ଜୀବନର ଅର୍ଥ ଓ ଲକ୍ଷ୍ୟ: ତମସୋ ମା ଜ୍ୟୋତିର୍ଗମୟ

0

ଜିଜ୍ଞାସାର ଦିଗ୍‌ଦିଗନ୍ତ

prayash

ମନୋଜ ଦାସଙ୍କ ସହ ପ୍ର​‌େ​‌ଶ୍ନାତ୍ତର

ପ୍ରଶ୍ନ ୧ : ଅନେକଙ୍କୁ ପଚାରି ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ। ମୁଁ ଜାଣିବାକୁ ଚାହେଁ ଜୀବନର ପ୍ରକୃତ ଅର୍ଥ ?
ଡଃ ରତ୍ନପ୍ରଭା ସିଂହ, ରାଇରଙ୍ଗପୁର
ପ୍ରଶ୍ନ ୨: ମୋର ରହିଛି ଏକ ସରଳ ପ୍ରଶ୍ନ। ଜୀବନର ଲକ୍ଷ୍ୟ କ’ଣ ହେବା ଉଚିତ ? ଫଳ ସମ୍ପର୍କରେ ଚିନ୍ତା ନ କରି ନିଷ୍ଠାପର ରୂପେ କର୍ମ ସଂପାଦନ (ଗୀତା ଯେଉଁ ପରାମର୍ଶ ଦିଏ) ଏକମାତ୍ର ଲକ୍ଷ୍ୟ ହୋଇପାରେ କି ?
ଡଃ ସୁଶାନ୍ତ କୁମାର ମହାନ୍ତ (ଅଧ୍ୟାପକ), ଭବାନୀପାଟଣା
ଉତ୍ତର: ଜୀବନର ଅର୍ଥ ତଥା ଲକ୍ଷ୍ୟ ଆମ ଚେତନାର ଗହନରେ ନିହିତ ଥାଏ। ଆମେ ତା’ର ସନ୍ଧାନ କରୁନା; କିନ୍ତୁ ଯାହାଙ୍କ ମନକୁ ଏଭଳି ପ୍ରଶ୍ନ ଆନ୍ଦୋଳିତ କରେ, ସେ ସମ୍ପର୍କୀୟ ପ୍ରଶ୍ନର ଉତ୍ତର ତାହାଙ୍କ ଚେତନାରେ ସ୍ପଷ୍ଟ ରୂପରେଖ ନେବାର ମୁହୂର୍ତ୍ତ ଉପନୀତ।
ଥରେ ଏକ ମହାବିଦ୍ୟାଳୟର କୋଡ଼ିଏ ଜଣ ଛାତ୍ରଛାତ୍ରୀ ସମନ୍ୱିତ ଏକ ଭ୍ରମଣରତ ଦଳକୁ ଜଣେ ଶୁଭେଚ୍ଛୁ ଏହି ମର୍ମରେ ପ୍ରଶ୍ନ କରନ୍ତେ, ଉତ୍ତରରେ କେତେ ଜଣ ଓକିଲ ବା ଡାକ୍ତର ବା ଯନ୍ତ୍ରୀ ବା ପ୍ରଶାସକ ବନିବା ଏବଂ ଜଣେ ସାମ୍ବାଦିକ ବୃତ୍ତି ଅବଲମ୍ବନ କରିବା ଜୀବନର ଲକ୍ଷ୍ୟ ବୋଲି ପ୍ରକାଶ କଲେ। ଦୁଇଜଣ ସମାଜସେବା (ସମ୍ଭବତଃ ରାଜନୀତି) ଆଦରି ନେବାର ସଂକଳ୍ପ ବ୍ୟକ୍ତ କଲେ ଏବଂ ଜଣେ ବା ଦୁଇ ଜଣ ମନ ସ୍ଥିର କରିନଥିବା ସ୍ୱୀକାର କଲେ। ସେମାନଙ୍କ ଉତ୍ତର ଥିଲା ସ୍ୱାଭାବିକ; କିନ୍ତୁ ସଭିଏଁ ଜୀବନର ସ୍ଥୂଳ ପରିଚୟ ଭିତରେ ଆବଦ୍ଧ ଥିଲେ। ଜୀବନର ଲକ୍ଷ୍ୟ ବୋଇଲେ ସେମାନେ ବୃତ୍ତିଗତ ଲକ୍ଷ୍ୟର ଆଗକୁ ବଢୁନଥିଲେ। ଅବଶ୍ୟ ଦିନେ ନା ଦିନେ ସେମାନଙ୍କ ଚେତନାର ସୂକ୍ଷ୍ମ ପ୍ରସ୍ଥ ମନର ଉପରି ଭାଗକୁ ଉଠିଆସିବ ଏବଂ ସେମାନେ ପ୍ରଶ୍ନଟିର ଗୂଢ଼ ଅର୍ଥ ବୁଝି ତା’ର ଉତ୍ତର ନିମନ୍ତେ ଆଗ୍ରହୀ ହେବେ।
କେଉଁ ଅଜଣା ଅତୀତରେ “ବୃହଦାରଣ୍ୟକ ଉପନିଷଦ” ଯେଉଁ ବାଣୀ ପରିବେଷଣ କରିଥିଲା, ଆପଣମାନଙ୍କ ପ୍ରଶ୍ନର ଉତ୍ତରରେ ତାହାଠାରୁ ଅଧିକ ସ୍ପଷ୍ଟଏବଂ ଅଧିକ ସଂକ୍ଷିପ୍ତ ଉତ୍ତର କଳ୍ପନା କରାଯାଇ ପାରେନା। ଏ ଲେଖକର ପରିମିତ ଜ୍ଞାନରେ ଏହି ଦିଗ୍‌ଦର୍ଶନ ହିଁ ଚୂଡାନ୍ତ ସତ୍ୟ: “ଅସଦୋ ମା ସଦ୍‌ଗମୟ। ତମସୋ ମା ଜ୍ୟୋତିର୍ଗମୟ। ମୃତ୍ୟୁର୍ମା ଅମୃତଂ ଗମୟ୍।” ଅନସ୍ତିତ୍ବରୁ ଦିବ୍ୟଅସ୍ତିତ୍ବକୁ, ତମସାରୁ ଆଲୋକ ଭିତରକୁ, ମୃତ୍ୟୁରୁ ଅମୃତ୍ୟୁ ଅଭିମୁଖେ ଗତି, ଏହା ହିଁ ଜୀବନର ଅର୍ଥ ତଥା ଲକ୍ଷ୍ୟ।
କହିବା ବାହୁଲ୍ୟ, ତମସା ଏଠାରେ ଅଜ୍ଞାନର ପ୍ରତିଶବ୍ଦ। ଗୋଟିଏ ଜନ୍ମର ଯାବତୀୟ ଅଭିଜ୍ଞତାର ନିର୍ଯାସ ଭିତ୍ତିରେ ଆମେ ପୁନର୍ବାର ଜନ୍ମଗ୍ରହଣ କରୁଁ ଏବଂ ସେହି ଭିତ୍ତିରେ ପୁନଃ ପୁନର୍ବାର। ଚେତନାର ବିକାଶ ଘଟୁଥାଏ ଆମ ଅଜାଣତରେ। ଏହି ଧାରା ସମ୍ପର୍କରେ ଆମେ ଯେଉଁ ଜନ୍ମରେ ସଚେତନ ହୋଇଉଠୁଁ ସେବେଠାରୁ ବିକାଶ ଦ୍ରୁତ ହୁଏ।
ଉପନିଷଦ୍‌-ପ୍ରଦତ୍ତ ସୂଚନା ଅନୁସାରେ ଏ ଜୀବନ ଦିନେ ଦିବ୍ୟ ଅସ୍ତିତ୍ବରେ ପରିଣତ ହେବ, ଆମ ଚେତନା ଦିବ୍ୟଜ୍ଞାନରେ ଉଦ୍‌ଭାସିତ ହେବ। ମଣିଷର ଯାବତୀୟ ଅହଂଚାଳିତ କାର୍ଯ୍ୟକଳାପ, ଭୁଲ୍ କର୍ମଠୁଁ ଆରମ୍ଭ କରି ପାପାଚାର ପର୍ଯ୍ୟନ୍ତ ସମସ୍ତ କର୍ମ ଯେହେତୁ ଅଜ୍ଞାନର ଫଳ ଏବଂ ମୃତ୍ୟୁ ମଧ୍ୟ ଅଜ୍ଞାନର ହିଁ ଏକ ରୂପ, ମଣିଷ ପ୍ରକୃତ ଜ୍ଞାନର ଅଧିକାରୀ ହେଲେ ମୃତ୍ୟୁର ସ୍ୱୈରାଚାରରୁ ମଧ୍ୟ ମୁକ୍ତ ହେବ।
ଏହା ହିଁ ଯଦି ଭାଗବତ ନିର୍ଣ୍ଣୟ ହୋଇଥାଏ, ତେବେ ମଣିଷ ଯେତେଦୂର ସମ୍ଭବ ଭଗବାନଙ୍କ ସଂକଳ୍ପ ଅନୁସାରେ କର୍ମ କଲେ ଲକ୍ଷ୍ୟରେ ଉପନୀତ ହେବା ଦିଗରେ ସମ୍ଭାବନା ତା’ର ସେତିକି ନିକଟତର ହେବ। ଆମେ ସଚରାଚର ଆମ କାମନା ଚରିତାର୍ଥ ସକାଶେ କର୍ମ କରିଥାଉଁ। ଭଗବାନଙ୍କ ସଂକଳ୍ପ ଅନୁସାରେ କର୍ମ କରିବାକୁ ହେଲେ ବ୍ୟକ୍ତିଗତ କାମନା ବିରହିତ, ଅର୍ଥାତ୍ ନିଷ୍କାମ କର୍ମ କରିବା ଚାହି। ସେଭଳି କର୍ମ ସମ୍ପାଦନ ଲକ୍ଷ୍ୟପ୍ରାପ୍ତିର ନିର୍ଭୁଲ ମାର୍ଗ, ଲକ୍ଷ୍ୟ ନୁହେଁ । ଏ ଅଜ୍ଞାନ ଜୀବନକୁ ଦିବ୍ୟ ଜୀବନକୁ ପରିଣତ କରିବା ହେଲା ଲକ୍ଷ୍ୟ।
ଏ ସମ୍ପର୍କରେ ସଚେତନ ହେବା ପରେ ମଧ୍ୟ, ଜଣେ ଅନିର୍ଦିଷ୍ଟ ଭବିଷ୍ୟତରେ ଏହି ମର ଜୀବର ଦିବ୍ୟ ରୂପାନ୍ତର ପର୍ଯ୍ୟନ୍ତ ଅପେକ୍ଷା କରିବା ଅପେକ୍ଷା ତୁରନ୍ତ ଜନ୍ମ-ଜନ୍ମାନ୍ତର ଧାରାରୁ ଅପସରିଯାଇ ନିର୍ବାଣ ଲଭିବାର ସିଦ୍ଧାନ୍ତ ନେଇପାରେ। ସେ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି; କିନ୍ତୁ ତାହା ହିଁ ଶେଷସତ୍ୟ ନୁହେଁ। କ୍ରମବିକାଶ ପଦ୍ଧତି ହିଁ ଦିନେ ଦିବ୍ୟଶକ୍ତି ଦ୍ୱାରା ମାର୍ଜିତ ହୋଇ ଭୂପୃଷ୍ଠରେ ଦିବ୍ୟମାନବ ସମ୍ଭବପର କରିବ,ଏହି ପ୍ରତିଶ୍ରୁତି ବହନ କରୁଛି ଉପନିଷଦର ଉଦ୍ଧୃତ ବାଣୀ।
ଗ୍ରହାନ୍ତରେ ଜୀବଜଗତର ସମ୍ଭାବନା
ପ୍ରଶ୍ନ ୩: ବିଶ୍ୱବ୍ରହ୍ମାଣ୍ଡରେ ଆମ ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହନକ୍ଷତ୍ରରେ ଜୀବଜଗତ ଅଛିକି ? ଯଦି ଅଛି, ତେବେ ଏ ପୃଥିବୀରେ ଜୀବଧାରୀ ମୃତ୍ୟୁ ପରେ ଅନ୍ୟ ଗ୍ରହରେ ଜନ୍ମ ନିଅନ୍ତିକି ? ଆମ ପ୍ରାରବ୍ଧ ସମାପ୍ତ ହେବାକୁ କେତେ ଜନ୍ମ ନେବାକୁ ପଡ଼ିବ?
