ତୃଣମୂଳକୁ ହରାଇବା ପାଇଁ ବିଜେପି-କଂଗ୍ରେସ-ସିପିଆଇଏମ୍‌ ମେଣ୍ଟ

0

କଲାକାତା : ପଞ୍ଚାୟତ ନିର୍ବାଚନରେ ଅନ୍‌ଲାଇନ୍‌ରେ ପ୍ରାର୍ଥିପତ୍ର ଦାଖଲ ପାଇଁ ମଙ୍ଗଳବାର କଲକାତା ହାଇକୋର୍ଟ ଅନୁମତି ଦେବା ପରେ ରାଜ୍ୟରେ ଏକ ବିଚିତ୍ର ରାଜନୈତିକ ପରିସ୍ଥିତି ଲକ୍ଷ୍ୟ କରାଯାଇଛି। ପଞ୍ଚାୟତ ନିର୍ବାଚନ ଯଦିଓ ଦଳୀୟ ଭିତ୍ତିରେ ଅନୁଷ୍ଠିତ ହୋଇ ନ ଥାଏ; ତଥାପି ଦଳୀୟ ରାଜନୀତିର ପ୍ରଭାବ ଜାରି ରହିଥାଏ। ଏହି ପରିପ୍ରେକ୍ଷୀରେ ବିଧିବଦ୍ଧ ଭାବେ ନ ହେଲେ ମଧ୍ୟ ତୃଣମୂଳ କଂଗ୍ରେସର ବାଟ ଓଗାଳିବା ପାଇଁ ସମସ୍ତ ପରଷ୍ପର ବିରୋଧୀ ଦଳ ହାତ ମିଳାଇବା ଭଳି ବିଚିତ୍ର ସ୍ଥିତି ଲକ୍ଷ୍ୟ କରାଯାଇଛି। ରାଜ୍ୟର ତିନି ପ୍ରମୁଖ ଦଳ ସିପିଆଇ-ଏମ୍‌, କଂଗ୍ରେସ ଓ ବିଜେପି ଏକତ୍ର ତୃଣମୂଳ କଂଗ୍ରେସକୁ ବିରୋଧ କରିବା ସହ ଅଧିକାଂଶ ସ୍ଥାନରେ ମିଳିତ ପ୍ରାର୍ଥୀ ଛିଡ଼ା କରାଇଥିବା ଜଣାପଡ଼ିଛି। ଏଭଳି ମିଳନ ପାଇଁ କଂଗ୍ରେସ ହିଁ ମଧ୍ୟସ୍ଥ ସାଜିଥିବା ଚର୍ଚ୍ଚା ହେଉଛି। ଏପ୍ରିଲ ୨୮ରେ ବିଜେପି ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ସିପିଆଇ-ଏମ୍‌ ବିଧାୟକଙ୍କ ଯୋଗଦାନ ପରେ ଏବେ ବିଭିନ୍ନ ସ୍ଥାନରେ ଉଭୟ ଦଳର କର୍ମୀମାନେ ଏକାଠି ମିଶି ନିର୍ବାଚନ ପ୍ରଚାର ଚଳାଇଥିବା ଓ ମିଳିମିଶି ଗୋଟିଏ କାନ୍ଥରେ ପୋଷ୍ଟର ଲଗାଉଥିବା ଦେଖିବାକୁ ମିଳୁଛି। ତୃଣମୂଳ କଂଗ୍ରେସର ଆତଙ୍କରାଜ ବିରୋଧରେ ସେମାନେ ଏକାଠି ହୋଇଥିବା ଜଣେ ବରିଷ୍ଠ ସିପିଆଇ-ଏମ୍‌ ନେତା କହିଛନ୍ତି। ଏଭଳି ଅନୈତିକ ମେଣ୍ଟ ଦ୍ୱାରା ବାମ-ଦକ୍ଷିଣ ପନ୍ଥୀଙ୍କ ତଥାକଥିତ ଆଦର୍ଶ ପଦାରେ ପଡ଼ିଯାଇଛି ବୋଲି ଜଣେ ତୃଣମୂଳ ନେତା ପରିହାସ କରି କହିଛନ୍ତି।

Leave A Reply