୨ ହାତୀଦାନ୍ତ ଜବତ, ୧୦ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଞ୍ଚଳରେ ଏକ ଯୋଡ଼ା ହାତୀଦାନ୍ତ କିଣିବା ପାଇଁ ମୂଲଚାଲ ଚାଲିଥିବା ବେଳେ ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୩୦.୯ କିଲୋଗ୍ରାମ ଓଜନର ଏକଯୋଡ଼ା ଅର୍ଥାତ୍‌‌ ଦୁଇଟି ହାତୀଦାନ୍ତକୁ ଜବତ ସହିତ ଦଶଜଣଙ୍କୁ ଗିରଫ କରାଯାଇଥିବା ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ଉପନିର୍ଦ୍ଦେଶକ ଡ. ଦେବଜେଡ଼ ସୂଚନା ଦେଇଛନ୍ତି।

prayash

ଏହି ଚଢ଼ାଉରେ ମିଳିତ ଭାବେ ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡ ଏବଂ ରାଇରଙ୍ଗପୁର ବନଖଣ୍ଡର ବରିଷ୍ଠ ଅଧିକାରୀଙ୍କ ସମେତ କର୍ମଚାରୀ ପ୍ରମୁଖ ସାମିଲ ଥିଲେ। ଗିରଫ ଦଶଜଣଙ୍କ ମଧ୍ୟରେ ଶିକାରୀ ଓ ମଧ୍ୟସ୍ଥ ବ୍ୟକ୍ତି ରହିଥିବା ପ୍ରକାଶ। ଶିମିଳିପାଳର ଖେଜୁରୀ ଗ୍ରାମ ଓ ଯଶିପୁର ଅଞ୍ଚଳରୁ ଚାରିଜଣ ଲେଖାଏ ଥିବା ବେଳେ ବିଶୋଇ ଅଞ୍ଚଳର ଦୁଇଜଣ ଥିବା ଜଣାଯାଇଛି।

ବିଭାଗୀୟ ସୂଚନା ଅନୁଯାୟୀ ଗିରଫ ୧୦ଜଣଙ୍କ ମଧ୍ୟରୁ ଯଶିପୁର ଥାନା ଇଲାକାର ଥିବା ନଅଜଣଙ୍କ ମଧ୍ୟରେ ଖେଜୁରୀ ଗ୍ରାମର ତିନିଜଣ ଡାବରା ବାଦ୍ରା(୪୫), ବାର୍ଗା ବାଦ୍ରା(୨୧) ଓ ପାପୁଲୁ ବାଦ୍ରା(୨୨); ଧାରୁଆବେଡ଼ା ଗ୍ରାମର ଦୁଇଜଣ ଆନନ୍ଦ କେଶରୀ(୫୫) ଓ ଶିବଶଙ୍କର ବାନରା(୫୫); ସାଉଁପାଲ ଗ୍ରାମର ଘାସିରାମ ଜିରାଇ(୪୫), ତମାକସିଲା ଗ୍ରାମର ଚାକୁ ଆଲଦା(୩୫), କାଣ୍ଡବିଲ ଗ୍ରାମର ସନାତନ ବାଦ୍ରା(୨୪) ଏବଂ ଠାକୁରଗୋଡ଼ା ଗ୍ରାମର ମାର୍କନ୍ଦ ହୋ(୨୩) ରହିଥିବା ବେଳେ ବିଶୋଇ ଥାନା ଇଲାକା ନୂଆଗାଁ ଗ୍ରାମର ନରେନ୍ଦ୍ର ବାନରା (୫୩) ବୋଲି ପ୍ରକାଶ। ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ସହିତ ଅଭିଯୁକ୍ତଙ୍କୁ ବିଚାର ବିଭାଗ ହାଜତକୁ ପଠାଯିବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରକାଶ। ଜବତ ହୋଇଥିବା ହାତୀଦାନ୍ତର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଦଶକୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି କୁହାଯାଇଛି।

Comments are closed.