତ ବ୍ୟକ୍ତି ଙ୍କୁ ବିଚାରପତି ନିଯୁକ୍ତି ଦିଆଯାଉ, ନଚେତ୍ ସାମ୍ବିଧାନିକ ଗଣତନ୍ତ୍ରର ଉଦ୍ଦେଶ୍ୟ ନଷ୍ଟ ହୋଇଯିବ।
ତେଲେଙ୍ଗାବଜାର, କଟକ