ଆୟୁଷ୍ମାନ ଭାରତ ବନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
ଭାଲଚନ୍ଦ୍ର ଷଡ଼ଙ୍ଗୀ
ଆସନ୍ତା ଅଗଷ୍ଟ ୧୫ ତାରିଖଠାରୁ ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ନାଁରେ ଏକ ବଡ଼ ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ଯୋଜନା ବଳରେ ରାଜ୍ୟର ୭୦ ଲକ୍ଷ ପରିବାରର ପ୍ରାୟ ୩.୫ କୋଟି ଲୋକଙ୍କୁ ସରକାରୀ ଡାକ୍ତରଖାନାରେ ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦ୍ୱିତୀୟ ଓ ତୃତୀୟ ସ୍ତରର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏଥିପୂର୍ବରୁ କେନ୍ଦ୍ରର ମୋଦୀ ସରକାର ମଧ୍ୟ ଗତ ବଜେଟରେ ‘ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ’ ଅର୍ନ୍ତଗତ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ନାଁରେ ପରିଚିତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ଦେଶର ଦଶ କୋଟି ପରିବାରର ପ୍ରାୟ ପଚାଶ କୋଟି ସଦସ୍ୟଙ୍କୁ ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ତେବେ ରାଜ୍ୟର ୭୦ ଲକ୍ଷ ପରିବାର ପରିବର୍ତ୍ତେ ମାତ୍ର ୬୧ ଲକ୍ଷ ପରିବାରକୁ ହିଁ ‘ଆୟୁଷ୍ମାନ ଭାରତ’ ଯୋଜନାରେ ପରିସରଭୁକ୍ତ କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି ଅଭିଯୋଗ କରି ଓଡ଼ିଶା ସରକାର ରାଜ୍ୟରେ ତା’କୁ ଲାଗୁ କରିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ତେବେ ଏଭଳି କରିବା ପଛରେ କାରଣଟି ହେଲା ପୂର୍ବରୁ କେନ୍ଦ୍ରର ଆର୍ଏସ୍ଭିୱାଇ ଯୋଜନାରେ ରହିଥିବା ପ୍ରିମିୟମ୍ ଅଂଶୀଦାରିତାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅନୁପାତଟି ୭୫ : ୨୫ ଥିବାବେଳେ ବର୍ତ୍ତମାନର ‘ଆୟୁଷ୍ମାନ ଭାରତ’ ଯୋଜନାରେ ଏହାକୁ ୬୦ : ୪୦ କରି ଦିଆଯାଇଛି । ଅତଏବ ନୂଆ ଯୋଜନାରେ ପ୍ରିମିୟମ୍ ବାବଦରେ ପଡ଼ୁଥିବା ଅତିରିକ୍ତ ଭାରର ବିପୁଳ ବୋଝକୁ ବହନ କରିବା ବଦଳରେ ରାଜ୍ୟ ସରକାର ନିଜର ଏକ ଯୋଜନା କରି ତା’ର ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଥିବା ଜଣା ପଡ଼ୁଛି।
ଶିକ୍ଷା, ସ୍ୱାସ୍ଥ୍ୟସେବା, ଶିଶୁ ଓ ମହିଳା ବିକାଶ ଭଳି ସାମାଜିକ କ୍ଷେତ୍ରର ବିକାଶଟି ଯେକୌଣସି ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା ବୁଲେଟ୍ ଟ୍ରେନ, ଫ୍ଲାଇ ଓଭର, ସପିଙ୍ଗ୍ ମଲ୍ଠାରୁ ବି ଅଧିକ ଜରୁରୀ । ତେବେ କ୍ରମାଗତ ସରକାରୀ ଅବହେଳା ଯୋଗୁଁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭଳି ମାନବ ବିକାଶର ସୂଚକାଙ୍କରେ ଭାରତର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ରହି ଆସିଛି । ସମ୍ମାନଜନକ ଚିକିତ୍ସା ପତ୍ରିକା ‘ଲାନସେଟ୍’ର ତଥ୍ୟ ଅନୁଯାୟୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱର ୧୯୫ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୫୪ତମ ଅଟେ । ଏ କ୍ଷେତ୍ରରେ ଆମେ ଶ୍ରୀଲଙ୍କା, ନେପାଳ ଓ ବାଂଲାଦେଶଠାରୁ ବି ପଛରେ ରହିଥିବା ଜଣା ପଡ଼ିଛି । ନାଗରିକଙ୍କ ହାରାହାରି ପରମାୟୁରେ ଭାରତ ବିଶ୍ୱରେ ୧୨୬ତମ ସ୍ଥାନରେ ରହିଛି । ଭାରତରେ ଜନ୍ମ ନେଉଥିବା ପ୍ରତି ୧୦୦୦ ଶିଶୁରେ ୩୪ ଜଣ ମୃତ୍ୟୁ ବରଣ କରୁଥିବା ବେଳେ ୧୯୪.୬ ନିୟୁତ ଶିଶୁ ପୁଷ୍ଟିହୀନତାର ଶିକାର ଅଟନ୍ତି ଯାହାକି ଫ୍ରାନ୍ସର ଜନସଂଖ୍ୟାର ତିନି ଗୁଣ ।
ଆମ ଦେଶରେ ସ୍ୱାସ୍ଥ୍ୟଖର୍ଚ୍ଚରେ ଅନିୟନ୍ତ୍ରିତ ବୃଦ୍ଧି ଦାରିଦ୍ର୍ୟର ଅନ୍ୟତମ କାରଣ । ନିକଟରେ ଏକ ବ୍ରିଟିଶ ପତ୍ରିକାରେ ପ୍ରକାଶିତ ଗବେଷଣାର ତଥ୍ୟ ଅନୁଯାୟୀ ବର୍ଦ୍ଧିତ ଚିକିତ୍ସା ଖର୍ଚ୍ଚ କାରଣରୁ ପ୍ରତିବର୍ଷ ଏକଚତୁର୍ଥାଂଶ ଭାରତୀୟ ଋଣ ବା କରଜ କରିବାକୁ ବାଧ୍ୟ ହେଉଥିବା ବେଳେ ପ୍ରାୟ ଚାରି କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯିବାକୁ ବାଧ୍ୟ ହୋଇଥାନ୍ତି । ସ୍ୱାସ୍ଥ୍ୟସେବାରେ କମ୍ ସରକାରୀ ବ୍ୟୟ କାରଣରୁ ଲୋକେ ନିଜର ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚର ୬୭% ପକେଟରୁ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି । ବିଶ୍ୱରେ ସ୍ୱାସ୍ଥ୍ୟସେବାରେ ହାରାହାରି ବ୍ୟୟ ବରାଦ ଜିଡ଼ିପିର ୬% ହୋଇଥିବା ବେଳେ ଆମ ଦେଶରେ ତାହା ଗତ ତିନି ବର୍ଷ ମଧ୍ୟରେ ଜିଡ଼ିପିର ମାତ୍ର ୧.୨% ରୁ ୧.୫% ମଧ୍ୟରେ ସୀମିତ ରହିଛି । ଅତଏବ ସ୍ୱାସ୍ଥ୍ୟ ବାବଦରେ ଆମ ଜିଡ଼ିପିର ସର୍ବନିମ୍ନ ୫-୬% ବ୍ୟୟ ବରାଦ ବିନା ସ୍ୱାସ୍ଥ୍ୟସେବାରେ ଥିବା ମୌଳିକ ଆବଶ୍ୟକତାକୁ ପୂରଣ କରିବା ସମ୍ଭବ ନୁହେଁ, କିନ୍ତୁ ପରିତାପର ବିଷୟ, ଦେଶରେ ସ୍ୱାସ୍ଥ୍ୟ ବାବଦରେ ଅଧିକ ସରକାରୀ ବିନିଯୋଗ ଆବଶ୍ୟକ ଥିବା ବେଳେ ପ୍ରତିବର୍ଷ ବଜେଟରେ ଏହା ପ୍ରାୟତଃ ସ୍ଥିର ରହିଛି। ମେକ୍ସିକୋ ପରି ଛୋଟ ଦେଶର ମୁଣ୍ଡପିଛା ସରକାରୀ ସ୍ୱାସ୍ଥ୍ୟଖର୍ଚ୍ଚ ୧୦୪୫ ଡ଼ଲାର ଥିବା ବେଳେ ଆମ ଦେଶରେ ତାହା ମାତ୍ର ୨୧୪ ଡ଼ଲାର ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ ରାଜ୍ୟର ସ୍ଥିତି ବି ଆଦୌ ଭଲ ନୁହେଁ । କେତେବେଳେ ନଗଡ଼ାରେ ଏକାଥରକେ ୧୯ ଜଣ ଶିଶୁ ପୁଷ୍ଟିହୀନତା ଓ ରକ୍ତହୀନତାର