ଯୁବରାଜପୁର ଝରିଆ ବାରିକ ହତ୍ୟା ମାମଲା, ଅଭିଯୁକ୍ତ ବାପ ପୁଅକୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ଅନ୍ତର୍ଗତ ଯୁବରାଜପୁର ଗ୍ରାମର ଝରିଆ ବାରିକଙ୍କୁ ଗତ ୧୧.୮.୨୨ ତାରିଖରେ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଛି। ବୌଦ୍ଧ ଜିଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ଏହି ମାମଲାର ବିଚାର କରି ତାଙ୍କ ରାୟରେ ଅଭିଯୁକ୍ତ ବାପ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ଦୁଇଜଣ ହେଲେ ଯୁବରାଜପୁର ଗ୍ରାମର ସୁବାସ ବାରିକ ଓ ତାଙ୍କ ପୁଅ ଅସିତ ବାରିକ। ମାମଲାରୁ ପ୍ରକାଶ ଯେ ପୁରୁଣାକଟକ ଥାନା ଅନ୍ତର୍ଗତ ଯୁବରାଜପୁର ଗ୍ରାମର ଝରିଆ ବାରିକ ଓ ଅଭିଯୁକ୍ତ ସୁବାସ ବାରିକ ଦୁହେଁ ସଂର୍ପକୀୟ ଭାଇ ହେବେ। ଦୀର୍ଘ ଦିନ ହେବ ଦୁଇ ପରିବାର ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ଶତୃତା ଲାଗି ରହିଥିଲା।

prayash

ଗତ ୧୧.୮.୨୨ତାରିଖରେ ଝରିଆ ବାରିକ ଜିନିଷ ବିକ୍ରୟ କରିବାକୁ ଲୁଣିବାହାଲ ବଜାରକୁ ଯାଇଥିଲା। ବଜାରକୁ ଯାଇଥିବା ସମୟରେ ଅଭିଯୁକ୍ତ ସୁବାସ ବାରିକ ଓ ସୁବାସର ପୁଅ ଅସିତ ବାରିକ ଝରିଆକୁ ଦେଖି ପୂର୍ବ ଶତୃତାକୁ ନେଇ ବାପ ପୁଅ ମିଳିତ ଭାବେ ଏକ କାଠଫାଳିଆରେ ଝରିଆର ମୁଣ୍ଡକୁ ମାଡ ମାରିବା ସହ ଏକ ଟେଲର କଇଁଚି ସାହାଯ୍ୟରେ ଆଖିକୁ ଭୁଷି ଦେହ ସାରା କ୍ଷତବିକ୍ଷତ କରି ଲୁଣିବାହାଲ ବଜାରର ଜାତୀୟ ରାଜପଥ କଡରେ ପକାଇଦେଇ ପଳାଇଥିଲେ। ଏହି ଖବର ପାଇ ମୃତ ଝରିଆର ପୁଅ ସୁବ୍ରତ ବାରିକ ଘଟଣା ସ୍ଥଳକୁ ଆସି ବାପାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁରୁଣାକଟକ ମେଡିକାଲକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏନେଇ ଉକ୍ତ ଦିନ ମୃତ ଝରିଆର ପୁଅ ସୁବ୍ରତ ପୁରୁଣାକଟକ ଥାନାରେ ବାପାଙ୍କୁ ପୁର୍ବ ଶତୃତାକୁ ନେଇ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିେଇ। ଅଭିଯୋଗ ପରେ ପୁରୁଣାକଟକ ଥାନା ପକ୍ଷରୁ ଥାନା କେସ ନଂ ୧୦୧/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସୁବାସ ବାରିକ ଓ ସୁବାସର ପୁଅ ଅସିତ ବାରିକଙ୍କୁ ଘଟଣା ଦିନ ହିଁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାଟି ଜିଲା ଦୌରାଜଜଙ୍କ ଅଦାଲତରେ (ଏସଟି ୧୦୨/୨୨ )ରେ ବିଚାର ହୋଇଥିଲା। ସରକାରଙ୍କ ପକ୍ଷରୁ ୧୯ ଜଣ ସାକ୍ଷୀଙ୍କ ବୟାନକୁ ଭିତିକରି ପ୍ରମାଣ ଥିବା ନେଇ ଅଦାଲତ ଅଭିଯୁକ୍ତ ବାପ ସୁବାସ ଓ ପୁଅ ଅସିତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଥିଲେ। ଜରିମାନା ଅନାଦେୟ ହେଲେ ଆଉ ଅଧିକ ଛଅମାସ କାରାଦଣ୍ଡ ବୋଲି ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ।

Comments are closed.