ଜ୍ଞାନରଞ୍ଜନ ଦାସ, ସୁନ୍ଦରଗଡ଼
ଉତ୍ତର: ବିଜ୍ଞାନ ସେ ସନ୍ଧାନରେ ବ୍ୟାପୃତ ରହିଛି ଏବଂ ତା’ର ବିବରଣୀ ସଂବାଦପତ୍ରମାନଙ୍କରେ ପ୍ରକାଶ ପାଉଛି। ସେ ଦିଗରେ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ଏ ଯାବତ୍ ସଂଭବପର ହୋଇନାହିଁ; କିନ୍ତୁ କଳ୍ପନାର ଅନ୍ତ ନାହିଁ। ସେଭଳି ସମ୍ଭାବନା ଉପରେ ଅସଂଖ୍ୟ ବିଜ୍ଞାନଭିତ୍ତିକ କାହାଣୀ (Science fiction) ଲେଖା ହେଉଛି ଏବଂ ଗୁଡିଏ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଛି। ମଧ୍ୟେ ମଧ୍ୟେ “ଉଡ଼ନ୍ତା ଥାଳିଆ”(Flying Saucer, UFO ବା Unidentified Flying Object) ଭଳି ରହସ୍ୟମୟ ଚିଜ ଆମ କଳ୍ପନାକୁ ଇନ୍ଧନ ଯୋଗାଏ। ଆମେରିକା ମୁଲକ ଉପରିସ୍ଥ ଆକାଶରେ ପ୍ରାୟତଃ ଅସ୍ୱାଭାବିକ ଜ୍ୟୋତି ବିକିରଣକାରୀ ଭିନ୍ନଭିନ୍ନ ଆକୃତିର ଏହି ବସ୍ତୁ ବାରମ୍ବାର ଦୃଷ୍ଟିଗୋଚର ହୁଅନ୍ତେ ଏହା ଉପରେ ଦୃଷ୍ଟି ରଖିବା ନିମନ୍ତେ ସରକାର Project Blue Book ନାମକ ଏକ ପ୍ରତିଷ୍ଠାନ ବସାଇଲେ ଏବଂ ବିଶେଷଜ୍ଞଙ୍କ ମତ ଅନୁସାରେ ୧୯୫୨ ବେଳକୁ ଘୋଷଣା କଲେ ଯେ ସେସବୁ ଦୃଶ୍ୟ ବାତାବରଣର ବୈଚିତ୍ର୍ୟ ମାତ୍ର। ଆମେରିକାର ଜାତୀୟ ବିଜ୍ଞାନ ପରିଷଦ୍ ମଧ୍ୟ ସେସବୁ ରହସ୍ୟମୟ ଉଡନ୍ତା ଯାନକୁ ଗ୍ରହାନ୍ତରର କୌଣସି ସଭ୍ୟତାର ସନ୍ଧାନୀ ଅଭିଯାନ ବୋଲି ମନେକରନ୍ତି ନାହିଁ।
ସ୍ୱନାମଧନ୍ୟ ମନସ୍ତତ୍ତ୍ୱବିଦ୍ କାର୍ଲ୍ ଗୁସ୍ତଭ୍ ୟୁମ୍‌ ସେସବୁ ଦୃଶ୍ୟର ବ୍ୟାଖ୍ୟା ଦେଇଛନ୍ତି ଏହି ମର୍ମରେ: ମଣିଷ ପାଇଁ ସାଂପ୍ରତିକ ପୃଥିବୀର ପରିସ୍ଥିତି ଅସହ୍ୟ ହୋଇଉଠନ୍ତେ ତା’ର ଅବଚେତନ କୌଣସି ଅଜ୍ଞାତ ମହାଶକ୍ତିର ହସ୍ତକ୍ଷେପ କାମନା କରୁଛି। ସେହି ସମବେତ ଅବଚେତନ ବାସନା ଊର୍ଦ୍ଧ୍ୱରୁ ସେଭଳି ରହସ୍ୟମୟ ଆଗନ୍ତୁକର ଭ୍ରମ ସୃଜନ କରୁଛି।
