Patra electronics

କବି ଅମରେନ୍ଦ୍ର ଖଟୁଆଙ୍କୁ ଆମଗୌରବ ସମ୍ମାନ

ଫେବୃଆରୀ ୨୦ ଏବଂ ୨୧ ରେ ଦଶମ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଘୋଷଣା ଦିବସ ଓ ବିଶ୍ବ ମାତୃଭାଷା ଦିବସ ଅବସରରେ ଆୟୋଜିତ ହେଉଥିବା ଦେଶର ଏକମାତ୍ର ଅନ୍ତର୍ଜାତୀୟ ମାତୃଭାଷା ଦିବସ ‘ଆମରି ଭାଷା ପଥେ’ ର ଦଶମ ସଂସ୍କରଣ ‘ଲ୍ୟାଙ୍ଗଫେଷ୍ଟ-୨୦୨୪’ ଚଳିତ ମାସ ୨୦ ଏବଂ ୨୧ ତାରିଖରେ ଜବାହାରଲାଲ ବିଶ୍ଵବିଦ୍ୟାଳୟ ସ୍ଥିତି ଆଦିକବି ସାରଳାଦାସ ଓଡିଆ ଚେୟାର ସହଯୋଗରେ ଅନୁଷ୍ଠିତ ହେଉଛି। ଦୁଇଦିନ ବ୍ୟାପୀ ଏହି ସମ୍ମିଳନୀରେ ସମସ୍ତ ଭାରତୀୟ ଶାସ୍ତ୍ରୀୟ ଭାଷାର (ସଂସ୍କୃତ, ତାମିଲ, ତେଲୁଗୁ, ମାଲାୟାଲମ, କନ୍ନଡ ଓ ଓଡିଆ) ତଥା ଅନ୍ୟ ଲୋକପ୍ରିୟ ଭାରତୀୟ ଭାଷାର ବିଶେଷଜ୍ଞମାନେ ଯୋଗଦେଇ ‘ମାତୃଭାଷା ଓ ପ୍ରଗତି ଓ ସ୍ବାଭିମାନ’ ଶୀର୍ଷକରେ ନିଜର ଦୃଷ୍ଟି ଭଙ୍ଗୀ ରଖିବେ।

ଏହି ଅବସରରେ ଓଡିଆ ଭାଷାର ଉନ୍ନତି ପାଇଁ ବିଭିନ୍ନ ଦିଗରେ ଅବଦାନ ରଖିଥିବା ବରିଷ୍ଟ ବ୍ୟକ୍ତିତ୍ବଙ୍କୁ ଆମ ଗୌରବ ସମ୍ମାନ ୨୦୧ଫ୫ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଇଥାଏଜ୍ଝ ଚଳିତ ବର୍ଷ ପାଇଁ ଓଡିଆ ସାହିତ୍ୟକୁ ନିଜ କବିତା ଦ୍ବାରା ଋଦ୍ଧିମନ୍ତ କରିବା ସହିତ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ ଓ ପରମ୍ପରାକୁ ଆନୁଷ୍ଠାନିକ ଭାବରେ ପ୍ରଚାର ପ୍ରସାରରେ ଅନନ୍ୟ ଅବଦାନ ରଖି ଆସିଥିବା ବିଶିଷ୍ଟ କବି, ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ପୂର୍ବତନ ମହାନିର୍ଦ୍ଦେଶକ ତଥା ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବତନ ସଚିବ ଡଃ ଅମରେନ୍ଦ୍ର ଖଟୁଆଙ୍କୁ ଏହି ମର୍ୟ୍ୟାଦା ଜନକ ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତ ପ୍ରକାଶ କରିଛନ୍ତି।

ପୂର୍ବରୁ ଏହି ସମ୍ମାନ ବରିଷ୍ଟ ଭାଷାବିତ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଭାଷାକର୍ମୀ ଡଃ ରାମଚନ୍ଦ୍ର ଖୁଣ୍ଟିଆ, ଔପନ୍ୟାସିକ ଡଃ ବିଭୁତି ପଟ୍ଟନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର, ଲୋକପ୍ରିୟ ଗୀତିକାର ଦେବଦାସ ଛୋଟରାୟ, ଜ୍ଞାନପୀଠ ବିଜେତା ଲେଖିକା ଡଃ ପ୍ରତିଭା ରାୟ, ଚଳଚ୍ଚିତ୍ର ଲେଖକ, ନିର୍ଦ୍ଦେଶକ ଓ ଅଭିନେତା ଡଃ ପ୍ରଶାନ୍ତ ନନ୍ଦ, ବିଶିଷ୍ଟ କବି ଡଃ ରମାକାନ୍ତ ରଥ, ନୃତ୍ୟବିଷାରଦ ସରେନ ଲୟେନଙ୍କୁ ପ୍ରଦାନ କରାଯାଇଛି। ଉକ୍ତ କାର୍ୟ୍ୟକ୍ରମ ଅନ୍ତର୍ଗତ ୨୧ ତାରିଖ ସନ୍ଧ୍ୟାରେ ଓଡ଼ିଆ ଭାଷାର ସମସ୍ୟା ଓ ସମାଧାନ ଉପରେ ଆଧାରିତ ଏକ ସ୍ବତନ୍ତ୍ର ଅଧିବେଶନ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେବ ଯେଉଁଥିରେ ବିଶ୍ବର ବିଭିନ୍ନ କୋଣରେ ମାତୃଭାଷା ପାଇଁ କାର୍ୟ୍ୟରତ ସମର୍ପିତ ବ୍ୟକ୍ତିତ୍ଵମାନେ ନିଜର ବକ୍ତବ୍ୟ ରଖିବେ।

 

Comments are closed.