୬୦୦ ବର୍ଷ ପରେ ବଦଳିଲା ବଦ୍ରିନାଥଙ୍କ ଛତ୍ର
ଡେରାଡୁନ : ଗଢୱାଲ ହିମାଳୟସ୍ଥିତ ଭଗବାନ ବଦ୍ରିନାଥଙ୍କ ଶ୍ରୀବିଗ୍ରହ ଉପରେ ଥିବା ଛତ୍ରକୁ ଦୀର୍ଘ ୬୦୦ ବର୍ଷ ପରେ ବଦଳାଯାଇଛି । ବୁଧବାର ପୁରୁଣା ଛତ୍ରକୁ କଢାଯାଇ ତା ସ୍ଥାନରେ ୪ କିଲୋ ସୁନା ଏବଂ ରତ୍ନ ନିର୍ମିତ ଏକ ନୂଆ ଛତ୍ର ଚଢାଯାଇଛି। ପଞ୍ଜାବ ଲୁଧିଆନାର ଜ୍ଞାନସେନ ସୁଦ ପରିବାର ଏହି ଛତ୍ର ଚଢାଇଛନ୍ତି । ବଦ୍ରିନାଥ ଧାମ ପୂଜକଙ୍କ କହିବା ଅନୁସାରେ ୬୦୦ ବର୍ଷ ତଳେ ପୂର୍ବ ଗ୍ୱାଲିୟର ମହାରାଣୀ ଏକ ସ୍ୱର୍ଣ୍ଣ ଛତ୍ର ଚଢାଇଥିଲେ। ଏବେ ସେହି ଛତ୍ରକୁ ବଦଳାଯାଇ ନୂଆ ଛତ୍ର ଚଢାଯାଇଛି । ଛତ୍ର ଚଢାଉଥିବା ପରିବାରର ୩ ଶହରୁ ଊର୍ଦ୍ଧ୍ବ ଲୋକ ପୂଜାର୍ଚ୍ଚନା ବେଳେ ଉପସ୍ଥିତ ଥିଲେ । ବଦ୍ରିନାଥଙ୍କୁ ଛତ୍ର ଚଢାଇବା ପାଇଁ ୨୦୧୭ରେ ଏହି ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ । ଉଲ୍ଲେଖ ଯେ ସୁଦ ପରିବାରର ଦାଦା ଗୁରୁ ମହର୍ଷି ମୁକ୍ତଜୀ ୧୯୧୮ରେ ବଦ୍ରିନାଥ ଯାତ୍ରା କରିଥିଲେ । ଯାତ୍ରା ଶତବାର୍ଷିକୀ ପାଳନ ଅବସରରେ ଦାଦା ଗୁରୁ ମହର୍ଷି ମୁକ୍ତଜୀ ସ୍ମୃତିରେ ସୁଦ ପରିବାର ନୂତନ ଛତ୍ର ଚଢାଇଛି । ହେଲିକପ୍ଟର ଯୋଗେ ଏହି ଛତ୍ର ବଦ୍ରିନାଥ ମନ୍ଦିରକୁ ନିଆଯାଇଥିଲା ।