ତମ୍ବାଖୁ ବର୍ଜନ ଦିବସରେ ସଚେତନତା ସୃଷ୍ଟି

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଜୋରନ୍ଦା ସେକ୍ଟର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ମିଳିତ ଆନୁକୁଲ୍ୟରେ ବେଣ୍ଟପଦା ଗ୍ରାମରେ ଶୁକ୍ରବାର ତମ୍ବାଖୁ ବର୍ଜନ ଦିବସ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‌‌ ଅସ୍‌‌ଲମ୍‌‌ ତମ୍ବାଖୁ ସେବନ ଦ୍ୱାରା ବହୁ ଦୂରାରୋଗରେ ଲୋକମାନେ ପୀଡିତ ହେଉଥିବାରୁ ତମ୍ବାଖୁ ସେବନ ବର୍ଜନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

prayash

ତମ୍ବାଖୁଜାତୀୟ ଦ୍ରବ୍ୟ ବ୍ୟବହାର ଦ୍ୱାରା ଲୋକମାନେ କର୍କଟ, ଯକ୍ଷ୍ମା, ଶ୍ୱାସନଳୀରେ ଗୁରୁତର ସଂକ୍ରମଣ, ପ୍ରଜନନ କ୍ଷମତା ହ୍ରାସ, ମସ୍ତିକ ଓ ହୃଦ୍‌‌ଘାତ ଏବଂ ପାକସ୍ଥଳୀରେ ଘା ଭଳି ଶାରିରୀକ ଅସୁସ୍ଥତାରେ ପୀଡିତ ହେଉଛନ୍ତି। ତମ୍ବାଖୁ ସେବନକୁ ନିୟନ୍ତ୍ରଣ କରିବା ଲାଗି ସରକାର ବହୁ ପଦକ୍ଷେପ ନେଉଥିଲେ ମଧ୍ୟ ଲୋକମାନଙ୍କର ସଚେତନତାର ଅଭାବ ଓ ସତର୍କତା ଅବଲମ୍ବନ କରୁନଥିବାରୁ ବିଭିନ୍ନ ରୋଗର ଶିକାର ହେଉଛନ୍ତି ବୋଲି ଶ୍ରୀ ଅସଲମ କହିବା ସହ ତମ୍ବାଖୁ ସଂପୂର୍ଣ୍ଣ ବର୍ଜନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ରଶ୍ମିରଞ୍ଜନ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ। ସ୍ୱାସ୍ଥ୍ୟକର୍ମୀ ସୁରେଖା ପ୍ରଧାନ, ବିଜୟ କୁମାର ଜେନା, ସିଏଚଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ଅଙ୍ଗନବାଡି କର୍ମୀ ଧରିତ୍ରୀ ସ୍ୱାଇଁ, ପ୍ରମୋଦିନୀ ପୃଷ୍ଟି, ଆଶାକର୍ମୀ ଅବନ୍ତି ବେହେରା, ଉର୍ମିଳା ବାଘ, ତିଳୋତ୍ତମା ସାହୁ, ବାସନ୍ତୀ ରାଉଳଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.