ପରମ୍ପରା ସଂସ୍କାରର ବାଧକ ନୁହେଁ
ପ୍ରତିଭା ରାୟ
ଧାରୟତି ଇତି ଧର୍ମ। ଧର୍ମର ଅର୍ଥ ସଂପ୍ରଦାୟ ନୁହେଁ। ଈଶ୍ୱର ମଧ୍ୟ ସାଂପ୍ରଦାୟିକ ନୁହନ୍ତି। ଧର୍ମର ଅର୍ଥ ନ୍ୟାୟସମ୍ମତ କର୍ତ୍ତବ୍ୟ। ତେଣୁ ଧର୍ମ, ଆଧ୍ୟାତ୍ମିକତା ଓ ନୈତିକତା ପରସ୍ପରଠାରୁ ଅବିଚ୍ଛିନ୍ନ। ଏ ସମସ୍ତର କେନ୍ଦ୍ରବିନ୍ଦୁ ହେଉଛନ୍ତି ଈଶ୍ୱର ବା ଆସ୍ତିକତା। ପରମାତ୍ମା ଯେଉଁ ନାମରେ ନାମିତ ହୁଅନ୍ତୁ ପଛକେ ସେ ଜାତି, ବର୍ଣ୍ଣ, ବର୍ଗ ଓ ସଂପ୍ରଦାୟର ଊର୍ଦ୍ଧ୍ବରେ। ସୃଷ୍ଟି ଆଦିକାଳରେ ସମସ୍ତେ ଥିଲେ ନିରାକାର ବ୍ରହ୍ମଙ୍କର ଉପାସକ। େବୗଦ୍ଧିକତା ଦୋଷରୁ ଈଶ୍ୱରଙ୍କୁ ମୁକ୍ତକରି ସରଳ ବିଶ୍ୱାସରେ ପରିଣତ କରିବା ପାଇଁ ଅମୂର୍ତ୍ତକୁ ମୂର୍ତ୍ତରୂପ ଦେଲେ କେତେକ ଗୋଷ୍ଠୀର ମଣିଷ ଏବଂ ଅନାମକୁ ନାମ ମଧ୍ୟ ଦେଲେ। ଧାର୍ମିକ ନୀତି କାଳକ୍ରମେ ରୀତି ଏବଂ ଗୋଷ୍ଠୀଗତ ସାଂପ୍ରଦାୟିକ ଆଚରଣରେ ପରିଣତ ହେଲା। ଧର୍ମ ମଣିଷ ସହ ମଣିଷକୁ ସଂଯୋଗ କରିବା ପରିବର୍ତ୍ତେ ମଣିଷକୁ ଭାଗଭାଗ କରି ବିଚ୍ଛିନ୍ନ କରିଦେଲା।
ବାସ୍ତବ ଦୃଷ୍ଟିକୋଣରୁ ଧର୍ମର କେନ୍ଦ୍ରବିନ୍ଦୁ ହେଉଛି ମଣିଷ। ମାନବକଲ୍ୟାଣ ପାଇଁ ଯେଉଁ କର୍ତ୍ତବ୍ୟ ନିର୍ଦ୍ଧାରିତ ତାହା ହିଁ ଧର୍ମ। ଆଧ୍ୟାତ୍ମିକ ଚେତନାରୁ ଜନ୍ମ ହୋଇଥିବା ଧର୍ମ କର୍ମକାଣ୍ଡିମାନଙ୍କ ଭୌତିକ ଭାବନାରେ କବଳିତ ହୋଇ କୁସଂସ୍କାର, ଅନ୍ଧବିଶ୍ୱାସ, ଅମାନବୀୟ ପ୍ରଥା, ସଂକୀର୍ଣ୍ଣତା, ସ୍ୱାର୍ଥାନ୍ଧତା, ରକ୍ଷଣଶୀଳତା, ମୌଳବାଦ ଆଦି ବ୍ୟାଧି ଦ୍ୱାରା ଆକ୍ରାନ୍ତ ହୋଇପଡ଼ିଲା। ଅନ୍ଧମଣିଷର ଅହଂ ଧର୍ମାନ୍ଧତାର ବିକଟ ରୂପ ନେଇ ଧର୍ମଯୁଦ୍ଧରେ ନରସଂହାରକୁ ଧର୍ମକାର୍ଯ୍ୟର ଆଖ୍ୟା ଦେଲା। ଧର୍ମାନ୍ଧତା ମଣିଷକୁ ପରସ୍ପରଠାରୁ କେବଳ ବିଚ୍ଛିନ୍ନ କଲା ନାହିଁ, ପରସ୍ପରକୁ ଚିରଶତ୍ରୁ ମଧ୍ୟ କଲା। ଈଶ୍ୱରଙ୍କ ଭାଇ, ବନ୍ଧୁ, କୁଟୁମ୍ବ ଓ ପାଖଲୋକ ବୋଲି ଦାବିକରି ଯେଉଁମାନେ ନିଜକୁ ଦ୍ୱିତୀୟ ଈଶ୍ୱର କହି ଧର୍ମଭୀରୁ ସରଳ ମଣିଷମାନଙ୍କୁ ଶୋଷଣ କରୁଛନ୍ତି ସେମାନେ ଶ୍ରୀମନ୍ଦିରକୁ ସମ୍ଭବତଃ ନିଜର ପୈତୃକ ସମ୍ପତ୍ତି ମନେକରୁଛନ୍ତି। ଆଜି ଧର୍ମ ଓ ଈଶ୍ୱର କେବଳ ମୌଳବାଦୀ ଚିନ୍ତାଧାରା ଓ ଅନ୍ଧବିଶ୍ୱାସର ଶିକାର ନୁହନ୍ତି, ରାଜନୀତିର ଶିକାର ମଧ୍ୟ ହୋଇଛନ୍ତି। ଈଶ୍ୱର ଯେଉଁ ନାମରେ ନାମିତ ହୁଅନ୍ତୁ ପଛେ ସାଂପ୍ରଦାୟିକ, ସ୍ୱାର୍ଥୀ ଓ ହିଂସ୍ର ନୁହନ୍ତି। ଯାହା ଧାରଣ କରେ ତାହା ଧର୍ମ। ରାଜନୀତିର ଧର୍ମ ହେଉଛି ସମ୍ବିଧାନକୁ ଧାରଣ କରିବା ବା ମାନିବା। ବାଇବେଲ୍, କୋରାନ୍, ତ୍ରିପିଟକ ଆଦି ଭଳି ସନାତନ ହିନ୍ଦୁ ଧର୍ମର କୌଣସି ଧର୍ମଶାସ୍ତ୍ର ନାହିଁ। ଏହି ଉଦାର ଧର୍ମର କୌଣସି ପ୍ରଚାରକ ବା ପୈଗମ୍ବର ନାହାନ୍ତି। ତେଣୁ ଆମ ଦେଶର ନାଗରିକଙ୍କ ପାଇଁ ଜାତି ଧର୍ମ ନିର୍ବିଶେଷରେ ସମ୍ବିଧାନ ହେଉଛି ଧର୍ମଶାସ୍ତ୍ର।
ଭାରତ ଭଳି ଏକ ବହୁଧର୍ମୀ, ବହୁଭାଷୀ ଓ ବହୁସଂସ୍କୃତିରେ ବୈଚିତ୍ର୍ୟ ଭରା ସୁନ୍ଦର ଦେଶରେ ଗୋଟିଏ ବର୍ଗର ଲୋକ ହିଁ ବାସ କରନ୍ତି, ଯାହାର ନାମ ହେଉଛି ‘ନାଗରିକ’। ଜଣେ ‘ନାଗରିକ’ର ହାରିଗୁହାରି ଶୁଣିବା ପାଇଁ ସବୁଠାରୁ ଶୃଙ୍ଖଳିତ, ସ୍ୱଚ୍ଛ ଏବଂ ‘ନୀତିନିଷ୍ଠ ମନ୍ଦିର’ ହେଉଛି ‘ସର୍ବୋଚ୍ଚ ନ୍ୟାୟାଳୟ’। ଯେତେବେଳେ ଅପ୍ରତ୍ୟାଶିତ ଭାବେ ସଂସ୍କାରର ଶଙ୍ଖଧ୍ୱନି ସେହି ମନ୍ଦିରରେ ବାଜିଉଠେ ସେତେବେଳେ ବୁଝିବାକୁ ହେବ ଯେ ସମାଜ ଓ ସାମାଜିକ ଜୀବନ ଦୂଷିତ ଓ ପୀଡ଼ିତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ଯେତେବେଳେ ଶୁଭସଂସ୍କାର ଆଣିବା ପାଇଁ ନିଜ ତରଫରୁ ଆଗେଇ ଆସନ୍ତି ସେତେବେଳେ ବୁଝିବାକୁ ହେବ ଯେ ଏହା ବିବେକସ୍ଥିତ ଚୈତନ୍ୟରେ ଅବସ୍ଥିତ ଈଶ୍ୱରଙ୍କ ନିେର୍ଦଶ। ସେହି ପ୍ରସ୍ତାବ ବିଷୟରେ ବିତର୍କ କରିବାର ଅର୍ଥ ହେଉଛି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ପୂର୍ଣ୍ଣପ୍ରାଣରେ ଗ୍ରହଣ ନ କରିବା। ସେ ସ୍ୱାଧୀନତା ଅବଶ୍ୟ ଜଣେ ନାଗରିକର ଅଛି। ନିଜର ଗୁହାରି ଈଶ୍ୱରଙ୍କ ସମ୍ମୁଖରେ ରଖିବା ପରି ନ୍ୟାୟାଳୟ ସମ୍ମୁଖରେ ରଖାଯାଇପାରେ, କିନ୍ତୁ ପରମ୍ପରାର ଦ୍ୱାହି ଦେଇ ନିରର୍ଥକ ବିତର୍କର ପୁରୋଧାମାନେ କେବେହେଲେ ସମାଜର ପୁରୋହିତ ହେବା ପାଇଁ ଯୋଗ୍ୟ ନୁହନ୍ତି। ରାଜନୀତିର ଧର୍ମ ହେଉଛି ସମ୍ବିଧାନକୁ ଧାରଣ କରିବା ବା ମାନିବା। ସମାଜ ଭିତରେ ସଦ୍ଭାବ, ସମାନତା, ସଂହତି ସ୍ଥାପନ କରିବା ହୋଇଛି ରାଜନୀତି ତଥା ନାଗରିକର ଧର୍ମ। ଗୋଟିଏ କେନ୍ଦ୍ରବିନ୍ଦୁରେ ଥାଇ ବ୍ୟାସାର୍ଦ୍ଧ ବଢ଼ାଇବା ହେଉଛି ରାଷ୍ଟ୍ର ଚିନ୍ତା। ଭାରତର ପ୍ରତ୍ୟେକ ବ୍ୟକ୍ତିକୁ ସମାନତା ଦେବା ହେଉଛି ଭାରତୀୟତା। ଏହାହିଁ ଭାରତୀୟର ଧର୍ମ। ଭାବଗତ ଐକ୍ୟରୁ ହିଁ ସଂହତି ବା ଜାତୀୟ ଐକ୍ୟ ପ୍ରତିଷ୍ଠା ହେବ, ଦେଶ ଏବଂ ନିଜନିଜ ଈଶ୍ୱରଙ୍କୁ ଗୋଟିଏ ସ୍ଥାନରେ ରଖିଲେ ଭାବଗତ ଐକ୍ୟ ଆସିବ। ପରସ୍ପର ପ୍ରତି ସଦିଚ୍ଛା, ବିଶ୍ୱାସ ଓ ସମ୍ମାନ ହିଁ ଭାବଗତ ଐକ୍ୟ ଆଣିବ। ତାହାହିଁ ଜାତୀୟ ସଂହତିର ଭିତ୍ତିଭୂମି।
ଏବେ ଦୁଇଟି ପ୍ରସଙ୍ଗକୁ ନେଇ ସମାଜରେ ମର୍ଯ୍ୟାଦା ଦାବି କରୁଥିବା ଏବଂ ମୁରବି ବୋଲାଉଥିବା ବ୍ୟକ୍ତିଗଣ କୌଣସି କଥାର ସ୍ପଷ୍ଟ ଉତ୍ତର ଦେଉନାହାନ୍ତି। କେବଳ ପରମ୍ପରା ପରମ୍ପରା ବାରମ୍ବାର ଉଚ୍ଚାରଣ ଭିତରେ ଉତ୍ତର ଉହ୍ୟ ରହିଯାଉଛି। ସେହି ଦୁଇଟି ପ୍ରସଙ୍ଗ ହେଲା – ୧) ପାରିବାରିକ ପ୍ରଥାନୁସରିତ ସେବାୟତଙ୍କ ଅଧିକାର ଉଚ୍ଛେଦ, ୨) ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ। ପ୍ରଥମ ପ୍ରସଙ୍ଗଟି ଏକ ଗୋଷ୍ଠୀର ସ୍ୱାର୍ଥ ଉପରେ ପର୍ଯ୍ୟବସିତ। ଏ ପ୍ରସଙ୍ଗରେ ଏତିକି କୁହାଯାଇପାରେ ଯେ ପାରିବାରିକ ପ୍ରଥାଜନିତ ସେବା ଉଚ୍ଛେଦର ଅର୍ଥ ସଂପୂର୍ଣ୍ଣ ଭାବରେ ସେମାନଙ୍କୁ ଅଗ୍ରାହ୍ୟ କରିବା ନୁହେଁ। ସେମାନଙ୍କ ଭିତରେ ଯିଏ ସେବାୟତ ହେବା ପାଇଁ ଯୋଗ୍ୟ ତଥା ମନ୍ଦିର ପାଇଁ ଯେତିକି ସେବାୟତ ଆବଶ୍ୟକ ତା’ରି ଭିତ୍ତିରେ ସେମାନଙ୍କ ଭିତରୁ ତଥା ବାହାରୁ ମଧ୍ୟ ଉପଯୁକ୍ତ ବ୍ୟକ୍ତିଙ୍କୁ ବାଛି ନିଯୁକ୍ତି ଦେବା। ଏଥିରେ ଅସୁବିଧା କ’ଣ? ସେବାୟତଙ୍କ ପରିବାରର ପିଲାମାନେ ଏବେ ଉଚ୍ଚଶିକ୍ଷା ଲାଭକରି ଯୋଗ୍ୟ ହେଲେଣି। ସେମାନେ କ’ଣ ସେବାୟତ ହେବା ପାଇଁ ପସନ୍ଦ କରିବେ? ଏପରି ସମୟ ଆସିବ ଯେ ସେମାନଙ୍କ ପରିବାରର କେହି ହେଲେ ସେବାୟତ ହେବା ପାଇଁ ପସନ୍ଦ କରିବେ ନାହିଁ। ଯିଏ ପସନ୍ଦ କରିବ ସିଏ ସମ୍ଭବତଃ ସେବାୟତ ହେବା ପାଇଁ ସବୁଦୃଷ୍ଟିରୁ ଅଯୋଗ୍ୟ ହୋଇଥିବ। ତେଣୁ ସୁପ୍ରିମକୋର୍ଟଙ୍କର ଏହି ମଧ୍ୟବର୍ତ୍ତୀକାଳୀନ ରାୟକୁ ଗୁରୁତ୍ୱର ସହ ବିଚାର କରିବା ଉଚିତ୍। ଦ୍ୱିତୀୟ ପ୍ରସଙ୍ଗଟି ହେଉଛି ଶ୍ରୀମନ୍ଦିରକୁ ସାର୍ବଜନୀନ କରିବା ସହ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ପୁରୀନାଥ, ପଣ୍ଡାନାଥ ବା ହିନ୍ଦୁନାଥ ଅପବାଦରୁ ମୁକ୍ତ କରିବା। ଏଠାରେ ମଧ୍ୟ ପରମ୍ପରାର କଥା ବାଧକ ହେଉଛି। ଅତୀତରେ ବାହାର ଲୋକଙ୍କ ଦ୍ୱାରା ମନ୍ଦିର ଉପରେ ଆକ୍ରମଣ ହୋଇଥିଲା, ମନ୍ଦିର ଲୁଣ୍ଠନ ହୋଇଥିଲା, ଏକଥା ସତ୍ୟ। ସେଥିରେ ହିନ୍ଦୁ ଥିଲେ, ମୁସଲମାନ ମଧ୍ୟ ଥିଲେ। ‘କଳାପାହାଡ଼’ ଜଣେ ଯାଜପୁରୀ ବ୍ରାହ୍ମଣ ଓ ଜଗନ୍ନାଥଙ୍କର ପରମଭକ୍ତ ଥିଲେ। ପରିସ୍ଥିତିରେ ପଡ଼ି ସେ ମୁସଲମାନ ଝିଅ ବିବାହ କଲେ, କିନ୍ତୁ ମୁସଲମାନ ଧର୍ମ ଗ୍ରହଣ କରି ନଥିଲେ। ତେବେ ରାତାରାତି ତାଙ୍କ ଭିତରୁ ହିନ୍ଦୁ ବିଶ୍ୱାସ ଓ ଜଗନ୍ନାଥଙ୍କ ପ୍ରତି ଭକ୍ତି ଉଭେଇଗଲା କିପରି ଯେ ତାଙ୍କୁ ମନ୍ଦିର ପ୍ରବେଶ ନିଷେଧ କରାଗଲା? ତାହା ନିଶ୍ଚୟ ତାଙ୍କର ହିନ୍ଦୁ ବିଶ୍ୱାସ ଉପରେ କୁଠାରାଘାତ କରିଥିଲା ଏବଂ ଭାବାବେଗକୁ ଆହତ କରିଥିଲା। ସେହି ଆଘାତ ଜଗନ୍ନାଥଙ୍କର ଜଣେ ପରମଭକ୍ତଙ୍କୁ ମନ୍ଦିର ବିରୋଧୀକରି ଭକ୍ତ କଳାଚାନ୍ଦକୁ ‘କଳାପାହାଡ଼’ରେ ପରିଣତ କଲା। ତେଣୁ ପ୍ରକାରାନ୍ତରେ ହିନ୍ଦୁ ଧର୍ମର ମୌଳବାଦ ‘କଳାପାହାଡ଼’ ସୃଷ୍ଟି କରୁନାହିଁ ତ!
ଭକ୍ତ ସାଲବେଗ ଅଧା ହିନ୍ଦୁ ଅଧା ମୁସଲମାନ୍ ଥିଲେ। ଜଗନ୍ନାଥଙ୍କର ପରମ ଭକ୍ତ ଏବଂ ତାଙ୍କର ଭଜନ ଜଣାଣ ଶୁଣି ଜଗନ୍ନାଥ ପ୍ରୀତ ହୁଅନ୍ତି ବୋଲି ତାଙ୍କ ରକ୍ଷକମାନେ ବିଶ୍ୱାସ କରନ୍ତି। ତା’ସତ୍ତ୍ୱେ ସେ ଜଗନ୍ନାଥଙ୍କୁ ମନ୍ଦିରରେ ଦର୍ଶନ କରିପାରିଲେ ନାହିଁ। କଳାଚାନ୍ଦଙ୍କ ହାତରେ ତରବାରୀ ଥିଲା। ତାଙ୍କର ଭାବାବେଗ ଆହତ ହେବାରୁ ସେ ମୂର୍ତ୍ତି ଓ ମନ୍ଦିର ଭଙ୍ଗାରୁଜା କଲେ। ସାଲବେଗଙ୍କ ହାତରେ ଥିଲା ଲେଖନୀ ଓ ତାଙ୍କ ଭିତରେ ଥିଲା କବିତ୍ୱ। ତେଣୁ ସେ ଭଜନ ଜଣାଣ ଲେଖି ନିଜର ପ୍ରତିବାଦ ଜଣାଇଲେ। ଏତିକି ଯାହା ତଫାତ। ରାଜା ରାମଚନ୍ଦ୍ରଦେବ ମୁସଲମାନ ରମଣୀକୁ ବିବାହ କରିଥିବାରୁ ଧର୍ମ ପରିବର୍ତ୍ତନ କରିନଥିବା ସତ୍ତ୍ୱେ ତାଙ୍କୁ ମନ୍ଦିର ପ୍ରବେଶ ନିଷେଧ ହୋଇଗଲା ଏବଂ ପତିତପାବନ ମୂର୍ତ୍ତି ସିଂହଦ୍ୱାର ପାଖରେ ସ୍ଥାପିତ ହେଲା। ଅତି ଗର୍ବର ସହ ପରମ୍ପରାବାଦୀମାନେ ଏକଥା କହନ୍ତି। ପ୍ରଧାନମନ୍ତ୍ରୀ ଥିବାବେଳେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନଥିଲା ବୋଲି ସେମାନେ ଗର୍ବର ସହ କହନ୍ତି, କିନ୍ତୁ ଏକଥା ବହୁଲୋକ ଗଣମାଧ୍ୟମରେ ମଧ୍ୟ କହୁଛନ୍ତି ଯେ ପ୍ରାୟ ମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ କରନ୍ତି। ଆମେ ମନା ମଧ୍ୟ କରିପାରିବା ନାହିଁ। କାରଣ ଆମ ଓଡ଼ିଶାର ଏବଂ ଅଧିକାଂଶ ଭାରତୀୟ ମୁସଲମାନ, ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ଭିତରେ ଚେହେରାଗତ ପାର୍ଥକ୍ୟ ପ୍ରାୟ ନାହିଁ। ତେବେ ସେମାନଙ୍କ ପ୍ରବେଶ ଦ୍ୱାରା ରାଷ୍ଟ୍ରର ବା ରାଜ୍ୟର କି ହାନି ହେଲା? ଜଣେ ତଥାକଥିତ ଜ୍ଞାନୀ ପରମ୍ପରାବାଦୀ କହିଲେ- “ଅଜ୍ଞାତରେ ଗଲେ କିଛି କ୍ଷତି ହେବ ନାହିଁ, କିନ୍ତୁ ଜ୍ଞାତସାରରେ ଗଲେ ରାଷ୍ଟ୍ର ଓ ରାଜ୍ୟକୁ ଚରମ ବିପତ୍ତି ପଡ଼ିବ।” ଏହି ଲେଖିକାଙ୍କ ପ୍ରଶ୍ନ ଥିଲା – “କାହାର ଅଜ୍ଞାତରେ? ମନ୍ଦିର ରକ୍ଷକଙ୍କ ଅଜ୍ଞାତରେ ହୋଇପାରେ, କିନ୍ତୁ ଇଚ୍ଛାମୟ, ସର୍ବଜ୍ଞାତା ଜଗନ୍ନାଥଙ୍କର ଅଜ୍ଞାତରେ ତ ଗଛର ପତ୍ର ବି ହଲିବ ନାହିଁ। ତେବେ ପ୍ରତିଦିନ ଦେଶକୁ ଚରମ ବିପତ୍ତି ପଡ଼େ ନାହିଁ କାହିଁକି?” ତା’ପରେ ଉତ୍ତର ସ୍ୱରୂପ ଶାସ୍ତ୍ରର ଦ୍ୱାହି ଦେଇ ନାନା ଶ୍ଲୋକ ଉଚ୍ଚାରଣ।
ଯେଉଁମାନେ ପରମ୍ପରାର କଥା କହୁଛନ୍ତି ସେମାନଙ୍କୁ ଇତିହାସର କଥା ସ୍ମରଣ କରାଇଦେବା ଉଚିତ୍। “ଆମେରିକାବାସିନୀ ଖ୍ରୀଷ୍ଟିଆନ୍ ମହିଳା ଶ୍ରୀ ଶ୍ରୀ ଦୟାମାତା, ପରମହଂସ ଯୋଗାନନ୍ଦଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ସେ ମହାଶୟା ପୁରୀକୁ ୧୯୫୯ମସିହାରେ ଆସି ତତ୍କାଳୀନ ପୁରୀ ରାଜା ଶ୍ରୀ ବୀରକିଶୋର ଦେବଙ୍କୁ ଶ୍ରୀନଅରରେ ସାକ୍ଷାତକରି ମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଅନୁମତି ଚାହିଁଥିଲେ। ପୁରୀ ରାଜା ଫେବୃଆରୀ ୫ ତାରିଖ ରାତିରେ ଦୟାମାତାଙ୍କୁ କହିଲେ – ସେ ପଣ୍ଡିତ ଓ ସେବକମାନଙ୍କ ସହ ଆଲୋଚନା କରି ସ୍ଥିର ହୋଇଛି ଯେ ଆପଣ ମନ୍ଦିରକୁ ଯାଇପାରିବେ, ଶ୍ରୀ ଶ୍ରୀ ଦୟାମାତା ୬ ତାରିଖ ଦିନ ରାଜାଙ୍କ ଲୋକଙ୍କ ସହ ମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନିଜର ଅନୁଭୂତି (ଟ୍ରାଭେଲ୍ ଇଣ୍ଡିଆ) ନାମକ ପୁସ୍ତକରେ ଉଲ୍ଲେଖ କରିଛନ୍ତି – କାହିଁ ସେତେବେଳେ ତ ମନ୍ଦିର ଅପବିତ୍ର ହୋଇଗଲା ନାହିଁ?” (ଉଦ୍ଧୃତି-ଭଗବାନ ପ୍ରତିହାରୀ, ଦୈନିକ ‘ପ୍ରଜାତନ୍ତ୍ର’ ସମ୍ପାଦକଙ୍କୁ ପତ୍ର, ତା:୨୩.୦୩.୧୯୮୮)। “ରାମଚନ୍ଦ୍ର ଦେବଙ୍କର ଯବନରାଣୀ ରେଜିୟାଙ୍କର ମଧ୍ୟ ସେହି ଅବସ୍ଥା ହୋଇଥିଲା। ରେଜିୟା ପିପିଲିଠାରେ ଏକ ଖଣ୍ଡଯୁଦ୍ଧରେ ନିଜ ପ୍ରାଣକୁ ବିପନ୍ନ କରି ଶ୍ରୀଜଗନ୍ନାଥ ଦେବଙ୍କର ମର୍ଯ୍ୟାଦା ରକ୍ଷା କଲେ। ତା’ପରେ ସେ ମନ୍ଦିରକୁ ଆସିଥିଲେ ଶ୍ରୀଜଗନ୍ନାଥ ଦେବଙ୍କୁ ଦର୍ଶନ କରି ତାଙ୍କ ପାଦତଳେ ବହୁଦିନରୁ ସଞ୍ଚିତ ମଣିମୁକ୍ତା ଭେଟି ଦେବାପାଇଁ। ପଣ୍ଡା ସେବକମାନେ କିନ୍ତୁ ତାଙ୍କୁ ବାଇଶି ପାହାଚରୁ ତଡ଼ିଦେଲେ। ରେଜିୟା ଆହତ ଅଭିମାନରେ ଯେଉଁ ମଣିମୁକ୍ତା ସବୁ ବାଇଶି ପାହାଚ ଉପରେ ଫିଙ୍ଗିଦେଇ ଆସିଥିଲେ ସେଥିପାଇଁ ପଣ୍ଡା ସେବକମାନଙ୍କ ମଧ୍ୟରେ ଲାଗିଯାଇଥିଲା ଭିଡ଼ାଭିଡ଼ି। ଏକଥା ଆଜି ବି ଘଟୁଛି।” (ଉଦ୍ଧୃତି-ମଣିମା ଶୁଣିମା ହେଉ, ଗରିବ ଡାକ, ‘ଅନ୍ୟଦୃଷ୍ଟିରେ’ ସୁରେନ୍ଦ୍ର ମହାନ୍ତି, ଦୈନିକ ସମ୍ବାଦ, ୮ ଜାନୁଆରୀ ୧୯୮୮)। କେହିକେହି କହୁଛନ୍ତି ଯଦି ଅଣହିନ୍ଦୁ ପ୍ରବେଶ କରିବେ ମନ୍ଦିରର ସୁରକ୍ଷା ସରକାର ସଂପୂର୍ଣ୍ଣ ଭାବେ ନେବେ ତ? ତେବେ କ’ଣ ଆମେ ଭାବିବା ଯେ ବର୍ତ୍ତମାନ ମନ୍ଦିର ଅସୁରକ୍ଷିତ? ତା’ଛଡ଼ା ଅଣହିନ୍ଦୁ କେବେ ମନ୍ଦିର ଆକ୍ରମଣ କରିଥିଲେ ବୋଲି ଆଜି ମଧ୍ୟ କରିବେ ସେକଥା ଭାବିବା ଉଚିତ୍ ନୁହେଁ। କାରଣ ମନ୍ଦିରର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେଲେ ମନ୍ଦିର ଆକ୍ରମଣର ସମ୍ଭାବନା ରହିବ ନାହିଁ। ହିନ୍ଦୁମାନଙ୍କ ଭିତରେ ଯେ ଦୁଷ୍ଟ ଦୁର୍ଜନ ନାହାନ୍ତି ତାହା କ’ଣ ଜୋର୍ ଦେଇ କହିହେବ? ଯଦି ସୁପ୍ରିମକୋର୍ଟଙ୍କର ଏହି ପ୍ରସ୍ତାବକୁ ଆମେ ଅଗ୍ରାହ୍ୟ କରୁ ତେବେ ଉଦାର ହିନ୍ଦୁ ଧର୍ମ ଧର୍ମବିଦ୍ୱେଷ ଦୋଷଯୁକ୍ତ ହେବନାହିଁ କି?
