ପିପିଲିରେ ବାଜି ମାରିଲେ ଆଶ୍ରିତ

୪୦ବର୍ଷର ରାଜନୀତିରେ ହେଲା ପରିବର୍ତ୍ତନ

ପିପିଲି:ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ୪୦ବର୍ଷର ମହାରଥୀଙ୍କ ଗଡ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇ ଇତିହାସ ରଚିଛନ୍ତି ଆଶ୍ରିତ। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ଠାରୁ ୧୫୧୬୨ ଖଣ୍ଡ ଭୋଟ୍‌‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଏହି ବିଜୟ ପାଇଁ ସେ ପିପିଲି-ଡେଲାଙ୍ଗବାସୀଙ୍କୁ ଶ୍ରେୟ ଦେବା ଅଞ୍ଚଳବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସେ ସମସ୍ତଙ୍କୁ ପ୍ରଣାମ କରିଛନ୍ତି। ନିର୍ବାଚନମଣ୍ଡଳୀରେ ଶାନ୍ତି ଓ ପ୍ରଗତି ସହ ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦେବେ ବୋଲି ଆଶ୍ରିତ ‘ସମାଜ’କୁ କହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ଏଠାରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବା ସହ ଶୀତଳଭଣ୍ଡାର ପ୍ରତିଷ୍ଠା, ଜଳସେଚନ ବ୍ୟବସ୍ଥାର ଉନ୍ନତିକରଣ, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ବିକାଶ ଦିଗରେ କାର୍ଯ୍ୟ କରାଯିବ।

ପିପିଲିରେ ଆଜି ଠାରୁ ବିକାଶର ଯୁଗ ଆରମ୍ଭ ହେଲା ବୋଲି ସେ କହିବା ସହ କେନ୍ଦ୍ର ବିଜେପି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରତ୍ୟେକ ଘରେ ସୋଲାର ବିଦ୍ୟୁତ୍‌‌ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯିବା ସହ ଯେପରି କୌଣସି ପରିବାର ଅନ୍ଧାରରେ ନରହୁନ୍ତି ସେ ଦିଗରେ କାର୍ଯ୍ୟ କରାଯିବ। ସରକାରଙ୍କ ପ୍ରତ୍ୟେକ ଜନକଲ୍ୟାଣ ଯୋଜନାର ସଠିକ୍‌‌ ପରିଚାଳନା ନିମନ୍ତେ ପ୍ରତି ମାସରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯିବ ଓ ସେଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ରିତ କହିଛନ୍ତି।

ଆଶ୍ରିତଙ୍କ ଏହି ବିଜୟକୁ ନେଇ ସମଗ୍ର ନିର୍ବାଚନମଣ୍ଡଳୀରେ ଆନନ୍ଦର ଲହରି ଖେଳିଯାଇଥିବା ବେଳେ ପ୍ରଶାସନର କଟକଣା ଯୋଗୁଁ ଶୋଭାଯାତ୍ରା ଠାରୁ ଦୂରେଇ ରହି ବିଜେପି କର୍ମୀ ଓ ନେତାମାନେ ଗାଁ ଗାଁରେ ମିଠା ବାଣ୍ଟି ଖୁସି ମନାଇଛନ୍ତି। ଆଶ୍ରିତଙ୍କ ବିଜୟ ପରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ସମର୍ଥକ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ପିପିଲିର ଦଳୀୟ କାର୍ଯ୍ୟାଳୟ ସମେତ ଗାଁ ଗହଳିରେ ସମର୍ଥକ ଓ କର୍ମୀମାନେ ଆଶ୍ରିତଙ୍କ ବିଜୟ ଉତ୍ସବ ପାଳିଛନ୍ତି।

prayash

ଏଠାରେ ସୂଚନା ଥାଉକି, ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୯୯୩୧୦ (୫୧.୫୫ ପ୍ରତିଶତ) ଭୋଟ୍‌‌ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ୮୪୧୪୮(୪୩.୬୮ ପ୍ରତିଶତ), କଂଗ୍ରେସ ପ୍ରାର୍ଥୀ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ ୩୪୪୯ (୧.୭୯ ପ୍ରତିଶତ), ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ଅହେମ୍ମଦ ଖାଁଙ୍କୁ ୯୫୨ (୦.୫ ପ୍ରତିଶତ), ମାନସ ଲୋକଶକ୍ତି ଦଳ ପ୍ରାର୍ଥୀ ଆରତ ବେହେରାଙ୍କୁ ୩୫୮ (୦.୧୯ ପ୍ରତିଶତ), ଏସ୍‌‌ୟୁସିଆଇ (କମ୍ୟୁନିଷ୍ଟ) ଦଳର ପ୍ରାର୍ଥୀ ଦୀନବନ୍ଧୁ ପରିଡାଙ୍କୁ ୩୫୮ (୦.୧୯ ପ୍ରତିଶତ) ଓ ସ୍ୱାଧୀନ ପ୍ରାର୍ଥୀ ଯୁଧିଷ୍ଠିର ସ୍ୱାଇଁଙ୍କୁ ୨୨୧ (୦.୧୧ ପ୍ରତିଶତ), ରାଧାମୋହନଙ୍କୁ ୨୯୪୦ (୧.୫୩ ପ୍ରତିଶତ) ଓ ଶୁଭ୍ରାଂଶୁ କୁମାର ମଲ୍ଲିକଙ୍କୁ ୩୨୦ (୦.୧୭ ପ୍ରତିଶତ) ଭୋଟ୍‌‌ ମିଳିଛି। ୫୯୭ ଜଣ ଭୋଟର (୦.୩୧ ପ୍ରତିଶତ ) ନୋଟାରେ ମତଦାନ କରିଥିବା ସୂଚନା ମିଳିଛି।

ଆଶ୍ରିତଙ୍କ ରାଜନୈତିକ କ୍ୟାରିଅର

ଛାତ୍ର ଜୀବନରୁ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବା ଆଶ୍ରିତ ୧୯୯୨ ମସିହାରେ ରାଜ୍ୟ ଛାତ୍ର କଂଗ୍ରେସର ସାଂଗଠନିକ ସମ୍ପାଦକ ଦାୟିତ୍ୱରେ ରହି ରାଜ୍ୟରେ ଛାତ୍ର ସଂଗଠନକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ବାପାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ୧୯୯୭ରେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଇ ରୁପଦେଈପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ ମସିହାରେ ସେ କଂଗ୍ରେସ ସମର୍ଥନରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ପିପିଲି ବ୍ଲକର ଅଧ୍ୟକ୍ଷ ହୋଇଥିଲେ।

ପୁନର୍ବାର ୨୦୧୨ ମସିହାରେ ସେ କଂଗ୍ରେସ ଦଳରୁ ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଦଳରୁ ଟିକେଟ୍‌‌ ନମିଳିବାରୁ ୨୦୧୪ରେ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ଏଠାରୁ ନିର୍ବାଚନ ଲଢି ୧୮ହଜାର ଭୋଟ୍‌‌ ପାଇଥିଲେ। ପରେ ୨୦୧୭ ମସିହାରେ ସେ ବିଜେପି ଦଳରେ ଯୋଗଦେବା ସହ ଜିଲା ସଭାପତି ଦାୟିତ୍ୱ ବହନ କରିଥିଲେ। ୨୦୧୯ ନିର୍ବାଚନ ଓ ୨୦୨୧ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଆଶ୍ରିତ ପଟ୍ଟନାୟକ ଏହି ଆସନରେ ପରାଜିତ ହୋଇଥିଲେ ମଧ୍ୟ ସେ ବିଜେଡିକୁ ଏଠାରେ କଡା ଟକ୍କର ଦେଇଥିଲେ।

Comments are closed.