ବିଜେବି କଲେଜରେ ହେବ ଖୋର୍ଦ୍ଧା ଜିଲାର ଭୋଟ ଗଣତି

ତ୍ରିସ୍ତରୀୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥାରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣନା

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତା ୪ ତାରିଖରେ ଭୋଟ ଗଣନା ହେବ।  ଖୋରଧା ଜିଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭୋଟ ଗଣତି ହେବ। ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗଣତି ପ୍ରକ୍ରିୟା ଓ ଏ ସଂକ୍ରାନ୍ତୀୟ ସମସ୍ତ ନୀତି ନୀୟମ, ବିଭିନ୍ନ ପ୍ରାର୍ଥୀମାନଙ୍କ ପ୍ରତିନିଧି ନିଯୁକ୍ତି ଏବଂ ଗଣନା କାର୍ଯ୍ୟରେ ସହଯୋଗ ଉଦେଶ୍ୟରେ ଏକ ବୈଠକ ଭୁବନେଶ୍ୱର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣି ଅଧିକାରୀ ଭାବେ ଖୋରଧା ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି, ଭୁବନେଶ୍ୱର ଉପ ଜିଲାପାଳ ମହେନ୍ଦ୍ର ପଣ୍ଡା, ଅତିରିକ୍ତ ଉପ-ଜିଲାପାଳ ନୀତିଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

prayash

ଆସନ୍ତା ୪ ତାରିଖରେ ସକାଳ ୮ ଘଟିକାରୁ ଗଣନା କାର୍ଯ୍ୟ ଆରମ୍ଭ କରାଯିବ। ପ୍ରାରମ୍ଭିକ ଭାବେ ପୋଷ୍ଟାଲ ବାଲଟ ଗଣନା ପ୍ରକ୍ରିୟା ଆରମ୍ଭ ହେବ। ଏଥିସହ ଇଭିଏମ ମାଧ୍ୟମରେ ନିଆଯାଇଥିବା ଭୋଟର ମଧ୍ୟ ଗଣନା ହେବ। ଏଥିନିମନ୍ତେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର- ଏକାମ୍ର ବିଧାନସଭା କ୍ଷେତ୍ର ନିମନ୍ତେ ପ୍ରତ୍ୟେକ ୧୨ଟି କାଉଣ୍ଟିଂ ଟେବୁଲ ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ୧୪ଟି କାଉଣ୍ଟିଂ ଟେବୁଲ ବ୍ୟବସ୍ଥା କରାଯାଇଛି। ସେହିଭଳି ସମ୍ପୃକ୍ତ ଲୋକସଭା କ୍ଷେତ୍ରର ଇଭିଇମ ଭୋଟ ଗଣନା ନିମନ୍ତେ ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଟେବୁଲ ନିମନ୍ତେ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ, କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ ଇଭିଇମ ନେବା ଆଣିବାରେ ସହଯୋଗ କରିବା ପାଇଁ ଜଣେ ସହାୟକ ନିଯୁକ୍ତ ରହିବେ।

ଏଥିସହ ଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇଛି। ଏଥିନିମନ୍ତେ ତ୍ରିସ୍ତରୀୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବଭଳି ପ୍ରାର୍ଥୀ ମାନେ ସମସ୍ତ ସହଯୋଗ ଜାରି ରଖିବେ ବୋଲି ଅଧିକାରୀମାନେ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀ ମାନଙ୍କ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Comments are closed.