ଆଫ୍‍ଗାନିସ୍ତାନର କ୍ରମାଗତ ୨ୟ ବିଜୟ

0

ଆବୁଧାବି : ଏସିଆ କପ୍ ରେ ତା’ର ପ୍ରଭାବଶାଳୀ ପ୍ରଦର୍ଶନ ଜାରିରଖିଛି ଆଫ୍‍ଗାନିସ୍ତାନ। ଶ୍ରୀଲଙ୍କାକୁ ପରାସ୍ତକରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ଦେବା ପରେ ଗୁରୁବାର ବାଂଲାଦେଶ ବିପକ୍ଷରେ ମଧ୍ୟ ଆଫ୍‍ଗାନିସ୍ତାନ ବିପୁଳ ବିଜୟ ହାସଲ କରିଛି। ୧୩୬ ରନ୍‍ରେ ଜିତି ଆଫ୍‍ଗାନିସ୍ତାନ ଗ୍ରୁପ୍‍ ‘ବି’ର ଶୀର୍ଷରେ ପହଞ୍ଚିଛି। ଅବଶ୍ୟ ଏହି ଫଳାଫଳ ଉଭୟ ଦଳକୁ ପ୍ରଭାବିତ କରିନାହିଁ। କାରଣ ଏହି ମ୍ୟାଚ୍‍ ପୂର୍ବରୁ ବାଂଲାଦେଶ ଓ ଆଫ୍‍ଗାନିସ୍ତାନ ସୁପର ଫୋର୍‍ରେ ପ୍ରବେଶ କରି ସାରିଛନ୍ତି। ତେବେ ୨ଟି ମ୍ୟାଚ୍‍ରେ ଆଫ୍‍ଗାନିସ୍ତାନର ସହଜ ବିଜୟ ସୁପର ଫୋର୍‍ ପର୍ଯ୍ୟାୟ ପୂର୍ବରୁ ଏହାକୁ ନିଶ୍ଚିତ ଆତ୍ମବିଶ୍ୱାସ ପ୍ରଦାନ କରିବ। ଗ୍ରୁପ୍‍ ‘ବି’ର ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂକରି ଆଫ୍‍ଗାନିସ୍ତାନ ୭ ୱିକେଟରେ ୨୫୫ ରନ୍‍ କରିଥିଲା। ହସ୍‍ମତୁଲ୍ଲା ସାହିଦି ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିବା ପରେ ରସିଦ୍‍ ଖାଁ ବିସ୍ଫୋରକ ଅର୍ଦ୍ଧଶତକ ମାରିବାରୁ ଆଫ୍‍ଗାନିସ୍ତାନ ଏହି ସ୍କୋର୍‍ରେ ପହଞ୍ଚିଥିଲା। ପରେ ବାଂଲାଦେଶ ୪୨.୧ ଓଭରରେ ମାତ୍ର ୧୧୯ ରନ୍‍ କରି ଅଲ୍‍ ଆଉଟ ହୋଇ ଯାଇଥିଲା।
୨୫୬ ରନ୍‍ ବିଜୟଲକ୍ଷ୍ୟରେ ବାଂଲାଦେଶ ଅତି ଦୟନୀୟ ବ୍ୟାଟିଂ କରିଥିଲା। ଓପ୍‍ନର ଲିଟନ୍‍ ଦାସ ଓ ନଜ୍‍ମୁଲ ହୋସେନ୍‍ ଯଥାକ୍ରମେ ୬ ଓ ୭ ରନ୍‍କରି ଆଉଟ ହୋଇଥିଲେ। ଦୁଇ ଅଭିଜ୍ଞ ଖେଳାଳି ସାକିବ୍‍ ଅଲ୍‍ ହାସନ୍‍ ୩୨ ଓ ମହମ୍ମଦୁଲ୍ଲା ୨୭ ରନ୍‍କରି ଆଉଟ ହୋଇଥିଲେ। ମୋମିନୁଲ ହକ୍‍ ୯ ଓ ମହମ୍ମଦ୍‍ ମିଠୁନ୍‍ ୨ ରନ୍‍କରି ବିଦାୟ ନେଇଥିଲେ। ମେହ୍‍ଦି ହାସନ୍‍ ମିରାଜ୍‍ ୪ ରନ୍ କରିଥିଲେ। ମୋସାଦେକ୍‍ ହୋସେନ୍‍ ୨୮ ରନ୍‍କରି ଅପରାଜିତ ଥିଲେ। ଗୁଲ୍‍ବାଦିନ ନାଇବ୍‍, ମୁଜିବ୍‍ ଉର୍‍ ରେହ୍‍ମାନ ଓ ରସିଦ୍‍ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ। ବାଂଲାଦେଶ ଇନିଂସରେ ମାତ୍ର ୫ଟି ଚୌକା ଦେଖିବାକୁ ମିଳିଥିଲା। ରସିଦ୍ ଖାଁ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଶୁକ୍ରବାର ଭାରତ ବିପକ୍ଷରେ ବାଂଲାଦେଶକୁ ସୁପର ଫୋର୍‍ ମ୍ୟାଚ୍‍ ଖେଳିବାର ଥିବାରୁ ଏହି ମ୍ୟାଚ୍‌।ରେ ମୁସ୍‍ଫିକୁର ରହିମ୍‍ ଓ ମୁସ୍ତାଫିଜୁର ରେହ୍‍ମାନ ଖେଳିନଥିଲେ।
ଟସ୍‍ ଜିତି ଆଫ୍‍ଗାନିସ୍ତାନ ବ୍ୟାଟିଂ ନେବା ପରେ ସହଳ ୨ଟି ୱିକେଟ ହରାଇଥିଲା ଏହ୍‍ସାନୁଲ୍ଲା ୮ ଓ ରହମତ୍‍ ଶାହା ୧୦ ରନ୍‍କରି ଆଉଟ ହୋଇଥିଲେ। ତେବେ ଓପ୍‍ନର ମହମ୍ମଦ ସେହ୍‍ଜାଦ ଓ ହସ୍‍ମତୁଲ୍ଲା ସାହିଦି ୩ୟ ୱିକେଟ ପାଇଁ ୫୧ ରନ୍‍ ଯୋଡ଼ିଥିଲେ। ସେହ୍‍ଜାଦ ୪୭ ବଲ୍‍ରୁ ୪ଟି ଚୌକା ସହ ୩୭ ରନ୍‍ କରିଥିଲେ। ଅଧିନାୟକ ଅସ୍‍ଗର ଆଫ୍‍ଗାନ ୮ ରନ୍‍କରି ବିଦାୟ ନେଇଥିବା ବେଳେ ସମ୍ମିଉଲ୍ଲା ସେନୱାରି ୧୮ ଓ ମହମ୍ମଦ ନବି ୧୦ ରନ୍‍କରି ବିଦାୟ ନେଇଥିଲେ। ହସ୍‍ମତୁଲ୍ଲା ସାହିଦି ୯୨ ବଲ୍‍ରୁ ୩ଟି ଚୌକା ସହ ୫୮ ରନ୍‍କରି ଆଉଟ ହୋଇଥିଲେ। ୪୧ ଓଭରରେ ଆଫ୍‍ଗାନିସ୍ତାନ ୭ଟି ୱିକେଟ ହରାଇ ୧୬୦ ରନ୍‍ କରିଥିଲା। ତେବେ ଅବିଭାଜିତ ୮ମ ୱିକେଟ ପାଇଁ ରସିଦ୍‍ ଖାଁ ଓ ଗୁଲ୍‍ବାଦିନ ନାଇବ୍‍ ବିସ୍ଫୋରକ ବ୍ୟାଟିଂକରି ବାଂଲାଦେଶକୁ ଚକିତ କରିଥିଲେ। ଦୁହେଁ ଶେଷ ୯ ଓଭରରେ ୯୫ ରନ୍‍ ସ୍କୋର୍‍ କରିଥିଲେ। ନାଇବ୍‍ ୩୮ ବଲ୍‍ରୁ ୫ଟି ଚୌକା ସହ ୪୨ ରନ୍‍କରି ଅପରାଜିତ ଥିଲେ। ରସିଦ୍‍ ମାତ୍ର ୩୨ ବଲ୍‍ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୫୭ ରନ୍‍କରି ଅପରାଜିତ ଥିଲେ। ସାକିବ୍‍ ଅଲ୍‍ ହାସନ୍‍ ୪ଟି ଏବଂ ଜୀବନର ପ୍ରଥମ ଦିନିକିଆ ଖେଳି ଆବୁ ହାଇଦର ୨ଟି ୱିକେଟ ପାଇଥିଲେ।

Leave A Reply