www.samajalive.in
Sunday, December 14, 2025
19.1 C
Bhubaneswar

ଭୁବନେଶ୍ବର-ଝାରସୁଗୁଡ଼ା ଉଡ଼ାଣ  ବନ୍ଦ ହେବା ସ୍ଥିତିରେ – ସରକାର ଗଣୁଛନ୍ତି ଟଙ୍କା ହେଲେ ଲୋକ….

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ପରେ ଗୋଟିଏ ନୂତନ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଉଛି। ଯେଉଁଠିକୁ ରାଜଧାନୀରୁ ବସ୍‌ରେ ଗମନାଗମନ କରିବା ସମୟ ୧୦ରୁ ୧୨ ଘଣ୍ଟା ଲାଗୁଥିଲା ଉଡାନ୍‌ ଯୋଜନାରେ ଏୟାରଷ୍ଟ୍ରିପ୍ ନିର୍ମାଣ କରାଯିବା ଦ୍ବାରା ଏବେ ସେଠାକୁ ଦେଢ ଘଣ୍ଟାରେ ପହଞ୍ଚି ହେଉଛି। ରାଜ୍ୟର କେତେକ ଦୂରବର୍ତ୍ତୀ ଅଞ୍ଚଳକୁ ଭୁବନେଶ୍ବରରୁ ଆକାଶ ମାର୍ଗରେ ଗମନାଗମନ ସୁଗମ ହୋଇ ପାରିଛି; କିନ୍ତୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ, ଝାରସୁଗୁଡା ଏବଂ ରାଉରକେଲାକୁ ସବୁ ସମୟରେ ଯାତ୍ରୀ ହେଉ ନ ଥିବା ବେଳେ ଜୟପୁର ବିମାନ ବନ୍ଦରରେ ପାଗ ଅନୁକୂଳ ନ ରହିବା ହେତୁ ଅଧିକାଂଶ ସମୟ ବିମାନ ବାତିଲ ହେଉଛି। ଏହାଦ୍ବାରା କେବଳ ବିମାନ ଉଡ଼ାଣ ସଂସ୍ଥାଗୁଡିକ କ୍ଷତି ସହୁଛନ୍ତି ତାହା ନୁହେଁ ବରଂ ସରକାର କ୍ଷତି ସହୁଛନ୍ତି। ବର୍ଷେ ପର୍ଯ୍ୟନ୍ତ ଉଡାନ ଯୋଜନାରେ ବିମାନ ଉଡାଣ ଜନିତ କ୍ଷତି ସରକାର ବହନ କରୁଛନ୍ତି। ଯୋଜନା ଅବଧି ସରିଗଲେ କ୍ଷତି ଆଳ ଦର୍ଶାଇ ବିମାନ ଉଡାଣ ସଂସ୍ଥାଗୁଡିକ ଚଳାଚଳରୁ ଓହରି ଯାଉଛନ୍ତି। ଆସନ୍ତା ମାସରୁ ଭୁବନେଶ୍ବରରୁ ଝାରସୁଗୁଡା ବିମାନ ଉଡାଣ ବନ୍ଦ ହେବାକୁ ଯାଉଛି। ଅନ୍ୟପକ୍ଷରେ ରାଉରକେଲାକୁ ଦୈନିକ ବିମାନରେ ୪୦% ସିଟ୍‌ ଖାଲି ପଡୁଥିବାରୁ ଏହି ସେବା ନିୟମିତ ଚାଲିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଜାନୁଆରୀ ୭, ୨୦୨୩ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାଉରକେଲା ବିମାନ ବନ୍ଦରକୁ ପ୍ରଥମ କରି ବିମାନ ଉଡାଣ କରିଥିଲା। ଆଲିଆନ୍ସ ଏୟାର ୭୨ ସିଟ୍‌ ବିଶିଷ୍ଟ ଏଟିଆର ୭୨-୬୦୦ ବିମାନ ଉଡାଣ କରୁଛି। ପ୍ରଥମେ ଏହି ବିମାନରେ ଯାତ୍ରୀ ହେଉଥିବା ବେଳେ ଗତ କିଛି ମାସ ହେଲା ସଂଖ୍ୟା ହ୍ରାସ ପାଇଛି। ଦୈନିକ ୬୦ରୁ ୭୦% ସିଟ୍‌ ପୂରଣ

- Advertisement -

 

ହେଉଥିବା ବେଳେ ଅବଶିଷ୍ଟ ସିଟ୍‌ ଖାଲି ପଡୁଛି। ଉଡ଼ାନ୍‌ ଯୋଜନା ନୀତି ଅନୁସାରେ ଏକ ବର୍ଷ ପର୍ଯ୍ୟନ୍ତ ବିମାନରେ ଯାତ୍ରୀ ହୁଅନ୍ତୁ କି ନ ହୁଅନ୍ତୁ ସମ୍ପୂର୍ଣ୍ଣ ସିଟ୍‌ ଭଡା ସରକାର ବହନ କରୁଥିବାରୁ ବିମାନ ଉଡ଼ାଣ ସଂସ୍ଥା କିଛି କହୁନାହିଁ। ଯେତେବେଳେ ଯୋଜନାର ଅବଧି ସରିଯିବ ସେତେବେଳେ କ୍ଷତି ଦର୍ଶାଇ ଉଡ଼ାଣରୁ ଓହରି ଯିବା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ। ଝାରସୁଗୁଡା ବିମାନ ବନ୍ଦର ଉଡାନ ଯୋଜନାରେ ଅନ୍ତର୍ଭୁକ୍ତ। ଏହି ଯୋଜନାର ଏକ ବର୍ଷିଆ ଅବଧି ସରିବା ପରେ କ୍ଷତି ଦର୍ଶାଇ କିଛି ବିମାନ ଉଡ଼ାଣ ସଂସ୍ଥା ସେବା ବନ୍ଦ କରିଥିବା ବେଳେ ଭୁବନେଶ୍ବରରୁ ଝାରସୁଗୁଡ଼ା ପ୍ରତିଦିନ ଯାତ୍ରୀ ହେଉ ନ ଥିବା ଦର୍ଶାଇ ‘ଏୟାର ଇଣ୍ଡିଆ’ ବିମାନ ଉଡ଼ାଣ ସଂସ୍ଥା ତା’ର ସେବା ବନ୍ଦ କରିବାକୁ ଯାଉଛି। ପ୍ରତିଦିନ ଝାରସୁଗୁଡାକୁ ବିମାନରେ ୩୦% ସିଟ୍‌ ଖାଲି ପଡୁଛି। ଭୁବନେଶ୍ବରରୁ ଝାରସୁଗୁଡ଼ା ଇଣ୍ଡିଗୋ ବିମାନ ଉଡାଣ କରିବାକୁ ସଂସ୍ଥା ପକ୍ଷରୁ ସର୍ବେକ୍ଷଣ କରାଯାଇଥିଲେ ମଧ୍ୟ ଉଡ଼ାଣ ଉପରେ କିଛି ସ୍ପଷ୍ଟ କରିନାହିଁ। ଏୟାର ଇଣ୍ଡିଆ ସଂସ୍ଥା ଉଡ଼ାଣ ବନ୍ଦ କରିବା ପରେ ଯଦି ଇଣ୍ଡିଗୋ ବିମାନ ଉଡ଼ାଣ କରିବାକୁ ମନ ନ ବଳାଇବ ତେବେ ଭୁବନେଶ୍ବରରୁ ଝାରସୁଗୁଡ଼ା ବିମାନ ସେବା ବନ୍ଦ ହୋଇଯିବ ବୋଲି କୁହାଯାଉଛି। ଭୁବନେଶ୍ବର-ଜୟପୁର ‘ଇଣ୍ଡିଆ ୱାନ୍‌ ଏୟାର’ ବିମାନ ଉଡ଼ାଣ କରୁଛି। ୯ ସିଟ୍‌ ବିଶିଷ୍ଟ ବିମାନର ପ୍ରତିଦିନ ସିଟ୍‌ ପୂରଣ ହେଉଥିଲେ ମଧ୍ୟ ପାଗ ଖରାପ ରହିବା ହେତୁ କେତେବେଳେ ଜୟପୁର ବିମାନ ବନ୍ଦରରେ ବିମାନ ଅବତରଣ କରି ନ ପାରି ଆକାଶରେ ଚକ୍କର କାଟୁଛି ତ ଆଉ କେତେବେଳେ ଭୁବନେଶ୍ବର ବିମାନ ବନ୍ଦରକୁ ଫେରି ଆସୁଛି।

କେବଳ ରାଜ୍ୟ ଭିତରେ ନୁହେଁ, ଦୁବାଇକୁ କିଛି ମାତ୍ରାରେ ଯାତ୍ରୀ ହେଉଥିବା ବେଳେ ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ଯାତ୍ରୀ ହେଉନାହାନ୍ତି। ରାଜ୍ୟ ସରକାର ବିମାନ ଉଡାଣ କରୁଥିବା ସଂସ୍ଥାକୁ ଲକ୍ଷାଧିକ ଟଙ୍କା ଗଣି ଚାଲିଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଦେଶକୁ ବିମାନ ଉଡାଣ କରୁଛି। ଭୁବନେଶ୍ବରରୁ ସିଧାସଳଖ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ ଭଳି ସ୍ଥାନକୁ ବିମାନ ଉଡାଣ କରିବା ନେଇ ରାଜ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଥିଲା। ଦୁବାଇରେ ଅଧିକ ଓଡ଼ିଆ ରହୁଥିବାରୁ ବିମାନରେ ୭୦% ସିଟ୍‌ ପୂରଣ ହେଉଥିବା ବେଳେ ୩୦% ସିଟ୍‌ ଖାଲି ପଡୁଛି। ସେହିପରି ବ୍ୟାଙ୍କକ ଏବଂ ସିଙ୍ଗାପୁର ବିମାନରେ ୫୦% ସିଟ୍‌ ପୂରଣ ହେଉଥିବା ବେଳେ ଅବଶିଷ୍ଟ ସିଟ୍‌ ଖାଲି ପଡୁଛି। ଯେଉଁ ସିଟ୍‌ ଗୁଡ଼ିକ ଖାଲି ପଡୁଛି ତା’ର ଭଡା ଚୁକ୍ତିନାମା ଅନୁସାରେ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡୁଛି।

ଏନେଇ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ ପାଇଁ ରାଜ୍ୟ ସରକାର ବିମାନ ଉଡାଣ ସଂସ୍ଥା ସହିତ ଚୁକ୍ତିନାମା କରିଥିବାରୁ ଏହା ଉପରେ କିଛି କହିବାକୁ ଚାହାନ୍ତି ନାହିଁ।

ବନ୍ଦ ହେବ ଭୁବନେଶ୍ବର…

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories