ମାଟ୍ରିକ ପରୀକ୍ଷାରେ ଗଫଲତି ଧରିଲା ଏଆଇ, ବୋର୍ଡ ଦେଲା ତଦନ୍ତ ପାଇଁ ନିର୍ଦେଶ

କଟକ: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପରୀକ୍ଷାକୁ କପି ମୁକ୍ତ ଏବଂ ଶୃଙ୍ଖଳିତ ସହିତ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏଥର ପ୍ରଥମ ଥର ପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଜରିଆରେ ମାଟ୍ରିକ ପରୀକ୍ଷା ପରିଚାଳନା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ସହାୟତା ନିଆଯାଇଛି। ପ୍ରଥମ ଦିନ ମାଟ୍ରିକ ପରୀକ୍ଷାରେ କେଉଁଠି ଅବ୍ୟବସ୍ଥା ଥିଲା ତାହା ଏଆଇ ଧରିବାରେ ସଫଳ ହୋଇଛି। ଏଆଇ ଧରିଥିବା ବିଭିନ୍ନ ଅବ୍ୟବସ୍ଥାର ତାଲିକା ଗଣମାଧ୍ୟମ ହାତରେ ଲାଗିଛି।

prayash

କେଉଁଠି ପରୀକ୍ଷା ହଲରେ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ଏବଂ ଆଉ କେଉଁଠି ମୋବାଇଲରେ ଗପ କରୁଥିଲେ ତାହା ଜଣାପଡ଼ିଛି। ନରସିଂହପୁରର ଏକ ପରୀକ୍ଷା ହଲରେ ଜଣେ ମହିଳା ପୁଲିସ ପ୍ରବେଶ କରିଥିଲେ। ସେହି କେନ୍ଦ୍ରରେ ପିଲା ଗପସପ ହେଉଥିବାବେଳେ ସେମାନଙ୍କୁ ପରୀକ୍ଷକ ରୋକୁନଥିବା ଜଣାପଡ଼ିଛି। କାନପୁରର ଏକ କେନ୍ଦ୍ରରେ ଝରକା ପାଖରେ ଜଣେ ଅଜଣା ବ୍ୟକ୍ତି ଠିଆ ହୋଇଥିଲାବେଳେ କୋକସରାର ଏକ କେନ୍ଦ୍ରରେ ୯ଟା ୧୭ରେ ଶିକ୍ଷୟିତ୍ରୀ ମୋବାଇଲ ଧରିଥିଲେ।

ମେରାମଣ୍ଡଳୀର ଏକ ପରୀକ୍ଷା କେନ୍ଦ୍ରରେ ୧୦ଟା ୦୪ରେ ହଲରେ ପରୀକ୍ଷକ ନଥିଲେ। ଅନେକ କେନ୍ଦ୍ରରେ ପ୍ରଶ୍ନପତ୍ର ଡେସପାଚ ବିଳମ୍ବ ବି ହୋଇଥିବା ଏଆଇ ଧରିଥିଲା। ଏଆଇ ରିପୋର୍ଟ ଆଧାରରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦେଶ ଦେଇଥିବା ସୂଚନା ମିଳିଛି।

Comments are closed.