www.samajalive.in
Sunday, December 7, 2025
26.1 C
Bhubaneswar

ପରିବେଶବିତ ପଦାରବିନ୍ଦ ମହାପାତ୍ରଙ୍କ ସ୍ମୃତି ସମାରୋହ

– ସମାଜସେବୀ ଦମ୍ପତିଙ୍କୁ ‘ପଦାରବିନ୍ଦ ସ୍ମୃତି ସମ୍ମାନ’
ଭୁବନେଶ୍ବର,: ଆଉ ବହୁନି ବସନ୍ତର ମୃଦୁ ମଳୟ। ହଜି ଗଲାଣି ହେମନ୍ତ ଆଉ ଶରତ। ବିଶେଷକରି ଋତୁଚକ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ବହିରେ ରହି ଯାଇଛି ୬ ଋତୁ। କେବଳ ଏତିକି ନୁହେଁ ଆଷାଢ଼, ଶ୍ରାବଣରେ ବର୍ଷାର ମାତ୍ରା ଢେର କମୁଛି। ଏସବୁ କେବଳ ପରିବେଶ ପ୍ରଦୂଷଣ ଯୋଗୁଁ ହେଉଛି। ତେଣୁ ପ୍ରଥମେ ନିଜକୁ ବଦଳେଇବାକୁ ପଡ଼ିବ। ଏହାଦ୍ବାରା ଜୀବନଶୈଳୀରେ ପରିବର୍ତ୍ତନ ଆସିବ। ପ୍ରଦୂଷଣ ମୁକ୍ତ ପରିବେଶ ବର୍ତ୍ତମାନ ସମୟରେ ମଣିଷ ସମାଜ ପାଇଁ ବଡ଼ ଆହ୍ବାନ।

ଏଥିପାଇଁ ଏବେଠୁ ସଚେତନ ହୋଇ କାର୍ଯ୍ୟ କରିବାକୁ ପଡ଼ିବ, ନହେଲେ ଆଗାମୀ ଦିନରେ ଡାଇନୋସର ଭଳି ମଣିଷ ସମାଜର ପରିସ୍ଥିତି ଉପୁଜିବ। ଅନ୍ୟପକ୍ଷରେ ପରିବେଶ ସୁସ୍ଥ ରହିଲେ ମାନବଜାତି ଆଗକୁ ବଢ଼ିବ। ଏକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିଲେ ପରିବେଶବିତ୍‌ ପଦାରବିନ୍ଦ ମହାପାତ୍ର। ତାଙ୍କ ଆଦର୍ଶକୁ ଅନୁସରଣ କରି କାର୍ଯ୍ୟ କଲେ ତାଙ୍କ ପ୍ରତି ଉଚିତ୍‌ ଶ୍ରଦ୍ଧାଞ୍ଜଳି ହେବ ବୋଲି ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି।

- Advertisement -

ଲୋକସେବକ ଯୁବ ମଣ୍ଡଳ ପକ୍ଷରୁ ଓକେସିଏଲ କାର୍ଯ୍ୟାଳୟରେ ଦୈନିକ ‘ସମାଜ’ର ପୂର୍ବତନ ମୁଖ୍ୟ ପରିଚାଳକ ସ୍ବର୍ଗତ ପଦାରବିନ୍ଦ ମହାପାତ୍ରଙ୍କ ୩୫ତମ ଶ୍ରାଦ୍ଧଦିବସ ଅବସରରେ ‘ଜୀବନଶୈଳୀ ଓ ପରିବେଶ ସୁରକ୍ଷା’ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଲୋକସେବକ ଯୁବମଣ୍ଡଳ ଉପସଭାପତି ଡା. ଶିଶୁଶଙ୍କର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭୁବନେଶ୍ବର ଆକାଶବାଣୀ ସମ୍ବାଦ ବିଭାଗ ଉପନିର୍ଦେଶକ ପ୍ରକାଶ ଦାସ ଯୋଗଦେଇ କହିଲେ ଯେ, ପରିବେଶ ପ୍ରଦୂଷଣ ମୁକ୍ତ ଦିଗରେ ପଦାରବିନ୍ଦ ମହାପାତ୍ରଙ୍କ ପ୍ରମୁଖ ଭୂମିକା ରହିଥିଲା। ପରିବେଶ ସଚେତନତା ସହିତ ସମାଜ କଲ୍ୟାଣ ଦିଗରେ ସେ ଅନେକ କାର୍ଯ୍ୟ କରିଛନ୍ତି। ତାଙ୍କ କାର୍ଯ୍ୟଶୈଳୀକୁ ଏକ ପୁସ୍ତକ ଆକାରରେ ପ୍ରକାଶ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ପରିବେଶ ରକ୍ଷଣାବେକ୍ଷଣ ପାଇଁ ସରକାର ଏବଂ ବିଭିନ୍ନ ଜାତୀୟସ୍ତରୀୟ ସଙ୍ଗଠନ ଯୋଜନା କରି ଯେଉଁ ପଦକ୍ଷେପ ନେଉଛନ୍ତି ସେହି ଆଧାରରେ କାର୍ଯ୍ୟ ହେଉନାହିଁ। ଅନ୍ୟପକ୍ଷରେ ପରିବେଶ ଭାରସାମ୍ୟ ବଜାୟ ରଖିବା ପାଇଁ ସମସ୍ତେ ଅତିକମ୍‌ରେ ଗୋଟିଏ ଗୋଟିଏ ଗଛ ଲଗାଇବା ସହିତ ଜଳ ସଂରକ୍ଷଣ ପ୍ରତି ଗୁରୁତ୍ବ ଦେବା, ବିଜୁଳି ବ୍ୟବହାର ହ୍ରାସ ସହିତ ବିକଳ୍ପ ଶକ୍ତିର ବ୍ୟବହାର, ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କମାଇବା, ଗାଡ଼ି ଚଳାଇବା ହ୍ରାସ ଉପରେ ସେ ଗୁରୁତ୍ବ ଦେଇଥିଲେ। ଗଛ କାଟିବା ପାଇଁ ହେଲେ ସରକାରଙ୍କ ଅନୁମତି ଲୋଡ଼ିବା ସହିତ ଏଥିପାଇଁ କଡ଼ା ଆଇନ କାର୍ଯ୍ୟକାରୀ କରିବା ଆବଶ୍ୟକ।


ଅନ୍ୟତମ ଅତିଥିଭାବେ ଓଡ଼ିଶା ନଲେଜ କର୍ପୋରେସନ ଲିଃର ପରିଚାଳନା ନିର୍ଦେଶକ ମନୋରଞ୍ଜନ ପୁଥାଳ କହିଲେ ଯେ, ପୃଥିବୀ ମା’ ପାଇଁ ଆଜି ଆମେ ସବୁକିଛି ପାଇଛେ ଏବଂ ଏ ଜାଗାରେ ପହଞ୍ଚି ପାରିଛେ। ଏବେ ସମୟ ଆସିଛି ପୃଥିବୀ ମା’ ପାଇଁ କିଛି କରିବା। କାର୍ଯ୍ୟକ୍ରମରେ ସ୍ବର୍ଗତ ପଦାରବିନ୍ଦ ମହାପାତ୍ରଙ୍କ ସୁପୁତ୍ର ପ୍ରଦୀପ କୁମାର ମହାପାତ୍ର କହିଲେ ଯେ ସ୍ବର୍ଗତ ମହାପାତ୍ରଙ୍କ ପରିବେଶ ପ୍ରତି ଅହେତୁକ ଦୁର୍ବଳତା ଥିଲା। ଠାକୁର ପୂଜା ପାଇଁ ସେ ଫୁଲ ମଧ୍ୟ ତୋଳୁନଥିଲେ। ପରିବେଶ ପ୍ରଦୂଷଣ ମୁକ୍ତ ପାଇଁ ଅନେକ ନିୟମ ରହିଛି କିନ୍ତୁ ଏହାକୁ କେହି ପାଳନ କରୁନାହାନ୍ତି। ନିଜ ଜୀବନଶୈଳୀକୁ ବଦଳାଇପାରିଲେ ସମାଜକୁ କିଛି ଦେଇପାରିବା। ସମାଜସେବୀ ପଣ୍ଡିତ ଶିବଶଙ୍କର ମହାନ୍ତି ଯୋଗଦେଇ ପରିବେଶ ଭାରସାମ୍ୟ ଓ ଜୀବନଶୈଳୀ ଉପରେ ଗୁରୁତ୍ବ ଦେଇଥିଲେ। ନିଜ ପତ୍ନୀଙ୍କ ସହିତ ମିଶି ସମାଜ ସେବା କରୁଥିବାବେଳେ ଆଗକୁ କିଛି ପୋଷ୍ୟ ଗ୍ରାମ କରି ସବୁଜ ବନାନୀ ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏହି ଅବସରରେ ଉଭୟ ସମାଜସେବୀ ଦମ୍ପତି ଶିବଶଙ୍କର ମହାନ୍ତି ଓ ଅଞ୍ଜୁ ମହାନ୍ତିଙ୍କୁ ‘ପଦାରବିନ୍ଦ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଅନ୍ୟତମ ଅତିଥିଭାବେ ସଂଯୁକ୍ତା ମହାପାତ୍ର ଯୋଗଦେଇଥିଲେ।
ଲୋକସେବକ ଯୁବ ମଣ୍ଡଳର ସାଧାରଣ ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇ ପରିବେଶ ସୁରକ୍ଷା କ୍ଷେତ୍ରରେ ପଦାରବିନ୍ଦ ମହାପାତ୍ରଙ୍କ ଭୂମିକା ଓ ତାଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଅାଭାସି ଜରିଆରେ ‘ସମାଜ’ର ଉପମୁଖ୍ୟ ସହ ସମ୍ପାଦିକା ମମତା ବିଶୋୟୀ, ଅଶୋକ ନାୟକ, ପ୍ରଫେସର ସଦାଶିବ ମହାପାତ୍ର, ଶୈଳରାଣୀ ମିଶ୍ର, ଅରୁଣ ମିଶ୍ର, ଶ୍ବେତପଦ୍ମା ଦାଶ ଏବଂ ପ୍ରଫେସର ଜ୍ୟୋତ୍ସ୍ନାମୟୀ କର ପ୍ରମୁଖ ଯୋଡ଼ି ହୋଇଥିଲେ। ବରିଷ୍ଠ ସଦସ୍ୟ ଶରତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories