କେନିୟାରେ ନିଯୁକ୍ତି ନାଁରେ ୧୦ଲକ୍ଷ ଠକେଇ, ୩ ଗିରଫ

୯୨ ପାସପୋର୍ଟ, ୨୦ ଟୁରିଷ୍ଟ ଭିସା ଜବତ

ବ୍ରହ୍ମପୁର: କେନିୟା ଦେଶରେ ନିଯୁକ୍ତି ଦେବାକୁ କହି ୨୦ ଜଣ ବେକାର ଯୁବକଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଏକ ୩ ଜଣିଆ ଗ୍ୟାଙ୍ଗକୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା କୁଠାରସିଂ ଗ୍ରାମର ସିଏଚ ମୋହନ ରେଡ୍ଡୀ(୪୮), ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ଚିନାଭାଙ୍କା ପଲିସାରଦି ନିକଟ ଶାନ୍ତିନଗରର ପି ସୀମାଞ୍ଚଳମ(୪୦) ଓ ଶ୍ରୀକାକୁଲମ ଜିଲା କାଶିବୁଡାର ଟି.ଦିଲେଶ୍ବର ରାଓ(୩୫)। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୯୨ଟି ପାସପୋର୍ଟ ଜବତ କରିବା କେନିୟା ଦେଶର ୨୦ଟି ଇ-ଭିସା ଜବତ କରିଛି।

ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍‌ ଦେଇଥିବା ସୂଚନା ଅନୁଯାୟୀ ଗଞ୍ଜାମ ଜିଲା ଖଲ୍ଲିକୋଟ ଲଙ୍ଗଳେଶ୍ବର ଅଞ୍ଚଳର ପ୍ରଭାତ ଦଳେଇ ବାହାର ଦେଶକୁ ଯାଇ କାମ କରିବାକୁ  ଚାହୁଁଥିଲେ। ସେହିକ୍ରମରେ ସେ ଏହି ନିଯୁକ୍ତି ଠକେଇ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମୋହନ ରେଡ୍ଡୀଙ୍କ ଯୋଗାଯୋଗରେ ଆସିଥିଲେ। କେନିୟା ଦେଶରେ ଥିବା ଏକ କମ୍ପାନୀରେ ପ୍ଲମ୍ବର ଭଳି ବିଭିନ୍ନ କାର୍ଯ୍ୟରେ କୁଶଳୀ ଶ୍ରମିକ ଭାବେ ନିୟୋଜିତ ହେଲେ ମାସକୁ ୫୦ ହଜାର ଟଙ୍କା ମିଳିବ ବୋଲି ଅଭିଯୁକ୍ତ ମୋହନ ପ୍ରଭାତଙ୍କୁ କହିଥିଲେ। ଏହାସହିତ ସେହି କମ୍ପାନୀ ପାଇଁ ଶତାଧିକ ଶ୍ରମିକଙ୍କ ଆବଶ୍ୟକତା ଥିବା ମୋହନ ତାଙ୍କୁ କହିଥିଲେ।

ସେହିକ୍ରମରେ ପ୍ରଭାତ ନିଜ ପରିଚିତ ଯୁବକଙ୍କ ସହ ମିଶି କେନିୟା ଯିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଯୁବକମାନେ ନିଜ ନିଜର ପାସପୋର୍ଟ ନେଇ ମୋହନଙ୍କୁ ଦେଇଥିଲେ। ସେହିକ୍ରମରେ ମୋହନ ମୋଟ ୯୨ ଜଣ ଯୁବକଙ୍କ ଠାରୁ ପାସପୋର୍ଟ ସଂଗ୍ରହ କରି ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ଶ୍ରମିକ କେନିୟା ଯିବେ ବୋଲି ମୋହନ କହିଥିଲେ। ଏହାର ୩ ମାସ ପରେ ମୋହନ କେନିୟାର ଏକ କମ୍ପାନୀରେ ନିଯୁକ୍ତି ପାଇଁ ୨୦ ଜଣଙ୍କୁ କମ୍ପାନୀର ଅଫର ଲେଟର ଦେଇଥିଲେ ।

prayash

ହେଲେ କେନିୟା ଦେଶର ଭିସା ଏବଂ ଫ୍ଲାଇଟ ଟିକଟ ବାବଦ ଖର୍ଚ୍ଚ ମିଶାଇ ପ୍ରତ୍ୟେକଙ୍କୁ ୪୫ ହଜାର ୫୦୦ ଟଙ୍କା ଲେଖାଏଁ ​ଦେବାକୁ ପଡିବ ବୋଲି ମୋହନ କହିଥିଲେ। ସେହିକ୍ରମରେ ଯୁବକମାନେ ବ୍ରହ୍ମପୁର ଷ୍ଟେସନ ରୋଡରେ ଥିବା ମମତା ଗେଷ୍ଟ ହାଉସରେ ୨୦ ଜଣ ଏକାଠି ହୋଇ ମୋହନଙ୍କୁ ମୋଟ ୯ ଲକ୍ଷ ୭୦ ହଜାର ଟଙ୍କା ଦେଇଥିଲେ। ଏହାର କିଛି ଦିନ ପରେ ମୋହନ ଯୁବକଙ୍କୁ ନିଯୁକ୍ତି ଭିସା ବଦଳରେ କେନିୟା ଦେଶର ଟୁରିଷ୍ଟ ଭିସା ପ୍ରଦାନ କରିଥିଲେ। ଏ ନେଇ ଯୁବକ ମାନେ ପ୍ରଶ୍ନ କରିବାରୁ ମୋହନ ସେମାନଙ୍କୁ ବୁଝାଇବା ସହ କେନିୟାରେ ପହଞ୍ଚିବା ପରେ କମ୍ପାନୀ ପକ୍ଷରୁ ନିଯୁକ୍ତି ଭିସା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଯଦି ନିଯୁକ୍ତି ଭିସା ନ ମିଳେ ତେବେ ସମସ୍ତ ଟଙ୍କା ଫେରାଇ ଦେବେ ବୋଲି ମଧ୍ୟ କହିଥିଲେ ା କିନ୍ତୁ ଅନେକ ଦିନ ଯାଏଁ ସେମାନଙ୍କୁ କେନିୟା ଯିବାକୁ ମୋହନ ଡାକି ନଥିଲେ ା ବିମାନ ଟିକେଟ କଥା ପଚାରିବାରୁ ଆଜି ଦେବି କାଲି ଦେବି କହି ମୋହନ ଦିନ ଗଡ଼ାଇ ଚାଲିଥିଲେ । କିଛି ଦିନ ପରେ ମୋହନ ସଂପୃକ୍ତ ଯୁବକଙ୍କ ଫୋନ ଗ୍ରହଣ କରି ନଥିଲେ। ବରଂ ଓଲଟି ଧମକ ଦେଇଥିଲେ। ଘଟଣାକୁ ନେଇ ପ୍ରଭାତ ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା (କେସ ନଂ ୩୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଅଭିଯୁକ୍ତ ମୋହନ ନିଜ ୨ ସହଯୋଗୀଙ୍କୁ ଧରି ଏହି ଯୁବକଙ୍କ ଠାରୁ ଟଙ୍କା ଠକିନେଇଥିବା ଜଣାପଡ଼ିବା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ବିଭିନ୍ନ ଅଞ୍ଚଳର ୯୨ ଜଣ ଯୁବକଙ୍କ ପାସପୋର୍ଟ ଜବତ ହୋଇଥିବା ବେଳେ ଟଙ୍କା ଦେଇଥିବା ୨୦ ଜଣ ଯୁବକଙ୍କ ଇ-ଭିସା ଜବତ କରାଯାଇଛି ା କେନିୟା ସରକାରଙ୍କ ପକ୍ଷରୁ ୨୦ ଜଣ ଯୁବକଙ୍କ ନାଁରେ ପ୍ରଦାନ କରାଯାଇଥିବା ଏହି ଇ-ଭିସା ୩ ମାସ ପାଇଁ ବୈଧ ରହିଥିବା ବେଳେ କେନିୟାରେ କେବଳ ଭ୍ରମଣ କରି ହେବ ବୋଲି ଉଲ୍ଲେଖ ରହିଛି।

Comments are closed.