ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ
ଭୁବନେଶ୍ୱର : ନ୍ୟାଶନାଲ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍ ), ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଏବଂ କମିଶନେରେଟ ପୋଲିସର ମିଳିତ ସହଯୋଗରେ ଏକ ସାଇବର ସୁରକ୍ଷା ଅଭିଯାନ ୟୁନିଭର୍ସିଟିର ଗୋଠପାଟଣାସ୍ଥିତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସାଇବର ରଥ ଏବଂ ସାଇବର ସାଏରା-ସାଇବର ସୁରକ୍ଷା ଅଭିଯାନର ମାସ୍କଟ ମଧ୍ୟ କ୍ୟାମ୍ପସ ଭ୍ରମଣ କରିଥିଲେ । ଏହି ଅଭିଯାନ ହେଉଛି ଓଡିଶା ସରକାର ଓ କମିଶନେରେଟ ପୋଲିସର ମିଳିତ ପଦକ୍ଷେପ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତୀ ଯୋଗ ଦେଇଥିଲେ । ସମରେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର, ଭୁବନେଶ୍ୱର-କଟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ “ସାଇବର ସୁରକ୍ଷା ଏବଂ ସୋସିଆଲ ମିଡିଆର ଦାୟିତପୂର୍ଣ୍ଣ ବ୍ୟବହାର” ଉପରେ ବିଶେଷ ଆଲୋଚନା କରିଥିଲେ । ଶ୍ରୀ ପ୍ରିୟଦର୍ଶୀ ଆର୍ଥିକ ଠକେଇ, ଚୋରି, ହ୍ୟାକିଂ, ସୋସିଆଲ ମିଡିଆ ଠକେଇ, ଅନ୍ଲାଇନ୍ ଡ୍ରଗ୍ସ ଟ୍ରାଫିକିଂ ଆଦି ବିଭିନ୍ନ ପ୍ରକାରର ସାଇବର ଅପରାଧ ଉପରେ ଆଲୋକପାତ କରିଥିଲେ ।
ସେ ଯୁବବର୍ଗ ଓ ବରିଷ୍ଠ ନାଗରିକମାନେ କିପରି ଅଧିକ ଭାବରେ ସାଇବର ଅପରାଧର ଶିକାର ହେଉଛନ୍ତି ସେ ବିଷୟରେ ବୁଝାଇ କହିଥିଲେ । ଅଞ୍ଜନା ଟୁଡୁ, ଏସିପି, ସାଇବର କ୍ରାଇମ୍ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତବିଶେଷ ସାଇବର ଅପରାଧର ବିଭିନ୍ନ ଦିଗ ଉପରେ କର୍ମଶାଳା ପ୍ରଦର୍ଶିତ କରିଥିଲେ । ବିଜିୟୁ ଛାତ୍ରଛାତ୍ରୀ ଅନୁପ ଦେବ, ଦିବ୍ୟା ସିଂ ଏବଂ ସାନିଆ ସାହୁ ଏହି ମିଶନକୁ ଆଗକୁ ନେବା ପାଇଁ “ସାଇବର ମିତ୍ର” ଭାବରେ ମନୋନୀତ ହୋଇଥିଲେ । ଏହି ଅବସରରେ ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର, ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ବି.କେ. ଦାସ ଉପସ୍ଥିତ ରହି ଟେକ୍ନୋଲୋଜିର ଭଲ ଓ ମନ୍ଦ ଦୁଇଟି ଦିଗ ଉପରେ ଆଲୋକପାତ କରିବା ସହ ସଚେତନତା ଅଭାବରୁ ଜନସାଧାରଣ ଶିକାର ହେଉଥିବା ସାଇବର ଅପରାଧ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ବିଭିନ୍ନ ସାଇବର ଅପରାଧରେ ଯୁବକମାନେ କିପରି ଭାବରେ ଠକେଇର ଶିକାର ହେଉଛନ୍ତି ସେ ସମ୍ପର୍କୀତ “ନୁକ୍କଡ ନାଟକ” ପ୍ରଦର୍ଶିତ ହୋଇଥିଲା । ବିର୍ଲା ସ୍କୁଲ ଅଫ୍ କମର୍ସର ଡିନ୍ ପ୍ରଫେସର ସାମସନ ମହାରଣା, ବିର୍ଲ୍ଲା ସ୍କୁଲ ଅଫ ଲ’ ର ଡିନ୍ ପ୍ରଫେସର ଲଲିତ ଦେଭ ଏବଂ ଅନ୍ୟାନ୍ୟ ଫାକଲ୍ଟି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏନ୍ଏସ୍ଏସ୍ର କନ୍ଭେନର ତଥା ପ୍ରୋଗାମ ଅଫିସର ଲୋପାମୁଦ୍ରା ନାୟକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇଥିଲେ । ଏନ୍ଏସ୍ଏସ୍-ବିଜିୟୁ କୋ-ଅର୍ଡିନେଟର ଶୁଭେନ୍ଦୁ କୁମାର ପ୍ରତିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.