ଗାନ୍ଧିଜୀ ଶାସ୍ତ୍ରଜ୍ଞ ଥିଲେ, ପଣ୍ଡିତ ଥିଲେ, ସଂସ୍କାରକ ଥିଲେ। ସେ କେବଳ ଏ ଜାତିର ଦିଗ୍ଦର୍ଶକ ନଥିଲେ, ସାରା ବିଶ୍ୱର ଦିଗ୍ଦର୍ଶକ ଭାବରେ ପରିଗଣିତ। ତାଙ୍କୁ ଜଗଦଗୁରୁ କହିବାରେ ଅତ୍ୟୁକ୍ତି ହେବ ନାହିଁ। ବିଧବା ବିବାହ ସଂପର୍କରେ ସେ ସାହସର ସହ କହିଥିଲେ “ଯେଉଁ ଶାସ୍ତ୍ର ମାନବିକ ଅଧିକାରର ବିରୋଧ କରେ, ବରଂ ସେ ଶାସ୍ତ୍ର ମୋ ପାଖରେ ବର୍ଜନୀୟ।” ତେଣୁ ଶାସ୍ତ୍ରରେ ଯଦିବା କିଛି ଅନ୍ଧବିଶ୍ୱାସ ଅଛି, ମାନବିକ ଅଧିକାର ବିରୋଧୀ କଥା ଅଛି ତାହାର ସଂଶୋଧନ ଆବଶ୍ୟକ ନୁହେଁ କି? ଏକଦା ସତୀଦାହ ପ୍ରଥା ସଂପର୍କରେ ନିଜର ମତ ଦେବାକୁ ଯାଇ ଗାନ୍ଧୀ କହିଥିଲେ- “ଏହା ମାନବିକ ଅଧିକାରର ଉଲ୍ଲଙ୍ଘନ ଏବଂ ଯଦି ଶାସ୍ତ୍ରରେ ସତୀଦାହର ପ୍ରଥା ଅଛି ତେବେ ମତେ ଶାସ୍ତ୍ରବିରୋଧୀ କହିଲେ ମଧ୍ୟ ମୁଁ ମୁକ୍ତ କଣ୍ଠରେ କହିବି ଯେ, ସମୟକ୍ରମେ ଶାସ୍ତ୍ର ମଧ୍ୟ ସଂଶୋଧନୀୟ।” ପରମ୍ପରା ଯଦି ପରିବର୍ତ୍ତନୀୟ ନୁହେଁ ବା ପ୍ରଥା ଯଦି ଏତେ ବଳିୟାନ୍ ତେବେ ଅତୀତର ଅନେକ ଅମାନବୀୟ ପ୍ରଥା କିପରି ଦଣ୍ଡନୀୟ ହେଲା ଏବଂ ଲୋପ ପାଇଲା? ଆଉ ଏକ ପ୍ରଶ୍ନ ସେମାନେ ଉଠାନ୍ତି। ଗୋମାଂସ ଭକ୍ଷଣ କରୁଥିବାରୁ ସେମାନେ ମନ୍ଦିର ପ୍ରବେଶ କରିବା ପାପ। କାରଣ ଗାଈ ଆମର ଗୋମାତା, କିନ୍ତୁ ବହୁ ତଥାକଥିତ ଦଳିତ ଯେଉଁମାନଙ୍କୁ ଆମେ ଦଳିତ କରି ରଖିଛେ ସେମାନଙ୍କ ଭିତରୁ କେତେକ ଗୋମାଂସ ଭକ୍ଷଣ କରୁଥିବାର ଶୁଣାଯାଏ। ଦିନେ ସେମାନଙ୍କୁ ମନ୍ଦିର ନିଷେଧ ଥିଲା। ଏବେ ସେମାନେ ମନ୍ଦିର ପ୍ରବେଶ କରୁଛନ୍ତି। ଏଠାରେ ପରମ୍ପରା ପରିବର୍ତ୍ତନ ହୋଇନାହିଁ କି? ସମୟକ୍ରମେ ମାନବକଲ୍ୟାଣକୁ ଆଖିଆଗରେ ରଖି ସମ୍ବିଧାନର ନିୟମରେ ମଧ୍ୟ ପରିବର୍ତ୍ତନ କରାହୋଇଛି। ତିନ୍ ତଲାକ୍ ଭଳି ଏକ କଠୋର ପ୍ରଥାର ଉଚ୍ଛେଦର ପୁରୋଧା ହୋଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।