କିନ୍ତୁ ଏଭଳି ବ୍ୟାଖ୍ୟା ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତି ଜିମ୍ମି କାର୍ଟର୍ ଗ୍ରହଣ କରନ୍ତେ କି ? ୧୯୬୯ର କଥା। କାର୍ଟର୍ ସେତେବେଳେ ଜର୍ଜିଆ ରାଜ୍ୟର ରାଜ୍ୟପାଳ ଥିଲେ। ଦିନେ ସନ୍ଧ୍ୟାରେ ଲିଆରି ସହର ଉପରେ ସେ ଏବଂ ତା’ଙ୍କ ସହ ଥିବା କେତେଜଣ ବିଶିଷ୍ଟ ବ୍ୟକ୍ତି ଆକାଶରେ ଗତିମାନ ଯେଉଁ ଉଜ୍ଜ୍ୱଳ ଯାନଟି ଦଶ ମିନିଟ୍ ପର୍ଯ୍ୟନ୍ତ ଦେଖିପାରିଥିଲେ, ତାହା କୌଣସି ବାତାବରଣ-କୈନ୍ଦ୍ରିକ ଦୃଶ୍ୟ ନୁହେଁ କି ମାନସିକ ଭ୍ରମ ହୋଇପାରେନା ବୋଲି ସେ ନିଶ୍ଚିତ -ତାହା କୌଣସି ଗ୍ରହରୁ ଆସୁ ବା ନ ଆସୁ।
ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସମଗ୍ର ସୃଷ୍ଟି-ବିଶ୍ୱବ୍ରହ୍ମାଣ୍ଡ – ପ୍ରାଣଶକ୍ତି ସମ୍ପନ୍ନ; କିନ୍ତୁ ଜୀବନର ଯେଉଁ କ୍ରମବିକାଶ ଆମ ପୃଥିବୀରେ ଅବ୍ୟାହତ ରହିଛି, ତାହା ଅନ୍ୟ କୌଣସି ଗ୍ରହରେ ଘଟୁନାହିଁ। ଅତଏବ ଏ ଧରାପୃଷ୍ଠରେ ଜାତ ଅମ୍ଭେମାନେ ଏହି ଧରାପୃଷ୍ଠରେ ହିଁ ପୁନର୍ଜନ୍ମ ନେଉଥିବୁଁ। ଭବିଷ୍ୟତରେ ଯଦି ଏହି ପୃଥିବୀର ମଣିଷ ଅନ୍ୟ କୌଣସି ଗ୍ରହ ବା ଉପଗ୍ରହରେ ବସତି ସ୍ଥାପନ କରେ, ତେବେ ଗ୍ରହାନ୍ତରେ ପୁନର୍ଜନ୍ମ ସମ୍ଭବପର ହୋଇପାରେ।
ଆପଣଙ୍କ ପ୍ରଶ୍ନର ଦ୍ୱିତୀୟ ଭାଗର ପର୍ଯ୍ୟାୟ ଭିନ୍ନ। ସଂକ୍ଷେପରେ: ପ୍ରାରବ୍ଧର ସମାପ୍ତି ନିମନ୍ତେ ଏକାଧିକ ମାର୍ଗ ରହିଛି; ବୁଦ୍ଧଙ୍କ ପ୍ରବର୍ତ୍ତିତ ମାର୍ଗ ସ୍ପଷ୍ଟ। ଫଳ ନିର୍ବାଣ; କିନ୍ତୁ ଜଣକର କର୍ମ କ୍ରମେକ୍ରମେ ଅହଂମୁକ୍ତ ତଥା ଭଗବତ୍-ନିବେଦିତ ହୋଇଚାଲିଲେ ଜଣେ ସମସ୍ତ ବନ୍ଧନ ଅତିକ୍ରାନ୍ତ ଏକ ମୁକ୍ତ ଆତ୍ମା ରୂପେ ରହିପାରିବ।
ଦିବ୍ୟଶକ୍ତିକୁ ସ୍ୱୀକାର ଅସ୍ୱୀକାର
ପ୍ରଶ୍ନ ୪: ମଣିଷ ପରମାତ୍ମାଙ୍କ ଉପସ୍ଥିତି ଅନୁଭବ କରି ତା’ର ଦୁଃଖ ଦୂର କରିବା ପାଇଁ ପ୍ରାର୍ଥନା କରେ; କିନ୍ତୁ ପରବର୍ତ୍ତୀ ସମୟରେ ବିଧାତା ବା ପରମାତ୍ମାଙ୍କୁ ଅସ୍ୱୀକାର କରେ କାହିଁକି ?
