ଆଠଗଡ ଓ ବଡମ୍ବାର ଗଣତି ପାଇଁ ପ୍ରସ୍ତୁତି ଚୁଡାନ୍ତ, ‘ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ପୁଲିସ ସୁରକ୍ଷା ବ୍ୟବସ୍ଥା’

ଆଠଗଡ: ଚଳିତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଭୋଟ ଗଣତିକୁ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟିବ ଆସନ୍ତା ମଙ୍ଗଳବାର ଅର୍ଥାତ ଜୁନ ୪ ତାରିଖରେ । ୮୭ ବଡମ୍ବା ଓ ୮୯ ଆଠଗଡ ନିର୍ବାଚନ ମଣ୍ଡଳୀ ଦ୍ୱୟର ଭୋଟ ଗଣତି ସ୍ଥାନୀୟ ଗୋପବନ୍ଧୁ ବିଜ୍ଞାନ କଲେଜ ପରିସରରେ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଚୁଡାନ୍ତ ହୋଇସାରିଛି । ଗତ ମେ ୨୫ ତାରିଖରେ ମତଦାନ ପ୍ରକ୍ରିୟା ଶେଷ ହେବାପରେ ବଡମ୍ବାର ୨୯୨ଟି ଓ ଆଠଗଡର ୨୫୪ଟି ବୁଥର ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବ୍ୟବହୃତ ଇଭିଏମଗୁଡିକୁ କଡା ସଶସ୍ତ୍ର ପୁଲିସ ଓ ସିସିଟିଭି ସୁରକ୍ଷା ବଳୟ ମଧ୍ୟରେ କଲେଜର ପୃଥକ ପୃଥକ କକ୍ଷରେ ସୁରକ୍ଷିତ ରଖାଯାଇଛି ।
ଉଭୟ ନିର୍ବାଚନ କ୍ଷେତ୍ରର ନିର୍ବାଚନ ଅଧିକାରୀ(ରିଟର୍ଣ୍ଣିଂ ଅଫିସର) ତଥା ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରତିଦିନ ଅତିକମରେ ଦୁଇଥର କଲେଜ ଯାଇ ଇଭିଏମ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି । ମଙ୍ଗଳବାର ଉଭୟ ବଡମ୍ବା ଏବଂ ଆଠଗଡର ବିଧାନସଭା ଓ ଲୋକସଭାର ଭୋଟଗଣତି ମୋଟ ୪ଟି ପୃଥକ ପୃଥକ କକ୍ଷରେକରାଯିବ । ଆଠଗଡ ପାଇଁ ଦୁଇଟି ଓ ବଡମ୍ବା ପାଇଁ ଦୁଇଟି ଲେଖାଏଁ କକ୍ଷରେ  ୧୪ଟି ଲେଖାଁଏ ଟେବୁଲରେ ମତଗଣନା ହେବ ବୋଲି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ତରାଇଙ୍କ ସୂତ୍ରରୁ ପ୍ରକାଶ । ଭୋଟଗଣତି ଲାଗି ପ୍ରତି ଟେବୁଲରେ ୩ ଜଣ ଲେଖାଁଏ ଅଧିକାରୀ ନିୟୋଜିତ ହେବାକୁ ଥିବାରୁ ୪ଟି କକ୍ଷରେ ୧୪ ଟି କରି ଟେବୁଲରେ ସମୁଦାୟ ୧୬୮ ଜଣ ଗଣତି କାର୍ଯ୍ଯ ସମ୍ପାଦନ କରିବେ ।
prayash
ସେହିପରି ଇଭିଏମ ଷ୍ଟ୍ରଙ୍ଗ ରୁମରୁ ବାହାର କରି ଗଣତି କକ୍ଷକୁନେବା ଆଣିବା ଓ ଫଳାଫଳ କମ୍ପ୍ୟୁଟର ମାଧ୍ୟମରେ ପ୍ରେରଣ କାର୍ଯ୍ଯରେ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ୧୮୦ କର୍ମଚାରୀ ଓ ଶ୍ରମିକ ନିୟୋଜିତ ହେବେ । ବଡମ୍ବାର ୨୯୨ ବୁଥର ମତଗଣନା ୨୧ ଟି ରାଉଣ୍ଡ ଏବଂ ଆଠଗଡର ୨୫୪ ଗୋଟି ବୁଥର ଭୋଟ ଗଣତି ୧୯ଟି ରାଉଣ୍ଡରେ ଶେଷ ହେବ । ଗଣତି ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ, ଓଡିଶା ସଶସ୍ତ୍ର ପୁଲିସ ଓ ସ୍ଥାନୀୟ ପୁଲିସକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନ ଓ ନିର୍ବାଚନ ଅଧିକାରୀଙ୍କ ଅନୁମତି ପତ୍ର (ପାସ୍) ବିନା କାହାରିକୁ ଗଣତି କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବନି ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ନିର୍ବାଚନ ପରବର୍ତ୍ତୀ ବୁଥ୍ ବାହୁଡା ସର୍ଭେ ବା ଏକ୍ଜିଟ ପୋଲର ପୂର୍ବାନୁମାନ ପରେ ଏବେ ମତଦାତାଙ୍କ ଉତ୍କଣ୍ଠା ଏବଂ ପ୍ରାର୍ଥୀ ଓ ରାଜନୈତିକ ଦଳ ନେତାଙ୍କ ମଧ୍ଯରେ ଆଶା ଓ ଆଶଙ୍କା ବହୁଗୁଣିତ ହୋଇଯାଇଛି । ଜୁନ ୪ ତାରିଖରେ ଭୋଟ ଗଣତି ସରି ଫଳାଫଳ ପ୍ରକାଶନ ପରେ ସମସ୍ତ ଆଶା, ଆଶଙ୍କା ଓ ଉକ୍ତଣ୍ଠାର ପରିସମାପ୍ତି ଘଟିବ ଏବଂ ତା ପରେ କେନ୍ଦ୍ର ଓ ରାଜ୍ୟରେ କିଏ ସରକାର ଗଢିବ ତାହା ମଧ୍ଯ ସ୍ପଷ୍ଟ ହୋଇଯିବ ।

Comments are closed.