୫୪ବର୍ଷ ଧରି ସରକାରୀ ନଥିତଳେ ଚାପି ହୋଇ ରହିଛି ଛତିଶା ଜଳନିସ୍କାସନ ବ୍ୟବସ୍ଥା
୬ ପଞ୍ଚାୟତ କୃଷକଙ୍କ ଶହଶହ ଏକର ଧାନକ୍ଷେତ ଜଳବନ୍ଦି
ଗୁରୁଡିଝାଟିଆ : ଛତିଶା ପାଟର ଜଳନିସ୍କାସନ ହୋଇପାରୁନଥିବାରୁ ଏହା ୬ ପଞ୍ଚାୟତ କୃଷକଙ୍କ ପାଇଁ ଅଭିଶାପ ପାଲଟିଛି । ଶହଶହ ଏକର ଜମି ପାଣିରେ ବୁଡି ରହିଛି । କୃଷକମାନେ ବର୍ଷବର୍ଷ ଧରି ଛତିଶାପାଟ ଜଳନିସ୍କାସନ ବ୍ୟବସ୍ଥା ସଠିକ୍ ଢଙ୍ଗରେ କରିବା ପାଇଁ ପ୍ରଶାସନକୁ ଲିଖିତ ଭାବେ ଜଣାଇବା ସହିତ ପ୍ରଶାସନିକ କାର୍ଯ୍ୟାଳୟରେ ନିଜର ଦାବିକୁ ସମବେତ ହୋଇ ଆନ୍ଦୋଳନ ମାଧ୍ୟମରେ ଚେତାଇଦେବା ବ୍ୟବସ୍ଥା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ୫୪ବର୍ଷ ଧରି ପ୍ରଶାସନର ନଥିତଳେ ଚାପି ହୋଇ ରହିଛି ଛତିଶାପାଟ ଜଳନିସ୍କାସନ ବ୍ୟବସ୍ଥା। ମହାନଦୀରେ ବନ୍ୟା ଆସିଲେ କଳୟପଡା ପଞ୍ଚାୟତର ସିମିଳହ୍ୟାଣ୍ଡ ଠାରେ ଥିବା ପୋଲ ଦେଇ ଛତିଶାପାଟକୁ ଜଳ ପ୍ରବେଶ କରିଥାଏ । ଏହା ଯୋଗୁଁ କୟଳପଡା, ଇନ୍ଦ୍ରାଣୀପାଟଣା, ଆଠଗଡ ବ୍ଲକର କୁଷ୍ପଙ୍ଗି, କୁମାରପୁର, ଛଅଗାଁ, ଆଗ୍ରାହାଟ ଆଦି ପଞ୍ଚାୟତ ସମୂହର ଧାନକ୍ଷେତ ସଂପୂର୍ଣ୍ଣ ଭାବେ ବନ୍ୟାଜଳରେ ବୁଡି ରହେ । ଫଳରେ କୃଷକମାନେ ଋଣ କରି ଚାଷ କରିଥିବା ଧାନଫସଲରେ ବନ୍ୟାଜଳ ଭରିରହିବା ଫଳରେ ଉଜୁଡିଯାଏ। ଏହି ପଞ୍ଚାୟତର ଜନସାଧାରଣ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଛତିଶା ଜଳନିସ୍କାସନ ବ୍ୟବସ୍ଥାକୁ ସଠିକ ରୂପେ ପରିଚାଳନା କରିବା ପାଇଁ ଦାବିକରିବା ସହ ଆନ୍ଦୋଳନ କରିଥିଲେ ମଧ୍ୟ ତାହାକୁ କର୍ଣ୍ଣପାତ କରାଯାଉନାହିଁ । ପ୍ରଶାସନର ଏଭଳି କୁମ୍ଭକର୍ଣ୍ଣ ନିଦ୍ରାଭାଙ୍ଗି ସେମାନଙ୍କୁ ସଠିକ ମାର୍ଗଦର୍ଶନ କରିବା ନିମନ୍ତେ ସ୍ଥାନୀୟ ଜନପ୍ରତିନିଧି ସେଭଳି ଆନ୍ତରିକତା ଦେଖାଯାଉନଥିବା ସାଧାରଣରେ ଅଭିଯୋଗ ହୋଇଛି। ମହାନଦୀର ବନ୍ୟାଜଳ ଆସିବା ସମୟରେ କଳୟପଡା ପଞ୍ଚାୟତର ପୋଲ ଦେଇ ଛତିଶାପାଟକୁ ପଶୁଥିବା ବନ୍ୟାଜଳକୁ ଯଦି ନିୟନ୍ତ୍ରଣ କରାଯାଇ ଛଡାଯାଆନ୍ତା ଓ ପରବର୍ତ୍ତି ସମୟରେ ଛତିଶାପାଟରେ ଜମି ରହିଥିବା ଜଳକୁ ବନ୍ୟାର ପରବର୍ତ୍ତି ସମୟରେ ମହାନଦୀକୁ ନିସ୍କାସିତ କରାଯାଆନ୍ତା ତେବେ ତାହା କୃଷକମାନଙ୍କ ଅହେତକୁ ହିତରେ ଲାଗନ୍ତା । କିନ୍ତୁ ପ୍ରଶାସନର ଉଦାସୀନତା ପାଇଁ ଏହା କାର୍ଯ୍ୟକାରୀ କରାଯାଇ ପାରୁନାହିଁ । ପ୍ରଶାସନିକ ଅଧିକାରୀ ଯେ ଏହି ଅଞ୍ଚଳକୁ ଅନୁଧ୍ୟାନ କରୁନାହାନ୍ତି ତାହା ନୁହେଁ ଅନୁଧ୍ୟାନ କରିବା ପରେ ସଠିକ କାର୍ଯ୍ୟ ପରିଚାଳନା କରିବା ଦିଗରେ ସେମାନଙ୍କ ଆନ୍ତରିକତା କ୍ଷେତ୍ରରେ କେଉଁଠି ନା କେଉଁଠି ଅବହେଳା ପାଇଁ ଆଜି ୫୪ ବର୍ଷଧରି କୃଷକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଥିପ୍ରତି ଦୃଷ୍ଟିଦେବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି।
Comments are closed.