ସିଡ୍ନୀ ଟେଷ୍ଟରୁ ବାଦ୍ ପଡ଼ିଲେ ଈଶାନ୍ତ, ଅଶ୍ବିନ
ସିଡନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍ର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଗୁରୁବାରରୁ ଏଠାରେ ଖେଳାଯିବ। ଏହି ମ୍ୟାଚ୍ରେ ଭାରତ ତରଫରୁ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଓ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ଖେଳିବେ ନାହିଁ। ଈଶାନ୍ତଙ୍କ ପିଞ୍ଜରା ହାଡ଼ରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଚତୁର୍ଥ ଟେଷ୍ଟରେ ନ ଖେଳାଇବାକୁ ଦଳୀୟ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି।
ଚତୁର୍ଥ ଟେଷ୍ଟ ମ୍ୟାଚ୍ ନିମନ୍ତେ ଭାରତ ପକ୍ଷରୁ ୧୩ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଈଶାନ୍ତଙ୍କ ସ୍ଥାନରେ ଅନ୍ୟତମ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ସାମିଲ କରାଯାଇଛି। ସେହିପରି ଏହି ମ୍ୟାଚ୍ରେ ତାରକା ଅଫ୍ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ଶତପ୍ରତିଶତ ଫିଟ୍ ନ ଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ।
ସୂଚନାଥାଉକି ଅଶ୍ବିନ୍ ଆଡିଲେଡ୍ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ଆଘାତପ୍ରାପ୍ତ ହୋଇଥିଲେ। ଫଳରେ ସେ ଦ୍ବିତୀୟ ଓ ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଥିଲେ।
ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ସଂପୂର୍ଣ୍ଣ ଭାେବ ଫିଟ୍ ନ ଥିବା ଚର୍ଚ୍ଚା ହେଉଛି। ତାଙ୍କ ପିଠିର ମାଂସପେଶୀରେ ଆଘାତ ଲାଗିଥିବା କୁହାଯାଉଛି। ତେବେ ପିଠିରେ ମାଂସପେଶୀର ଯନ୍ତ୍ରଣା ବହୁ ପୁରୁଣା ଓ ଚତୁର୍ଥ ଟେଷ୍ଟରେ ଖେଳିବାରେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି କୋହଲି ସ୍ପଷ୍ଟ କରିଛନ୍ତି। ଚତୁର୍ଥ ଟେଷ୍ଟ ମ୍ୟାଚ୍ ଜିତିବା ତାଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କୋହଲି କହିବା ସହ ଛୋଟମୋଟ ଯନ୍ତ୍ରଣାକୁ ସମ୍ଭାଳି କିପରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହୁଏ ତାହା ସେ ଶିଖି ଯାଇଥିବା ମତ ଦେଇଛନ୍ତି। ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ୨-୧ରେ ଆଗୁଆ ରହିଛି। ଦଳ ଯଦି ୪ର୍ଥ ଟେଷ୍ଟ ମ୍ୟାଚ୍ ଜିତେ କିମ୍ବା ଡ୍ର ରଖେ, ତେବେ ସିରିଜ୍ ଜିତି ଇତିହାସ ସୃଷ୍ଟି କରିବ।