ଶିକାର ହୋଇ ପ୍ରାଣ ହରାଉଛନ୍ତି ତ କେତେବେଳେ ମାଲକାନାଗିରିରେ ଶହଶହ ଶିଶୁ ଜାପାନୀ ଜ୍ୱରରେ ଶିକାର ହୋଇ ଅକାଳରେ ପ୍ରାଣ ହରାଉଛନ୍ତି । କେତେବେଳେ ଟର୍ଚ୍ଚ ଆଲୁଅରେ ଅପରେସନ୍ କରାଯାଉଛି ତ କେତେବେଳେ ଅମ୍ଳଜାନ ସିଲିଣ୍ଡର ଅଭାବରୁ ରୋଗୀ ମରିଯିବାର ଅଭିଯୋଗ ଆସୁଛି । ଆଜି ବି ଅନେକ ଉପାନ୍ତ ଅଂଚଳରେ ରୋଗୀ ଓ ଗର୍ଭବତୀ ମହିଳାମାନଙ୍କୁ ଦୋଳାରେ ନିକଟସ୍ଥ ଡାକ୍ତରଖାନାକୁ ବୋହି ଆଣିବାର ଦୃଶ୍ୟ ଦେଖିବାକୁ ମିଳୁଛି । ବ୍ରହ୍ମପୁର, ବୁର୍ଲା ପରି ରାଜ୍ୟର ପ୍ରମୁଖ ମେଡ଼ିକାଲ କଲେଜ ଡାକ୍ତରଖାନାମାନଙ୍କରେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର, ଡାକ୍ତରୀ ସରଞ୍ଜାମ ନଥିବାରୁ ଟିକିଏ ଗୁରୁତର ହେଲେ ବି ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା କିମ୍ବା ଭୁବନେଶ୍ୱରକୁ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ସୁପାରିସ କରାଯାଉଛି । କୋରାପୁଟ, ରାୟଗଡ଼ା ପରି ଅନେକ ଜିଲାର ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡ଼ାକ୍ତରଟିଏ ନଥିବାରୁ ଛୋଟଛୋଟ ଅପରେସନ୍ ପାଇଁ ବି ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି ।
ଅତଏବ ଏଭଳି ପରସ୍ଥିତିରେ ସରକାର ରାଜ୍ୟର ୭୦ ଲକ୍ଷ ପରିବାରକୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ବାର୍ଷିକ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଖର୍ଚ୍ଚ ବହନ କରିବାକୁ ଯେଉଁ ଘୋଷଣା କରିଛନ୍ତି ତାହା ସଫଳ ହେବା ନେଇ ସନ୍ଦିହାନ ସୃଷ୍ଟି ହୋଇଛି । କାରଣ ସରକାର ଗତ କିଛି ଦଶନ୍ଧି ଧରି ଜାଣିଶୁଣି ସରକାରୀ ସ୍ୱାସ୍ଥ୍ୟ ସେବାକୁ ପଙ୍ଗୁ କରିଦେବା, ବ୍ୟୟବରାଦକୁ କ୍ରମାଗତ ହ୍ରାସ କରିବା ଏବଂ ଘରୋଇ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ଫଳରେ ରାଜ୍ୟର ରୋଗୀ ସଂଖ୍ୟାର ଏକ ସିଂହ ଭାଗ ଘରୋଇ ହସ୍ପିଟାଲ ଓ ନର୍ସିଂହୋମମାନଙ୍କୁ ଯିବାକୁ ବାଧ୍ୟ ହେଉଛନ୍ତି । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିତ୍ତିଭୂମିର ଅଭାବ ଏବଂ ଆବଶ୍ୟକ ଡ଼ାକ୍ତର ଓ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ସେଠାରେ ଚିକିତ୍ସିତ ହେବାକୁ ଲୋକଙ୍କୁ ଏକଦମ୍ ନିରୁତ୍ସାହିତ କରୁଛି । ଅତଏବ କେବଳ ଚିକିତ୍ସା ଖର୍ଚ୍ଚ ଉପଲବ୍ଧ କରାଇବା ନୁହେଁ, ବରଂ ସରକାରୀ ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମି ଓ ଡ଼ାକ୍ତର କର୍ମଚାରୀ ଉପଲବ୍ଧ ନକରାଇଲେ ଲୋକେ ବାଧ୍ୟ ହୋଇ କର୍ପୋରେଟ୍ ହସ୍ପିଟାଲକୁ ଯେ ଯିବେ, ଏଥିରେ, ତିଳେ ମାତ୍ର ସନ୍ଦେହ ନାହିଁ ।
