‘ମୋ ସ୍କୁଲ’ ଯୋଜନା ଓ ପୁରାତନ ଛାତ୍ର

0

ସୁକାନ୍ତ କୁମାର ମହାନ୍ତି

prayash

ସମ୍ପ୍ରତି ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଯୋଜନା ଏକ ପ୍ରଭାବଶାଳୀ ଆହ୍ବାନ ରୂପେ ଗ୍ରହଣ କରାଯାଇ ବିଭିନ୍ନ ବିଦ୍ୟାଳୟମାନଙ୍କର ସର୍ବାଙ୍ଗୀଣ ବିକାଶ ନିମନ୍ତେ ମୁଖ୍ୟତଃ ପୁରାତନ ଛାତ୍ରମାନଙ୍କୁ ସମ୍ପୃକ୍ତ କରାଇ ପ୍ରଧାନଶିକ୍ଷକମାନେ ଆଗେଇଲେଣି। ପ୍ରଥମେ ମନରେ ଆସୁଛି ‘ମୋ’ ଶବ୍ଦଟିକୁ ନେଇ।
ଏକ ବିଦ୍ୟାଳୟକୁ ‘ମୋ ସ୍କୁଲ’ କହିବା ଅଧିକାର କାହାର? ଏହି ‘ମୋ’ର ଶବ୍ଦଟି ସୃଷ୍ଟିକରେ ଭାବାବେଗ, ଆନ୍ତରିକତା, ଆତ୍ମୀୟତା ଓ ଆକର୍ଷଣୀୟତା, ପ୍ରାୟତଃ ଏହାର ସୃଷ୍ଟି ପରିବାରରୁ। ମୋ’ ଘର, ମୋ ବାପା, ବୋଉ, ଭାଇ ଭଉଣୀ ପୁଅ, ଝିଅ, ସ୍ତ୍ରୀ ଇତ୍ୟାଦି। କର୍ମକ୍ଷେତ୍ରରେ କେବଳ ସ୍କୁଲ ବ୍ୟତୀତ ଆଉ କୌଣସି ବୃତ୍ତି କ୍ଷେତ୍ରରେ ଅଧିକାର ସାବ୍ୟସ୍ତ କରୁଥିବା ଶବ୍ଦ ‘ମୋର’ ବ୍ୟବହାର ଦେଖାଯାଏନା। ଶାସ୍ତ୍ର ଅନୁସାରେ କେହି କାହାର ନୁହନ୍ତି ଏବଂ କିଛି ବି’ କାହାର ନୁହେଁ, ତେବେ ବି କେବଳ ପ୍ରଧାନଶିକ୍ଷକ ଓ ପ୍ରାକ୍ତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ କହିବାକୁ ଅଧିକୃତ।
ଅଶୀ ଦଶକ ପୂର୍ବରୁ ଯେଉଁ ପ୍ରଧାନ ଶିକ୍ଷକମାନେ ସ୍କୁଲରେ ଚାକିରି ଆରମ୍ଭ କରି ସେଇଠାରେ ଶେଷ କରୁଥିଲେ ସେହିମାନେ ହିଁ ‘ମୋ ସ୍କୁଲ’ କେବଳ କହୁ ନ’ଥିଲେ, ତଦନୁସାରେ କାର୍ଯ୍ୟ କରୁଥିଲେ। ମାଟି ସହିତ ମାଟି ହୋଇ, ଲୁହଲହୁ ଏକାଠି କରି, ବିଦ୍ୟାର୍ଥୀଙ୍କ ବାପା ମା’ ସାଜି, ନିଜର ସର୍ବସ୍ବ ସାରିଦେଇ, ଭୋକିଲା ପେଟରେ ଓଦାକନା ପକାଇ, କାର୍ଯ୍ୟ ନିର୍ଘଣ୍ଟ ଭୁଲି ଯାଇ ଖାଲି ତ୍ୟାଗ କରୁନଥିଲେ, ଜୀବନ ଦେଇ ସେହି ସ୍କୁଲ ଓ ତାହାର ଅନ୍ତେବାସୀମାନଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ। କେବଳ ଏହି ‘ମୋ ସ୍କୁଲ’ ଓ ‘ମୋ ପିଲା’ କହିବାର ଅଧିକାର ସେମାନଙ୍କର ଥିଲା ଏବଂ ତାଙ୍କ ମୁହଁରେ ଏ ଶବ୍ଦ ଶୋଭା ପାଉଥିଲା। ଏବର ପାରିବାରିକ ସ୍ଥିତିରେ ବାପାପୁଅ, ଝିଅଙ୍କୁ ‘ମୋ’ କହିବାକୁ ଲାଜ କରୁଛି। ଜନ୍ମିତ ପୁଅ ଯେତେବେଳେ ବାପା ଓ ମାଙ୍କୁ ‘ମୋ ବାପା ଓ ମାଆ’ ନକହି ହତାଦର କରୁଛି ରକ୍ତସମ୍ପର୍କ ଅର୍ଥହୀନ। ଏପରିକି ‘ମୋ ସ୍ବାମୀ’ ଏବଂ ‘ମୋ ସ୍ତ୍ରୀ’ ମଧ୍ୟରେ ତିକ୍ତ ସମ୍ପର୍କ ଦେଖିବାକୁ ମିଳେ।
ପ୍ରତ୍ୟେକ ପୁରାତନ ଛାତ୍ର ‘ମୋ ସ୍କୁଲ’, ‘ମୋ ସାର୍‌’, ‘ମୋ ସାଙ୍ଗ’ କହି ପାରିବ, କିନ୍ତୁ ସେମାନେ ମଧ୍ୟ ତାହା କରୁନାହାନ୍ତି। ସେ ଦୁନିଆରେ କେବଳ ‘ମୋ ଧନ’, ‘ମୋ ମାନ’କୁ ଗୁରୁତ୍ବ ଦେଇଥାଆନ୍ତି। ଯେଉଁ ଛାତ୍ର ଯେତେ ପ୍ରତିଷ୍ଠା ଅର୍ଜନ କରୁ ସ୍କୁଲ ଓ ଏହାର ଶିକ୍ଷକଙ୍କ ନିକଟରେ ମୁଣ୍ଡ ନୁଆଁଇବା ତା’ର ବଡ଼ପଣିଆ ପ୍ରକାଶ କରିଥାଏ।
୨୦୦୯ ମସିହାର କଥା। ତାମିଲନାଡ଼ୁର ଜଣେ ଅବସରପ୍ରାପ୍ତ ଅଭାବୀ ଶିକ୍ଷକ ଏସ.ଭି ଭେଙ୍କଟରମଣ ଅବସରକାଳୀନ ଅାର୍ଥିକ ସୁବିଧା ପାଇ ନିଜ ଦୁଇ ଝିଅଙ୍କ ବାହାଘର ସରିଲା ପରେ ଅର୍ଥାଭାବ ହେତୁ ସହର ଛାଡ଼ି ଗାଁକୁ ଗଲେ, ଛୋଟ ଘରେ କମ ଭଡ଼ାରେ ରହିବାକୁ। ପୁରାତନ ଛାତ୍ରମାନେ ଜାଣିଲେ- ସହରରେ ଜାଗା କିଣିଲେ, ଦୁଇମହଲା ଘର କଲେ ଏବଂ ଗାଁରୁ ଶିକ୍ଷକଙ୍କୁ ଆଣି ଗୁରୁ ଦିବସରେ ନୂଆ ଘରଟି ଉପହାର ଦେଇ ଘରଟିର ନାମ ଦେଲେ ‘ଗୁରୁନିବାସ’। ‘ତଳ ଘରେ ସାର୍‌ ରହିବେ ଉପର ଘର ଭଡ଼ାରେ ଚଳିବେ।’ କି’ ବିଚାର!
ଏଇଠି ‘ମୋ ସ୍କୁଲ’ ଯୋଜନା ପ୍ରାକ୍ତନ ଛାତ୍ରମାନଙ୍କ ପାଇଁ ଏକ ଶୁଭ ସନ୍ଦେଶ। ଗୋଟିଏ ସ୍କୁଲର ମାତ୍ର କେତୋଟି ଛାତ୍ର ଏକତ୍ର ହୋଇ ନିଜର ଗୁରୁ ଦକ୍ଷିଣା ସ୍ବରୂପ ଲକ୍ଷାଧିକ ଟଙ୍କା ଦେବାର ସ୍ଥିତି ଅଛି, ମାତ୍ର ମାନସିକତା ନାହିଁ କାହିଁକି? ସେମାନେ ନିଜକୁୁ ଅନୁଶୀଳନ କରନ୍ତୁ।
ସମାଜ ଯେତେବେଳେ ଅତିଷ୍ଠ ହୋଇପଡ଼ିବ ଏବଂ ମୂଲ୍ୟବୋଧ ରସାତଳଗାମୀ ହେବାରେ ଲାଗିବ, ସେତେବେଳେ ଏହାକୁ ସୁଧାରିବା ନିମନ୍ତେ ଶିକ୍ଷକମାନଙ୍କ ଶରଣ ପଶିବା ପାଇଁ ବାଧ୍ୟ ହେବ ସମାଜ। କାରଣ ଏହାର ଅନ୍ୟ ସମାଧାନ ପନ୍ଥା ନାହିଁ। ବିବେକ ପଣିଆ, ସମ୍ମାନବୋଧ ଓ ମୂଲ୍ୟବୋଧଜନିତ ମାନବିକତାକୁ ହତ୍ୟାକରି ଯେ ନିଜକୁ ବିଶିଷ୍ଟ ବ୍ୟକ୍ତି ଭାବେ ପ୍ରଦର୍ଶନ କରିଥାଏ ତା’ର ଶାସ୍ତି ଯେ ଅପେକ୍ଷାରତ, ଏଥିରେ ସନ୍ଦେହ ନାହିଁ।
