ବମିଖାଲ୍‍ ଓଭରବ୍ରିଜ୍‍ ଦୁର୍ଘଟଣା ପାଇଁ ଠିକା ସଂସ୍ଥାଦାୟୀ: ପୂର୍ତ୍ତବିଭାଗ

0

ଭୁବନେଶ୍ୱର: ବମିଖାଲ୍‍ ଓଭରବ୍ରିଜ୍‍ ଦୁର୍ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଆଜି ପୂର୍ତ୍ତ ବିଭାଗର ହସ୍ତଗତ ହୋଇଛି। ଦୁର୍ଘଟଣା ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ପଣ୍ଡା ଇନ୍‍ଫ୍ରା ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି ତିନିଜଣିଆ କମିଟି ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ, ନିର୍ମାଣ ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପ୍ରତି ଠିକାଦାର ସଂସ୍ଥା ଅଣଦେଖା କରିଥିଲା। ନିର୍ମାଣ କାମରେ ଅଣକୁଶଳୀ ଶ୍ରମିକ ନିୟୋଜିତ ହୋଇଥିଲେ। ତେଣୁ ଏହି ଘଟଣା ପରେ ପଣ୍ଡା ଇନ୍‍ଫ୍ରାକୁ ବମିଖାଲ୍‍ ଓଭରବ୍ରିଜ୍‍ ସମେତ ଜଟଣୀ ଓ ସମ୍ବଲପୁର ବ୍ରିଜ୍‍ ନିର୍ମାଣ କାମରୁ ଅନ୍ତର କରାଯାଇଛି। ବମିଖାଲ୍‍ ଓଭରବ୍ରିଜ୍‍ର ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ସରକାର ନିଜେ ହାତକୁ ନେଇଛନ୍ତି। କାମ ୨ମାସ ଭିତରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କାମ ସରିବା ପରେ ଅନ୍ୟ ଏକ ସଂସ୍ଥା ଦ୍ୱାରା କାମର ମାନ ଯାଞ୍ଚ କରାଯିବ। ଅନ୍ୟ ଦୁଇ ବ୍ରିଜର ନିର୍ମାଣ କିଏ କରିବ ତାହା ପରେ ନିଷ୍ପତ୍ତି ନିଆଯିବ। ସେହି ଦୁଇ ବ୍ରିଜ୍‍ ପାଇଁ ସାନି ଟେଣ୍ଡର ହେବ। ସେହିପରି ଦୁର୍ଘଟଣା ପରେ ପଣ୍ଡା ଇନ୍‍ଫ୍ରାର ଏମ୍‍ଡି ପ୍ରତାପ ଚନ୍ଦ୍ର ପଣ୍ଡାଙ୍କୁ ଗିରଫ କରାଯାଇଥିବା ବେଳେ ସଂସ୍ଥାର ଅନ୍ୟତମ ନିର୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କୁ ମଧ୍ୟ ଆଜି ଗିରଫ କରାଯାଇଛି। ଏହି ଘଟଣାରେ ଆଉ କିଏ ଦାୟୀ ସେ ବିଷୟରେ ତଦନ୍ତ ହେବ। ଦାୟିତ୍ୱରେ ଥିବା ସରକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‍ ମଗାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।

Leave A Reply