ମହାତ୍ମାଗାନ୍ଧୀଙ୍କର ଅହିଂସା ନୀତି ଆଜି ବି ବିଶ୍ୱର ବହୁ ଦେଶରେ ଆଦୃତ
ଗାନ୍ଧିବାଦର ପ୍ରାସଙ୍ଗିକତା ଶୀର୍ଷକ ଆଲୋଚନାଚକ୍ର
ଆଠଗଡ: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ତଥା ଶହୀଦ୍ ଦିବସ ଅବସରରେ ଆଠଗଡ ଯୁବ-ଛାତ୍ର ବିଜେଡି ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ସାଂପ୍ରତିକ ପରିସ୍ଥିତିରେ ଗାନ୍ଧୀବାଦର ପ୍ରାସଙ୍ଗିକତା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି ବିନୋଦ କୁମାର ମାଝିଙ୍କ ସଭାପତିତ୍ୱ ଏବଂ ବ୍ଲକ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଷୟଭିତ୍ତିକ ମୁଖ୍ୟବକ୍ତା ଭାବେ ଗାନ୍ଧୀବାଦର ପ୍ରବକ୍ତା ପ୍ରାଧ୍ୟାପକ ଅମୀୟ ବେହେରା, ସମ୍ମାନିତ ବକ୍ତା ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ମାନସ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱାଧୀନତା ସଂଗ୍ରାମ କାଳରେ ମହାତ୍ମାଗାନ୍ଧୀଙ୍କର ଅହିଂସା ନୀତି ଆଜି ବି ବିଶ୍ୱର ବହୁ ଦେଶରେ ଆଦୃତ ହେଉଛି ବୋଲି ମତବ୍ୟକ୍ତ କରିଥିଲେ। ସଂପ୍ରତି ଭାରତରେ ଉଗ୍ର ଜାତୀୟତାବାଦ, ସାଂପ୍ରଦାୟିକତା, ଧାର୍ମିକ ମୌଲବାଦ, ଘୃଣା ଓ ବିଦ୍ୱେଶ ଭାବ ରାଜନୀତିକୁ କଳୁସିତ କରିବା ସହିତ ଦେଶର ଶାନ୍ତି, ମୈତ୍ରୀଭାବକୁ କ୍ଷୁର୍ଣ୍ଣ କରୁଛି ବୋଲି ବକ୍ତାମାନେ କହିବା ସହ ଏହା ଗାନ୍ଧୀଙ୍କ ଦର୍ଶନ ଓ ଅହିଂସା ନୀତିର ପରିପନ୍ଥି ବୋଲି ମତବ୍ୟକ୍ତ କରିଥିଲେ।
ଏବେ ଭାରତରେ ଗାନ୍ଧୀବାଦର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ଏବଂ ଭାରତର ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନୀତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି ଯଥାର୍ଥ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଏନଏସି ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା ଓ ଛାତ୍ର ବିଜେଡି ସଭାପତି ମହମ୍ମଦ ଖଲିଦ ଏଥିରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଗାନ୍ଧୀଙ୍କ ଫଟୋଚିତ୍ର ଏବଂ ତାଙ୍କର ପ୍ରିୟ ଗୀତ ‘ବୈଷ୍ଣବ ଜନ କି’ ପ୍ରସାର ସହିତ ଏକ ବିଶାଳ ବାଇକ ଶୋଭାଯାତ୍ରା ରାଧାଗୋବିନ୍ଦପୁର ହନୁମାନ ମନ୍ଦିରରୁ ବାହାରି ସଭାସ୍ଥଳରେ ପହଞ୍ଚିଥିଲା।
Comments are closed.