ପୂର୍ବତନ ଅରୁଣାଚଳ ମୁଖ୍ୟମନ୍ତ୍ରୀ ଅପାଙ୍ଗ ବିଜେପି ଛାଡ଼ିଲେ
ଇଟାନଗର : ଅରୁଣାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିଗଙ୍ଗ ଅପାଙ୍ଗ ବୁଧବାର ବିଜେପିରୁ ଇସ୍ତଫା ଦେଇଛନ୍ତି। ଅପାଙ୍ଗ ୧୬ବର୍ଷ ପୂର୍ବେ ଉତ୍ତର-ପୂର୍ବାଞ୍ଚଳରେ ପ୍ରଥମ ବିଜେପି ସରକାରର ନେତୃତ୍ବ ନେଇଥିଲେ। ଦଳରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଲୋପ ସହ ଏକଚ୍ଛତ୍ରବାଦ ବୃଦ୍ଧି ପାଉଥିବା ଓ ନେତାମାନେ କ୍ଷମତା ପାଇଁ ଦଳକୁ ଏକ ମାଧ୍ୟମ କରିଥିବାବେଳେ ବାସ୍ତବ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସେ ଆଉ ରହିବାକୁ ଚାହୁ ନ ଥିବା ଅପାଙ୍ଗ କହିଛନ୍ତି। ବର୍ତ୍ତମାନର ବିଜେପି ଅଟଳବିହାରୀ ବାଜପେୟୀଙ୍କ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇଥିବା ସେ କହିଛନ୍ତି। ରାଜ୍ୟରେ ଦଳ କର୍ତ୍ତୃପକ୍ଷଙ୍କ ଏକାଧିକ ପଦକ୍ଷେପକୁ ସେ ନାପସନ୍ଦ କରିଛନ୍ତି। ଏହି ମର୍ମରେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ରାଜ୍ୟ ସଭାପତି ତାପିର ଗାଓଙ୍କୁ ପତ୍ର ଲେଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୭ଥର ବିଧାୟକ ହୋଇଥିବା ଅପାଙ୍ଗ ସର୍ବାଧିକ ସମୟ ୨୩ବର୍ଷ ପାଇଁ ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଛନ୍ତି। ସେ ୧୯ବର୍ଷ ଧରି କଂଗ୍ରେସ ସରକାରର ନେତୃତ୍ବ ନେଇଥିଲେ ଓ ୧୯୮୦ରେ ଦଳ ଛାଡ଼ି ଆଞ୍ଚଳିକ ଦଳ ଗଠନ କରିଥିଲେ। ୨୦୦୩ରେ ବିଜେପି ସହିତ ନିଜ ଦଳର ମିଶ୍ରଣ ଘଟାଇଥିଲେ। ପରେ ପୁନର୍ବାର କଂଗ୍ରେସକୁ ଫେରିଥିଲେ। ୨୦୧୦ରେ ଦୁର୍ନୀତି ଅଭିଯୋଗରେ ସେ ଜେଲ୍ ଯାଇଥିଲେ। ଜେଲ୍ରୁ ଫେରିବା ପରେ ୨୦୧୪ରେ ପୁଣିଥରେ ବିଜେପିରେ ମିଶିଥିଲେ।