ହୀରାକୁଦ ବିସ୍ଥାପିତ ନ୍ୟାୟ ପାଇବେ କେବେ?
ଲଳିତକୁମାର ପୂଜାରୀ
ହୀରାକୁଦ ବନ୍ଧ ନିର୍ମାଣ ୧୯୪୮ରେ ଆରମ୍ଭ ହେଲା ଏବଂ ୧୯୫୪ରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା। ୨୬,୦୦୦ରୁ ଊର୍ଦ୍ଧ୍ବ ପରିବାର ବନ୍ଧ ନିର୍ମାଣ ଯୋଗୁଁ ନିଜ ଭିଟାମାଟି ହରାଇଲେ। ଅବିଭକ୍ତ ସମ୍ବଲପୁର ଜିଲାର ନଅଟି ପୁଲିସ ଷ୍ଟେସନ, ଯଥା- ମହାଦେବପାଲି, ମୁରା, ରମ୍ପେଲା, ବ୍ରଜରାଜନଗର, ଝାରସୁଗୁଡା, କତରବଗା, ସମ୍ବଲପୁର, ଭଟଲି ଓ ଅମ୍ବାଭନା ଅଞ୍ଚଳର ଅଧିବାସୀମାନେ ହୀରାକୁଦ ବନ୍ଧ ଯୋଗୁଁ ୧୯୫୪ରୁ ୧୯୫୫ ମଧ୍ୟରେ ନିଜ ଘର ଓ ଜମିରୁ ବିସ୍ଥାପିତ ହେଲେ। ସେମାନଙ୍କ ମଧ୍ୟରୁ ୧୬,୦୦୦ରୁ ଊର୍ଦ୍ଧ୍ବ ପରିବାର ୧୭ଟି ବିଭିନ୍ନ ଶିବିରରେ ଥଇଥାନ ହେଲେ। ଆଉ ୧୦,୦୦୦ ରୁ ଊର୍ଦ୍ଧ୍ବ ପରିବାର ହୀରାକୁଦ ବନ୍ଧ ଜଳାଶୟର ଚାରିପଟେ ଥିବା ଅଞ୍ଚଳରେ ଅବସ୍ଥାପିତ ହେଲେ।
ରେକର୍ଡ ଅନୁଯାୟୀ ଏହି ୧୦,୦୦୦ ରୁ ଊର୍ଦ୍ଧ୍ବ ପରିବାରଙ୍କୁ କ୍ଷତିପୂରଣ ଦିଆହେଲା ଏବଂ ତା’ସହିତ ବନ୍ଧ ଦ୍ୱାରା ଅଧିଗ୍ରହଣ ହୋଇଥିବା ଜମିରେ ଚାଷ କରିବାକୁ ସରକାରଙ୍କ ତରଫରୁ ଡେପୁଟି କମିସନର ପଟ୍ଟା (ଡିସି ପଟ୍ଟା) ଓ ଅସ୍ଥାୟୀ ଲିଜ ପଟ୍ଟା ପ୍ରଦାନ କରାଗଲା। ରେକର୍ଡ ଅଫ ରାଇଟ ହିସାଵରେ ଏହି ଜମିଗୁଡିକ ପତିତ, ଗୋଚର ଓ ଜଙ୍ଗଲ କିସମ ଅନ୍ତର୍ଭୁକ୍ତ ଥିଲା। ହୀରାକୁଦ ବନ୍ଧର ନିର୍ମାଣ ପାଇଁ ସରକାର ବିସ୍ତୀର୍ଣ୍ଣ ଅଞ୍ଚଳରେ ଜମି ଅଧିଗ୍ରହଣ କରିଥିଲେ। ବନ୍ଧ ଜଳାଶୟ ଚାରିପଟେ ବସବାସ କରୁଥିବା ଉଦ୍ବାସ୍ତୁ ପରିବାରମାନଙ୍କୁ ଏହି ଜମିରୁ କିଛି ଅଂଚଳରେ ଡିସି ପଟ୍ଟା ଓ ଲିଜ୍ ଜରିଆରେ ଚାଷ କରିବା ଅଧିକାର ଦିଆଗଲା।
ଡିସି ପଟ୍ଟା ଓ ଅସ୍ଥାୟୀ ଲିଜ ପଟ୍ଟାକୁ ସ୍ଥାୟୀପଟ୍ଟା କେମିତି କରାହେବ, ତାହାର ବ୍ୟବସ୍ଥା ମଧ୍ୟ ସରକାରଙ୍କ ତରଫରୁ କରାଗଲା। ସେଣ୍ଟ୍ରାଲ ପ୍ରୋଭିନ୍ସ ଆକ୍ଟ ୧୯୨୦ ଅନୁଯାୟୀ ସ୍ଥାୟୀ ପଟ୍ଟା ପାଇବାକୁ ହେଲେ ଉଦ୍ବାସ୍ତୁ ପରିବାରକୁ ଡିସି ପଟ୍ଟା ଜମିକୁ ତିନିବର୍ଷ ଭିତରେ ଚାଷ ଜମିକୁ ପରିବର୍ତ୍ତିତ କରିବାକୁ ହେବ ଏବଂ ତା’ପରେ ସ୍ଥାୟୀ ପଟ୍ଟା ପାଇଁ ସ୍ଥାନୀୟ ତହସିଲଦାରଙ୍କ ପାଖରେ ଆବେଦନ କରିବାକୁ ହେବ। ବିଗତ ଅର୍ଦ୍ଧଶତାବ୍ଦୀ ଭିତରେ ବନ୍ଧ ଚାରିପଟେ ରହୁଥିବା ବିସ୍ଥାପିତ ପରିବାରମାନଙ୍କୁ ଡିସି ପଟ୍ଟା ଓ ଅସ୍ଥାୟୀ ଲିଜ ଜମିଗୁଡିକର ସ୍ଥାୟୀପଟ୍ଟା ପ୍ରଦାନ କରିବା ପାଇଁ ସରକାର ନିର୍ଦେଶନାମା ଜାରି କରିଛନ୍ତି, କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ତଳ ସ୍ତରରେ ଏହି ନିର୍ଦେଶନାମାଗୁଡିକର ପାଳନ କରାଯାଉନଥିବାରୁ ଅନେକ ବିସ୍ଥାପିତ ପରିବାର ଆଜି ମଧ୍ୟ ନିଜ ଜମିର ସ୍ଥାୟୀ ପଟ୍ଟା ପାଇନାହାନ୍ତି। ସୂଚନାଯୋଗ୍ୟ, ଡିସି ପଟ୍ଟା ଓ ଲିଜ ଜମି ପାଇଲାପରେ, ଚାଷୀମାନେ କେବଳ ପତିତ, ଗୋଚର ଓ ଜଙ୍ଗଲ ଜମିକୁ ଚାଷ ଜମିରେ ପରିବର୍ତ୍ତନ କରିନାହାନ୍ତି, ବରଂ ୧୯୫୯-୬୦ରୁ ୧୯୮୯-୯୦ ପର୍ଯ୍ୟନ୍ତ ରାଜସ୍ବ ବିଭାଗକୁ ନିୟମିତ ଜମି ଖଜଣା ପୈଠ କରି ଆସିଛନ୍ତି। ୧୯୯୦ରେ ରାଜସ୍ବ ବିଭାଗ ଏହି ପରିବାରମାନଙ୍କୁ ସ୍ଥାୟୀ ପଟ୍ଟା ଦେବାର ନିଷ୍ପତ୍ତି ନେଲେ ଏବଂ ସେମାନଙ୍କଠାରୁ ଖଜଣା ନେବା ବନ୍ଦ କରିଦେଲେ।
ବର୍ତ୍ତମାନ ମଧ୍ୟ ଏହି ପରିବାରଗୁଡ଼ିକ ଡିସି ପଟ୍ଟା ଓ ଅସ୍ଥାୟୀ ପଟ୍ଟା ବଳରେ ଜମିର ଅଧିକାରରେ ଅଛନ୍ତି। କିନ୍ତୁ ଡିସି ପଟ୍ଟା/ ଅସ୍ଥାୟୀ ପଟ୍ଟା ଏବଂ ସ୍ଥାୟୀ ପଟ୍ଟା ମଧ୍ୟରେ ଏକ ବହୁତ ବଡ ଅନ୍ତର ଅଛି। ଡିସି ପଟ୍ଟା/ ଅସ୍ଥାୟୀ ପଟ୍ଟା ବଳରେ ସେମାନେ ଜମି ଚାଷ କରୁଛନ୍ତି, କିନ୍ତୁ ତାକୁ ଦେଖାଇ କୃଷି ଋଣ ନେଇପାରିବେ ନାହିଁ କିମ୍ବା ଘରର ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ, ଯଥା- ପିଲାଙ୍କ ପାଠପଢ଼ା, ବିବାହ, ସ୍ୱାସ୍ଥ୍ୟଜନିତ ଜରୁରୀ ଖର୍ଚ୍ଚ ପାଇଁ ଋଣ ନେଇପାରିବେ ନାହିଁ ବା ବିକ୍ରି କରିପାରିବେ ନାହିଁ। ଏପରିକି ମଣ୍ଡିରେ ଧାନ ବିକ୍ରି କରିପାରିବେ ନାହିଁ।
ବିସ୍ଥାପିତ ପରିବାରମାନେ ଝାରସୁଗୁଡା, ସମ୍ବଲପୁର, ବରଗଡ ଓ ସୁବର୍ଣ୍ଣପୁରର ବିଭିନ୍ନ ତହସିଲ ଅଫିସମାନଙ୍କୁ ବାରମ୍ବାର ଯାଇ ନିଜର ସ୍ଥାୟୀ ପଟ୍ଟା ପାଇଁ ଆବେଦନ କରି ଥକି ଗଲେଣି, କିନ୍ତୁ କିଛି ଫଳ ମିଳୁନାହିଁ। ଅନେକ ତହସିଲଦାର ସେମାନଙ୍କ ଆବେଦନକୁ ଏଥିପାଇଁ ଖାରଜ କରୁଛନ୍ତି ଯେ ସେମାନଙ୍କ ଡିସି ପଟ୍ଟା ବା ଅସ୍ଥାୟୀ ଲିଜ ଜମି ଜଙ୍ଗଲ ଜମି ଅନ୍ତର୍ଭୁକ୍ତ। ୨୦୧୭ ନଭେମ୍ବର ୧୪ରେ ଝାରସୁଗୁଡା ଜିଲ୍ଲାପାଳ ଓଡିଶା ରାଜସ୍ବ ବିଭାଗ ସେକ୍ରେଟାରୀଙ୍କୁ ଜଣାଇଛନ୍ତି ଯେ ଡିସି ପଟ୍ଟାଧାରୀମାନଙ୍କ ଜମି ଜଙ୍ଗଲ ଅଂଚଳରେ ଅଛି, ତେଣୁ ସେମାନଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଇ ପାରିଲା ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିସ୍ଥାପିତମାନଙ୍କୁ ୧୯୫୫-୫୬ ରେ କିସମ ଜଙ୍ଗଲ ଡିସି ପଟ୍ଟା ପ୍ରଦାନ କରାହୋଇଥିଲା ଓ ଜଙ୍ଗଲ ଆଇନ ଆସିଲା ୧୯୮୦ ରେ।
ବିସ୍ଥାପିତମାନେ ହଇରାଣ ହେବାର ଆଉ ଏକ କାରଣ ରହିଛି। ବନ୍ଧର ୬୩୦ ରୁ ୬୩୨ ଫୁଟ ଏବଂ ୬୩୨ ଫୁଟରୁ ଊର୍ଦ୍ଧ୍ବ ଅଞ୍ଚଳର ଅଧିଗ୍ରହଣ ହୋଇଥିବା ଜମି ସରକାରଙ୍କ ଜଳସମ୍ପଦ ବିଭାଗ ପାଖରେ ଥିଲା। ୧୯୯୬ରେ ରାଜସ୍ବ ମନ୍ତ୍ରୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଗଲା ଯେ ଯେତେବେଳେ ଜଳସମ୍ପଦ ବିଭାଗ ଏହି ଅଧିଗ୍ରହଣ ହୋଇଥିବା ଜମିକୁ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିବ, ଡିସି ପଟ୍ଟା ଓ ଲିଜଧାରୀ ହୀରାକୁଦ ବିସ୍ଥାପିତଙ୍କୁ ସ୍ଥାୟୀପଟ୍ଟା ପ୍ରଦାନ କରାଯିବ, କିନ୍ତୁ ଜଳ ସମ୍ପଦ ବିଭାଗ ବହୁ ଦିନ ଧରି ଜମି ହସ୍ତାନ୍ତର କଲାନାହିଁ। ଏହି ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ୨୦୧୧ରେ ଜାତୀୟ ମାନବାଧିକାର କମିସନରେ ଏକ ମୋକଦ୍ଦମା କରାଗଲା। କମିସନର ନିର୍ଦେଶ ଅନୁଯାୟୀ ଜଳସମ୍ପଦ ବିଭାଗ ୨୦୧୪ ରେ ଛଅଟି ଗ୍ରାମ ପାଇଁ କେବଳ ୧୩୦୪.୨୪ ଏକର ଜମି ହସ୍ତାନ୍ତର କଲା ଓ ସେହି ଗ୍ରାମମାନଙ୍କୁ ରାଜସ୍ବ ବିଭାଗ ରାଜସ୍ବ ଗ୍ରାମ ଭାବରେ ଘୋଷଣା କଲା। ପରବର୍ତ୍ତୀ ପର୍ଯ୍ୟାୟରେ ଜଳସମ୍ପଦ ବିଭାଗ ୧୯୧୭ରେ ପୁଣି ତେରଟି ଗ୍ରାମ ପାଇଁ ୧୯୨୭.୪୪ ଏକର ହସ୍ତାନ୍ତର କଲା, କିନ୍ତୁ ଆଜିଯାଏ ସେହି ଗ୍ରାମମାନଙ୍କୁ ରାଜସ୍ବ ଗ୍ରାମ ଭାବରେ ଗଣନା କରାଯାଇନାହିଁ ।
ଦୁଃଖର କଥା ଯେ ସମ୍ବଲପୁର ଓ ବରଗଡ ଜିଲାରେ ହୀରାକୁଦ ଡ୍ୟାମ ଜଳାଶୟ ଉଚ୍ଚତା ୬୩୨ ଫୁଟ ଉପରେ ଥିବା ଜମିକୁ ଜଳସମ୍ପଦ ବିଭାଗ ଏଯାଏଁ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିନାହିଁ। ୨୦୧୫ଠାରୁ ଝାରସୁଗୁଡା ଜିଲାରେ ଜମି ହସ୍ତାନ୍ତର ହୋଇଥିବା ଅଞ୍ଚଳରେ ବିସ୍ଥାପିତ ପରିବାରମାନେ ଶହଶହ ସଂଖ୍ୟାରେ ତହସିଲ ଅଫିସମାନଙ୍କରେ ତାଙ୍କ ଡିସି/ଅସ୍ଥାୟୀ ପଟ୍ଟାକୁ ସ୍ଥାୟୀପଟ୍ଟା କରିବା ପାଇଁ ଆବେଦନ କରିସାରିଛନ୍ତି, କିନ୍ତୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
୨୦୧୭ ନଭେମ୍ବର ୧୪ ତାରିଖରେ ଝାରସୁଗୁଡା ଜିଲାପାଳ ରାଜସ୍ବ ବିଭାଗ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖି ଡିସି ପଟ୍ଟା/ ଲିଜ଼ଧାରୀମାନଙ୍କୁ ସ୍ଥାୟୀପଟ୍ଟା ଦେବା ବାବଦରେ କିଛି ସ୍ପଷ୍ଟୀକରଣ ମାଗିଥିଲେ। କିଛି ମାସ ପରେ, ୨୦୧୮ ମଇ ୧୫ ତାରିଖରେ ମୁଖ୍ୟ ସଚିବ ଡିସି ପଟ୍ଟା/ ଲିଜଧାରୀମାନଙ୍କୁ ତୁରନ୍ତ ସ୍ଥାୟୀପଟ୍ଟା ଦେବାପାଇଁ ଝାରସୁଗୁଡା, ସମ୍ବଲପୁର, ବରଗଡ ଓ ସୁବର୍ଣ୍ଣପୁର ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି । ତାହାସତ୍ତ୍ବେ ମଧ୍ୟ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ବିଳମ୍ୱ ହେଉଛି। ବିସ୍ଥାପିତଙ୍କୁ ସ୍ଥାୟୀ ଜମି ଅଧିକାର ନ ଦେବା ଏକ ଐତିହାସିକ ଅନ୍ୟାୟ। ଏହି ଭୁଲକୁ ଠିକ କରିବା ସରକାରଙ୍କ ପ୍ରଧାନ କର୍ତ୍ତବ୍ୟ।
ସାରବାହାଲ, ଝାରସୁଗୁଡା