ସାଧାରଣ ବର୍ଗ ସଂରକ୍ଷଣର କିଛି ବିସଙ୍ଗତି

0

ବିଜନ କୁମାର ମହାପାତ୍ର

ସଂସଦରେ ଗୃହୀତ ହୋଇଛି ସବର୍ଣ୍ଣ ବା ସାଧାରଣ ବର୍ଗ ସଂରକ୍ଷଣ ସଂପର୍କିତ ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହୋଇସାରିଛି। ନିର୍ବାଚନ ବର୍ଷରେ ବିଜେପିଠାରୁ ଦୂରେଇ ଯାଉଥିବା ଅସନ୍ତୁଷ୍ଟ ଉଚ୍ଚଜାତିର ଭୋଟରଙ୍କ ଆସ୍ଥାଭାଜନ ହେବା ପାଇଁ ନରେନ୍ଦ୍ର ମୋଦୀ ସରକାର ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଭଳି ମହଦାକାଂକ୍ଷୀ ବିଲ୍‌ ସଂସଦରେ ଆଣି ବିରୋଧୀ ଦଳଙ୍କୁ ଚକ୍‌ମା ଦେଇଛନ୍ତି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସବର୍ଣ୍ଣ ସଂରକ୍ଷଣ ବିଲ୍‌ର ସମୟକୁ ନେଇ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ନିର୍ବାଚନ ଥିବାରୁ ବିରୋଧ କରିପାରି ନଥିଲେ । ତେଣୁ ମୋଦୀ ସରକାରଙ୍କ ଉଦ୍ଦେଶ୍ୟକୁ କଡା ଭାଷାରେ ପ୍ରଶ୍ନ କରିବା ସହ ସବର୍ଣ୍ଣ ସଂରକ୍ଷଣ ବିଲ୍‌କୁ ସମର୍ଥନ କରିବା ଛଡା ବିରୋଧୀ ଦଳ ପାଖରେ ଅନ୍ୟ ଉପାୟ ନ ଥିଲା। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ସରକାର ଯେ ଖୁବ୍ ତରବରିଆ ଭାବେ ଏଭଳି ଏକ ସଂରକ୍ଷଣ ବ୍ୟବସ୍ଥା ଆଣିଛନ୍ତି, ତାହା ସହଜରେ ଅନୁମେୟ ।
ତେବେ ସବର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥାରେ ଏକାଧିକ ଦୋଷତ୍ରୁଟି ରହିଥିବା ମନେହୁଏ । ଭବିଷ୍ୟତରେ ଏ ବାବଦରେ ନ୍ୟାୟିକ ସମୀକ୍ଷା ଯଦି ହୁଏ ଓ ଏଥିରେ ଥିବା ବିସଙ୍ଗତିଗୁଡିକ ଉପରେ ପ୍ରଶ୍ନ ଉଠେ, ତାହା ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ୧୯୯୧ ମସିହାରେ ତତ୍କାଳୀନ ନରସିଂହ ରାଓ ସରକାର ମଧ୍ୟ ସବର୍ଣ୍ଣଙ୍କୁ ସଂରକ୍ଷଣ ଦେବା ପାଇଁ ନଷ୍ପତ୍ତି ନେଇଥିଲେ; କିନ୍ତୁ ସୁପ୍ରିମକୋର୍ଟ ନରସିଂହ ରାଓ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ। କାରଣ ତାହା ୫୦ ପ୍ରତିଶତ ସଂରକ୍ଷଣ ସୀମାର ଉଲ୍ଲଙ୍ଘନ ଥିଲା । ଏ ଦୃଷ୍ଟିରୁ ମୋଦୀ ସରକାରଙ୍କ ସବର୍ଣ୍ଣ ସଂରକ୍ଷଣ ବିଲ୍ ଯେ ନ୍ୟାୟିକ ସମୀକ୍ଷା ପାର କରିପାରିବ, ତାହା କହିବା ମୁସ୍କିଲ । ଅବଶ୍ୟ ଏଭଳି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ସରକାର ବେଶ୍ ଆଶାବାଦୀ।
ଆର୍ଥିକ ଭିତ୍ତିରେ ସାଧାରଣ ବର୍ଗଙ୍କୁ ସଂରକ୍ଷଣ ପାଇଁ କିଛିଟା ସର୍ତ୍ତ ରହିଛି । ଯାହାଙ୍କ ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ ଅଧିକ ହୋଇ ନ ଥିବ, ୫ ଏକରରୁ କମ ଚାଷ ଜମି ଥିବ, ଘର ୧ ହଜାର ବର୍ଗଫୁଟରୁ କମ୍ ଥିଲେ ହିଁ ମିଳିବ ସଂରକ୍ଷଣର ସୁବିଧା, କିନ୍ତୁ ଏଠାରେ ବିରୋଧାଭାସ ସ୍ପଷ୍ଟ ପ୍ରତିଫଳିତ ହେଉଛି। ଯେଉଁ ଭାରତୀୟଙ୍କ ବାର୍ଷିକ ଆୟ ୨ ଲକ୍ଷ ୫୦ ହଜାର, ତାଙ୍କୁ ଆୟକର ଦେବାକୁ ପଡୁଛି; ଅର୍ଥାତ ସରକାର ଏହି ଶ୍ରେଣୀର ଲୋକଙ୍କୁ ଆୟକର ଦେବା ପାଇଁ ଯୋଗ୍ୟ ବୋଲି ଭାବନ୍ତି। ଜଣେ ସଦସ୍ୟ କିନ୍ତୁ ରୋଜଗାର କରୁଥିବା ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ କମ୍ ହେଲେ ସେହି ପରିବାର ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ପାଇଁ ଯୋଗ୍ୟତା ରଖେ ! ପରିବାରରେ ଯେଉଁଠି ସ୍ବାମୀ, ସ୍ତ୍ରୀ ଦୁହେଁ ବାର୍ଷିକ ଚାରି ଲକ୍ଷ ଟଙ୍କା ଲେଖାଏଁ ଆୟ କରୁଥିବେ, ସେମାନେ ବି ନୂଆ ବିଲ୍ ଅନୁସାରେ ସଂରକ୍ଷଣ ପାଇଁ ଯୋଗ୍ୟ ବିବେଚିତ ହେବେ !
କି ବିଚିତ୍ର ବିରୋଧାଭାସ ଦେଖନ୍ତୁ। ଯେଉଁ ଭାରତୀୟ ଦୈନିକ ମାତ୍ର ୩୩ ଟଙ୍କା ଆୟ କରନ୍ତି, ସେ ଦାରିଦ୍ର୍ୟ ସୀମାରେଖା ଉପରେ ରହିବେ। ଆଉ ଯିଏ ମାସକୁ ୬୬ ହଜାର ୬୬୬ ଟଙ୍କା ( ବାର୍ଷିକ ୮ ଲକ୍ଷ) ଆୟ କରନ୍ତି, ସିଏ ଗରିବ ସବର୍ଣ୍ଣ ଭାବେ ବିବେଚିତ ହେବେ । ମୋଦୀ ସରକାରଙ୍କ ନୂଆ ସଂରକ୍ଷଣ ବ୍ୟବସ୍ଥାର ମାପଦଣ୍ଡ ଏୟା ତ କହୁଛି । ଆୟ ଆଧାରର ଏହି ତାର୍କିକ ବିସଙ୍ଗତି ଦ୍ବାରା ଜାତିଭିତ୍ତିକ ସଂରକ୍ଷଣ ପାଇ ନଥିବା ୯୫ ପ୍ରତିଶତରୁ ଅଧିକ ଲୋକ ଆର୍ଥିକ ସଂରକ୍ଷଣ ପାଇଁ ଯୋଗ୍ୟ ବିବେଚିତ ହେବେ ।
