ବିଜେଡି ଶୋଭାଯାତ୍ରାରେ ମାଡ଼ିଗଲା ପୂର୍ବତନ ସରପଞ୍ଚଙ୍କ ଗାଡ଼ି: ଜଣଙ୍କ ଭାଙ୍ଗିଲା ଗୋଡ଼, ୪ ବାଇକ ଭାଙ୍ଗି ଚୁରମାର

ବିଜେଡି କର୍ମୀଙ୍କ ବ୍ୟାପକ ଭଙ୍ଗାରୁଜା ।। ପରସ୍ଥିତି ଉତ୍ତେଜନାପୂର୍ଣ୍ଣ ।। ଗୋଟିଏ ପ୍ଲାଟନୁ ଫୋର୍ସ ମୁତୟନ ।। ଏସପି କହିଲେ ସବୁ ଦିଗରୁ ହେବ ତଦନ୍ତ

ଯାଜପୁର: ଧର୍ମଶାଳା  ଓସାରାରେ ବିଜେଡି କର୍ମୀ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡି କର୍ମୀ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଆଜି ଧର୍ମଶାଳାରେ ବିଜେଡି କର୍ମୀମାନେ ଶୋଭାଯାତ୍ରାରେ ନିର୍ବାଚନ ପ୍ରଚାର କରୁଥିଲେ। ଏହି ସମୟରେ ଜଣେ ପୂର୍ବତନ ସରପଞ୍ଚ ଦ୍ରୁତଗତିରେ ତାଙ୍କ ଗାଡ଼ି ଚଳାଇ ଆସିଥିଲେ ଏବଂ ତାଙ୍କ ଗାଡ଼ିଟି ଶୋଭାଯାତ୍ରାକାରୀ ବିଜେଡି କର୍ମୀଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ୪ଟି ବାଇକ ଭାଙ୍ଗି ଚୁରମାର ହୋଇଯାଇଥିଲା। ଏଥିରେ ଉତ୍ୟକ୍ତ ହୋଇ ବିଜେଡି କର୍ମୀ ପୂର୍ବତନ ସରପଞ୍ଚଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ସେ କୌସଳକ୍ରମେ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଳେ। ପରବର୍ତ୍ତି ସମୟରେ ବିଜେଡି କର୍ମୀମାନେ ଉତ୍ୟକ୍ତ ହୋଇ ପୂର୍ବତନ ସରପଞ୍ଚଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ତାଙ୍କ ଅଫିସକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ତାଙ୍କର ୪ଟି ହାଇୱାର କାଚ ବାଡେଇ ଭାଙ୍ଗିଦେଇଥିଲେ।

ଖବର ପାଇ ଧର୍ମଶାଳା ପୁଲିସ ଓ ଯାଜପୁର ରୋଗ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବାବେଳେ ସେଠାରେ ଉତ୍ତେଜନା ଲାଗି ରହିଥିବାରୁ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ଯାଜପୁର ଏସପି ଏସପି ଭୀନିତ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଏସପି ଭୀନିତ ଅଗ୍ରୱାଲ କହିଛନ୍ତି ଯେ ଏହି ଘଟଣାର ସବୁ ଦିଗରୁ ତଦନ୍ତ ଚାଲିଛି। ଯିଏ ବି ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.