ବର୍ତ୍ତମାନ ସରକାରଙ୍କ ଅଧୀନରେ ଥିବା ରାଜ୍ୟର ସବୁ ସରକାରୀ ହସ୍ପିଟାଲରେ ସର୍ବମୋଟ ୧୮,୩୬୫ଟି ଶଯ୍ୟା ରହିଛି । ସେଥିମଧ୍ୟରୁ ଅଧିକାଂଶ ଛୋଟ ହସ୍ପିଟାଲରେ ହାରାହାରି ଚାରୋଟି ଶଯ୍ୟା ହିଁ ରହିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କ ମଧ୍ୟରୁ ମାତ୍ର ୧୬%ରେ ହିଁ ହାରାହାରି ୩୦ ଟି ଶଯ୍ୟା ରହିଛି । ଏଭଳି ଅବସ୍ଥାରେ ଯଦି ରାଜ୍ୟର ଘରୋଇ ହସ୍ପିଟାଲମାନଙ୍କୁ ଯାଉଥିବା ରୋଗୀମାନେ ଏହି ନୂଆ ଯୋଜନାର ଫାଇଦା ନେବାକୁ ସରକାରୀ ହସ୍ପିଟାଲକୁ ଆସନ୍ତି ତା’ହେଲେ ଅବସ୍ଥା କ’ଣ ହେବ ସରକାର ହିଁ କହିପାରିବେ । ଗତ ମାର୍ଚ୍ଚ ମାସରେ ଖୋଦ୍ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଲା ବେଳେ କହିଥିଲେ ଯେ ରାଜ୍ୟର ଡାକ୍ତରଖାନାମାନଙ୍କରେ ମୋଟ ୬୫୩୬ଟି ଡ଼ାକ୍ତରୀ ପଦ ରହିଥିବା ବେଳେ ତା’ର ଅେର୍ଦ୍ଧକରୁ କମ୍, ଅର୍ଥାତ୍ ମାତ୍ର ୩୧୧୯ ଜଣ ଡାକ୍ତର ହିଁ ରହିଛନ୍ତି। ଏପରିକି ଗ୍ରାମାଞ୍ଚଳରେ ଥିବା ରାଜ୍ୟର ୧୫୬ଟି ଡାକ୍ତରଖାନା ଏବେ ବିନା ଡ଼ାକ୍ତରରେ ଚାଲିଛି । ଅତଏବ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏଭଳି ଦୟନୀୟ ପରିସ୍ଥିତିରେ ଥିବା ବେଳେ ସରକାର ନିଜର ବହୁ ଆକାଙ୍କ୍ଷିତ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ବାର୍ଷିକ ୭୦ ଲକ୍ଷ ପରିବାରକୁ କିଭଳି ସ୍ୱାସ୍ଥ୍ୟସେବା ଯୋଗାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ସରକାର ବାର୍ଷିକ ଯେଉଁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି ତାହା ସିଧାସଳଖ ରାଜକୋଷରୁ ବା ଅନ୍ୟ ସୂତ୍ରରୁ ଭରଣା କରିବେ, ତାହା ସ୍ପଷ୍ଟ କରିନାହାନ୍ତି । ଯଦି ସରକାର ଏହି କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚକୁ ସିଧାସଳଖ ରାଜକୋଷରୁ ଭରଣା କରିବେ ତା’ହେଲେ ସେଥିପାଇଁ ବଜେଟ୍ରେ ବ୍ୟୟବରାଦ କରିବା ଦରକାର ଥିଲା, ଯାହାକି ସରକାର କରି ନାହାନ୍ତି । କାରଣ ୭୦ ଲକ୍ଷ ପରିବାରର ସମସ୍ତ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ବହନ କରିବାକୁ ଯାହା କହିଛନ୍ତି ତା’କୁ ଯଦି ଲାଗୁ କରାଯାଏ ତା’ହେଲେ ବାର୍ଷିକ ଅତି କମ୍ରେ ପଚାଶ ହଜାର କୋଟି ଖର୍ଚ୍ଚ ହେବ । ରାଜ୍ୟର ମୋଟ ବାର୍ଷିକ ବଜେଟରେ ବ୍ୟୟ ଅଟକଳର ପରିମାଣ ଏକ ଲକ୍ଷ କୋଟିରୁ ସାମାନ୍ୟ ଅଧିକ ହେଉଥିବାବେଳେ ତା’ର ସିଂହ ଭାଗ ସ୍ୱାସ୍ଥ୍ୟସେବା ବାବଦରେ ଖର୍ଚ୍ଚ କରିବା କୌଣସି ବି ସରକାର ପାଇଁ ଆଦୌ ସମ୍ଭବ ନୁହେଁ ।