ରଶ୍ମିରଞ୍ଜନ ସ୍ୱାଇଁ, ବୈରୀମାଳ, ସୁକିନ୍ଦା, ଯାଜପୁର
ଉତ୍ତର: ଆପଣ ସମ୍ଭବତଃ “ପରମାତ୍ମା” ଓ “ବିଧାତା” ଶବ୍ଦ ସଚରାଚର ଦିଅଁ ଅର୍ଥରେ ବ୍ୟବହାର କରୁଛନ୍ତି। ସତରେ ଜଣେ “ପରମାତ୍ମାଙ୍କ ଉପସ୍ଥିତି ଅନୁଭବ” କରିଥିଲେ ସେ ଶକ୍ତି ଆଗରେ ନିଜ ଦୁଃଖ ଦୂର କଲାଭଳି ପ୍ରାର୍ଥନା କରିବନାହିଁ– କରିପାରିବ ନାହିଁ। ସେତେବେଳେ ସେ ଅବର୍ଣ୍ଣନୀୟ ଚେତନାକୁ ଉତ୍ତୀର୍ଣ୍ଣ ହୋଇଥିବ।
ପ୍ରାୟତଃ ଆମେ ଭଗବାନଙ୍କର କୌଣସି ରୂପ ପାଖରେ ଦୁଃଖ ଦୂର ପାଇଁ ପ୍ରାର୍ଥନା କରୁଁ। ତାହା ସ୍ୱାଭାବିକ। ସାଧାରଣ ଭକ୍ତ ମଧ୍ୟ ତା’ ପ୍ରାର୍ଥନା ପୂରଣ ନ ହେଲେ ବିଶ୍ୱାସ ହରାଏ ନାହିଁ, ଯେହେତୁ ସେହି ପ୍ରାର୍ଥନା ଫଳରେ ତା’ ଭିତରେ ଭଗବାନଙ୍କ ଉପରେ ବିଶ୍ୱାସ ଗଭୀରତର ହୋଇଯାଇଥାଏ। ପ୍ରାର୍ଥନା ପୂରଣ ନ ହେବାର ମହତ୍ତର ହେତୁ ଥାଇପାରେ ବୋଲି ତା’ ଅନ୍ତରାତ୍ମା ବୁଝେ– ମନରେ ଦିଅଁଙ୍କ ପ୍ରତି ଅଭିମାନ ଆସିଲେ ମଧ୍ୟ।
ମଣିଷ ଅନେକ ସମୟରେ କୌଣସି କ୍ଷମତାବନ୍ତ ବ୍ୟକ୍ତି ପାଖକୁ କିଛି ମାଗୁଣି ନେଇ ଯାଏ; ମହାଶୟ ଜଣକ ଯେମିତି ପ୍ରୀତ ହେବେ, ସେମିତି କଥା କହେ, କିନ୍ତୁ ତା’ ମାଗୁଣି ପୂରଣ ନ ହେଲେ ମହାଶୟଙ୍କ ଉପରୁ ଆସ୍ଥା ହରାଏ। ଆପଣଙ୍କ ପ୍ରଶ୍ନ-ନିହିତ ମଣିଷର ବିଶ୍ୱାସ ଏବଂ ପରବର୍ତ୍ତୀ ପ୍ରତିକ୍ରିୟା ଏହି ପର୍ଯ୍ୟାୟର ବ୍ୟାପାର ହୋଇଥିବା ସମ୍ଭବ।

Leave A Reply