ବିଚାରୀ ସୁ କୀ
ନୋବେଲ ଶାନ୍ତି ବିଜୟିନୀ ତଥା ମ୍ୟାଁମାର ସର୍ବୋଚ୍ଚ ବେସାମରିକ ନେତ୍ରୀ ଅଙ୍ଗ ସାନ ସୁ କୀଙ୍କ ଶାସନ କାଳରେ ଦେଶରେ ଯାହା ସବୁ ଚାଲିଛି ତାହାର ଭଲ ସଂକେତ ବାହାର ଦୁନିଆକୁ ଆସୁନାହିଁ। ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନଙ୍କ ଗଣ ସଂହାର ସୁ କିଙ୍କ ଭାବମୂର୍ତ୍ତିକୁ କଳଙ୍କିତ କରିଛି। ଏବେ ସେ ଦେଶରେ ରଏଟରର ଦୁଇଜଣ ସାମ୍ବାଦିକଙ୍କୁ ଦେଶଦ୍ରୋହ ଅପରାଧରେ ସାତବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ ମିଳିଛି। ସେନା ଦ୍ବାରା ରୋହିଙ୍ଗ୍ୟା ଗଣହତ୍ୟାର ତଥ୍ୟ ସେ ଦୁହେଁ ବାହାର ଦୁନିଆକୁ ଜଣାଇଥିବାରୁ ଉଭୟଙ୍କୁ ଷଡ଼ଯନ୍ତ୍ର କରି ଦେଶଦ୍ରୋହ ମାମଲାରେ ଛନ୍ଦି ଦିଆଯାଇଥିବା ଅଭିଯୋଗ ଉଠୁଛି।
ଦୀର୍ଘ କାଳର ଅହଂିସ ସଂଗ୍ରାମ କରି ସୁ କୀ ମ୍ୟାଁମାରରେ ସାମରିକ ଶାସନର ଅବସାନ ଘଟାଇ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା କରିଥିଲେ ମଧ୍ୟ ଯାହା ମନେ ହେଉଛି ଏବେ ମଧ୍ୟ ଅସଲ ଶାସନ ଓ କର୍ତ୍ତୃତ୍ବ ସେନା ହାତରେ ରହିଛି। ଦେଶର ପାର୍ଲାମେଣ୍ଟରେ ସେନା ମନୋନୀତ ପ୍ରତିନିଧି ବେଶ ପ୍ରଭାବଶାଳୀ ଥିବାରୁ ବେସାମରିକ ସରକାରର କାର୍ଯ୍ୟରେ ବାଧା ଉପୁଜିଛି। ମୋଟାମୋଟି ଭାବେ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଓ ସ୍ବରାଷ୍ଟ୍ର ବ୍ୟାପାରରେ ସେନା ହିଁ ସର୍ବେସର୍ବା ଏବଂ ସୁ କୀ ଏବଂ ତାଙ୍କ ସରକାର ରବରଷ୍ଟାମ୍ପ। ମାନବାଧିକାର ଓ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରି ନୋବେଲ ପୁରସ୍କାର ପାଇଥିବା ସୁ କୀଙ୍କ ଶାସନ କାଳରେ ଦେଶରେ ଏ ଅବସ୍ଥା ହେବ, ତାହା ଆଶା କରାନଯାଏ। ଗୋଟେ ଧାରଣା ଥିଲା ଯେ ସୁ କୀ ଦକ୍ଷିଣ ଆଫ୍ରିକୀୟ ଜାତୀୟତାବାଦୀ ନେତା ନେଲସନ ମାଣ୍ଡେଲାଙ୍କ ଭଳି ନିଜ ଦେଶର ଗଣତନ୍ତ୍ରର ଟେକ ରଖିବେ। ସେ ଆଶା ନିରାଶାରେ ପରିଣତ ହେଉଛି। ଉଭୟ ରୋହିଙ୍ଗ୍ୟା ଓ ଦୁଇ ସାମ୍ବାଦିକଙ୍କ କାର୍ଯ୍ୟକଳାପକୁ ସେ ସମାଲୋଚନା କରିବା ଘଟଣାରୁ ଅନୁମିତ ହୁଏ ଯେ ସୁ କୀ ସେନା ନିୟନ୍ତ୍ରଣରୁ ମୁକ୍ତ ନୁହନ୍ତି କିମ୍ବା ସେ ପରିସ୍ଥିତି ଯୋଗୁଁ ବଦଳିଯିବାକୁ ବାଧ୍ୟ ହୋଇଛନ୍ତି। ସତରେ ଯଦି ସେ ପରିସ୍ଥିତିର ଚାପରେ ବଦଳି ଯାଇଥାନ୍ତି ତାହା ମ୍ୟାଁମାର ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ତାଙ୍କ ଶାସନ ଦେଶର ଇତିହାସରେ କେବଳ ଏକ ପାଦଟୀକା ହୋଇ ରହିବ।