ରାଜନୈତିକ ଆବଶ୍ୟକତା ପାଇଁ ବିଲ୍‌ରେ ଥିବା ବିଭିନ୍ନ ଅସଙ୍ଗତି ଓ ବିସଙ୍ଗତିକୁ ଉପେକ୍ଷା କରାଯାଇଥିବା ଭଳି ମନେହୁଏ । ସବର୍ଣ୍ଣ, ମରାଠୀ ଏବଂ ପଟିଦାର ଭଳି ସଂପ୍ରଦାୟର ସ୍ବାର୍ଥର ସଂରକ୍ଷଣ ପାଇଁ ପ୍ରୟାସ କରାଯାଉଛି ବୋଲି ବାର୍ତ୍ତା ଦେବାକୁ ଚାହୁଁଛି ବିଜେପି, କିନ୍ତୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ସାଧାରଣ ବର୍ଗଙ୍କ ପାଇଁ ମୋଦୀ ସରକାର ସଂରକ୍ଷଣ ବ୍ୟବସ୍ଥା କରିବାକୁ ଯାଉଛନ୍ତି, ସେମାନଙ୍କୁ ପ୍ରକୃତରେ ଲାଭ ମିଳିବ କି ? ବୋଧହୁଏ ନା, କାରଣ ସରକାରୀ ଚାକିରିର ଘୋର ଅଭାବ। ଶିକ୍ଷା କଥା ଯଦି କହିବା, (ବିଶେଷତଃ ପେସାଦାର ଶିକ୍ଷା) ତାହା ହେଲେ ଅଧିକରୁ ଅଧିକ ସିଟ୍ ସେମାନଙ୍କୁ ମିଳେ, ଯେଉଁମାନେ ସଂରକ୍ଷିତ ଶ୍ରେଣୀରେ ଆସନ୍ତି ନାହିଁ। ଅଧିକାଂଶ କ୍ଷେତ୍ରରେ ସଂରକ୍ଷିତ ଶ୍ରେଣୀରେ ଆସୁ ନ ଥିବା ଛାତ୍ରଛାତ୍ରୀଙ୍କୁ ସିଟ୍ ମିଳିଯାଏ,କାରଣ ସଂରକ୍ଷିତ ସିଟ୍ ପ୍ରାୟତଃ ଖାଲି ରହିଥାଏ।
ଭାରତୀୟ ରାଜନୀତିର ଗୋଳିଆ ପାଣିରେ ‘ଜାତି’ ସବୁ ରାଜନୈତିକ ଦଳ ପାଇଁ ନିର୍ବାଚନୀ ଟ୍ରମ୍ପ କାର୍ଡ ହୋଇ ରହିଛି। ବାସ୍ତବତାକୁ ପଚାରେ କିଏ! ସୁପ୍ରିମକୋର୍ଟ ସଂରକ୍ଷଣର ସୀମା ୫୦ ପ୍ରତିଶତ ଧାର୍ଯ୍ୟ କରିଛନ୍ତି। ଥରେ ଯଦି ୫୦ ପ୍ରତିଶତ ସୀମା ପାର ହୋଇଯାଏ, ତାହା ହେଲେ ସଂରକ୍ଷଣର ଦୌଡ ‘ସମସ୍ତଙ୍କ ପାଇଁ’ ହୋଇଯିବ। ଏବେଠାରୁ ତ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଲୋକେ ଦାବି କଲେଣି ଯେ ଜନସଂଖ୍ୟା ଅନୁପାତରେ ସେମାନଙ୍କ ସଂରକ୍ଷଣ ୨୭ ପ୍ରତିଶତରୁ ୫୪ ପ୍ରତିଶତ କରାଯାଉ। ଆଗକୁ ଏଭଳି ଦାବି ଆହୁରି ଉଠିବ। ଯଦି ସେସବୁକୁ ପ୍ରୋତ୍ସାହନ ଦିଆଯାଏ, ତାହା ହେଲେ ସମସ୍ତଙ୍କୁ ସମାନ ଅଧିକାର ସଂପର୍କିତ ସମ୍ବିଧାନର ଅନୁଚ୍ଛେଦ ୧୫ର ଆବଶ୍ୟକତା କଣ ରହିବ?
ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮

Leave A Reply