ବିଦେଶରେ ରହୁଥିବା, ଏପରିକି ଦେଶରେ ରହୁଥିବା କେତେକ ଅତ୍ୟାଧୁନିକ ହିନ୍ଦୁ ଆଜିକାଲି ଗୋମାଂସ ଭକ୍ଷଣ କରନ୍ତି ବୋଲି ଅନେକ ସ୍ୱୀକାର କରିବେ। ତେବେ କ’ଣ ସେମାନେ ହିନ୍ଦୁ ନୁହନ୍ତି? ସେମାନଙ୍କୁ ମନ୍ଦିର ପ୍ରବେଶ ବନ୍ଦ କରାଯିବା ଉଚିତ୍? ବିଦେଶରୁ ଯେଉଁ ପ୍ରବାସୀ ହିନ୍ଦୁଭକ୍ତ ଆସନ୍ତି ତାଙ୍କୁ ତେବେ ପ୍ରବେଶପଥରେ ପଚରାଯାଉ ସେମାନେ ଗୋମାଂସ ଭକ୍ଷଣ କରନ୍ତି କି ନାହିଁ। ସବୁ ଶ୍ରଦ୍ଧାଳୁଙ୍କୁ ଧର୍ମ ସାର୍ଟିଫିକେଟ୍ ମଗାଯାଉ। ତା’ପରେ ତାଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦିଆଯାଉ। ଦଶାବତାରଙ୍କ ଭିତରୁ ମତ୍ସ୍ୟ ଏବଂ କଚ୍ଛପ ମଧ୍ୟ ଏକ ଏକ ଅବତାର। ହିନ୍ଦୁମାନେ, ଏପରିକି ପୂଜକ ବ୍ରାହ୍ମଣମାନେ ମଧ୍ୟ ମାଛ ଏବଂ କେତେକ ହିନ୍ଦୁ କଚ୍ଛପ ମାଂସ ମଧ୍ୟ ଖାଆନ୍ତି। ଅବତାରମାନଙ୍କୁ ମାରି ଖାଉଥିବା ହିନ୍ଦୁମାନଙ୍କୁ ମନ୍ଦିର ପ୍ରବେଶ କରାଇବା ତେବେ ବନ୍ଦ କରାଯାଉ। ପରମ୍ପରାର ଅର୍ଥ ହେଉଛି ‘ପରମ୍’ ଅର୍ଥାତ୍ ଶ୍ରେଷ୍ଠ ବା ଉତ୍ତରବର୍ତ୍ତୀ ଏବଂ ତାକୁ ଅତିକ୍ରମ କରିବା ଯୋଗ୍ୟ, ଶ୍ରେଷ୍ଠତର ଉତ୍ତରବର୍ତ୍ତୀ ‘ପରା’। ତେଣୁ ପରମ୍ପରା ହେଉଛି ନିରନ୍ତର ପରିବର୍ତ୍ତନ ପ୍ରକ୍ରିୟା।
ପରମ୍ପରାର ଦ୍ୱାହି ଦେଉଥିବା ଶ୍ରୀଜଗନ୍ନାଥଙ୍କର ପରମସେବକ ଓ ଭାଇବନ୍ଧୁ କୁଟୁମ୍ବମାନେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇପାରିଲେ ସନ୍ଦେହ ମୋଚନ ହୁଅନ୍ତା। ନିକଟ ଅତୀତରେ ହୋଇଥିବା ବ୍ରହ୍ମ ବିଭ୍ରାଟ କେଉଁ ପରମ୍ପରା ଉପରେ ପର୍ଯ୍ୟବସିତ ଥିଲା? ଏହା ପରମ୍ପରା ବିଭ୍ରାଟ ନା ଭବିଷ୍ୟତରେ ଏହି ପରିବର୍ତ୍ତିତ ପରମ୍ପରାକୁ ଅନୁସରଣ କରି ପରବର୍ତ୍ତୀ ନବକଳେବରର ବ୍ରହ୍ମ ପରିବର୍ତ୍ତନ ହେବ? ଶୁଭ ସଂସ୍କାରର ଶଙ୍ଖନାଦ କରିଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅଭିନନ୍ଦନ।