ଓଡ଼ିଶା-ଜମ୍ମୁ କାଶ୍ମୀର ରଣଜୀ ମୁକାବିଲା ଆଜିଠାରୁ
କଟକ : ଚଳିତବର୍ଷର ରଣଜୀ ଟ୍ରଫି ମୁକାବିଲାରେ କ୍ରମାଗତ ୨ୟ ପରାଜୟ ପରେ ପୁଣି ଶନିବାର ପଡ଼ିଆକୁ ଓହ୍ଲାଇବ ଓଡ଼ିଶା କ୍ରିକେଟ ଦଳ। ସମ୍ମୁଖରେ ଘରୋଇ ଜମ୍ମୁକାଶ୍ମୀର ଦଳ। ଜମ୍ମୁ ସହରର ଗାନ୍ଧୀ ମେମୋରିଆଲ ସାଇନ୍ସ କଲେଜ୍ ଗ୍ରାଉଣ୍ଡରେ ଘରୋଇ ଦଳର ମୁକାବିଲା କରିବ ଓଡ଼ିଶା ଦଳ। ଓଡ଼ିଶାର ଏହା ହେବ ୭ମ ଲିଗ୍ ମ୍ୟାଚ୍। ୬ଟି ମ୍ୟାଚ୍ ପରେ ଓଡ଼ିଶା ଏଲିଟ୍ ଗ୍ରୁପ୍ ’ସି’ରେ ୨ଟି ବିଜୟ ଓ ୩ଟି ପରାଜୟ ସହ ୧୩ ପଏଣ୍ଟ ପାଇ ୧୦ଟି ଦଳଙ୍କ ମଧ୍ୟରେ ୮ମ ସ୍ଥାନରେ ରହିଛି। ସମାନ ସଂଖ୍ୟକ ମ୍ୟାଚ୍ ଖେଳି ଜମ୍ମୁକାଶ୍ମୀର ୨ଟି ବିଜୟ ଓ ୩ଟି ପରାଜୟ ସହ ୧୩ ପଏଣ୍ଟ ପାଇ ୭ମ ସ୍ଥାନରେ ରହିଛି। ତେଣୁ ଉଭୟ ଦଳଙ୍କ ମଧ୍ୟରେ ଅଦ୍ୟାବଧି ବିଶେଷ ଫରକ ଦେଖିବାକୁ ମିଳିନାହିଁ। ତେଣୁ ଏହି ମ୍ୟାଚ୍ରେ ଅଧିକ ପଏଣ୍ଟ ପାଇ ଆଗୁଆହେବାକୁ ଉଭୟ ଦଳ ପ୍ରୟାସ କରିବେ। ଏହା ସତ ଯେ ଉଭୟ ଦଳଙ୍କର କ୍ବାର୍ଟରଫାଇନାଲ ଖେଳିବା ସମ୍ଭାବନା ପ୍ରାୟ ନାହିଁ। ତଥାପି ଲିଗ୍ ଟେବୁଲରେ ଏକ ମର୍ଯ୍ୟାଦାଜନକ ସ୍ଥାନ ପାଇବା ପାଇଁ ଉଭୟଙ୍କର ଲକ୍ଷ୍ୟ ରହିଛି।
ଜମ୍ମୁକାଶ୍ମୀର ସେପରି ଶକ୍ତିଶାଳୀ ଦଳ ହୋଇନଥିଲେ ମଧ୍ୟ ନିଜ ପଡ଼ିଆରେ ଏହା ଭଲ ପ୍ରଦର୍ଶନ କରିପାରିବ। ହରିୟାଣା ପରି ଦଳକୁ ପରାସ୍ତ କରିଥିବା ଦଳକୁ ତା’ରି ପଡ଼ିଆରେ ପରାସ୍ତ କରିଥିବା ଜମ୍ମୁକାଶ୍ମୀରକୁ ଦୁର୍ବଳ ମଣିବା ଠିକ୍ ହେବନାହିଁ। ଦଳର ୩ ପେସ୍ ବୋଲର ଇର୍ଫାନ୍ ପଠାନ୍, ମହମ୍ମଦ ମୁଦାସିର ଓ ଉମର ନାଜିର ମୀର ହରିୟାଣା ବିପକ୍ଷରେ ଚମତ୍କାର ବୋଲିଂକରି ଦଳକୁ ଜିତାଇଥିଲେ। ଭାରତ ପାଇଁ ଖେଳିଥିବା ଇର୍ଫାନ୍ ପଠାନ୍ ଚଳିତବର୍ଷ ବରୋଦା ଛାଡ଼ି ଜମ୍ମୁକାଶ୍ମୀର ପାଇଁ ଖେଳୁଛନ୍ତି ଏବଂ ନିଜେ ଭଲ ବୋଲିଂକରିବା ସହ ଦଳର ପେସ୍ ବୋଲରଙ୍କୁ ଦିଗ୍ଦର୍ଶନ ଦେଉଛନ୍ତି। ହରିୟାଣାକୁ ଛାଡ଼ି ତ୍ରିପୁରା ବିପକ୍ଷରେ ଜମ୍ମୁକାଶ୍ମୀର ବିଜୟୀ ହୋଇଛି। ଉମର ନାଜିର ୧୯ଟି ଓ ମୁଦାସିର ୧୬ଟି ୱିକେଟ ନେଇଛନ୍ତି। ତେବେ ବିଗତ କିଛି ବର୍ଷ ପରି ଚଳିତବର୍ଷ ଜମ୍ମୁକାଶ୍ମୀର ପାଇଁ ତାରକା ଭଳି ପ୍ରଦର୍ଶନ କରିଛନ୍ତି ଭାରତ ପାଇଁ ଖେଳିଥିବା ଅଲ୍ରାଉଣ୍ଡର ପରଭେଜ୍ ରସୁଲ୍। ଅଧିନାୟକ ରସୁଲ ୨ଟି ଶତକ ସହ ଦଳ ପାଇଁ ସର୍ବାଧିକ ୪୫୩ ରନ୍ କରିବା ସହ ଅଫ୍ସ୍ପିନ୍ ଜରିଆରେ ସର୍ବାଧିକ ୨୯ଟି ୱିକେଟ ନେଇଛନ୍ତି। ଇର୍ଫାନ୍ ପଠାନ୍ ୩୩୫ ରନ୍ କରିବା ସହ ୧୦ଟି ୱିକେଟ ନେଇଛନ୍ତି। ଶୁଭମ୍ ଖଜୁରିଆ ୩୯୩, ଅହମ୍ମଦ ବାନ୍ଦି ୩୦୩ ଓ ଇଆନ୍ ଦେବ୍ ସିଂହ ୨୮୭ ରନ୍ କରିଛନ୍ତି। ଓଡ଼ିଶା ଦଳ ଉତ୍ତର ପ୍ରଦେଶଠାରୁ ପରାସ୍ତହେବା ପରେ ଆସାମ ଓ ତ୍ରିପୁରା ବିପକ୍ଷରେ କ୍ରମାଗତ ୨ଟି ବିଜୟ ହାସଲ କରିଥିଲା। ତେବେ ଉଭୟ ମ୍ୟାଚ୍ରେ ଓଡ଼ିଶାକୁ ସଂଘର୍ଷ କରିବାକୁ ପଡ଼ିଥିଲା। ପରେ ବିଜୟୀହେବା ସ୍ଥିତିରେ ଥାଇ ସୁଦ୍ଧା ଝାଡ଼ଖଣ୍ଡ ଓ ରାଜସ୍ଥାନଠାରୁ ଅଳ୍ପ ବ୍ୟବଧାନରେ ଓଡ଼ିଶା ପରାସ୍ତ ହୋଇଛି। ଟେବୁଲ ଶୀର୍ଷରେ ଥିବା ରାଜସ୍ଥାନକୁ ପରାସ୍ତକରି ବଡ଼ ବିଜୟ ହାସଲ କରିବା ଲକ୍ଷ୍ୟେର ଓଡ଼ିଶା ଥିଲେ ହେଁ ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା ଯୋଗୁଁ ମାତ୍ର ୩୫ ରନ୍ରେ ପରାସ୍ତ ହୋଇଥିଲା। ଏହିପରି କ୍ରମାଗତ ୨ଟି ପରାଜୟ ଓଡ଼ିଶା ଖେଳାଳିଙ୍କ ମନୋବଳକୁ ଶକ୍ତ ଧକ୍କା ଦେଇଥିବ ନିଶ୍ଚୟ। ତଥାପି ଝାଡ଼ିଝୁଡ଼ି ହୋଇ ଜମ୍ମୁକାଶ୍ମୀରର ମୁକାବିଲା କରିବାକୁ ଏହା ଯାଉଛି। ଏବେ ଜମ୍ମୁରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ତେଣୁ ଏହାର ଫାଇଦା ପେସ୍ ବୋଲରଙ୍କୁ ମିଳିବ ନିଶ୍ଚିତ। ଅଦ୍ୟାବଧି ଚମତ୍କାର ବୋଲିଂ କରିଥିବା ଓଡ଼ିଶାର ପେସ୍ ବୋଲରଙ୍କ ଅପେକ୍ଷା ଭଲ ପ୍ରଦର୍ଶନ ପାଇଁ ଚାପ ବ୍ୟାଟ୍ସମ୍ୟାନଙ୍କ ଉପରେ। ଓଡ଼ିଶାର ଦୁଇ ନୂଆବଲ୍ ବୋଲର ବସନ୍ତ ମହାନ୍ତି ଓ ରାଜେଶ ମହାନ୍ତି ୩୧ଟି ଲେଖାଏଁ ୱିକେଟ ନେଇଛନ୍ତି। ବ୍ୟାଟିଂରେ ଶୁଭ୍ରାଂଶୁ ସେନାପତି ୫୩୧ ରନ୍ କରିଥିବା ବେଳେ ଅଧିନାୟକ ବିପ୍ଲବ ସାମନ୍ତରାୟ ଓ ଓପ୍ନର ଅନୁରାଗ ଷଡ଼ଙ୍ଗୀ ୩ ଶହରୁ ଅଧିକ ରନ୍ କରିଛନ୍ତି।