ବିଶ୍ରା ଆକ୍ରାନ୍ତଙ୍କ ନିଜାମୁଦ୍ଦିନ୍ ସଂପର୍କ – ଗସ୍ତ ବିବରଣୀ ଜାରି କଲେ ରାଜ୍ୟ ସରକାର
ଡେସ୍କ: ରାଜ୍ୟ ସରକାର ଶନିବାର ଚିହ୍ନଟ କରିଥିବା ୪ ଓ ଶୁକ୍ରବାର ଚିହ୍ନଟ ଜଣେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି। ରବିବାର ୫୦ ରୁ ୫୪ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ ଜରିଆରେ ଜାରି କରିଛି। ସୁନ୍ଦରଗଡ଼ ଜିଲାର ବିଶ୍ରା ଅଞ୍ଚଳର ୨ ଜଣ, କେନ୍ଦ୍ରପଡ଼ା ଜିଲା ରାଜନଗର ଅଞ୍ଚଳର ଜଣେ ଓ ରାଜଧାନୀ ଭୁବନେଶ୍ୱରର ଜଣେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଲୋକଲୋଚନକୁ ଆସିଛି।
ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳରୁ ରାଜ୍ୟର ୫୧ ଓ ୫୨ ନମ୍ବର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୧ ନମ୍ବର କରେନା ଆକ୍ରାନ୍ତଙ୍କ ବୟସ ୬୭ ବର୍ଷ। ସେ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସ (ଗାଡ଼ି ନଂ ୧୮୪୭୭)ରେ ମାର୍ଚ୍ଚ ୫ ତାରିଖରେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ମାର୍ଚ୍ଚ ୬-୧୦ ଯାଏଁ ଦିଲ୍ଲୀ ଓ ନିଜାମୁଦ୍ଦିନର ରହିଥିଲେ। ମାର୍ଚ୍ଚ ୧୦ରେ ନିଜାମୁଦ୍ଦିନରୁ ବିଳାସପୁର ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ (ଗାଡ଼ି ନଂ ୧୨୮୨୪, ଏସ-୪, ୪୯)ରେ କଟନୀ ଆସିଥିଲେ। ସେଠାରୁ ସେ ଅନ୍ୟ ଏକ ସଂଯୋଗ କରୁଥିବା ଟ୍ରେନରେ ବିଳାସପୁର ଆସିଥିଲେ। ମାର୍ଚ୍ଚ ୧୧ରେ ରାଉରେକଲାରେ ପହଞ୍ଚିବା ପରେ ଏକ ସେୟାର ଅଟୋରେ ବିଶ୍ରା ଘରକୁ ଯାଇଥିଲେ। ମାର୍ଚ୍ଚ ୧୨ରୁ ଏପ୍ରିଲ ୨ ଯାଏଁ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ। ଏହା ପରେ ଏପ୍ରିଲ ୨ରୁ ୧୧ ଯାଏ ରାଉରକେଲାରେ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ। ଏପ୍ରିଲ ୧୧ରେ ପଜିଟିଭ ଚିହ୍ନଟ ହୋଇଥିଲେ। ସେହି ଦିନ ତାଙ୍କୁ ରାଉରକେଲାର ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ରାଜ୍ୟର ୫୧ତମ କରୋନା ଆକ୍ରାନ୍ତଙ୍କ ବୟସ ୧୮ ବର୍ଷ। ସେ ମାର୍ଚ୍ଚ ୧୦ରେ ନିଜାମୁଦ୍ଦିନ ଫେରନ୍ତା ୫୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେଦିନ ସେ ଯାଜପୁର ଜିଲ୍ଲାର ଚାରିନଙ୍ଗଳଠାରୁ ରାଉରକେଲାକୁ ବସରେ ଯାତ୍ରା କରିଥିଲେ। ରାଉରକେଲାରୁ ବିଶ୍ରା ଯିବା ପାଇଁ ସେ ମାର୍ଚ୍ଚ ୧୧ ତାରିଖରେ ଏକ ଅଟୋ ସହ ଯୋଗାଯୋଗ କରିଥିଲେ। ମାର୍ଚ୍ଚ ୧୧ରୁ ୨୦ ମଧ୍ୟରେ ଆଶିୟାନା ମସଜିଦରେ ରହିଥିଲେ। ମାର୍ଚ୍ଚ ୧୪ରୁ ଏପ୍ରିଲ ୫ ମଧ୍ୟରେ ସୁନ୍ଦରଗଡ଼ର ବନାର ନିକଟ ଏକ ମସଜିଦରେ ରହିଥିଲେ। ଏହା ପରେ ତାଙ୍କୁ ଏପ୍ରିଲ ୫ରୁ ୧୧ ଯାଏଁ ସରାକାରୀ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଏପ୍ରିଲ ୧୧ରେ ତାଙ୍କର ସ୍ୱାବ ନମୁନା ପଜିଟିଭ ଜଣାପଡ଼ିବା ପରେ ତାଙ୍କୁ ହାଇଟେକେ ମେଡିକାଲର କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଏବେ ସଂପୃକ୍ତ ବିଶ୍ରା ଅଞ୍ଚଳକୁ ପୁଲିସ ପକ୍ଷରୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇ ସଟ୍ଡାଉନ୍ କରାଯାଇଛି। ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ୪୬ ବର୍ଷୀୟ ବ୍ୟକ୍ତି ହେଉଛନ୍ତି ରାଜ୍ୟର ୫୩ ନମ୍ବର କରୋନା ଆକ୍ରାନ୍ତ। ସେ ୪୨ ନମ୍ବର କରୋନା ଆକ୍ରାନ୍ତଙ୍କ ସଂପର୍କୀୟ। ସେ ମାର୍ଚ୍ଚ ୨୫ରୁ ଏପ୍ରିଲ ୩ ଯାଏଁ ବାଙ୍କୁଆଳ, କେସୁରା, ସହିଦନଗର ଯାଇଥିଲେ। ଏପ୍ରିଲ ୪ରୁ ୬ ମଧ୍ୟରେ ସେ ୪୨ ନମ୍ବର କରୋନା ଆକ୍ରାନ୍ତଙ୍କୁ ଭେଟିବା ପାଇଁ ଏମ୍ସ ଭୁବନେଶ୍ୱର ଯାଇଥିଲେ। ତାଙ୍କୁ ଏପ୍ରିଲ ୭ରୁ ୧୦ ମଧ୍ୟରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଏପ୍ରିଲ ୧୧ରେ ପଜିଟିଭ ଚିହ୍ନଟ ହେବା ପରେ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟର ୫୪ ନମ୍ବର କରୋନା ଆକ୍ରାନ୍ତଙ୍କ ବୟସ ହେଉଛି ୧୭ ବର୍ଷ। ସେ କେନ୍ଦ୍ରାପଡ଼ା ଜିଲାର ରାଜନଗର ଅଞ୍ଚଳର ଜଣେ ବାଳିକା। ସେ ମାର୍ଚ୍ଚ ୨୯ରେ ଗାଁକୁ ପହଞ୍ଚିବା ପୂର୍ବରୁ କୋଲକାତାରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଓ ଭଦ୍ରକ ଦେଇ ଆସିଥିଲେ। ବାଟରେ ଚା’ ପିଇଥିଲେ। ଓସ୍ତିଆ ଗ୍ରାମପଞ୍ଚାୟତର ନଳଦିଆ ଗାଁରେ ନିଜ ଘରେ ମାର୍ଚ୍ଚ ୩୦ରୁ ଏପ୍ରିଲ ୧୧ ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିଲେ। ଏପ୍ରିଲ ୧୧ରେ ତାଙ୍କର ନମୁନା ପଜିଟିଭ ଚିହ୍ନଟ ହୋଇଥିଲା। ଏହା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଅନ୍ୟପକ୍ଷରେ ଶୁକ୍ରବାର ରାତିରେ ଚିହ୍ନଟ ୫୦ ତମ କରୋନା ସଂକ୍ରମିତ ଜଣେ ୨୨ ବର୍ଷୀୟ ଯୁବକ। ସେ ଭୁବନେଶ୍ୱର ମଧୁସୂଦନ ନଗରର ୪୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ଓ ୟୁନିଟ୍ ୪ରେ ରହୁଥିଲେ। ସେ ସଂକ୍ରମିତ ହେବା ପୂର୍ବରୁ ବଡ଼ଅନ୍ତୁଡା, ବାରାପୁର, ଖୋର୍ଦ୍ଧା ଯାଇଥିଲେ। ଏହାସହ ୟୁନିଟ-୩ ଷ୍ଟେସନ୍ ସ୍କୋୟାର, ସତ୍ୟନଗର, ଝାରପଡ଼ା ମଧ୍ୟ ବୁଲିଛନ୍ତି। ଏପ୍ରିଲ ୧୦ ତାରିଖ ଦିନ ତାଙ୍କ ନମୁନା ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କୁ କିମ୍ସ ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Comments are closed.