Patra electronics

ଧୋନି ଧମାକା; ଚେନ୍ନଇର କ୍ରମାଗତ ୩ୟ ବିଜୟ

0

ଚେନ୍ନଇ : ଚଳିତ ଆଇପିଏଲ୍‌ରେ ରବିବାର ରୋମାଞ୍ଚକର ମ୍ୟାଚ୍‌ରେ ବିଜୟୀ ହୋଇଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ରାଜସ୍ଥାନ ରୟାଲ୍‌ସକୁ ୮ ରନ୍‌ରେ ପରାସ୍ତକରି ସିଏସ୍‌କେ କ୍ରମାଗତ ୩ୟ ବିଜୟ ହାସଲ କରିଛି। ଦୟନୀୟ ସ୍ଥିତିରେ ଥିବା ସିଏସ୍‌କେକୁ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲେ ଅଧିନାୟକ ମହେନ୍ଦ୍ର ଧୋନି। ପ୍ରଥମେ ବ୍ୟାଟିଂକରି ସିଏସ୍‌କେ ଧୋନିଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ୫ ୱିକେଟରେ ୧୭୫ ରନ୍ କରିଥିଲା। ପରେ ବେନ୍‌ ଷ୍ଟୋକ୍‌ସ ଓ ଜୋଫ୍ରା ଆର୍ଚରଙ୍କ ସାହସିକ ପ୍ରୟାସ ସତ୍ତ୍ବେ ରାଜସ୍ଥାନ ୮ ୱିକେଟରେ ୧୬୭ ରନ୍ କରି ପାରିଥିଲା। ରାଜସ୍ଥାନ ତା’ର ୩ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି।
୧୭୬ ରନ୍‌ର ପିଛା କରିଥିବା ରାଜସ୍ଥାନ ରୟାଲ୍‌ସ ମାତ୍ର ୧୪ ରନ୍‌ରେ ୩ଟି ୱିକେଟ ହରାଇଥିଲା। ଅଜିଙ୍କ୍ୟ ରାହାଣେ ବିନା ସ୍କୋର୍‌ରେ ଆଉଟ ହୋଇଥିବା ବେଳେ ସଞ୍ଜୁ ସାମ୍‌ସନ ୮ ଓ ଜୋସ୍ ବଟ୍‌ଲର ୬ ରନ୍‌କରି ଆଉଟ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ଷ୍ଟିଭେନ୍ ସ୍ମିଥ୍ ଓ ରାହୁଲ ତ୍ରିପାଠୀ ୭ ଓଭରରୁ ୬୧ ରନ୍ ଯୋଡ଼ିଥିଲେ। ତ୍ରିପାଠୀ ୨୪ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୯ ରନ୍‌କରି ଆଉଟ ହୋଇଥିଲେ। ପରେ ସ୍ମିଥ୍ ୩୦ ବଲ୍‌ରୁ ୨୮ ରନ୍‌କରି ବିଦାୟ ନେଇଥିଲେ। କୃଷ୍ଣପ୍ପା ଗୌତମ ୭ ରନ୍‌ କରିଥିଲେ। ଶେଷ ୩ ଓଭରରୁ ରାଜସ୍ଥାନ ୪୪ ରନ୍ ଆବଶ୍ୟକ କରୁଥିଲା। ୧୮ଶ ଓଭରରୁ ବେନ୍‌ ଷ୍ଟୋକ୍‌ସ ଓ ଜୋଫ୍ରା ଆର୍ଚର ୧୯ ରନ୍ ନେଇଥିଲେ। ଶେଷ ଓଭରରୁ ୧୨ ରନ୍ ଆବଶ୍ୟକ ଥିବା ବେଳେ ପ୍ରଥମ ବଲ୍‌ରେ ଷ୍ଟୋକ୍‌ସ ଆଉଟ ହେବା ପରେ ରାଜସ୍ଥାନ ପରାସ୍ତ ହୋଇଥିଲା। ଷ୍ଟୋକ୍‌ସ ୨୬ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୪୬ ରନ୍‌ କରିଥିଲେ। ଆର୍ଚର ୧୧ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୪ ରନ୍‌ରେ ଅପରାଜିତ ଥିଲେ। ଦୀପକ ଚହର, ସାର୍ଦ୍ଦୁଳ ଠାକୁର ଓ ତାହିର ୨ଟି ଲେଖାଏଁ ୱିକେଟ ପାଇଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂ ନେବା ପରେ ସିଏସ୍‌କେ ୫ମ ଓଭରରେ ୨୭ ରନ୍‌କରି ୩ଟି ୱିକେଟ ହରାଇଥିଲା। ଅମ୍ବତି ରାୟୁଡୁ ମାତ୍ର ୧ ରନ୍‌କରି ଆଉଟ ହୋଇଥିଲେ। ପରେ ଅଭିଜ୍ଞ ସେନ୍ ୱାଟ୍‌ସନ ୧୩ ବଲ୍‌ରୁ ୧୩ ରନ୍‌କରି ବିଦାୟ ନେଇଥିଲେ। କେଦାର ଯାଦବ ସମ୍ମୁଖୀନ ହୋଇଥିବା ପ୍ରଥମ ୨ଟି ବଲ୍‌ରୁ ଚୌକାମାରିବା ପରେ ୩ୟ ବଲ୍‌ରେ ଆଉଟ ହୋଇଥିଲେ। ସୁରେଶ ରୈନା ଓ ମହେନ୍ଦ୍ର ସିଂହ ଧୋନି ୬୧ ରନ୍ ଯୋଗ କରିଥିଲେ। ବାମହାତି ରୈନା ୩୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୬ ରନ୍‌କରି ବିଦାୟ ନେଇଥିଲେ। ପରେ ଡ୍ବେନ୍ ବ୍ରାଭୋଙ୍କ ସହ ଧୋନି ୫ମ ୱିକେଟ ପାଇଁ ଆକ୍ରମଣାତ୍ମକ ବ୍ୟାଟିଂକରି ୫ ଓଭରରେ ୫୬ ରନ୍ ଯୋଡ଼ିଥିଲେ। ୱେଷ୍ଟଇଣ୍ଡିଜ୍‌ର ବ୍ରାଭୋ ୧୬ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୭ ରନ୍‌କରି ଆଉଟ ହୋଇଥିଲେ। ଜୟଦେବ ଉନାଦ୍‌କତ ବୋଲିଂ କରିଥିବା ଶେଷ ଓଭରରୁ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଏବଂ ଶେଷ ୩ଟି ବଲ୍‌ରୁ ଧୋନି ଛକା ମାରିବାରୁ ଏହି ଓଭରରୁ ୨୮ ରନ୍ ହୋଇଥିଲା। ଧୋନି ୪୬ ବଲ୍‌ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୭୫ ରନ୍‌କରି ଅପରାଜିତ ଥିଲେ। ଚେନ୍ନଇ ଶେଷ ୩ ଓଭରରୁ ୬୦ ରନ୍ ନେଇଥିଲା। ଜାଡ଼େଜା ୮ ରନ୍‌ରେ ଅପରାଜିତ ଥିଲେ। ଜୋଫ୍ରା ଆର୍ଚର ୨ଟି ୱିକେଟ ପାଇଥିଲେ।

Leave A Reply