ଜାଣନ୍ତୁ ରାଫେଲ ଚୁକ୍ତି କ’ଣ
୨୦୦୧ରେ ବାୟୁସେନା ପକ୍ଷରୁ ଅତିରିକ୍ତ ଯୁଦ୍ଧ ବିମାନର ଆବଶ୍ୟକତା ଥିବା କେନ୍ଦ୍ର ସରକାରଙ୍କ ନିକଟରେ ପ୍ରକାଶ କରାଯାଇଥିଲା; କିନ୍ତୁ ୨୦୦୭ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଯୁଦ୍ଧ ବିମାନ କ୍ରୟ ପ୍ରକ୍ରିୟା ଆରମ୍ଭ କରିଥିଲା। ଏକାଧିକ ଅନ୍ତର୍ଜାତୀୟ ଯୁଦ୍ଧ ବିମାନ ନିର୍ମାଣକାରୀ କମ୍ପାନୀ ବିମାନ ବିକ୍ରୟ ଚୁକ୍ତି ନିମନ୍ତେ ଭାରତୀୟ ବାୟୁ ସେନା ନିକଟରେ ନିଜ ବିମାନର ନମୁନା ପ୍ରଦର୍ଶନ କରିଥିଲେ। ଶେଷରେ ରାଫେଲ ଏବଂ ୟୁରୋଫାଇଟର ବିମାନକୁ ବାୟୁସେନା ଏହାର ମନୋନୟନ ତାଲିକାରେ ସାମିଲ କରିଥିଲା। ୟୁରୋଫାଇଟର ଖୁବ୍ ମହଙ୍ଗା ହୋଇଥିବାରୁ ତତ୍କାଳୀନ ୟୁପିଏ ସରକାର ଫ୍ରାନ୍ସର ଡେସାଲ୍ଟଠାରୁ ୧୨୬ଟି ରାଫେଲ ବିମାନ କ୍ରୟ କରିବାକୁ ସ୍ଥିର କରିଥିଲା। ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଏ. କେ. ଆଣ୍ଟୋନୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୨୦୦୭ ଅଗଷ୍ଟରେ ରାଫେଲ ବିମାନ କ୍ରୟ ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା। ଏ ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦.୨ ବିଲିୟନ୍ ଡଲାର (୫୪,୦୦୦ କୋଟି ଟଙ୍କା)ରେ ଏହି କାରବାର ଆରମ୍ଭ ହୋଇଥିଲା। ୧୨୬ଟି ବିମାନ ମଧ୍ୟରୁ ୧୮ଟି ବିମାନ ତୁରନ୍ତ ଯୋଗାଇଦେବା ସହ ଅନ୍ୟଗୁଡିକର ନିର୍ମାଣ ଜ୍ଞାନକୌଶଳ ଭାରତକୁ ହସ୍ତାନ୍ତର କରିବାକୁ ରାଜିନାମାରେ କୁହାଯାଇଥିଲା। ପ୍ରଦତ୍ତ ଜ୍ଞାନକୌଶଳର ଉପଯୋଗ ପୂର୍ବକ ହିନ୍ଦୁସ୍ଥାନ ଏରୋନଟିକ୍ସଠାରେ ଅନ୍ୟ ରାଫେଲ ବିମାନଗୁଡିକର ନିର୍ମାଣ କରିବ ବୋଲି ଯୋଜନା ରହିଥିଲା। ମାତ୍ର କୌଣସି କାରଣ ବଶତଃ ଏହି କାରବାର ପ୍ରକ୍ରିୟା ଆଗେଇ ପାରି ନ ଥିଲା।
ବିଳମ୍ବ କାହିଁକି?
ଚୁକ୍ତି ଉପରେ ବିଚାରବିମର୍ଶ ଚାଲିଥିବା ବେଳେ ଉଭୟ ଭାରତ ଓ ଫ୍ରାନ୍ସରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ଭିନ୍ନ ଦଳର ସରକାର କ୍ଷମତାକୁ ଆସିଥିଲା। ବିମାନର ମୂଲ୍ୟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା। ସୂଚନା ଅନୁସାରେ ଗୋଟିଏ ରାଫେଲ ବିମାନର ମୂଲ୍ୟ ୭୪୦ କୋଟି ଟଙ୍କା ହୋଇଥିବା ବେଳେ ଭାରତ ଏହାକୁ ୨୦% କମ୍ ମୂଲ୍ୟରେ କ୍ରୟ କରିବାକୁ ଚାହୁଁଥିଲା। ଏପରିକି ୧୨୬ଟି ସ୍ଥାନରେ କେବଳ ୩୬ଟି ବିମାନ କ୍ରୟ କରିବାକୁ ପରେ ସରକାର ସ୍ଥିର କରିଥିଲେ। ମୂଲ୍ୟ ନିର୍ଦ୍ଧାରଣ ନେଇ ଶେଷ ପର୍ଯ୍ୟନ୍ତ ଉଭୟ ପକ୍ଷ କୌଣସି ନିଷ୍ପତ୍ତିରେ ଉପନୀତ ହୋଇପାରି ନ ଥିଲେ। ଫଳରେ ଚୁକ୍ତିରେ ବିଳମ୍ବ ଘଟିଥିଲା।
ମୋଦୀ ସରକାର ସମୟରେ ଚୁକ୍ତିର ସ୍ଥିତି
ରାଫେଲ ବିମାନ ଏହାର ପସନ୍ଦଯୋଗ୍ୟ ଯୁଦ୍ଧ ବିମାନ ବୋଲି ୨୦୧୨ରେ ଭାରତୀୟ ବାୟୁସେନା ଦୋହରାଇଥିଲା। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ସମୟରେ ୩୬ଟି ରାଫେଲ ବିମାନ କ୍ରୟ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୦୧୬ ସେପ୍ଟେମ୍ବର ୨୩ରେ ରାଜିନାମା ଚୂଡାନ୍ତ ହୋଇଥିଲା। ୨୦୧୭ ଜାନୁଆରୀରେ ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ଫ୍ରାକୋଇସ୍ ହଲାଣ୍ଡେଙ୍କ ଭାରତ ଗସ୍ତ ସମୟରେ ୭.୮ ବିଲିୟନ ୟୁରୋ ବା ୫୯,୦୦୦ କୋଟି ଟଙ୍କାର ଏହି କାରବାର ନିମନ୍ତେ ରାଜିନାମା ସ୍ୱାକ୍ଷର ହୋଇଥିଲା।
ବିବାଦ କାହିଁକି?
ଏହି ରାଜିନାମାରେ ୫୦% ଅର୍ଥନୈତିକ ଲାଭ ହାସଲ ନିମନ୍ତେ କେନ୍ଦ୍ର ସରକାର ଚୁକ୍ତି (ଅଫ୍ସେଟ୍ ଚୁକ୍ତି) କରିଥିଲେ। ଏହା ଯେକୌଣସି ରାଜିନାମା ଦ୍ୱାରା ଦେଶର ସବୁଠୁ ବଡ଼ ଅଫ୍ସେଟ୍ ଚୁକ୍ତି ବୋଲି କୁହାଯାଉଛି। ଚୁକ୍ତିର ମୂଳ ସର୍ତ୍ତ ହେଉଛି ବିମାନ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ୭୪% ଫ୍ରାନ୍ସ ଭାରତରୁ ଆମଦାନୀ କରିବ। ଅର୍ଥାତ୍ ଏହାଦ୍ୱାରା ଭାରତ-ଫ୍ରାନ୍ସ ମଧ୍ୟରେ ପ୍ରାୟ ୨୨,୦୦୦ କୋଟି ଟଙ୍କାର ପ୍ରତ୍ୟକ୍ଷ କାରବାର ହେବ। ରାଫେଲ ରାଜିନାମା ସ୍ୱାକ୍ଷରିତ ହେବାର କିଛି ଦିନ ପରେ ପ୍ରମୁଖ ବ୍ୟବସାୟୀ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ଏବଂ ରାଫେଲ ନିର୍ମାତା ଡେସାଲ୍ଟ ଆଭିଏସନ୍ ଏକ ମିଳିତ ଉଦ୍ୟୋଗ ଘୋଷଣା କଲେ ଯାହାକି ଉପରୋକ୍ତ ଅଫ୍ସେଟ୍ ଚୁକ୍ତି ପୂରଣ କରିବ ବୋଲି କୁହାଯାଇଥିଲା; କିନ୍ତୁ ବିମାନ ନିର୍ମାଣ କ୍ଷେତ୍ରରେ ଅନଭିଜ୍ଞ ରିଲାଏନ୍ସ ହାତରେ ରାଫେଲ କାରବାର ଟେକି ଦେବା ନେଇ ୨୦୧୭ ନଭେମ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟର୍ରେ ପ୍ରଶ୍ନ ଉଠାଇଥିଲେ। ୨୦୧୮ ଫେବୃଆରୀରେ ସେ ଏହି ପ୍ରସଙ୍ଗକୁ ନେଇ ଏନ୍ଡିଏ ସରକାରକୁ କଡ଼ା ସମାଲୋଚନା ଆରମ୍ଭ କରିଥିଲେ। ୨୦୧୮ ଜୁଲାଇ ୨୦ରେ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଲୋକସଭାରେ ପୁନଃ ଏହି ପ୍ରସଙ୍ଗ ଉଠାଇଥିଲେ। ଏନ୍ଡିଏ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ୪ ଜଣ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ ହୋଇସାରିଛନ୍ତି; କିନ୍ତୁ ଏମାନଙ୍କ ମଧ୍ୟରୁ କାହାରି ନିକଟରେ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନବୀକରଣ ନେଇ ଫ୍ରାନ୍ସରେ ବାସ୍ତବରେ କ’ଣ ଘଟିଲା ସେ ବିଷୟରେ କିଛି ସୂଚନା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ବ୍ୟକ୍ତିଗତ ଭାବେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ରାହୁଲ ପ୍ରଶ୍ନ କରିଥିଲେ। ଏଥିସହ କେନ୍ଦ୍ର ସରକାର ପ୍ରତ୍ୟେକ ରାଫେଲ ବିମାନର ମୂଲ୍ୟ ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଥିଲେ। ମାତ୍ର ୟୁପିଏ ସରକାର ସମୟରେ ହୋଇଥିବା ଏକ ଚୁକ୍ତି ଯୋଗୁ ତାହା ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ କହିଥିଲେ। ସୀତାରମଣଙ୍କ ଯୁକ୍ତିକୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ. କେ. ଆଣ୍ଟୋନୀ ଅସ୍ୱୀକାର କରିଛନ୍ତି। ରାଫେଲ ବିମାନ ମୂଲ୍ୟ ଗୋପନ ରଖିବା ଲାଗି କୌଣସି ଚୁକ୍ତି ହୋଇ ନ ଥିବା ସେ ପ୍ରକାଶ କରିଛନ୍ତି।
ରାଫେଲ ବିମାନର ବିଶେଷତ୍ୱ
-ରାଫେଲ ହେଉଛି ଫ୍ରାନ୍ସର ଡେସାଲ୍ଟ କମ୍ପାନୀ ଦ୍ୱାରା ନିର୍ମିତ ଦ୍ୱୈତ ଇଞ୍ଜିନ୍ ଏବଂ କାନାର୍ଡ ଡେଲ୍ଟା ଡେଣା ବିଶିଷ୍ଟ ଯୁଦ୍ଧ ବିମାନ।
-ଏହା ଜଳ, ସ୍ଥଳ ଓ ଆକାଶମାର୍ଗରୁ ଆକ୍ରମଣ କରିବାରେ ସକ୍ଷମ। ଯୁଦ୍ଧଜାହାଜ ଆକ୍ରମଣ ଅଭିଯାନ ତଥା କ୍ଷେପଣାସ୍ତ୍ର ପ୍ରତିରୋଧ ଦିଗରେ ମଧ୍ୟ ଏହା ଉପଯୋଗୀ।
-ଏହା ୫.୩୦ ମିଟର ଉଚ୍ଚ, ୧୫.୩୦ ମିଟର ଲମ୍ବ ଏବଂ ୧୦.୯୦ ମିଟର ଚଉଡ଼ା।
-ଏଥିରେ ୧୪ଟି ସାମଗ୍ରୀ କକ୍ଷ ଏବଂ ୫ଟି ଭାରି ସାମଗ୍ରୀ କକ୍ଷ ରହିଛି।
-ବିମାନଟି ୧ ମିନିଟ୍ରେ ବାୟୁମଣ୍ଡଳର ୫୦ ହଜାର ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚିପାରେ।
-ଏହା ୨୪,୪୯୪ କିଲୋଗ୍ରାମ ଓଜନର ସାମଗ୍ରୀ ପରିବହନ ପୂର୍ବକ ଉଡାଣ କରିପାରେ।
-ଏହାର ଇନ୍ଧନ ପରିବହନ କ୍ଷମତା ଆଭ୍ୟନ୍ତରୀଣ ସ୍ତରରେ ୪୬୭୨କିଲୋଗ୍ରାମ ଓ ବାହ୍ୟ ସ୍ତରରେ ୬୬୬୮ କିଲୋଗ୍ରାମ। ଏହା ଅତିରିକ୍ତ ୯୫୨୫ କିଲୋଗ୍ରାମ ଓଜନ ପରିବହନ କରିପାରେ।
– ବିମାନଟି ୧୨୦ ନଟ୍ସ ବା ଘଣ୍ଟା ପ୍ରତି ୧୩୮ କିଲୋମିଟର ବେଗରେ ଗତି କରିଥାଏ।
-୬୦ ଘଣ୍ଟା ଅତିରିକ୍ତ ସମୟ ପର୍ଯ୍ୟନ୍ତ ଉଡାଣ କରିପାରେ।
– ଅସ୍ତ୍ରଶସ୍ତ୍ର ସଂରକ୍ଷଣ ଲାଗି ୬ ମାସର ଗ୍ୟାରେଣ୍ଟି ରହିଛି।
-୭୫% ରାଫେଲ ବିମାନ ଯେକୌଣସି ସମୟରେ ଯୁଦ୍ଧକୁ ନେଇଯିବା ସ୍ଥିତିରେ ରହିଥାଏ।
-ଏହା ପରମାଣୁ ବୋମା ପରିବହନ କ୍ଷମତାଯୁକ୍ତ।
-ପାକିସ୍ତାନର ଏଏଫ୍-୧୬ ବିମାନଠାରୁ ଉନ୍ନତ।
-ରାଫେଲକୁ ଆଫଗାନିସ୍ତାନ, ଲିବ୍ୟା, ମାଳି ଏବଂ ଇରାକ୍ରେ ବ୍ୟବହାର କରାଯାଇସାରିଛି।
-୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ମିଳିଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।