ବୌଦ୍ଧରେ ବିଜେଡି ଦୁର୍ଗ ପତନ, ଚାଲିଛି ପରାଜୟର ଆତ୍ମ ସମୀକ୍ଷା
ବୌଦ୍ଧ : ଲଗାତାର ଭାବରେ ୨୪ବର୍ଷ ଧରି ବିଜୁ ଜନତା ଦଳ କ୍ଷମତା ଭୋଗ କରିବା ପରେ ରାଜ୍ୟରେ ବିଜୁ ପରିବାର ଶାସନର ଅନ୍ତ ଘଟିଛି। ବୌଦ୍ଧ ଜିଲାରେ ୧୦ବର୍ଷ ଜନତା ଦଳ ଓ ୨୪ବର୍ଷ ବିଜୁ ଜନତା ଦଳ କ୍ଷମତାରେ ରହିଥିବାବେଳେ କଂଗ୍ରେସ ଓ ବିଜେପି କ୍ଷମତାଠାରୁ ଦୂରରେ ରହିଛି।
ବୌଦ୍ଧ ଆସନରୁ ୨୦୦୦ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିରୋଧୀ ଦଳ ନେତା ସଚ୍ଚିଦାନନ୍ଦ ଦଲାଲଙ୍କୁ ପରାଜିତ କରି ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲେ ପ୍ରଦୀପ କୁମାର ଅମାତ। ଏହି ବିଜୟ ପଛରେ ସ୍ୱର୍ଗତ ନଟବର ପ୍ରଧାନଙ୍କ ଜ୍ୱାଇଁ ଭାବରେ ପରିଚୟ ଓ ଜିଲା ଓକିଲ ସଂଘର ଅକୁଣ୍ଠ ସମର୍ଥନ ସଫଳତା ଆଣି ଦେଇଥିଲା। ପରବର୍ତ୍ତି ୨୦୦୫ ନିର୍ବାଚନରେ ବିଜେଡି ଟିକଟରୁ ନିର୍ବାଚନ ଲଢି ବିଜୟୀ ହେବାପରେ ଆଉ ପଛକୁ ଫେରିନଥିଲେ ଶ୍ରୀ ଅମାତ। ଲଗାତାର ୫ ଥର ବିଜୟ ସହିତ ରାଜ୍ୟ ସରକାରରେ ଅନେକ ପ୍ରମୁଖ ପଦ ପଦବୀରେ କାର୍ଯ୍ୟ କରିଥିଲେ। କିନ୍ତୁ ଏଥର ନିର୍ବାଚନରେ ପ୍ରଥମରୁହିଁ ବିଜେଡି ବିଜେପି ମେଣ୍ଟ ହେଲେ ଶ୍ରୀଅମାତଙ୍କ ଟିକଟ କଟିବା ଓ ଯୁବ ନେତାମାନଙ୍କୁ ସୁଯୋଗ ମିଳିବା ଓ ଯୁବନେତାଙ୍କ ନାମକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା।
ରାଜନିତୀରେ ଅଭିଜ୍ଞ ହେଲେ ମଧ୍ୟ ନିଜର ରାଜନୈତିକ ଭବିଷ୍ୟତ ସଙ୍କଟ ଆଶଙ୍କା କରି ଶ୍ରୀଅମାତ ଦଳୀୟ ନେତାମାନଙ୍କୁ ସନ୍ଦେହ କରିବା ସହିତ ନିୟନ୍ତ୍ରଣରେ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଚର୍ଚ୍ଚା ସୃଷ୍ଟି କରିଥିଲା। ଫଳରେ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ନିଜକୁ ଦଳରେ ଅବହେଳିତ ମଧ୍ୟ ଅନୁଭବ କରିଥିଲେ ଏବଂ ପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ନିର୍ବାଚନ ପାଇଁ ବେଶୀ ଉତ୍ସାହ ଦେଖାଇନଥିଲେ। ଶେଷ ସମୟରେ ଦଳୀୟ କର୍ମୀଙ୍କୁ ମନାଇଲାବେଳ ବେଳ ଗଡି ସାରିଥିଲା ଏବଂ ଏହା ବିଜେପି ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ଶ୍ରୀଅମାତଙ୍କ ନିର୍ବାଚନରେ ପରାଜୟର ଏକ ପ୍ରମୁଖ କାରଣ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଅଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଶ୍ରୀଅମାତ ଖୋଦ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀର ପ୍ରାୟ ସବୁ ପଞ୍ଚାୟତରେ ଦଳ ପରାଜିତ ହେବା ଦଳ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି।
ଏହାବ୍ୟତୀତ ରାଜ୍ୟ ସରକାରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଥାଇ ମଧ୍ୟ ଶ୍ରୀଅମାତ ଜିଲାରେ ଗଣମାଧ୍ୟମକୁ ଠିକ୍ ଭାବରେ ପରିଚାଳନାରେ ବିଫଳ ହୋଇଥିଲେ। ଜିଲାରେ ସାମ୍ବାଦିକମାନେ ଅବହେଳିତ ହେବା ଯୋଗୁଁ ଏହାକୁ ନେଇ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏବେ ଜିଲାରେ ଦୁଇ ବିଜେପି ପ୍ରାର୍ଥୀଙ୍କ ବିଜୟ ପଛରେ ଗଣମାଧ୍ୟମର ପ୍ରମୁଖ ଭୂମିକା ମଧ୍ୟ ରହିଥିବା ଆଲୋଚନା ହେଉଅଛି। ସାମ୍ବାଦିକଙ୍କ ମଧ୍ୟରେ ବି ଶାସନ ପରିର୍ବତନ ନେଇ ଉତ୍ସାହ ରହିଥିବା ଦେଖାଯାଇଛି।
କଣ୍ଟାମାଳରେ ବିଜେଡିର ପରାଜୟକୁ ନେଇ କାରଣ ସ୍ପଷ୍ଟ ଥିବାବେଳେ ବୌଦ୍ଧରେ ଦଳର ହେଭିୱେଟ ନେତାଙ୍କ ପରାଜୟ ବିଜେଡି ସଂଗଠନକୁ ଦୋହଲାଇ ଦେଇଛି। ଜିଲାରେ ବିଜେଡିର ଦୁଇନେତାଙ୍କ ପରାଜୟର କାରଣ ଯାହା ହେଉନା ଦଳୀୟ ସଂଗଠନକୁ ଆଗକୁ ନେବା ଓ ବିରୋଧୀ ଦଳ ଭାବରେ ଜିଲାରେ ଭୂମିକା ନିର୍ବାହ କରିବା ଦଳ ପାଇଁ ଏବେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଗକୁ ଜିଲାରେ ବିଜେଡି କେଉଁ ରଣନିତି ଆପଣାଉଛି ତାହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜାରି ରହିଛି।
Comments are closed.