କେନ୍ଦୁଝର ଜିଲାପାଳଙ୍କୁ ପୁଣି ହାଜର ସମନ
କେନ୍ଦୁଝରଗଡ଼: ବାରମ୍ବାର ସମନ ସତ୍ତ୍ବେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ଜାତୀୟ ଜନଜାତି ଆୟୋଗଙ୍କ ଅଦାଲତରେ ହାଜର ନହେବାରୁ ଜିଲାପାଳଙ୍କ ବିରୋଧରେ ଆୟୋଗ ଚଳିତମାସ ୧୧ତାରିଖ ଗିରଫ ପରୱାନା ଜାରି କରିଥିଲେ। ଜିଲାରେ ଆଇନଶୃଙ୍ଖଳା କାରଣ ଦର୍ଶାଇ ଚଳିତମାସ ୧୩ ତାରିଖ ଜିଲାପାଳ ଆୟୋଗଙ୍କ ନିକଟରେ ହାଜର ନହେବାରୁ ଚଳିତମାସ ୧୯ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ଜିଲାପାଳ ଶ୍ରୀ ଠାକରେଙ୍କୁ ଜାତୀୟ ଜନଜାତି ଆୟୋଗ ନୂଆଦିଲ୍ଲୀଙ୍କ କାର୍ଯ୍ୟାଳୟରେ ହାଜର କରିବା ପାଇଁ ଆଇଜି ଅଫ୍ ପୁଲିସ (ସିଆଇଡି,ସିବି) ଅମିତେନ୍ଦ୍ରନାଥ ସିହ୍ନା ଗତ ୧୬ ତାରିଖରେ କେନ୍ଦୁଝର ଏସ୍.ପି.ଙ୍କୁ ଚିଠି କରିଥିଲେ।
ତେବେ ଆୟୋଗଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାର ଉଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇ ରହିତାଦେଶ ଜିଲାପାଳଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଗୁରୁବାର ପୁଣି ଅନ୍ୟ ଏକ ମାମଲାରେ ଜିଲାପାଳ ଶ୍ରୀ ଠାକରେଙ୍କୁ ଆସନ୍ତା ୯ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର ହେବା ପାଇଁ ସମନ ଜାରି କରାଯାଇଥିବା ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦ ଅନନ୍ତ ନାୟକ କହିଛନ୍ତି। ଆୟୋଗ ସଦସ୍ୟ ଶ୍ରୀ ନାଏକ ନିକଟରେ କେନ୍ଦୁଝର ଜିଲାର ନିର୍ମାଣାଧିନ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ପ୍ରକଳ୍ପ କ୍ଷତିଗ୍ରସ୍ତ ଓ ପ୍ରଭାବିତଙ୍କ ଇଥଥାନ ଓ ପୁର୍ନବାସ ସମ୍ପର୍କରେ ଆଲୋଚନା ସମୟରେ ଜିଲାପାଳ ଅନୁପସ୍ଥିତ ରହିଥିଲେ। ଏହାସତ୍ତ୍ବେ ସଦସ୍ୟ ଶ୍ରୀ ନାଏକଙ୍କ ପକ୍ଷରୁ ଜିଲାପାଳଙ୍କୁ କ୍ଷତିଗ୍ରସ୍ତଙ୍କ ଥଇଥାନ ଓ ପୁର୍ନବାସ ସମ୍ପର୍କିିତ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କିିତ ପ୍ରଶ୍ନର ଉତ୍ତର ଜିଲାପାଳ ପ୍ରଦାନ ନକରିବାରୁ ଏହି ମାମଲାରେ ଆୟୋଗ ଜିଲାପାଳ ଶ୍ରୀ ଠାକରେଙ୍କୁ ଆସନ୍ତା ୯ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ନୂଆଦିଲ୍ଲୀସ୍ଥିତ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜର ପକ୍ଷ ରଖିବାକୁ ଆଦେଶ ଜାରି କରିଥିବା
ସଦସ୍ୟ ଶ୍ରୀ ନାୟକ କହିଛନ୍ତି। ଆୟୋଗଙ୍କ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ଗିରଫ ପରୱାନା ଉପରେ ହାଇକୋର୍ଟଙ୍କ ରହିତାଦେଶ ପରେ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ମୁଖ୍ୟ ଆବାସିକ କମିଶନର ଗୁରୁବାର ଆୟୋଗଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିଥିବା ବେଳେ ରହିତାଦେଶ ଉପରେ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ପକ୍ଷ ରଖିବା ପରେ ଜିଲାପାଳଙ୍କ ବିରୋଧରେ ଗିରଫ ପରୱାନା ମାମଲା କେଉଁ ଦିଗକୁ ଗତି କରିବ ତାହା ଜଣାପଡ଼ିବ ବୋଲି ସଦସ୍ୟ ଶ୍ରୀ ନାୟକ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଖଣି ନିଗମ ଅଧିନ ପରିଚାଳିତ ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହଖଣି କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନରେ ନିରୀହ ଆଦିବାସୀଙ୍କୁ ଯେଭଳି ଭାବେ ପ୍ରଶାସନ ପକ୍ଷରୁ ଦମନ କରାଯାଇ ମିଥ୍ୟା ମକଦ୍ଦମା ଦ୍ୱାରା ଆଦିବାସୀ ନେତାଙ୍କୁ ଗିରଫ କରାଯାଇ ଜେଲ ପଠାଗଲା ଏହା ବିରୋଧରେ ଜାତୀୟ ଜନଜାତି ଆୟୋକଙ୍କ ନିକଟରେ ମୁନା ଓରଫ ଖଗେଶ୍ୱର ପୂର୍ତ୍ତି ଫେରାଦ ହୋଇଥିଲେ। ଜାତୀୟ ଜନଜାତି ଆୟୋଗ ଆବେଦନକୁ ଗ୍ରହଣ କରି ଜିଲାପାଳ ଶ୍ରୀ ଠାକରେଙ୍କୁ ହାଜର ହୋଇ ନିଜର ପକ୍ଷ ରଖିବାକୁ ୮ଥର ସମନ ଜାରି ସତ୍ତ୍ବେ ହାଜର ନହେବାରୁ ଚଳିତମାସ ୧୧ ତାରିଖ ଆୟୋଗ ଜିଲାପାଳଙ୍କ ନାମରେ ଗିରଫ ପରୱାନା ଜାରି କରି ୧୩ ତାରିଖ ୧୧ଟା ସୁଦ୍ଧା ହାଜାର ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶଙ୍କୁ ନିର୍ଦେଶ ଦେଇଥିଲେ।
Comments are closed.