ତୈଳ ଚିନ୍ତା ଚମତ୍କାର

0

ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟ ଯେଉଁ ହାରରେ ବଢ଼ୁଛି ତାହା ଉଭୟ ଦେଶ ଓ ସର୍ବସାଧାରଣଙ୍କ ପାଇଁ ଭଲ ସଂକେତ ଦେଉନାହିଁ। ଏହି ଧାରା ଅବ୍ୟାହତ ରହିଲେ (ଯାହା ଅସମ୍ଭବ ନୁହେଁ) ଅଳ୍ପକାଳ ମଧ୍ୟରେ ଏହି ଦୁଇ ସାମଗ୍ରୀର ମୂଲ୍ୟ ଖୁଚୁରା ବଜାରରେ ଲିଟରପିଛା ୧୦୦ଟଙ୍କା ହେବ। ଏହି ମୂଲ୍ୟବୃଦ୍ଧିର କାରଣ କେବଳ ଆନ୍ତର୍ଜାତିକ ବଜାରରେ ତୈଳର ମୂଲ୍ୟବୃଦ୍ଧି କିମ୍ବା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଜନିତ ନୁହେଁ। ଏହାସହିତ ସଂପୃକ୍ତ ଅସଲ କଥାଟି ହେଲା ଏହି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ମାତ୍ରାଧିକ ଟିକସ ବ୍ୟବସ୍ଥା। ଏହି ଟିକସ ବ୍ୟବସ୍ଥା ପୁଣି ତୈଳର କ୍ରୟ ମୂଲ୍ୟସହ ପରିବର୍ତ୍ତନଶୀଳ ବା ସମାନୁପାତିକ ନୁହେଁ। ଅତଏବ ଗୋଟିଏ ଲିଟର ତରଳ ଇନ୍ଧନ ଉପରେ କ୍ରେତାଙ୍କୁ ପାଖାପାଖି ୪୬ ଶତାଂଶ ଅର୍ଥ ଉଭୟ କେନ୍ଦ୍ରୀୟ ଓ ପ୍ରାଦେଶିକ ଟିକସ ଆକାରରେ ଦେବାକୁ ପଡ଼ୁଛି। ଏହା ସହିତ ବିଭିନ୍ନ ରାଜ୍ୟସରକାର ଏହା ଉପରେ ଭ୍ୟାଟ ଲଗାଇ ଅଧିକ ଟିକସ ଆଦାୟ କରୁଥିବାରୁ ପେଟ୍ରୋଲ ଓ ଡିଜେଲ ଉପରେ ଉପଭୋକ୍ତାଙ୍କୁ ଅର୍ଦ୍ଧେକ ଅର୍ଥ କେବଳ ଟିକସ ଆକାରରେ ଗଣିବାକୁ ପଡ଼ୁଛି। ଇନ୍ଧନର ମୂଲ୍ୟ ବଢ଼ିଲେ ଦରଦାମ୍‌ ବଢ଼େ ଓ ଖାଉଟି ମଧ୍ୟ ଅସୁବିଧାରେ ପଡ଼ନ୍ତି; ତେଣୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସ୍ବାଭାବିକ। ବିରୋଧୀ ରାଜନୈତିକ ଦଳମାନେ ଏହାର ସୁଯୋଗ ନେଇ ଦାଉ ସାଧିବା ନୂଆକଥା ନୁହେଁ।
ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଏବଂ ସେ ଏବେ ରାଜ୍ୟ ରାଜନୀତିରେ ସକ୍ରିୟ ଥିବାରୁ ବିରୋଧୀ ତାଙ୍କୁ ସମାଲୋଚନା କରି ଅଡ଼ୁଆରେ ଅବଶ୍ୟ ପକାଇବେ। ତୈଳମନ୍ତ୍ରୀଙ୍କୁ ବିରୋଧ ବା ବନ୍ଦ୍‌ ପାଳନ ପ୍ରତିବାଦର ଗୋଟିଏଗୋଟିଏ ମାଧ୍ୟମ ହୋଇପାରେ ସତ, ଏହା କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନର ବାଟ ନୁହେଁ। ତୈଳଦର ବୃଦ୍ଧି ସାରାଦେଶ ପାଇଁ ସମସ୍ୟା ସୃଷ୍ଟି କରିଛି। ଅତଏବ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ସମୂହ ଏହି ପ୍ରସଙ୍ଗକୁ ନେଇ ଚାପରେ ରହିବେ ଏବଂ କେହି କାହାରି ଉପରକୁ ଦୋଷ ଠେଲି ନିଜକୁ ନିର୍ଦୋଷ ବୋଲି କହି ପାରିବେ ନାହିଁ। ପେଟ୍ରୋଲିୟମ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟସରକାରମାନେ ପ୍ରଚୁର ରାଜସ୍ବ ଟିକସ ଆକାରରେ ପାଉଥିବାରୁ ଏହାକୁ ହ୍ରାସ କରିବାକୁ କୁଣ୍ଠିତ ହେବା ସ୍ବାଭାବିକ। ଦେଶ, ପ୍ରଦେଶର ବିକାଶ ପାଇଁ ଅର୍ଥ ଦରକାର; ତେଣୁ ରାଜସ୍ବର ଏକ ବଡ଼ଭାଗକୁ ହ୍ରାସ କରିବାକୁ କିଏ ବା ରାଜିହେବ? ତେଣେ ଇନ୍ଧନଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମୂଲ୍ୟବୃଦ୍ଧିଜନିତ ଜନଅସନ୍ତୋଷକୁ ନେଇ ସବୁ ସରକାର ଅଡ଼ୁଆରେ।
ପେଟ୍ରୋଲିୟମ ସାମଗ୍ରୀ ଉପରେ ସରକାର (ଉଭୟ କେନ୍ଦ୍ର ଓ ରାଜ୍ୟ) ଯେଉଁ ଢଙ୍ଗରେ ଏକାଧିକ ଟିକସ ଲଗାଉଛନ୍ତି ତାହା ଅଯୌକ୍ତିକ ଓ ଅସଂଗତ। ଅଧିକ ରାଜସ୍ବ ପାଇଁ ଗୋଟିଏ ସାମଗ୍ରୀ ଉପରେ ଅଧିକ ଓ ଏକାଧିକ ଟିକସ ଲାଗୁ ଆତ୍ମଘାତୀ ସାବ୍ୟସ୍ତ ହୁଏ। ଅଧିକ ରାଜସ୍ବ ପାଇଁ ନୂଆ ଟିକସଦାତା ସୃଷ୍ଟି ଓ ଟିକସ ପରିସରକୁ ବଢ଼ାଇବାକୁ ପଡ଼ିବ ଓ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଥିବା ଅତ୍ୟଧିକ ତଥା ଏକାଧିକ ଟିକସକୁ ହ୍ରାସ କରି ଏହାକୁ ଗ୍ରହଣୀୟ ଓ ଯୁକ୍ତିସଂଗତ କରିବାକୁ ହେବ। ଜିଏସଟି ପ୍ରବର୍ତ୍ତନ ପରେ ଟିକସ ସଂସ୍କାର କ୍ଷେତ୍ରରେ ଯେଉଁ ଐତିହାସିକ ପରିବର୍ତ୍ତନ ଆସିିଛି ତାହାର ଲାଭ ଉଠାଇ ପେଟ୍ରୋଲିୟମ ସାମଗ୍ରୀକୁ ଏହାର ପରିସରଭୁକ୍ତ କରିବାର ସମୟ ଆସିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନ​‌େ​‌ରନ୍ଦ୍ର ମୋଦୀଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି; କାରଣ ଦେଶର ଅର୍ଦ୍ଧାଧିକ ରାଜ୍ୟରେ ଏନ୍‌ଡିଏ ସରକାର ଥିବାବେଳେ କେନ୍ଦ୍ରରେ ମଧ୍ୟ ଏହା ଶାସନ କରୁଛି। କଂଗ୍ରେସର ମନମୋହନ ସିଂହ ଓ ପି.ଚିଦମ୍ବରମ୍‌ଙ୍କ ଭଳି ଅର୍ଥନୀତି ବିଶାରଦ ମଧ୍ୟ ଏବେ ପେଟ୍ରୋଲିୟମକୁ ଜିଏସ୍‌ଟିର ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଉଛନ୍ତି। ମୋଦୀ ଏହା କରିପାରିବେ କି? ମୋଦୀଙ୍କୁ ଅଜଣା ନଥିବ ଯେ ତାଙ୍କ ଶାସନକାଳରେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଉତ୍ପାଦ କରରେ ଯଥାକ୍ରମେ ୧୦୫ ଓ ୩୩୧ ଶତାଂଶ ବଢ଼ିଛି ଯାହା ସର୍ବାଧିକ।
ବିତ୍ତୀୟ ନିଅଣ୍ଟ ଓ ଚାଲୁଖାତା ନିଅଣ୍ଟ ଭୟରେ ହୁଏତ କେନ୍ଦ୍ରସରକାର ଏଥିପାଇଁ ସାହସ କରିନ’ପାରନ୍ତି, ତଥାପି ମୋଦୀ ସରକାରଙ୍କୁ ମନେ ରଖିବାକୁ ପଡ଼ିବ ଯେ ମହଙ୍ଗା ଇନ୍ଧନର ପ୍ରଭାବ ଦେଶର ଅର୍ଥନୀତି, ଅଭିବୃଦ୍ଧି ଓ ରାଜନୀତି ଉପରେ ଅବଶ୍ୟ ପଡ଼ିବ। ଆମ ବିଚାରରେ ମୋଦୀ ସରକାରଙ୍କ ପାଇଁ ତୈଳଚିନ୍ତା ଏକ ଚମତ୍କାର ସୁଯୋଗ ମଧ୍ୟ ଆଣିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବେ ଆଶାଠାରୁ ଅଧିକ ହାରରେ (୮.୨%) ବଢ଼ୁଥିବାବେଳେ ଦେଶରେ ଉପଭୋକ୍ତା ସ୍ବତଃପ୍ରବୃତ୍ତ ଭାବେ ଅଧିକରୁ ଅଧିକ ଖର୍ଚ୍ଚବାର୍ଚ୍ଚ କରୁଛନ୍ତି। ତେଣୁ ତୈଳ ଟିକସକୁ ହ୍ରାସ କରି ଉପଭୋକ୍ତାଙ୍କ ହାତକୁ ଅଧିକ ଅର୍ଥଦେଇ ମୋଦୀ କେନ୍ଦ୍ରରେ ଓ ଏନଡିଏ ଶାସିତ ରାଜ୍ୟରେ ନିର୍ବାଚନ ପୂର୍ବରୁ ଏକ ବଡ଼ ରାଜନୈତିକ ଖେଳଖେଳି ବିରୋଧୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି।

Leave A Reply