ଭାରତୀୟଙ୍କ ଆୟୁଷ ୮.୪ ବର୍ଷ ବଢିଲା
ନୂଆଦିଲ୍ଲୀ : ଭାରତରେ ଲୋକଙ୍କ ହାରାହାରି ଜୀବନ କାଳ (ଜୀବନ ପ୍ରତ୍ୟାଶା) ୨୫ ବର୍ଷ ମଧ୍ୟରେ ୮.୪ ବର୍ଷ ବୃଦ୍ଧି ପାଇଛି। ଲୋକଙ୍କ ହାରାହାରି ଜୀବନ କାଳ ୧୯୯୧ରେ ୬୦.୩ ବର୍ଷରୁ ବୃଦ୍ଧି ପାଇ ୨୦୧୬ରେ ୬୮.୭ ବର୍ଷରେ ପହଞ୍ଚିଛି। ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ହାରାହାରି ଜୀବନ କାଳରେ ଅଧିକ ସୁଧାର ଆସିଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ପ୍ରକାଶିତ ‘ହ୍ୟାଣ୍ଡବୁକ୍ ଷ୍ଟାଟିଷ୍ଟିକ୍ସ-୨୦୧୯’ ଅନୁସାରେ ୧୯୯୩ରୁ ୧୯୯୭ ମଧ୍ୟରେ ପୁରୁଷଙ୍କ ହାରାହାରି ଜୀବନ କାଳ ୬୦.୪ ବର୍ଷ ଥିଲାବେଳେ ମହିଳାଙ୍କ ହାରାହାରି ଜୀବନ କାଳ ୬୧.୮ ବର୍ଷ ଥିଲା। ୨୦୧୨ରୁ ୨୦୧୬ ମଧ୍ୟରେ ପୁରୁଷଙ୍କ ହାରାହାରି ଜୀବନ କାଳ ବୃଦ୍ଧି ପାଇ ୬୭.୪ ବର୍ଷ ଓ ମହିଳାଙ୍କ ହାରାହାରି ଜୀବନ କାଳ ବୃଦ୍ଧି ପାଇ ୭୦.୨ ବର୍ଷ ରହିଛି। ଅର୍ଥାତ ପୁରୁଷଙ୍କ ହାହାହାରି ଜୀବନ କାଳରେ ୭ ବର୍ଷ ବୃଦ୍ଧି ଘଟିଥିବାବେଳେ ମହିଳାଙ୍କ ହାରାହାରି ଜୀବନ କାଳରେ ୮.୪ ବର୍ଷ ବୃଦ୍ଧି ଘଟିଛି। ଦେଶର ଏକ ମାତ୍ର ରାଜ୍ୟ ଭାବେ ବିହାରରେ ମହିଳାଙ୍କ ହାରାହାରି ଜୀବନ କାଳ ପୁରୁଷଙ୍କ ହାରାହାରି ଜୀବନ କାଳଠାରୁ କମ୍ ରହିଛି। ବିହାରରେ ପୁରୁଷଙ୍କ ହାରାହାରି ଜୀବନ କାଳ ୬୮.୯ ବର୍ଷ ଓ ମହିଳାଙ୍କ ହାରାହାରି ଜୀବନ କାଳ ୬୮.୫ ବର୍ଷ ରହିଛି। ଆରବିଆଇର ତାଜା ରିପୋର୍ଟ ଅନୁସାରେ ଛତିଶଗଡ଼ରେ ପୁରୁଷଙ୍କ ଆୟୁଷ ସବୁଠାରୁ କମ ରହିଛି। ଛତିଶଗଡ଼ରେ ପୁରୁଷଙ୍କ ହାରାହାରି ଜୀବନ କାଳ ୬୩.୬ ବର୍ଷ ରହିଛି। ଦିଲ୍ଲୀରେ ପୁରୁଷଙ୍କ ହାରାହାରି ଜୀବନ କାଳ ୭୨.୭ ବର୍ଷ ଓ ମହିଳାଙ୍କ ହାରାହାରି ଜୀବନ କାଳ ୭୫.୯ ବର୍ଷ ରହିଛି। ସେହିପରି କେରଳରେ ପୁରୁଷ ଓ ମହିଳାଙ୍କ ହାରାହାରି ଜୀବନ କାଳ ଯଥାକ୍ରମେ ୭୨.୨ ବର୍ଷ ଏବଂ ୭୭.୯ ବର୍ଷ, ଜାମ୍ମୁ କାଶ୍ମୀରରେ ଯଥାକ୍ରମେ ୭୧.୬ ବର୍ଷ ଏବଂ ୭୬.୨ ବର୍ଷ ରହିଛି। ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପୁରୁଷଙ୍କ ହାରାହାରି ଜୀବନ କାଳ ଯଥାକ୍ରମେ ୬୩.୬ ବର୍ଷ, ୬୩.୭ ବର୍ଷ ଏବଂ ୬୩.୯ ବର୍ଷ ରହିଥିବାବେଳେ ମହିଳାଙ୍କ ହାରାହାରି ଜୀବନ କାଳ ୬୬.୮ ବର୍ଷ, ୬୭.୨ ବର୍ଷ ଏବଂ ୬୫.୬ ବର୍ଷ ରହିଛି।