‘କର୍ଣ୍ଣାଟକରେ ସରକାରରେ ଅସ୍ଥିରତା ସୃଷ୍ଟି ଉଦ୍ୟମ କରୁଛି ବିଜେପି’
ନୂଆଦିଲ୍ଲୀ : ଦୁଇ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଧ୍ୟ କର୍ଣ୍ଣାଟକରେ ଜେଡିଏସ୍-କଂଗ୍ରେସ ସରକାରର ସ୍ଥିତି ସୁଦୃଢ ରହିଛି ବୋଲି ବୁଧବାର କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରକାଶ କରିଛନ୍ତି। ସ୍ଥିର ମେଣ୍ଟ ସରକାରରେ ବିଜେପି ଅସ୍ଥିରତା ସୃଷ୍ଟି ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ପ୍ରତି କୌଣସି ବିପଦ ନ ଥିବା ସେ ଦୃଢୋକ୍ତି ବାଢିଥିଲେ ମଧ୍ୟ ବିଜେପି ଘୋଡାବେପାର ପୂର୍ବକ ନୂତନ ସରକାର ଗଠନ ଉଦ୍ୟମ କରୁଥିବା ଖବରକୁ କଂଗ୍ରେସ ଗୁରୁତ୍ବର ସହିତ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ସ୍ଥିତି ପରଖିବା ଲାଗି ଦଳ ପକ୍ଷରୁ ଜାନୁଆରୀ ୧୮ରେ ବେଙ୍ଗାଲୁରୁଠାରେ ବିଧାୟକମାନଙ୍କର ଏକ ବୈଠକ ଡକାଯାଇଛି। ଏହା ପୂର୍ବରୁ ବିଜେପି କଂଗ୍ରେସର ୫ ବିଧାୟକଙ୍କୁ ମୁମ୍ବଇରେ ରଖିଥିବା ନେଇ ଖବର ପ୍ରକାଶ ପାଇଥିଲା। ମାତ୍ର ଏହି ବିଧାୟକମାନେ ତାଙ୍କ ସଂସ୍ପର୍ଶରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ବାମୀ ଗତ ତିନି ଦିନ ହେବ କହିଆସୁଛନ୍ତି। ଅନ୍ୟପଟେ କଂଗ୍ରେସର ସମସ୍ତ ୧୧୮ ଜଣ ବିଧାୟକ ଦଳୀୟ ପ୍ରମୁଖ ନେତୃବୃନ୍ଦଙ୍କ ସହିତ ଯୋଗାଯୋଗ ରକ୍ଷା କରିଥିବା ଖଡଗେ ମଧ୍ୟ ସ୍ପଷ୍ଟ କରିଛନ୍ତି। ମୁମ୍ବଇରେ ଲୁଚି ରହିଥିବା ବିଧାୟକମାନେ ବିଜେପିର ବୋଲି ସେ ଦର୍ଶାଇଛନ୍ତି। ଯଦି କର୍ଣ୍ଣାଟକରେ ବିଜେପି ବିଧାୟକମାନେ ଏକଜୁଟ ହୋଇ ରହିଛନ୍ତି ତା’ହେଲେ ଦଳ ସେମାନଙ୍କୁ କାହିଁକି ଲୁଚାଇ ରଖୁଛି ବୋଲି ଖଡଗେ ପ୍ରଶ୍ନ କରିଛନ୍ତି। ବିଧାୟକମାନଙ୍କୁ କୌଣସି ମତେ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରିବା ବିଜେପିର ପୁରୁଣା ଅଭ୍ୟାସ ଦର୍ଶାଇ ସେ କହିଛନ୍ତି ଗୋଆ, ମଣିପୁର ଓ ଉତ୍ତରପ୍ରଦେଶରେ ଦଳ ଏହି ରଣନୀତି ଆପଣାଇଛି। ଅନ୍ୟପଟେ କର୍ଣ୍ଣାଟକରେ ଆୟକର ଓ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢାଉ ଦ୍ବାରା କଂଗ୍ରେସ ବିଧାୟକମାନଙ୍କୁ ଧମକାଇବା ବା ଡରାଇବା ନେଇ ବିଜେପିର ଉଦ୍ୟମ ବିଫଳ ହୋଇଛି।