ଜଣେ ପୁରାତନ ଛାତ୍ର ଯେତେ ବଡ଼ପଦ, ମର୍ଯ୍ୟାଦା, ପ୍ରାଚୁର୍ଯ୍ୟ ହାସଲ କରୁ ପଛେ ସେ ପଢ଼ୁଥିବା ବିଦ୍ୟାଳୟରେ ତା’ର ପଦ ପୁରାତନ ଛାତ୍ର। ସେ ବିଦ୍ୟାଳୟ ସୁଖ-ଦୁଃଖରେ ଭାଗୀଦାର ହେବାକୁ ଛାତ୍ରପଣିଆ କୁହାଯିବ। ତାହା ହିଁ ସାବ୍ୟସ୍ତ କରିବାକୁ ‘ମୋ ସ୍କୁଲ’ ଅଭିଯାନ ଉଦ୍ଦିଷ୍ଟ। ସ୍ବାମୀ ବିବେକାନନ୍ଦଙ୍କ ଉକ୍ତି- ‘‘ତୁମେ ସମାଜକୁ କ’ଣ ନେଉଛ ଅପେକ୍ଷା କ’ଣ ଦେଉଛ ତାହା ହିଁ ତୁମର ବଡ଼ ପଣିଆ ସାବ୍ୟସ୍ତ କରେ।’’
ଏ ଯୋଜନାରେ କେତେକ ନକାରାତ୍ମକ ଓ ବିବାଦଗ୍ରସ୍ତ ଦିଗ ପ୍ରତି ନଜର ଦେବା ଅବଶ୍ୟମ୍ଭାବୀ। କାରଣ ବିଭିନ୍ନ ସ୍କୁଲକୁ ଯଥେଷ୍ଟ ପରିମାଣର ସରକାରୀ ଅନୁଦାନ ଆସି ପରିଚାଳନା କମିଟିରେ ବିବାଦ ଯୋଗୁଁ ଖର୍ଚ୍ଚ ନ’ହୋଇ ପଡ଼ିରହିଛି। ଏହି ଯୋଜନାରେ ସରକାର ଦ୍ବିଗୁଣ ଟଙ୍କା ଦେଲାପରେ ତାକୁ ଖର୍ଚ୍ଚ କରିବା ଦାୟିତ୍ବ କାହାର? ବିଜ୍ଞପ୍ତି ଅନୁସାରେ ଥରେ ଦାନ ଅଂଶ ବ୍ୟାଙ୍କ ଖାତାକୁ ଆସିଲା ପରେ ଏହା ହୋଇଗଲା ସରକାରୀ ଅର୍ଥ। ଆଉ ସେହି ବଦାନ୍ୟ ବ୍ୟକ୍ତି/ ଅନୁଷ୍ଠାନ ଏହାର ବିନିଯୋଗ କ୍ଷେତ୍ରରେ ମତାମତ ଦେବାର ଅଧିକାର ନାହିଁ। ସଂଖ୍ୟାଧିକ ପ୍ରଧାନଶିକ୍ଷକ ଲୋକପ୍ରିୟ ନୁହନ୍ତି। ତାଙ୍କ ନକାରାତ୍ମକ କାର୍ଯ୍ୟ ପଦ୍ଧତି ଓ ଶିକ୍ଷକ ହେବା ନିମନ୍ତେ ମାନସିକତାର ଅଭାବ। ପ୍ରାକ୍ତନ ଛାତ୍ର ଓ ଛାତ୍ର ସଂସଦକୁ ହେୟମନେକରି ସେହି ଛାତ୍ର ସଂସଦ ତରଫରୁ ଦିଆଯାଉଥିବା ବିଭିନ୍ନ ଶୈକ୍ଷିକ, ନୈତିକ, ସାଂସ୍କୃତିକ ଓ ସାମାଜିକ ଯୋଜନାକୁ ମଧ୍ୟ ଅଗ୍ରାହ୍ୟ କରିଦିଆଯାଉଥିଲାବେଳେ କେବଳ ଅନାବଶ୍ୟକ ନିର୍ମାଣଜନିତ କାର୍ଯ୍ୟକରି ବାହାବା ନେବା ଆଦୌ ସ୍ପୃହଣୀୟ ନୁହେଁ। ଏହି ଯୋଜନାରେ ଗୁଣାତ୍ମକ ଦିଗଟିକୁ ସରକାର ଗୁୁରୁତ୍ବ ଦେଉନାହାନ୍ତି।
ପୁରାତନ ଛାତ୍ର ସଂସଦ ମାଧ୍ୟମରେ ଚାନ୍ଦା ଆଦାୟ କରିବା ଭୁଲ ନୁହେଁ। ପ୍ରାକ୍ତନ ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଖୁସି ପ୍ରକଟ କରି ଶିକ୍ଷା କ୍ଷେତ୍ର ଓ ଶିକ୍ଷକମାନଙ୍କ ଋଣ ପରିଶୋଧ କରିବାକୁ ଏବଂ ‘ମୋ’ ଶବ୍ଦର ଯଥାର୍ଥତା ପ୍ରତିପାଦନ କରିବାକୁ ସହଯୋଗ ପ୍ରଦାନ କରିବା ଆବଶ୍ୟକ।
ସାତପୁରା, ତରିକୁନ୍ଦ, ଜଗତସିଂହପୁର

Leave A Reply