କୋହଲି ଓ ପେନ୍ଙ୍କ ଦଳକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଆତିଥ୍ୟ
ସିଡ୍ନୀ : ନୂଆବର୍ଷରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଦଳକୁ ତାଙ୍କ ସିଡ୍ନୀସ୍ଥିତ ବାସଭବନକୁ ଡାକିଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍। ଗୁରୁବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍ର ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଖେଳାଯିବ। ଉଭୟ ଦଳ ସିଡ୍ନୀରେ ପହଞ୍ଚିବା ପରେ ବିଶ୍ରାମ ନେଇଥିଲେ ଏବଂ ବୁଧବାର ଅଭ୍ୟାସ ପାଇଁ ପଡ଼ିଆକୁ ଓହ୍ଲାଇବେ। ତେଣୁ ମଙ୍ଗଳବାର ଉଭୟ ଦଳଙ୍କର ବିଶ୍ରାମଦିନ ଥିବାରୁ ଭାରତ ଓ ଅଷ୍ଟ୍ରେଲିଆ ଦଳର ସମସ୍ତ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ମରିସନ୍ ତାଙ୍କ ବାସଭବନରେ ଆତିଥ୍ୟ ପ୍ରଦାନ କରିଥିଲେ।
ଉଭୟ ଦଳର ଖେଳାଳି ମଧ୍ୟାହ୍ନ ଭୋଜନ ପାଇଁ ସିଡ୍ନୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ କିରିବିଲି ହାଉସ୍ରେ ପହଞ୍ଚି ଯାଇଥିଲେ। ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ମରିସନ୍ ସ୍ବାଗତ କରିଥିଲେ ଏବଂ ବଗିଚା ବୁଲି ଦେଖାଇଥିଲେ। ରୋହିତ ଶର୍ମାଙ୍କୁ ଛାଡ଼ି ଭାରତୀୟ ଦଳର ସମସ୍ତ ଖେଳାଳି ଉପସ୍ଥିତ ଥିଲେ। ରୋହିତଙ୍କ ପତ୍ନୀ ରିତିକା ସାଜ୍ଜେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାରୁ ତାଙ୍କ ସହ ସମୟ ବିତାଇବା ଲାଗି ରୋହିତ ମୁମ୍ବଇ ଫେରି ଆସିଛନ୍ତି। ସେ ସିଡ୍ନୀ ଟେଷ୍ଟରେ ଖେଳିବେ ନାହିଁ। ଅଧିନାୟକ ଟିମ୍ ପେନ୍ଙ୍କ ସହ ଅଷ୍ଟ୍ରେଲିଆ ଦଳର ସମସ୍ତ ଖେଳାଳି ଟିମ୍ ଜର୍ସି ପରିଧାନ କରିଥିଲେ। ଭାରତୀୟ ଖେଳାଳିଙ୍କ ମଧ୍ୟରୁ କେବଳ ଋଷଭ ପନ୍ତ୍ ଓ ହାର୍ଦିକ ପାଣ୍ଡ୍ୟା ଦଳର ବ୍ଲେଜର ପିନ୍ଧିଥିବା ବେଳେ ଅନ୍ୟ ସମସ୍ତେ ପ୍ୟାଣ୍ଟ୍ ସାର୍ଟ ପିନ୍ଧିଥିଲେ। ଗତ ୩ଟି ଟେଷ୍ଟରେ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ପଡ଼ିଆରେ କଥା କଟାକଟି ଓ ବାକ୍ ବିତଣ୍ଡା ଦେଖିବାକୁ ମିଳିଥିଲା। ତେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମରିସନ୍ଙ୍କ ଦ୍ବାରା ଦିଆ ଯାଇଥିବା ଏହି ଭୋଜିରେ ଉଭୟ ଦଳର ଖେଳାଳି ପରସ୍ପରଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ ଏବଂ କଥାବାର୍ତ୍ତା କରିଥିଲେ। ଚଳିତ ସିରିଜ୍ରେ ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ପ୍ରଥମ ଟେଷ୍ଟକୁ ଭାରତ ୩୧ ରନ୍ରେ ଜିତିବା ପରେ ୨ୟ ଟେଷ୍ଟକୁ ୧୪୬ ରନ୍ରେ ଜିତି ଅଷ୍ଟ୍ରେଲିଆ ୧-୧ ସ୍ଥିତିକୁ ଆଣିଥିଲା। ୩ୟ ଟେଷ୍ଟକୁ ଭାରତ ୧୩୭ ରନ୍ରେ ଜିତିବା ପରେ ସିରିଜ୍ରେ ୨-୧ରେ ଆଗୁଆ ରହିଛି। ଫଳରେ ଭାରତ ସମ୍ମାନଜନକ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି। ଭାରତ ୪ର୍ଥ ଟେଷ୍ଟମ୍ୟାଚ୍ ଡ୍ର ରଖିଲେ କିମ୍ବା ବିଜୟୀହେଲେ ତା’ର କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିବ।